Unknown

ଭାରତବର୍ଷ

ଗିରିଜା କୁମାର ବଳିଆର ସିଂ

ଉତ୍ସର୍ଗ

 

ସୌଭାଗିନୀ, ଜ୍ଞାନେଂଦ୍ର କୁମାର । ବୋଉ, ଯିଏ ମୋ ଦୃଷ୍ଟିରେ ଆଜି ବି ଦୟାର୍ଦ୍ରତାର ଦେବକୀଟିଏ... ବାପା, ବିଶ୍ୱାସର ବସୁଦେବ... ଉଭୟଂକୁ ଏକତ୍ର ଏ ନବଜାତ ନକ୍ଷତ୍ର । "ଭାରତବର୍ଷ'

ଏଯାବତ୍ ଏଇସବୁ :

 

କାଲିର କବିତା

କ୍ରୌଂଚମିଥୁନ

ଡାଇରିର ଶାଇରୀ

ତୃଷ୍ଣାତର୍ପଣ

ନୀଳନିର୍ବାଣ

ଭାରତବର୍ଷ

ଚତୁର୍ଦଶୀର ଚଂଦ୍ର

ଉତ୍ତରମେଘ

ଚିତ୍ରପ୍ରତିମା

ଶୀତଶୀର୍ଷକ

ଚର୍ଯାଚୟନ

ଚାରଣଚର୍ଯା

କାବ୍ୟପୁରୁଷ

ପାଦପୂରଣ

ଏବଂ

ନିର୍ବାଚିତ ୧୫୧ କବିତା

 

ଅଭାରତେୟ

 

ଭାରତବର୍ଷ । ଭୂଗୋଳର ଭଂଗାଥାଳରେ ଆଂଜୁଳାଆଂଜୁଳା ଇତିହାସର ଅଶ୍ରୁଳ ଅସମାପିକା । ଭୂମିରୁ ଭୂମା, ଭୂର୍ଜରୁ ଭୁବଃ, ଭାଗ୍ୟରୁ ଭବିତବ୍ୟ, ଦରଜାରୁ ଦିଗଂତ, ଧୂସରତାରୁ ଧ୍ରୁବତ୍ୱ, ନଦୀରୁ ନକ୍ଷତ୍ର, ସର୍ଜନାରୁ ସ୍ୱପ୍ନ, ତୃଷ୍ଣାରୁ ତପସ୍ୟା, ନୀଡ଼ରୁ ନିର୍ବାଣଯାଏଁ ଲଟେଇଯାଇଥିବା ଶତସହସ୍ରାଭ ସ୍ୱପ୍ନର ସପ୍ରତିଭ ସଂଭାବନାଟିଏ ।

 

ଅତୁଳନୀୟ ତିଳଚିହ୍ନ ସହିତ କେତେନାକେତେ କରୁଣ କ୍ଷତଚିହ୍ନରେ ଭରପୂର୍‌ ଏକ ଅନନ୍ୟ ଆଶ୍ଚର୍ଯ-ଦେହର ଆତ୍ମିକା ଅଧୀଶ୍ୱରୀ ଏ ଦୀର୍ଘାଂଗିନୀ ଦେଶମାତୃକା । ଦୀର୍ଘଶ୍ୱାସଦଗ୍ଧ ଦୁଃଖର ଦୀର୍ଣଦର୍ପଣ ଆଗରେ ଏକାକିନୀ ଆକୁଳ ଆକୃତିଟିଏ । ଝଡ଼ଝାଉଁଳା ଝାଡ଼ବଣରେ ଉଷ୍ଣ ଅଥଚ ଅନୁଚ୍ଚ ଆବୃତ୍ତିଟିଏ । ସାତସାଉଁଟା ସ୍ମୃତିଟିଏ ।

 

ମାତ୍ର ଭଲପାଇବାର ଭାରତବର୍ଷ କୌଣସି ଭଗ୍ନଭୂଚିତ୍ର ନୁହେଁ କି ସମୟର ସଂତପ୍ତ ଶରଶଯ୍ୟାରେ ଶାୟିତ କେଉଁ ଐତରେୟ ଐତିହ୍ୟର ଆହତ ଅବଶିଷ୍ଟାଂଶ ନୁହେଁ - ବରଂ ସବୁ ଶୋକାର୍ତ ସକାଳର ଧୂସର ଦିବାସ୍ୱପ୍ନ ଓ ରଂଗହୀନ ରାତ୍ରିର ଦୂଷିତ ଦୁଃସ୍ୱପ୍ନ ଆରପଟେ ଏକ ଅନବହିତ ଆହ୍ୱାନ ... ଏକ ଆଦିଗଂତ ଆକାଙ‌୍‍କ୍ଷାର ଅଶ୍ରୁତ ଆବେଦନ ।

 

ଧର୍ମର ଧୂସର ଭିଡ଼, ଦଂଗାହଂଗାମାର ଧ୍ୱସ୍ତ ଦିଗ୍‌ବଳୟଘେରା ଶୂନ୍ୟକରୁଣ କୁହୁଡ଼ିବଣରେ ସବୁଦିନ ଯେଉଁ ରକ୍ତାକ୍ତ ଭାରତବର୍ଷର ସକାଳ ପାଲଟିଯାଏ କରାଳ କବଂଧଟାଏ କି ରାଜନୀତିର ରୈଖିକ ରାଜିନାମା ମଧ୍ୟରେ ସବୁଦିନ ଯେଉଁ ରୁଗ୍‌ଣ ଭାରତବର୍ଷର ଲଂବରାତି ଲଇଁପଡ଼େ ମହଣମହଣ ମହଳଣ ଦୁର୍ଭାଗ୍ୟର ଦାରୁଣ ଦୁର୍ଭାରରେ - ସେ ଭାରତବର୍ଷ ନୁହେଁ ମଣିଷର ଭାରତବର୍ଷ, ପକ୍ଷୀର ଭାରତବର୍ଷ, ଫୁଲର ଭାରତବର୍ଷ, ଫସଲର ଭାରତବର୍ଷ, ପ୍ରେମର ଭାରତବର୍ଷ, ବିପ୍ଳବର ଭାରତବର୍ଷ, ଭ୍ରୂଣର ଭାରତବର୍ଷ, ପ୍ରାଣର ଭାରତବର୍ଷ, ସ୍ୱପ୍ନର ଭାରତବର୍ଷ ।

 

ଅସଲ ଭାରତବର୍ଷ ଆମ ଆତ୍ମାର ଅଲଗା ଭାରତବର୍ଷ । ତାର ପତ୍ତା, ପରିଚୟର ତଲାସ୍‌ ଏବେ ବି ଜାରିରହିଚି ଆମ ନିଭୃତ ନିଃଶ୍ୱାସରେ, ଅଂତସ୍ଥ ଅତୃପ୍ତିରେ, ବୃଂତସ୍ଥ ବେଦନାବୋଧରେ । ଖାଁ ଖାଁ ଖରାବେଳର ଏ ମଶାଣିମୁଂଡରେ କଅଁଳ ଚେତନାର ଚଟୁଳ ଛାଇଚିରୁଡ଼ାଏ କି ଶୀତଳ ସାଂତ୍ୱନାର ସଜଳ ଶ୍ରାବଣବୁଂଦେ ପାଇଁ ଅପେକ୍ଷା ଯାହା ଖାଲି । ସେଇ ଭବିଷ୍ଣୁ ଭାରତବର୍ଷର ବିଷ୍ଣୁପଦସ୍ପର୍ଶ ପ୍ରତୀକ୍ଷାରେ ଅତିକ୍ରାଂତ ଅଜସ୍ର ଅତିଷ୍ଠ ଅତୀତ - ଇତିହରୁ ଏଯାଏଁ ।

 

ଆଜି ବି ବଜାୟ ରହିଛି ପରାଜୟର ପ୍ରହର । ଗ୍ଳାନିର ଗୋଧୂଳି । ରୋଦନ ଓ ରେରେକାରର ରୌରବୀ ରାତ୍ରି । ମାତ୍ର ଭଲପାଇବାର ଭାରତବର୍ଷ ଅସ୍ୱୀକାର କରେ ଏ ନିତ୍ୟନୈମିତ୍ତିକ ନିଷ୍ଠୁର ନିୟତିକୁ - ମନୁଷ୍ୟକୃତ ଏ ମର୍ମପୀଡ଼ନକୁ - ହିଂସାର ଏ ହେଂଟାଳକୁ - ଘୃଣାର ଏ ଘୋଷଣାନାମାକୁ - ବର୍ବରତାର ଏ ବିସ୍ଫୋରଣକୁ - ଉପଯୁର୍ପରି ଅମାନବୀୟତାର ଏ ଉଦଗ୍ର- ଉଦ୍ଦଂଡ ଇସ୍ତାହାରକୁ ।

 

ବିଗତର ଭାରତବର୍ଷଗୁଡ଼ିକୁ ଅନାଇଲେ ଦିଶିଯାଏ ଗୋଟାଏ ବିକଳ ଦୃଶ୍ୟପଟ - କେଉଁ ମୃତସଭ୍ୟତାର ମହେଂଜୋଦାରୋରୁ ଆମ ଗାଁମୁଂଡ ମଶାଣିପଦା ଯାଏଁ ଲଂବିଆସିଥିବା କାୟାତୀତ ଏକ କ୍ରୁଶସ୍ଥ କାରୁଣ୍ୟ ।

 

ଭାଗଭାଗ ଭାରତ, ଖଂଡଖଂଡ ଭ୍ରଥଖଂଡ, ଫଟାଫଟା ପଲସ୍ତରାର ଯୋଡ଼େଇପାସୋରା ଜଂବୁଦ୍ୱୀପ, ଅଧାଅଧା ଅଂଧାରର ଅନାଲୋକିତ ଆର୍ଯାବର୍ତ, ଧୂଳି ଓ ଧ୍ୱଂସର ଦୁଃଖିତ ଦ୍ରାବିଡ଼ଖଂଡ, ଅତର୍କିତ ଆକ୍ରମଣକାରୀର ଅସ୍ତ୍ରାହତ ବିବସ୍ତ୍ର ଭୂଭାରତ, ଦିଗଂତ ଓ ଦରିଆପାରିର ଦସ୍ୟୁଧର୍ଷିତ ଉପିୀଡ଼ିତ ଉପମହାଦେଶ ଏବଂ ଏପର୍ଯଂତ ଆମର "ଇଂଡିଆ ଦ୍ୟାଟ୍ ଇଜ୍‌ ଭାରତ' ପର୍ଯଂତ - ସବୁତକ ଚିତ୍ର ଓ ଚେହେରା ଛିନ୍ନତାର ଛାୟାଚ୍ଛନ୍ନ ଚିତ୍ରକଳ୍ପସବୁ ... ବେଦର ମଂତ୍ର, ଉପନିଷଦ୍‌ର ଉକ୍ତି, ଗୀତାର ଗୂଢ଼ାର୍ଥ, ଶାସ୍ତ୍ରର ଶ୍ଳୋକ, ସଂହିତାର ସୂତ୍ର, ସଂଥ-ସଂସ୍କୃତିର ସାରସ୍ମାରକଲିପି, ପୁରାଣପୁଂଜର ପାଠ-ପାଠାଂତର, ଅସରଂତି ଆଧୁନିକ ଦୃଷ୍ଟି ଓ ଦର୍ଶନଗୁଡ଼ିକର ଅଜସ୍ର ଅନର୍ଗଳ ଉଦ୍‌ଗିରଣ ସତ୍ତ୍ୱେ କ'ଣ ନିଦ ଭାଂଗିଚି ଚେଇଁଶୋଇଥିବା ଏ ଚିତ୍ରବିଚିତ୍ର ଛାୟାପୁରୁଷମାନଂକର ?

 

ଚତୁର ଚିତ୍ରଗୁପ୍ତମାନଂକ ଫର୍ଦଫର୍ଦ ପାଂଜି ଆଜି ବି ଲେଖାହେଉଛି ଲହୁଲୁହାଣ ମାମୁଲି ମଣିଷର ପାଉଁଶିଆ ଆକ୍ଷିମାନଂକରୁ ନିଗିଡ଼ି ପଡ଼ୁଥିବା ପୋଷପୋଷ ଲୁଣିଲୁହରେ । ଶମନମାନଂକ ଶାସନରେ ବଳି ପଡ଼ୁଛି ବିବେକ । ହାରୁଛି ହୃଦୟ । କଂଟାରେ ଲଟକିଛି କଇଁକଇଁ କରୁଣା । ଶୂଳି ଚଢ଼ୁଛି ସ୍ୱପ୍ନ । ଫାଶୀ ପାଉଛି ଫୁଂଗୁଳା ଫଗୁଣ ।

 

ଭାରତବର୍ଷ ଖଂଡ ନୁହେଁ, ଭୂଖଂଡ ନୁହେଁ, ଦୈର୍ଘ୍ୟ ନୁହେଁ, ପ୍ରସ୍ଥ ନୁହେଁ କି ଇତିହାସର ବିଡ଼ାଏ ଶୁଖିଲା ତାଳପତ୍ର ନୁହେଁ; ତାମ୍ରଶାସନର ଆଜ୍ଞପ୍ତି ନୁହେଁ, ଶିଳାଲେଖର ବିଜ୍ଞପ୍ତି ନୁହେଁ, ଅନୁଶାସନର ଅନୁଜ୍ଞା ନୁହେଁ, ସଭ୍ୟତାର ସଂଜ୍ଞା ନୁହେଁ, ପ୍ରତ୍ନତତ୍ତ୍ୱର କରୁଣ କବରଲିପି ନୁହେଁ କି ପ୍ରସ୍ତରିତ ପରଂପରାର ପ୍ରଦର୍ଶିତ ପ୍ରତିମାଟିଏ ନୁହେଁ - ସର୍ବୋପରି ଆମ ପ୍ରିୟ ଭାରତବର୍ଷ ଏକ ଅନାହତ ଆତ୍ମାର ଉନ୍ନିଦ୍ର ସ୍ୱପ୍ନ । ଏ ଅନିଦ୍ରିତ ଅନିଂଦିତ ସ୍ୱପ୍ନ - ସେଇ ଅନନ୍ୟ ଅପ୍ରାପ୍ତ ଅଭିବାଂଛିତ ଅଧିବାସ୍ତବତାର ବାସ୍ତୁତାତ୍ତ୍ୱିକ ଭୂମିକା ।

 

ବର୍ତମାନର ବହୁ ବିଭ୍ରାଟ ଓ ବିଡ଼ଂବନାର ବ୍ୟୂହ ଭିତରେ ବି ଏକ ବିବର୍ତମାନ ଭାରତବର୍ଷ ପାଇଁ ଆଗ୍ରହ, ଆସୃହା, ଅଭୀପ୍‌ସା ଅଦ୍ୟାବଧି ଅପେକ୍ଷିତ । ସେ ଭାରତବର୍ଷ ଭ୍ରୂଣାୟମାନ - କୌଣସି ଭାଷାବଦ୍ଧ ଭୂଗୋଳର ଗୁପ୍ତ ଗର୍ଭାଶୟରେ ନୁହେଁ କି କେଉଁ ଭାଷ୍ୟବର୍ଣିତ ଭାଗ୍ୟର ଅଦୃଶ୍ୟ ଅଂତୁଡ଼ିଶାଳରେ ନୁହେଁ;-ଅପରଂତୁ ଏକ ଅବଧାରିତ ଭବିତବ୍ୟତାର ବଂଦିଶାଳାରୁ କେଉଁଠିନାକେଉଁଠି ଦୟାଦ୍ରତାର ଦେବକୀ ଓ ବିଶ୍ୱାସର ବସୁଦେବମାନେ ଶିକୁଳିଭଂଗା ସେଇ ଶିଶୁସକାଳର ସୁସଂବାଦ ସମସ୍ତଂକୁ ଶୁଣାଇବେ ଦିନେ । କିଂତୁ ସେଥିପାଇଁ ନଂଦ ଆଉ ଯଶୋଦା ହେବାକୁ ପଡ଼ିବ ଆମରି ଭିତରୁ ଅନେକଂକୁ, ଆଜିଠୁ ହିଁ ।

 

ସେ ଭାରତବର୍ଷ ଏ ଭାରତବର୍ଷ ନୁହେଁ – ‘‍‘ବିଶ୍ୱମାନୁଷାଃ”ର ମହାଭାରତବର୍ଷ ସେ । ଭାରତବର୍ଷର ସଂକଳ୍ପ ଓ ସଂଘର୍ଷ ସେଇ ସଂଭବ୍ୟ ମହାଭାରତବର୍ଷର ସ୍ୱତ୍ୱାଧିକୃତ ସ୍ୱପ୍ନ ନିମଂତେ ନିବେଦିତ ହେଲେ ହିଁ ସବୁ ସକାଳ ଜବାକୁସୁମାର୍ଚିତ ସୂର୍ଯସକାଳ ଆଉ ସବୁ ରାତି ଶ୍ୱେତକୁମୁଦଚର୍ଚିତ ଜହ୍ନରାତି !

 

ଭାରତବର୍ଷରୁ ମହାଭାରତବର୍ଷ - ଋତୁରୁ ଋତ, ଜନ୍ମରୁ ଜନ୍ମାଂତର, ତୃଷ୍ଣାରୁ ତାରା ପର୍ଯଂତ ସଂପ୍ରସାରିତ ଏକ ଊର୍ଜସ୍ୱଳ ଉତ୍ତରଣର ଅକୁତୋଭୟ ଅଭିଯାତ୍ରା । ମହାମନାଃ ମଣିଷମାନଂକର ଭାରତବର୍ଷରେ ହିଁ ମହାଭାରତବର୍ଷର ମଂଜି ଆଜି ଚାରା ହେବାର ଦିନ ଗଣୁଚି ଚୁପ୍‌ଚାପ ।

 

ସେ ମଣିଷମାନେ କାହାଂତି କେଉଁଠି ?

ମାଳମାଳ ବ୍ରହ୍ମାଂଡ ଭିତରେ କେଉଁଠି ପିଂଡ ଧରି ବିରାଜମାନ ସେମାନେ ?

 

ତଥାକଥିତ ତେତ୍ରିଶକୋଟି ଦେବଦେବୀଂକ ଏତେ ଉଚ୍ଛ୍ୱସିତ ଉଲ୍ଲେଖ, ଅଥଚ ଅର୍ଥହୀନ ଅଥର୍ବତାର କି ଆରଣ୍ୟ ଅଂଧକାର ! ଆସନ୍ନ ସୂର୍ଯୋଦୟର ପ୍ରଚ୍ଛନ୍ନ ପଟଭୂମିରୁ ଗୋଟିଗୋଟି ହୋଇ କେଉଁଦିନ କେଉଁଠି ଦିଶିଯିବେ ସେ ମଣିଷମାନେ ?

 

ଧର୍ମଗ୍ଳାନିପୀଡ଼ିତ ଭାରତବର୍ଷର ପରିତ୍ରାଣ ପାଇଁ ଯୁଗେଯୁଗେ ଏ ଧୂଳିଶଯ୍ୟାକୁ ଓହ୍ଲାଇଆସଂତି କାଳେ ଅବତାରମାନେ ! ଦଶ ଅବତାର, ଚବିଶ ଅବତାର, କେତେନାକେତେ କିସମ କିସମ ଅବତାର । ନା, ତଥାକଥିତ ସେସବୁ ଅବତାର ଆଦୌ ମଣିଷର ନୁହେଁ - ଦେବତାର, - ଖୋଦ୍‌ ଈଶ୍ୱରର ବହୁରୂପୀ-ବ୍ୟକ୍ତିତ୍ୱ ମଧ୍ୟରେ ଅଭିବ୍ୟକ୍ତ ସେ ବରାଦୀ ବିକଳ୍ପ-ବ୍ୟବସ୍ଥାର ବୈଚିତ୍ର୍ୟମୟ ବୟାନ : ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ ...

କିଂତୁ ଏତେ ଅବତାର ସତ୍ତ୍ୱେ ଉତ୍ତରଣ ବା କାହିଁ ଆତ୍ମିକ ଅବବୋଧସବୁର ?

 

ଅବାଂତର ଅବତାରସବୁ ।

ଭଗବାନର ନୁହେଁ, ମଣିଷର ଅବତାର ଯଦି ପ୍ରକୃତପକ୍ଷରେ ସଂଭବ ହୁଏ, ତେବେ ତାହା ହିଁ ହେବ ଅସଲ ଅବତାର ଏବଂ ସେଇ ଅବତାର ହିଁ ବାଟ ବତେଇବ ଅସଲ ଭାରତବର୍ଷଆଡ଼େ ।

 

ଅବତାରର ଅବଲୀଳାରେ ଆମେ ଚିହ୍ନଟ କରିଛୁ “ବାମନ”ର ଅବତାରଣା - ମାତ୍ର “ମାନବ” ଅବତାର ପାଇଁ ବେଳ ଆଉ କେତେ ବାକି ?

 

ମହାଭାରତବର୍ଷ ଆଜି ଶୂନ୍ୟପୁରୁଷାୟିତ ସୂର୍ଯହୀନତାର ସୁଶୀତଳ ସୁଡ଼ଂଗରେ ସୁପ୍ତ ... ସ୍ୱପ୍ନାୟମାନ ... ଗଣୁଚି ମୋହମୁକ୍ତିର ସକାମ ସକାଳ ପାଇଁ ଗୂଢ଼ମୁହୂର୍ତ ଗୋଟିଏ । ନିଭୃତରେ, ନିଃଶବ୍ଦରେ ।

 

ସେ ନିବିଡ଼ ନିଃଶବ୍ଦତାର ନାଂଦୀପାଠ କେବେ, ସେଥିପାଇଁ କୌଣସି ଖଟ୍ୱାଂଗପୁରାଣୀ ଖଡ଼ିରତ୍ନ କି ପଦକପ୍ରାପ୍ତ ଫଳିତ-ପଂଡିତଂକୁ ଉତ୍ତର ନ ମାଗି ଆମେସବୁ ଯଦି ନିଜ ନିଜ ନିଭୃତ ଅଂତଃକରଣକୁ ଅଂତତଃ ଏବଠୁ ଅଂତରଂଗ ଭାବରେ ପ୍ରଶ୍ନ ପଚାରିବା ପର୍ଯାୟଟିର ଅୟମାରଂଭ କରିପାରଂତୁ, ତା'ହେଲେ କେତେ ଆନଂଦ ଆଉ ଆଶ୍ୱାସନାର ବାତାବରଣଟିଏ ସୃଷ୍ଟି ନହୋଇପାରଂତା ସତରେ !

 

ପ୍ରଶ୍ନସବୁ କିଂତୁ ସଂଶୟରେ ସ୍ୱରହୀନ ।

ମାତ୍ର ସଂଶୟ କାହିଁକି ?

ସେମାନେ ଆସିବେ ଦିନେ ...

 

ମମତାର ମୁକୁଳିତ ମଣିପଦ୍ମରେ ସଜାଇଦେବେ ଏ ଗର୍ଭବତୀ ଗୈରିକା ଗ୍ରୀଷ୍ମିକାର ଅସଜଡ଼ା ଗଭା । ସଂତ୍ରାସରୁ ସନ୍ନ୍ୟାସକୁ ନୁହେଁ, ବରଂ ବିନାଶରୁ ବିନ୍ୟାସକୁ - ଜୀବାଶ୍ମରୁ ଜୀବନ୍ୟାସକୁ ମହାଜୀବନର ଯେଉଁ ଜୈବମହିମ୍ନ ଯାତ୍ରାପଥ, ସେଇ ଚିରପ୍ରତ୍ୟାଶିତ ପଥରେ ହିଁ ଆସିବେ ଦିନେ ଶପଥବଦ୍ଧ ସତୀର୍ଥ-ମଣିଷର ଦୁର୍ବିନୀତ ଦଳ ...

 

ଆସିବେ ନିଶ୍ଚୟ ସେଇ କୁନିକୁନି କାହ୍ନୁମାନେ, ବକଟେବକଟେ ବୁଦ୍ଧମାନେ, ମିନିମିନି ମହାମନୀଷୀମାନେ - ବାଳୁତ ବାମନାବତାର ମଧ୍ୟରୁ ଦିନେନାଦିନେ ଚାକ୍ଷୁସ ହେବେ ଭବିଷ୍ୟ-ମାନବର ସେଇ ଚିରଚାରଣ ସୃଜନୀବଂଶୀବାଦକ ଉଜ୍ଜ୍ୱଳତମ ବଂଶଧରମାନେ... ପ୍ରଜ୍ଞାନର ପଥପ୍ରଦର୍ଶକ କାରୁଣିକ କୁଳଚଂଦ୍ରମାମାନେ ।

 

ପୋରୁହାଁ ପତିଆରାର ପାଟ-ପଟୁଆରଟିଏ ନିଶ୍ଚୟ ସେଦିନ ଏ ପୋଡ଼ା ପରଂପରାର ପଦରରେ ଫସଲକ୍ଷେତର ପୁଷିଁତ ପ୍ରତିଶ୍ରୁତିଟିଏ ଫୁଟାଇପାରିବ - କାହିଁକି କେଜାଣି ଏତେ ଅପଚୟ ଓ ଅବକ୍ଷୟ ଭିତରେ ବି ଅଂକୁରିଉଠୁଛି ଏମିତି ଏକ ଆସ୍ଥା ଅଂତତଃ।

 

ଭ୍ରୂଣାୟମାନ ସେ ଭବିଷ୍ୟ-ଭାରତବର୍ଷ ଆଉ ବିଷଣ୍ଣ ଭୂଗୋଳଟିଏ ହୋଇ ରହିନଥିବ ଏ ଆହତ ଅକ୍ଷାଂଶ ମଧ୍ୟରେ କି ଅଶ୍ରୁଳ ଇତିହାସଟିଏ ହୋଇ ଶୋକଗାଥା ଗାଉ ନ ଥିବ ଏ ଦୁଃଖିତ ଦ୍ରାଘିମାର ଧୂସରତାରେ । ସେ ଏକ ଉତ୍ତିଷ୍ଠମାନ ଆତ୍ମାର ଭାରତବର୍ଷ, ବିଶ୍ୱମନୁଷ୍ୟର ଚିରଚିନ୍ମୟୀ ଚୈତ୍ତ୍ୟଭୂ ।

 

***

"ଭାରତବର୍ଷ'-

ଉପରୋକ୍ତ ଆସନ୍ନ ପ୍ରତ୍ୟୟ ଓ ପ୍ରତିଶ୍ରୁତିର ଏକ ଫର୍ଦ-ପ୍ରସ୍ତୁତି ।

ମଂଗଳାଚରଣମୟ ମଂତ୍ରକାବ୍ୟ ।

 

କିଛି କିଛି ଅଂତସ୍ଥ ଉକ୍ତିର ଉଚ୍ଚାରଣୀ-ଆଧାରିତ ବ୍ୟାସକୂଟ ଭଂଗିରେ ଏବଂ ରୁଦ୍ରାକ୍ଷରୀ ରୀତିରେ ରଚିତ ୧୦୮ ଚତୁର୍ଦଶପାଦୀର ଏକ ମିଶ୍ରରାଗ ଇଏ । ଏ ମିଶ୍ରରାଗର ଆଳାପ ପାଇଁ ଅପେକ୍ଷା କରିବାକୁ ପଡ଼ିଛି ବର୍ଷ ପରେ ବର୍ଷ ... ଅନେକ ବର୍ଷ ... ଦୀର୍ଘ ତିନିଦଶଂଧିରୁ ଊର୍ଧ୍ବ । ମଝିରେ ଭଂଗାଭଂଗା ଭଟ୍ଟା, ତାପରେ ଅନାହୂତ ଅନାସକ୍ତି, ଶେଷଆଡ଼କୁ ଜୁଆର ପରି - ଭଲପାଇବାର ଭାରତବର୍ଷ ନିଜେ ହିଁ ଯେମିତି ନିଜକୁ ଲେଖାଇନେଇଚି ଏ ଅକିଂଚନ-ଅପଂଡିତର ପ୍ରସ୍ତପ୍ରସ୍ତ ପ୍ରସ୍ତାବିତ ପ୍ରଳାପରେ - ଏମିତି ହିଁ ମନେହେଉଛି ଆଜି !

 

“ଭାରତବର୍ଷ”ର ଏ କାବ୍ୟଭୂଚିତ୍ର ଗଢ଼ାହୋଇଛି ଛିନ୍ନଭିନ୍ନ ଚିତ୍ରକଳ୍ପରେ - ଖଂଡବିଖଂଡ ବାଗ‌୍‍ବିଶେଷର ଅଖଂଡମଂଡଳରେ - ସ୍ୱବିରୋଧର ସ୍ୱର ଓ ସ୍ୱପ୍ନାଚ୍ଛନ୍ନତାର ସ୍ୱତଃସ୍ୱଗତସ୍ଫୂର୍ତିରେ - ସଂଭବତଃ, ଅବଚେତନରୁ ଅର୍ଧଚେତନ ଅବସ୍ଥାଂତର ଦେଇ ଚଂଦ୍ରଚଳନର ଚତୁର୍ଥ ପ୍ରହର ପର୍ଯଂତ, ଏକ ସ୍ୱସ୍ତ୍ୟୟନିକ ସୂର୍ଯସ୍ନାନର ଆଂଜୁଳାଏ ଅହ୍ୟଆହ୍ଲାଦ ଅର୍ଜନ ଅପେକ୍ଷାରେ । ପୂର୍ବବର୍ତୀ ପ୍ରହରସବୁ ପ୍ରଳାପମୟ - ମଧ୍ୟାଂତରର ମୁହୂର୍ତମାନ ମନୋଭାଷୀ - ପରବର୍ତୀ ପରିଣତି ପାଲଟିଛି ପତ୍ରମର୍ମରୋପମ ମୃଦୁମଂତ୍ରପାଠ ... ଗତ-ଆଗତ-ଅନାଗତର ତ୍ରିତରଂଗୀ ତ୍ରୈକାଳିକତା ଯେପରି ଅଲକ୍ଷିତରେ ତାର ଅନୁଗତ/ଅନୁରତ କାବ୍ୟାତ୍ମାକୁ ଡାକିଚାଲିଥିଲା ଶ୍ରୁତଲିଖନ !

 

ତୃପ୍ତି ନଥିଲା, ବରଂ ଥିଲା ଅନୁସ୍ପଂଦନଶୀଳ ଏକ ଅନବଚ୍ଛିନ୍ନ ଅତୃପ୍ତି ଏ ଅବସ୍ଥାରେ । ଅତୀତର ଅତ୍ୟୁକ୍ତି ଓ ବର୍ତମାନକାଳର ବକ୍ରୋକ୍ତି ମଧ୍ୟରେ ଏକ ଦୋଦୁଲ୍ୟମାନ ତ୍ରିଶଂକୁର ସତ୍ତା-ସ୍ମୃତି-ସ୍ଥିତିଜନିତ ସଂକଟବୋଧ ଭୋଗୁଥିଲା “ଭାରତବର୍ଷ”- ଭବିଷ୍ୟତ୍‌ର ଚେନାଏ ତୃଣଦର୍ଶନ ଦୂରାଗତ ରହିଥିଲା ସେ ପର୍ଯଂତ । କାବ୍ୟାତ୍ମାକୁ ତାର ପକ୍ଷୀକଳ୍ପଟି ମିଳିଯିବା ମାତ୍ରେ, ଦୃଷ୍ଟପ୍ରତୀତ ହେବାକୁ ଆଉ ବେଶି ବିଳଂବିତ ନ ଥିଲା ମହାଭାରତବର୍ଷର ଭୂକଳ୍ପ । ୨୦୦୩ରେ ଏକ ଆବାହନିକ ଆକୃତି ନେଇ ପ୍ରଥମେ ପ୍ରକାଶ ପାଇଥିଲା ଏ କୃତି । ମାତ୍ର ତୁଷ୍ଟି କଣ ଏତିକିଟିକିଏ ବି ଆସିପାରିଥିଲା ଏଥିରେ ? ୨୦୦୩ରୁ ୨୦୧୪ - ପ୍ରାୟ ଗୋଟାଏ ଯୁଗ - ଗୁଡ଼ିଏ ଦ୍ୱଂଦ୍ୱ ଓ ଦ୍ୱିଧାର ଦଶକ ଗୋଟିଏ - ଏ ଭିତରେ ଆଠୋଟି ସଂସ୍କରଣ - ସବୁଗୁଡ଼ିକ ପୁନର୍ମୁଦ୍ରଣ । ୨୦୧୪ରେ ଏ କୃତିର ଏକ ପୁନର୍ନବ ପ୍ରତିରୂପାୟନ ପାଇଁ ଅଂତର୍ଲୋକରୁ କାହିଁକି କେଜାଣି ଆସିଲା ଏକପ୍ରକାର ତୁମୂଳ ତୁରୀୟାଦେଶ । ସେଇ ଗଢ଼ା, ସେଇ ଭଂଗାର ଜୁଆରଭଟ୍ଟା - ତାପରେ ମୂଳଛାଂଚର ଛାଇଆଲୁଅରେ ବାଟ ଚାଲୁଚାଲୁ ଚୂଳପର୍ଯଂତ ଅଳ୍ପକିଛି ଅଲଗା ଗଢ଼ଣ ଆଉଥରେ । "ଭାରତବର୍ଷ'ର ଏ ଭାର ବୋହିବାକୁ ପଡ଼ିଲା, କୃଷ୍ଣଂକଠାରୁ ଅଂତିମବିଦାୟ ନେଇ, ଯେମିତି କଳାହରଣ ପରେ, ନିଜ ଧନୁକକୁ ନିଜେ ମୁଂଡରେ ବୋହିବୋହି ଆସିବାକୁ ପଡ଼ିଥିଲା କୁରୁକ୍ଷେତ୍ରର ଅବସରପ୍ରାପ୍ତ ଅଧିଯୋଧକ ଅଜୁର୍ନଂକୁ, - ଫେରଂତା ଚଲାପଥର ଅଂକାବଂକା ମଝିମୋଡ଼ରେ ଝୁଂଟିଝୁଂଟି, ପଡ଼ିଉଠି !

 

ଏବେ ୨୦୧୭ରେ ପ୍ରକାଶିତ ଏ ନବମ ସଂସ୍କରଣ ତିନିବର୍ଷ ତଳର ସେଇ ବାରଭାଂଗଣର ଦରଗଢ଼ଣଟିଏ ମାତ୍ର : ମଂତ୍ରକାବ୍ୟ - ଯାହାର ମହାକାବ୍ୟ ହେବାର କୌଣସି ସାମାନ୍ୟତମ ଭବିତବ୍ୟିକ ଭାଗ୍ୟ ବା ଯୁଦ୍ଧଜିଗୀଷୁ ଯୋଗଟିଏ କେବେହେଁ ନଥିଲା ବା ନାହିଁ ଆରଂଭରୁ । ମାତ୍ର ଶେଷ ପର୍ଯଂତ ସୁଦ୍ଧା ଏ ଦୁଃଖର ଦାରୁଣ ଦୁର୍ଭାର ସେଇ ଦୁଃସହ ଧନୁବହନର କ୍ଳିଷ୍ଟକରୁଣ ଭାରଠାରୁ କଣ କିଛି କମ୍‌ ?

 

ଏହି ଦୃଷ୍ଟିରୁ, କୁହାଯାଇପାରେ ଯେ ସମକାଳିକ ଜନୈକ ଅନାଧୁନିକ ଅକବିର ଏହା ଏକ ଅଭାରତେୟ ଭାରତ-କାବ୍ୟ - ଯାହା ସ୍ୱୟଂଭାରାକ୍ରାଂତ ନିଜ ନିଠୁରା କାବ୍ୟନିୟତିର ଅଲଂଘନୀୟ ଆଜ୍ଞାପାଳନରେ ।

 

***

 

ଏ ଭାରତ-କାବ୍ୟ ପ୍ରଣୀତ ହୋଇଛି ଶବ୍ଦ ଓ ସୂତ୍ରରେ ।

ଶବ୍ଦସବୁ ଚିଂତନର ଚିତ୍ରଣ । ସୂତ୍ରସବୁ ଆଭାସର ଅଂକନ ।

 

ବେଳେବେଳେ ଶବ୍ଦମାନେ ଦାବି କରିଛଂତି ସ୍ୱାୟତ୍ତତା ଏବଂ ସ୍ୱାଧୀନତା । ଶବ୍ଦର ସ୍ୱାଧୀନତା ଘୋଷଣାବେଳେ ସୂତ୍ରସବୁ ମଧ୍ୟ ଅଣାୟତ୍ତ ହୋଇଉଠିବାକୁ ଚାହିଛଂତି ଆପଣାଆପଣା ଅଲଗାଅଲଗା ଆୟତନରେ; ଉଂକିମାରିଛଂତି ଆଉ ଉହୁଂକିଯାଇଛଂତି ଅଭାବିତ ଅର୍ଥାଂତରଆଡ଼େ-

 

ଭାରତବର୍ଷର ତୃଷ୍ଣା ଓ ମହାଭାରତବର୍ଷର ତପସ୍ୟାକୁ ନେଇ ପରିସଂପନ୍ନ ହୋଇଛି ଏ ମଂଗଳଚରଣାବୃତ୍ତ ମଂତ୍ରକାବ୍ୟର ପରଂପର ପର୍ବ-ପାରାୟଣ : “ଭାରତବର୍ଷ”।

 

ମାତ୍ର ପର୍ଯାୟପର୍ଯାୟ ପର୍ବ-ପାରାୟଣର ପରିସମାପ୍ତି ବା କେଉଁଠି ?

 

ପରିସମାପ୍ତି ନାହିଁ, ପରିନିର୍ବାଣ ନାହିଁ - ପୃଥିବୀର ପ୍ରତ୍ୟେକ ମଣିଷର ନିଜ ନିଜ ନିବିଷ୍ଟ ଆତ୍ମଚେତନାରେ ପ୍ରଚ୍ଛନ୍ନୀଭୂତ ହୋଇରହିଛି ତାର ନିଜସ୍ୱ ସ୍ୱପ୍ନନିର୍ମିତ ନିର୍ଧାରିତ ଭାରତବର୍ଷଟିଏ । ପ୍ରତ୍ୟେକର ଅଛି ଏକ ଏକ ବିଶୁଦ୍ଧ ବିଶ୍ୱାସ ଓ ବୈୟକ୍ତିକ ବୈଧବୈକଳ୍ପ୍ୟର ବୈଭିନ୍ନ୍ୟଭିତ୍ତିକ ଭାରତବର୍ଷ । ଆଜି ତେଣୁ ସ୍ୱନାମିତ ସ୍ୱନ-ସର୍ଜନାର ଧାରାଟିଏ ଏଠି ଅଂତ ହେଲା ବୋଲି ଆତ୍ମବ୍ୟାଖ୍ୟାନ ଏକ ଅସ୍ପୃହଣୀୟ ଅବିମୃଷ୍ୟକାରିତା ମାତ୍ର । କାରଣ ଆଉକେଉଁଠି ହୁଏତ, ଆଉ କେତେକେତେ ମଗ୍ନମାନସର ଅଲକ୍ଷିତ ଅଂତଃସ୍ଥଳରେ ମଧ୍ୟ, ଭିନ୍ନ ଭାବରେ ଉଚ୍ଚାରିତ ହେଉଥାଇପାରେ “ଭାରତବର୍ଷ”- ଠିକ୍‌ ଯେମିତି ହଜାରହଜାର ବର୍ଷ ତଳର ବେଦବଂଦିତା ପୂତପୟସ୍ୱିନୀ ସରସ୍ୱତୀ ଆଜି ମରୁମାର୍ଗରେ ସଂଚରଣଶୀଳା ହୋଇଉଠୁଥିବାର ସଂଭାବନା ଓ ସୁସମାଚାର, ଶ୍ରୁତିଗୋଚର ହୋଇପାରିଛି ସମସ୍ତଂକର ।

 

ଏହି ଦୃଷ୍ଟିରୁ ସାହିତ୍ୟରେ ଶେଷହୀନତାର ସଂସ୍ମରଣୀ ସ୍ୱରୂପ ପୂର୍ବୋଚ୍ଚାରିତ ଏକ ମଂତ୍ର ଏଠି ପୁନରାବୃତ୍ତ କରି ସର୍ବାସୀନ ସଭାଜନମାନଂକୁ କ୍ଷମା ମାଗୁଛି ଏ ଅର୍ବାଚୀନ ଅଭାଜନ :

 

      “ଏତଦ୍‌ ବଚେ ଜରିତର ମାମି ସୃଷ୍ଟଃ

      ଅଯତ୍‌ ତେ ଘୋଷାନ୍‌ ଉତ୍ତରଯୁଗାନି ।”

 

“ଭୁଲିଯାଅନା, ତୁମ ଉଚ୍ଚାରିତ ଏହି ଶବ୍ଦ ଉତ୍ତର-ଯୁଗରେ ସଂଘୋଷିତ ହେବ ଦିନେନାଦିନେ ।''

 

ଗିରିଜା କୁମାର ବଳୀୟାରସିଂହ-

 

ଧୃତରାଷ୍ଟ୍ରର ଦୃଷ୍ଟିରେ

 

“ଭାରତବର୍ଷ” - ସେଇ ଫେରାର୍‌ ପ୍ରେମିକର ଫର୍ଦଫର୍ଦ ଫରିୟାଦ୍‌ ... ତେତିଶଟା ବର୍ଷର ତୁଷାଗ୍ନିତାତି ତଳେ ଯେଉଁଠି ପାଉଁଶ ତଳୁ ନିଆଁର ନିଆଳୀ ହୋଇ ଫୁଟିବାକୁ ଚାହେ ବିୟେତ୍ରିଶ୍‌ - ଚିତାଭସ୍ମରୁ ଚିତ୍ରିତ ପର ଝାଡ଼ି ଚଂଦ୍ରଲୋକଆଡ଼େ ଉଡ଼ିଯିବାକୁ ଇଚ୍ଛା କରେ ଫିନିକ୍‌ସ୍‌ !

 

ଚରୈବେତି, ଚରୈବେତି, ଚରୈବେତି...

“ଓ” ରୁ “ଓଁ”କୁ ଅନୁବଂଧିତ ଅନୁମତି ... ନିବିଡ଼ ଶବ୍ଦର ନୀଳପିଂଗଳ ଗର୍ଭଗୃହରେ ନିର୍ବିକଳ୍ପ ବ୍ରହ୍ମର ବିଭୂତି ... ଦାରୁଣ ଦେହର ବିକଳ ବଂଦିଶାଳାରେ ଅବତରିତ ଆତ୍ମାର ଅବିକଳ ଅବିସ୍ମୃତି ... ସଂତପ୍ତ ସଭ୍ୟତାର ସଫେଦ୍‌ ସତୀଦାହରେ ସଂହତ ସଂସ୍କୃତିର ସଂଘବଦ୍ଧ ସଂଘର୍ଷ – “ଭାରତବର୍ଷ”।

 

କଲଂବସ୍‌ର କଳ୍ପଭୂମିରୁ ଭାସ୍କୋଡ଼ାଗାମାର ଭୂଚିତ୍ର ଭିତରେ ମାନଚିତ୍ରିତ ନୁହେଁ ଏ ମହିମ୍ନ ମହାବର୍ତ। ମନୁ, ମୁନି, ମୌନୀ, ମହର୍ଷି, ମହାତ୍ମା, ମନୀଷୀ, ମନୁଷ୍ୟର ମନ୍ୱଂତରିତ ମଂତ୍ରମାଟି ଏ ମହାମଂଡଳ - ଯାହା ଭାରତବର୍ଷର ଭୌଗୋଳିକ ଭିତ୍ତିଚିତ୍ରରେ ରେଖାଂକିତ କରାଇଦିଏ ମହାଭାରତବର୍ଷର ମହାର୍ଘ ମାର୍ମିକ ଭାବମୂର୍ତି। ସଗରବଂଶର ସଂତାପରୁ ଯଦୁବଂଶର ଯବନିକା ଏବଂ ଶାକ୍ୟବଂଶର ଶ୍ମଶାନଯାତ୍ରାରୁ ଶବରବଂଶର ଶୋକସଂଗୀତ ପର୍ଯଂତ ବଂଶ ପରେ ବଂଶର ବାଜ୍ୟାପ୍ତି ଭାରତବର୍ଷର ଅବଚେତନରେ ଆଣିସାରିଛି କାଳାଂତରର କାରୁଣ୍ୟ, ବିଷାଦଯୋଗର ବୈରାଗ୍ୟ, କୈବଲ୍ୟର ବୈକଲ୍ୟ। ଆର୍ଯର ଅକ୍ଷାଂଶ, ଦ୍ରାବିଡ଼ର ଦ୍ରାଘିମା ବାହାରେ ଆଦିଭାରତର ଦାରୁଦେବତା ଆଜି ବି ଅରଣ୍ୟର ଅଜ୍ଞାତବାସରେ ଆସନ୍ନ ଅବତାରର ଅପେକ୍ଷାରେ ! ଭାରତବର୍ଷର ପ୍ରତ୍ୟେକ ପ୍ରସ୍ତରରେ ଆଜି ବି ଅନାହୂତା ଅହଲ୍ୟାର ଅହୋରାତ୍ର ଆର୍ତନାଦ ! ସତୀତ୍ୱର ଶିଳାସମାଧି, ପତ୍ନୀତ୍ୱର ପରିମାର୍ଜନ, ନାରୀତ୍ୱର ନୀଳନିର୍ବାଣରେ ସମକାଳୀନ ସୌରଭାରତର ଚାଂଦ୍ରାୟଣ ଚାଲିଛି ଚାରିଆଡ଼େ।

***

 

ବସ୍ତୁ ଓ ବାସ୍ତୁ - ତଥାସ୍ତୁ !

 

ମାଟି ଆଜି ଘାଟି। ଗୃହ ଆଜି ବ୍ୟୂହ। କୀଟରୁ କୀଚକଯାଏଁ ଆଜି ବି ଏକ କୁତ୍ସିତ କୂଟଚକ୍ର ଏଠି। ରୁଗ୍‌ଣ ରାଜନୀତି ଏବଂ ଋଣୀ ଅର୍ଥନୀତିର ମତଲବୀ ମଧୁଚଂଦ୍ରିକା ଆଜି ଭଲପାଇବାର ଭାରତବର୍ଷକୁ କରିସାରିଛି ଗୋଟାଏ ଗୈରିକ ଗଂଡଶିଳା। ଧର୍ମର ଧର୍ଷଣ, ଶାସ୍ତ୍ରର ଶୋଷଣ, ସଂହିତାର ସଂହାର, ସ୍ମୃତିର ସତ୍କାର, ସତ୍ତ୍ୱର ସଂକଟ ମଧ୍ୟରେ ପ୍ରତ୍ନ-ଭାରତର ପ୍ରଶ୍ନ ଆଜି ଅନୁତ୍ତରିତ ଏବଂ କୃଷି ଓ କୃଷ୍ଟିଠାରୁ ଦ୍ରୁତଦୁର୍ବାର ଗତିବେଗରେ ଦୂରବର୍ତୀ ହେବାକୁ ଯାଉଥିବା କ୍ରମଶିଳ୍ପାୟମାନ ଆଧୁନିକ-ଭାରତର ଆଗତ-ଆହ୍ୱାନ ଏକ ସ୍ୱତଃ ସ୍ୱବିରୋଧରେ ଆତ୍ମସଂଦିଗ୍ଧ - ଯେଉଁଠି ପରିବର୍ତିତ ବିବିଧ ସାମାଜିକ ପ୍ରାସଂଗିକତାରୁ ଜନ୍ମ ନେଇସାରିଛି ବିଭକ୍ତବ୍ୟକ୍ତିତ୍ୱସଂପନ୍ନ ଗୋଟାଏ ତ୍ରସ୍ତତ୍ରିଶଂକୁବର୍ଗ।

 

“ଭାରତବର୍ଷ”ରୁ “ମହାଭାରତବର୍ଷ” ସେଇ ଧାରାବାହିକ କାବ୍ୟକ୍ରମ - ଯାହା ବାସ୍ତବରେ ବିଭିନ୍ନ ବ୍ୟଂଜନାତ୍ମକ ବ୍ୟତିକ୍ରମର ଏକ ଅନୁଦ୍‌ଘୋଷିତ ଅତିକ୍ରମଣ ଅଭିପ୍ରାୟରେ ଅଭିନିବିଷ୍ଟ।

 

ଏଠି ମୁଁ ଅନୁଭବ କରିଛି ମୋର ଉଦାସ ଉଷା, ପ୍ରାର୍ଥନାତୀତ ପ୍ରହର, ଗୋପନୀୟ ଗୋଧୂଳି, ରଂଗବଦଳା ରାତିର ପୃଷ୍ଠଭୂମିରେ ସମୟର ସଂଶୟ, ପ୍ରତ୍ୟୟର ପ୍ରତ୍ୟାହାର, ପୌରାଣିକତାର ପଳିତ ପୌଷ ! ଏଠି ମୁଁ ଅଂଗେ ନିଭାଇଚି କାଳାତୀତ କ୍ରାଂତିର କ୍ରଂଦନ, ସ୍ପର୍ଶକାତର ସ୍ଫୁଲିଂଗର ସ୍ପଂଦନ - ନିଜ ଶୀର୍ଣଶୀତଳ ଶିରାର ନିଶ୍ଚଳ ନୀଳାଚଳରେ, ଧାରାବାହିକ ଧମନୀର ନୈସ୍ତବ୍ଧୀୟ ନୈମିଷାରଣ୍ୟରେ, ହୃତସର୍ବସ୍ୱ ହୃଦୟର ହୈମବତିକ ହିମାଦ୍ରିରେ।

 

ଭାରତବର୍ଷ ...

ତେତିଶ ବର୍ଷର ତତଲା ସ୍ପର୍ଶ ... ମୋ ଜର୍ଜରିତ ଜନ୍ମାଂତର - କେଉଁ କୁମାରୀ ପ୍ରେମର କଳ୍ପପ୍ରବାସରେ !

“ଭାରତବର୍ଷ”ବାହାରେ ବି ମୁଁ ଭେଟିଚି ଭାରତବର୍ଷର ବହୁ ଅଂଶ, ବହୁ ଅପଭ୍ରଂଶ, ବହୁ ଅବତଂସ, ବହୁ ବଂଶ, ବହୁ ବିଧ୍ୱଂସ...

 

“ଭାରତବର୍ଷ” ବାହାରେ ଭାରତବର୍ଷ

 

ହେ ବଂଶଭାରତବର୍ଷ ! ବସୁମାତା ଭ୍ରୂଣହତ୍ୟା କରେ

କନ୍ୟାକୁମାରିକା କୂଳେ କୁଳବର୍ଗ କୁଳାଂକୁରକାମୀ

ଗୋପର ଗୋହତ୍ୟା ଏବଂ ବଦ୍ରିକାର ବ୍ରହ୍ମହତ୍ୟା ପରେ

ଦିଅ ମତେ ଫାଶୀଦଂଡ - ମୁଁ ତୁମର ଆଜନ୍ମ ଆସାମୀ !

 

କବଜରେ କପିଧ୍ୱଜ। ଏ କବଚ-କୁଂଡଳ କାହାର ?

ମୋ ଶରବର୍ଷାର ଋତୁ ଭୋଗୁଚି ମୁଁ ଭଂଗାଧନୁମେଳେ

ଅକ୍ଷମ ଏ ଅକ୍ଷୌହିଣୀ ଆସୁରିକ ଆଁ'ର ଆହାର

ମୁଁ ଖୋଜୁଚି କୁଟାଖଂଡେ ଘଟଗାଆଁ ଘରପୋଡ଼ିବେଳେ !

 

ମୋ କୁଳର କୋକେଇକୁ କୁଟୁଂବରୁ କାଂଧେଇବ କିଏ ?

ସହଳ ମୁଁ ଶୋଇପଡେ଼ଁ, ଶେଷଥର - ହେ ଶିଆଳିଲଟା,

ମୋ ମାୟାସଂଧ୍ୟାର ମୃତ ମୁହୂର୍ତକୁ ମାଫି ମାଗିନିଏ

ତୁଂଡର ଏ ତିରଣ ନା ମୁଂଡର ସେ ମୟୂରଚୂଳଟା ?

 

ହେ ବଂଶଭାରତବର୍ଷ ! ଅଂଶର ଏ ଅବତାର ଅଧା ...

ଖାଂଡବର ଖାତକ ମୁଁ ଖରକୁଚି ଖୋଲା ଖତଗଦା !

 

“ଭାରତବର୍ଷ”କୁ ମୁଁ ଭେଟିଛି ବିଶ୍ୱକବିହୃଦୟର ବିବିଧ ବିସ୍ମୃତି ମଧ୍ୟରେ ନୁହେଁ, ବରଂ ନିଃସ୍ୱନିର୍ଗତ ନିଃଶ୍ୱାସଚୟର ନିର୍ବିଧ ନିଷ୍କୃତି ମଧ୍ୟରେ ! “ଭାରତବର୍ଷ”କୁ ମୁଁ ଭଲପାଇଛି ଧୃତରାଷ୍ଟ୍ରର ଧୂସର ଦୃଷ୍ଟିରେ - ବିବର୍ତମାନ ବୟସର ବ୍ୟାପ୍ତ ବ୍ୟାସକୂଟରେ - ସୀମା ଓ ରେଖାର ଊର୍ଧ୍ବରେ ... ସତ୍ତା ଓ ସ୍ମୃତିର ଅତଳରେ ! ଆଂଭମାନଂକର ଅଂତଦୃର୍ଷ୍ଟିରେ, ସେଇ ନିରବଧି ନାଭିକମଳର ନିରୋଳ ବ୍ରହ୍ମମଂଡଳ ସେ ... ନା, ନପୁଂସକ ନେତାର ଭଂଗୁର ଭାରତବର୍ଷ ନୁହେଁ, ନସ୍ୟସେବୀ ନାୟକର ଭାସମାନ ଭାରତବର୍ଷ ନୁହେଁ; - ବରଂ ନାବାଳକ ନଚିକେତାର ଭବ୍ୟ ଭାରତବର୍ଷ !

***

ସେଦିନ ମୁଁ ଥିଲି ଏକ ଅନ୍ୟମନସ୍କ ଉଦ୍ଭିନ୍ନକୈଶୋରର ଅଧିକାରୀ। କାହିଁକି କେଜାଣି ସେଇ ଅଳ୍ପବୟସରେ ସୁଦ୍ଧା ଆସକ୍ତି ଅପେକ୍ଷା ବୈରାଗ୍ୟ ଥିଲା ବେଶି - ବାସନା ଅପେକ୍ଷା ବେଦନା ଥିଲା ଅଧିକ। ଫେରାର୍‌ ପଦ୍ମନାଡ଼ର ପାତାଳରେ ପୋତି ହୋଇସାରିଥିବା ମୋ ପିଲାଦିନ ପ୍ରତି ତଥାପି କୃତଜ୍ଞ ଥିଲା ମୋର ପ୍ରାଚୀରମୁକ୍ତ ପ୍ରାକ୍‌ତାରୁଣ୍ୟ। ଗୋସୀମାଆର ଗାଁ, ମାଆମାଉସୀର ମାଟି - ମୋ ପିଲାଦିନର ମଥୁରା ଓ ଗୋପ - ଯେଉଁଠି ମୁଁ ଅନୁଭବ କରିଚି ଦେବକୀର ଦାବିନାମା, ଯଶୋଦାର ଜମାନବଂଦି । ଏ ଦୁଇ ଗାଁ - ବାଜପୁର ଓ ନାରଗୋଦା - ପ୍ରଥମ ଗାଁକୁ ମୋ ବୋଉ ସବାରିରେ ଆସିଥିଲେ - ବାହା ହୋଇ - ଦ୍ୱିତୀୟ ଗାଁରେ ମୁଁ ଜନ୍ମ ହୋଇଥିଲି ଆଉ ବ୍ରତ ହେବାକୁ ଯାଇଥିଲି ପାଲିଂକିରେ ବସି - ମୋ ଦ୍ରୁତବିଳଂବିତ ସୃଜନଧାରାର ଦୁଇ ସ୍ୱାକ୍ଷର। ଏ ଦୁଇ ଗାଁ ସମେତ ଗୋଟିଏ ସହର - ଦୁଇ ନଈର ନଖଦର୍ପଣରେ ନାମାଂକିତ କଟକ ନଗର - ମୋ ଅଶାଂତ କୈଶୋରକୁ କରିଥିଲା ଆଶୁକବିତ୍ୱମୟ। ଛୁଟିଦିନର ଗାଁ ଆଉ ସାନିସଂଜର ସହର ସେଇ ସ୍ୱତଃସର୍ଜନର ସ୍ୱରବର୍ଣ ଓ ବ୍ୟଂଜନବର୍ଣ। ଗାଁ ଦେଇଚି ସ୍ନେହର ଶ୍ରାବଣ, ସହର ଦେଇଚି ପ୍ରେମର ଫାଲ୍‌ଗୁନ ଆଉ ନଈସବୁ ବହିଯାଉଯାଉ ଦେଇଯାଇଛଂତି କୂଳକିନାରା ପାଖେ ରହିଯିବାର ରାଣ।

 

ତାରୁଣ୍ୟରେ ଏ ତୀବ୍ରତର ସୃଜନସ୍ୱପ୍ନ କିଂତୁ ମାନିବାକୁ ମଂଗୁନଥିଲା କେବେ କାହା ରାଣ, କାହା ଡରାଣ, କାହା ବାରଣ। ସବୁ ଆକଟ, ସବୁ ନିକଟ, ସବୁ ଆନିକଟ ଏଡ଼ାଇ କୂଳ ଲଂଘିବାର କାମନା କରୁଥିଲା କବିତା। କୂଳ କିଂତୁ ଲଂଘିପାରିଲି କେଉଁଠି ? ଏଯାବତ୍‌ ଏଇ ଅବଶୋଷ, ଏଇ ଦୁଃଖ ରହିଗଲା ଯାହା - ତରଂଗତରଂଗ ଭଲପାଇବାରେ ତିଂତିଥିବା ତାରୁଣ୍ୟରେ, ପ୍ରବାସୀ-ପକ୍ଷୀର ପ୍ରତୀକ୍ଷାରେ ବିତିଥିବା କାରୁଣ୍ୟରେ ଆଉ ଅପ୍ରତ୍ୟାବର୍ତିତ ବୟସର ଅତୃପ୍ତିରେ ଅଂତ ଆଣିପାରି ନଥିବା ଏଇ ତାରୁଣ୍ୟୋତ୍ତର ତରା-ତର୍ପଣରେ ବି !

 

ହଁ, ଏକ ଅମୋକ୍ଷ ଆତ୍ମାର ଅତିରିକ୍ତ ଅଭିବ୍ୟକ୍ତି ଭାବରେ ମୁଁ ଗ୍ରହଣ କରିନେଇଛି ସ୍ୱରଚିତ ସୃଜନଧାରାକୁ - ସେଇ ତରୁଣ-ବୟସରୁ ଏ କରୁଣ ଛଂଦପତନଯାଏଁ ... ଇଂଦ୍ରପ୍ରସ୍ଥରୁ ବାନପ୍ରସ୍ଥବ୍ୟାପୀ।

***

“ଭାରତବର୍ଷ”- ମାନଚିତ୍ରର ମାନସିକତାରୁ ମୁକ୍ତ ଏକ ମଂତ୍ରାଭିଷିକ୍ତ ମନସ୍କାମନା। “ଭାରତବର୍ଷ”କୁ ମୁଁ ଭୋଗିଚି ଧ୍ୱଂସର ଧୂସରତାରୁ ପ୍ରଳୟାଂତର ବଳୟ ବାହାରେ - ମହାଭାରତବର୍ଷର ମହାକାବ୍ୟିକ ମିଶ୍ରରାଗରେ । ବଟପତ୍ରରୁ ବୋଧିଚ୍ଛାୟାବ୍ୟାପୀ ଏକ ଧ୍ରୁପଦୀ ଧ୍ରୁବଧାରା – “ଭାରତବର୍ଷ”ର ଭାଷ୍ୟ ।

 

ଏହାର ଶେଷ ୭୦ଟି ଅଂଶ ମୁଁ ଲେଖିଥିଲି ଏକ ଅଦ୍ଭୁତ ଅବସ୍ଥାରେ । ୮ ମାସ ରାତିରେ ଶୋଇନଥିଲି କି ଦିନରେ। ଅବିଶ୍ୱାସ୍ୟ, ଅଥଚ ସତ୍ୟ। ମଝିରେ ତ ମନେହେଲା - ଏକ ଅକାଳ ଅଂତକାଳ ତାର ଅତର୍କିତ ଆସନ୍ନତାର ସ୍ପର୍ଶରେ ମତେ ସମାଧିସ୍ଥ କରିଦେଇପାରେ ହୁଏତ, ଅସମାପ୍ତ ରହିଯାଇପାରେ ଏ ଅଂତଃସ୍ଥ ସ୍ୱର । କବି ଦୀପକ ମିଶ୍ରଂକୁ ସେ ସମୟରେ ପଚାରିଥିଲି : "ଭାଇ, “ଭାରତବର୍ଷ”ଶେଷ ହେବା ଆଗରୁ ମୁଁ ଶେଷ ହେଇଯିବି କି ?' ସେ ବ୍ୟସ୍ତ ହୋଇପଡ଼ିଥିଲେ ବି ସ୍ନେହାର୍ଶୀବାଦକ ଶୁଭକାମନା ଜ୍ଞାପନ କରିଥିଲେ ଏ ଅକିଂଚନର ଅନାବଶ୍ୟକ ପରମାୟୁ ସପକ୍ଷରେ । “ଭାରତବର୍ଷ”ପ୍ରକାଶ ପାଇବା ପରେ ତାଂକର ସୁଦୀର୍ଘ ପତ୍ର ପାଇଥିଲି - ଭୁଲିବାର ନୁହେଁ ସେ ଭଲପାଇବା ।

 

ମୋ ଭଲପାଇବାର ଭାଗ୍ୟରେ “ଭାରତବର୍ଷ”- ବିଷାଦଯୋଗର ଆହ୍ଲାଦ ... ବୈରାଗ୍ୟବୋଧର ଆନଂଦାଶ୍ରୁ ।

***

ଚଢ଼େଇଟିଏ ଶବ୍ଦ କରେ ଅଲିଖିତ ଭାବରେ। ସେ ଶବ୍ଦ ପ୍ରତି ଅଭିଯୋଗ ବାଢ଼ିଥାଏ ହୁଏତ ନିସ୍ତବ୍ଧ ଅଂଧକାର। ମୁଁ କିଂତୁ ଶବ୍ଦ କରେ ଲିଖିତ ଭାବରେ, ଆଲୋକିତ ଅଂଧକାରରେ ଏକାଏକା। ଅଥଚ ଆଲୋକରେ ଏ ଅଭିଯୋଗ କାହିଁକି ? ବିନା ଶବ୍ଦରେ କବିତା ଲେଖିବାର ସାମର୍ଥ୍ୟ ବା ସ୍ପର୍ଧା କାହିଁ ମୋର ? ଜଣେ ବରିଷ୍ଠ କବି ମଧ୍ୟ ତାଂକର ଜଣେ ଭକ୍ତସଂପାଦକ ମାର୍ଫତ୍‌ ଏମିତି "ଅଭିଯୋଗ' ଦିନେ ଶୁଣାଇଥିଲେ ମତେ - "ଏସବୁ କବିତାରେ ଅଛି କ'ଣ ? ଖାଲି ଶବ୍ଦ ! ଖାଲି ଶବ୍ଦ !' ମୁଁ ଖବର ଦେଇଥିଲି ତାଂକୁ ବି - ବିନା ଶବ୍ଦରେ କବିତାଟିଏ ଲେଖିସାରି ମୋ ପାଖକୁ ପଠାଇଦେବା ପାଇଁ ତୁରଂତ ! ମାତ୍ର ଏଯାବତ ପାଇପାରିନାହିଁ ସେଭଳି କବିତା । ସେ ରହିଗଲେ ଅଭିଯୋଗରେ। ମୁଁ ଅର୍ଧଯୋଗରେ ।

 

“ଭାରତବର୍ଷ”୨୦୦୩ ମସିହାରେ ବାହାରିଲାବେଳେ ବହିଖଂଡିଏ ଉପହାର ଦେଇଥିଲି ଆଉଜଣେ ଅଗ୍ରଜୋପମଂକୁ । ସେ ବି କବି। ଫୋନ୍‌ରେ ଏଇ ଶବ୍ଦକୁ ନେଇ ବହେ ଗାଳି ଦେଇଥିଲେ ଅନ୍ୟୂନ ଚାଳିଶ୍‌ ମିନିଟ୍‌ - "ଏମିତି କ'ଣ ଭାରତବର୍ଷର ବାସ୍ତବତାକୁ ଲେଖାଯାଏ ରୋମାଂଟିକ୍‌ ଶବ୍ଦରେ ?' ଏମିତି ଅଧଘଂଟାରୁ ଆହୁରି ଅଧିକ ସମୟ ଧରି ବହିଟି ମଧ୍ୟରେ ବ୍ୟବହୃତ ଅଭିଜାତ, ସଂଭ୍ରାଂତ, ସାମଂତସୁଲଭ ଶବ୍ଦ ସମେତ ଗ୍ରାମୀଣ ବୃତ୍ତର ଉପକ୍ରମ ଉପରେ ତାଂକର ମୌଖିକ ଟୀକାଟିପ୍‌ପଣୀ ଥିଲା ଟିଟ୍ଟିକାରଧର୍ମୀ । ମୋର ଧୈର୍ଯ୍ୟଚ୍ୟୁତି ହେଲା ଶେଷରେ । ବାଧ୍ୟ ହୋଇ କହିଦେଲି - ଆପଣ ଲେଖଂତୁ ଭିନ୍ନଶବ୍ଦର ଭାରତବର୍ଷ । ମୁଁ ଏମିତି ଲେଖିବାକୁ ବାଧ୍ୟ-। କାରଣ ମୋର ରକ୍ତ ନୀଳ ... ମାଇଁ ବ୍ଲଡ୍‌ ଇଜ୍‌ ବ୍ଲୁ ! ସେଇଦିନଠୁ ସେ ଆଉ କଥା କହିନାହାଂତି ମତେ । ମୁଁ ନିରୁପଦ୍ରବ ।

 

ଏବଂ ଆଉଜଣେ । ସିଏ ମଧ୍ୟ କବି । ତଦୁପରି ପ୍ରକାଶକ । ମୋ କବିତାରେ ଶବ୍ଦପ୍ରାଧାନ୍ୟକୁ ନେଇ ସେଇ ଚିରାଚରିତ ଅଭିଯୋଗ । କିଂତୁ ଅଭିଯୋଗଟା କେତେଜଣ ପାଠକଂକର ବୋଲି ମୂଳରୁ ସୂଚାଇଦେଇଥିଲେ ସେ ଅବଶ୍ୟ। ପୁନଶ୍ଚ - ପାଠକପାଠିକାମାନେ ଆଉ ଆନୁପ୍ରାସିକ ଅତିରଂଜନରେ ଅତିଷ୍ଠ ଏପରି ସନେଟ୍‌-ଆଂଗିକର ଉତ୍ତାଳ ଅଭିବ୍ୟକ୍ତି ନୁହେଁ, ବରଂ ପରିବର୍ତିତ ପରିଭାଷାର ନୂଆଭଂଗୀଟିଏ ଚାହୁଥିବାର ଖବରଟିଏ ଦେଇଥିଲେ ମଧ୍ୟ । ଶୁଣି ଦୁଃଖ ହେଲା - ପାଠକପାଠିକାମାନଂକୁ ଦୀର୍ଘକାଳ ଧ୍ରୁପଦୀ ଧାରାରେ ସନେଟ୍‌ସବୁ ସମର୍ପି ଦୁଃଖ ଦେଇଆସିଥିବା ଯୋଗୁ। ବିଚାରିଲି - ନୂଆ ଭଂଗୀ ପୁଣି ନୂଆ ଦୁଃଖ ଦେବନି ତ ?

 

ମୁଁ ଖୁବ୍‌ ସାନ ଥିବାବେଳେ ଆମ ବଗିଚାରେ ଗୋଟେ ବଣି ସକାଳୁସକାଳୁ ଆସି ସ୍ୱରଶବ୍ଦ କରେ ନିୟମିତ। ସେତେବେଳେ ବିରକ୍ତି ବି ଆସିଯାଉଥିଲା ମୋର। ତାକୁ ତଡ଼ିଦେଉଥିଲି ମଧ୍ୟ କେବେକେବେ। ହଠାତ୍‌ ଦିନେ - ସେ ଆଉ ଆସେନା ... ଅପର୍ଯାପ୍ତ ଅପେକ୍ଷାରେ ଅନେକ ସକାଳ ପାଲଟିଲା ସଂଜ। କାହିଁକି କେଜାଣି ଖେଦ ଉପୁଜିଲା ଭାରି। ବଡ଼ ହେଲା ପରେ ସେଇ ଫେରାର୍‌ ବଣିର ସ୍ୱରକୁ ମୁଁ ଶବ୍ଦ କଲି ଗୋଟିଏ ସନେଟ୍‌ରେ। କ'ଣ ଭୁଲ୍‌ କଲି ? ସେ ଏକ୍‌ଲା ବଣିର ସ୍ୱର ପରି ହୁଏତ ମୋ ଶବ୍ଦ। ଅଭିଯୋଗୀମାନେ ମୋ ପାଇଁ ତାଂକ ବଗିଚାର ଫୁଲଫାଟକ ବୁଜିଦେବାକୁ ଏବେ ବିନମ୍ର ଅନୁରୋଧଟିଏ କରିବା ଛଡ଼ା ଆଉ ବା କ'ଣ କରିପାରେ ମୁଁ ଅଧିକ ?

 

ଅଭିଯୋଗ କାହିଁକି ? ପ୍ରଶ୍ନର ଉତ୍ତର ନାହିଁ କି ଦକ୍ଷିଣ ନାହିଁ ମୋ ତରଫରୁ। ରକ୍ତସ୍ରୋତ ପରି ଶବ୍ଦସ୍ରୋତ। ରକ୍ତ ବହିଚାଲିଚି ନଦୀସ୍ରୋତ ପରି, ଶବ୍ଦ ଲହଡ଼ି ଭାଂଗୁଚି ସମୁଦ୍ରସ୍ରୋତ ପରି - ରକ୍ତ ଓ ଶବ୍ଦ, ଶବ୍ଦ ଓ ରକ୍ତ - ଏକାଠି ହେଲେ କବିତାର କଳ୍ପକାୟାଂତର ... ଶବ୍ଦର ଅର୍ଥାଂତରରେ କବିତାର ରକ୍ତରଚନା। ଅଭିଯୋଗ କାହିଁକି ? ଶବ୍ଦ ଶୁଭ୍ର ହେବାର ସକାଳ ଏବଂ ରକ୍ତ ରୁଦ୍ରାକ୍ଷ ରଂଗ ଧରିବାର ରାତି ପରେ ଆଉପୁଣି କି ଅଭିଯୋଗ ? ବରଂ ଏକ ଆକସ୍ମିକ ସଂଯୋଗ - ମୁଁ ଓ କବିତା - ଆପଣଂକ ଅପରିହାର୍ଯ ଅଭିଯୋଗ ଓ ମୋ ଉଦ୍‌ବାର୍ଯ ଶବ୍ଦର ଏକକାଳିକ ଏ ଆବଶ୍ୟକତା।

 

(ଏକ ସାକ୍ଷାତକାରର କିୟଦଂଶ)

ଗିରିଜା କୁମାର ବଳୀୟାରସିଂହ

 

ସୂଚୀ

 

ବ୍ୟାସକୂଟ

॥ ଅଷ୍ଟାଦଶ ପର୍ବ॥

ସଂଧ୍ୟାର ଶାୟରୀ

ଏସିଆର ଉଇହୁଂକା ତଳେ

ଧ୍ୱଂସର କବର ତଳୁ

ଶ୍ରେଣୀ ଓ ସଂଗ୍ରାମ

ରକ୍ତଚାପ

କର ମୋଡ଼େ ଇତିହାସ

ରାତି ହେବ ଭୋର୍‌

ସୂର୍ଯାସ୍ତରେ ହେବନାହିଁ ଶେଷ

୧୦

ଶତଚ୍ଛିନ୍ନ ସ୍ମୃତି

୧୧

ରକ୍ଷା କର, ରକ୍ଷା

୧୨

ପଲପଲ ପଲଟଣ

୧୩

ଇଟିକିଲି ମିଟିକିଲି

୧୪

ମାଳତୀର ମୃତବନ

୧୫

ବଂଦୀ ବିହଂଗମ

୧୬

ଘାସର ଘିମିରି

୧୭

ଭୂଗୋଳର ଭଂଗାଥାଳ

୧୮

ଝାନ୍‌ସିର ଝଡ଼

୧୯

ଗୁଳିସବୁ ଫୁଲ

୨୦

ବ୍ୟାସକୂଟ

॥ ଭ୍ରଥଖଂଡ ॥

୨୧

ଉପକଥା

୨୨

ରୂପକଥା

୨୩

କଥାକଳ୍ପ

୨୪

ଫେରିଯାଏ ପରୀ

୨୫

ମହମର ମହଲରେ

୨୬

ନିଆଁର ନଅର

୨୭

କଥାସବୁ

୨୮

ତିଳତିଳ ତୃଷ୍ଣା

୨୯

ଏକାକିନୀ ଏଣୀ

୩୦

ତରାର ତରଂଗ

୩୧

ବ୍ୟାସକୂଟ

॥୨୦୦୦-୨୦୦୨ ॥

୩୨

ସ୍ୱର୍ଗର ସଂହାର

୩୩

ନଷ୍ଟ ନଦୀ : ନିହତ ନକ୍ଷତ୍ର

୩୪

ନକ୍ଷତ୍ରର ନିଦ୍ରାଭଂଗ

୩୫

ତଥାସ୍ତୁ ତଥାସ୍ତୁ

୩୬

ତଂଦ୍ରାର ତୁଷାର

୩୭

ମାଂସର ମର୍ମର

୩୮

ଅତୀତର ଅପଭ୍ରଂଶ

୩୯

ଅସ୍ତ ଯାଏ ଅରୁଂଧତୀ

୪୦

ତ୍ରେତୟାର ତିଳଚିହ୍ନ

୪୧

କଳିର କାରୁଣ୍ୟ

୪୨

ବଂଶବନେ ବାଜେନା ବଇଁଶୀ

୪୩

ଅସ୍ଥି ତୁମ ଆତ୍ମା ଖୋଜେ

୪୪

ମାତୃତ୍ୱର ମରୀଚିକା

୪୫

ତମିସ୍ରାର ତୂଳୀ

୪୬

କେତୁର କବଂଧ

୪୭

ତୀରେତୀରେ

୪୮

ଶିଖାର ଶୃଂଗାର

୪୯

ଆଲୋକର ଆତ୍ମାହୁତି

୫୦

ଦୂଷିତ ଦଂଶନ

୫୧

ଦୁଃସ୍ୱପ୍ନର ଦ୍ୱାରକାରେ

୫୨

ଦିନ ବୁଡ଼େ

୫୩

ରଂଗଣୀରୁ ରଣି

୫୪

ଶିଆଳିର ସୁପାତିରେ

୫୫

ଶ୍ଳୋକ ଆଜି ଶୋକ

୫୬

ଖୁରାଘାତ : କେତେ କଳ୍ପାଂତର

୫୭

ଦିଶୁନାଇଁ ଦିଶା

୫୮

ସମାପ୍ତ ସନ୍ନ୍ୟାସ

୫୯

ଦୁଃଖସବୁ ଦୂର୍ବାକ୍ଷତ

୬୦

ଅଭିସାରୀ ଆତ୍ମା

୬୧

କିଏ କାଂଦେ ? କାହା କୁଳବଧୂ ?

୬୨

ବୋଧିର ବିଧାତା

୬୩

ଗୋପାର ଗାଆଁରେ

୬୪

ନିର୍ବାଣର ନୀଳହଂସ

୬୫

ନିଭୃତ ନିର୍ବାଣ

୬୬

ନିର୍ଜନ ନିଃଶ୍ୱାସ

୬୭

ଅଜ୍ଞାତବାସ

୬୮

ଭୁଲ୍‌, ଭୁଲ୍‌ : ସବୁ ଭୁଲ୍‌

୬୯

ବୁଢ଼ୀମାଲ୍ୟାଣୀର ଆତ୍ମା

୭୦

ଅଜସ୍ର ଆଫ୍ରିକା

୭୧

ମନେନାଇଁ ମୋଟେ

୭୨

ଶ୍ରାବଣର ସ୍ୱର

୭୩

ସୂର୍ଯାସ୍ତର ସ୍ମରଣିକା

୭୪

ପ୍ରେମର ପ୍ରବାସ

୭୫

ସୁନାର ହରିଣ

୭୬

ହସ୍ତିନାର ହୁଂକା

୭୭

ଶିରାଳ ସମୟ

୭୮

ପଥରର ଆଖି

୭୯

ପରଦେଶୀ ପକ୍ଷୀ

୮୦

ଦୂବ ଆଜି ଦୁଃଖ ଲେଖେ

୮୧

ଶେଷସେନା

୮୨

ଉଆଁସର ଉଆସରେ

୮୩

ପର ଝାଡ଼େ ପକ୍ଷିରାଜ

୮୪

ମୌନାବତୀ ମାଟି

୮୫

ନିରୁଦ୍ଦେଶ ନଚିକେତା

୮୬

ଫାଶୀ ପାଏ ଫୁଂଗୁଳା ଫଗୁଣ

୮୭

କେଉଁଠି ବା ପଦ୍ମଟିଏ ଫୁଟେ ?

୮୮

ହାଇ ମାରେ ହିମାଚଳ

୮୯

ଠାବ କାହିଁ ? ନାବ କାହିଁ ?

୯୦

ଜୀର୍ଣଜୀବାଶ୍ମ

୯୧

ନଷ୍ଟ ହେଉ ନିୟୁତ ନିର୍ବାଣ

୯୨

ବ୍ୟାସକୂଟ

॥ ପକ୍ଷୀ-ପୁରାଣ ॥

୯୩

ବୟସଟା ବିତିଯାଏ

୯୪

ବାଣୁଆ ବାତୁଳା

୯୫

ମସ୍ତବଡ଼ ଭୁଲ୍‌

୯୬

ଜୀବନଟା ଜହ୍ନିଫୁଲ

୯୭

ଉଆସରେ ଉଇ

୯୮

ଗୁମାନର ଗୁଳୁଗୁଳି

୯୯

ଲାଜରେ ଲବଂଗ

୧୦୦

ପକ୍ଷର ପଣତ

୧୦୧

ଘାସରେ ଘାସରେ

୧୦୨

ଫେରିଆସ ପ୍ରବାସରୁ

୧୦୩

ବ୍ୟାସକୂଟ

॥ ମହାଭାରତବର୍ଷ ॥

୧୦୪

ଅଣୁରୁ ଅଣିମା

୧୦୫

ପ୍ରମାର ପ୍ରବାଦ

୧୦୬

ହୃଦୟର ଉଦୟନୀ

୧୦୭

ଆତ୍ମାର ଆଭାସ

୧୦୮

ଅମୃତର ଅନୁପ୍ରାସ

୧୦୯

ଶୁଚ଼ିର ସୂଚନା

୧୧୦

ପ୍ରଥମ ପ୍ରାର୍ଥନା

୧୧୧

ସୂର୍ଯ-ନମସ୍କାର

୧୧୨

ପ୍ରମୂର୍ତ ପ୍ରତୀତି

୧୧୩

ଚରୈବେତି ... ଚରୈବେତି ... ଚରୈବେତି

 

ବ୍ୟାସକୂଟ

 

କି କରୁଣ କୁରୁକ୍ଷେତ୍ର ! କାହାଂତି ବା କ୍ରୁଦ୍ଧ କୌରବେୟ ?

ପଡ଼ିରହେ ପୁରାଣର ପରିତ୍ୟକ୍ତ ପୃଥକ୍‌ ପୃଥିବୀ

କାହିଁ ଧନୁ ? କାହିଁ ଗଦା ? କାହିଁ କୁଂତ ? କୌଣସି କୌଂତେୟ ?

କପଟପଶାର କାଠି ବୋଲ ମାନେ ଯଦିଚ ଆଜି ବି !

 

କାହିଁ ରଥୀ ? ମହାରଥୀ ? ସାରଥିର ସୁଦର୍ଶନଚକ୍ର ?

କୁଂଡଳିତ କାଳଗର୍ଭେ କୃତବୀର୍ଯ କର୍ଣର କବଚ

ନଳବନେ ନୀଳନାଗ ... ନଷ୍ଟନଗ୍ରେ ନରକର ନକ୍ର

ପଦାତିର ପାଦଟୀକା ପାସୋରିଛି ପାଂଶୁଳ ପାବଚ୍ଛ !

 

କାହିଁ ତୂରୀ? କାହିଁ ଭେରୀ? କାହିଁ ବାଦ୍ୟ? କାହିଁ ପାଂଚଜନ୍ୟ?

ବିବସନା ବିଷକନ୍ୟା ... ବିବାସିତା ବିଧବା ବିଧାତ୍ରୀ

ସ୍ୱପ୍ନର ଏ ସାନୁଦେଶେ ଜାନୁଭଂଗ ଜଘନ୍ୟ ଜଘନ୍ୟ

ଯଦିଚ ଆଜି ବି ନଏଁ ଦ୍ରୌପଦୀର ଦୀର୍ଘକେଶା ରାତ୍ରି !

 

କରୁଣ ଏ କବରରେ କାଂଦିମରେ କେଉଁ କାଳିଜହ୍ନ ?

ଘୂର୍ଣିର ଘୋଷଣାନାମା ଘୋଷିହୁଏ ଘଂଚଘାସବଣ ॥

ଦୀର୍ଘ ହୁଏ ଦୁଃଖସବୁ । ଦୁଃସ୍ୱପ୍ନର ଦୁରଂତ ଦ୍ରାଘିମା...

କାହିଁ ଦ୍ରୋଣ ? କାହିଁ ଭୀଷ୍ମ ? ଭ୍ରଷ୍ଟ ସବୁ ଭସ୍ମର ଭକ୍ଷାଂଶ

କାହିଁ ଗୃହ ? କାହିଁ ବ୍ୟୂହ ? କାହିଁ ଦୁର୍ଗ ? ଦିଗଂତର ସୀମା ?

ଆଶାସବୁ ଅକ୍ଷୌହିଣୀ ! ଅତୀତଟା ଆହତ ଅକ୍ଷାଂଶ !!

 

କାହିଁ ଅଶ୍ୱ ? କାହିଁ ହସ୍ତୀ ? ସିଂହନାଦ ଶୁଭୁନି ଟିକିଏ

ଶତବକ୍ର ରଥଚକ୍ର । କଂକରିତ କବଂଧ, କଂକାଳ

କ୍ରୋଧର ସେ କ୍ରୋଡ଼ପତ୍ର କୀଟଦଂଷ୍ଟ ! କାହିଁକି ବା କିଏ

ପୃଥୁଳ ପୋଥିର ପୃଷ୍ଠା ପଢ଼ିପଢ଼ି, ସାରିବ ସକାଳ ?

 

ବିଜୟ ନା ବିଲୟ ନା ବ୍ୟାସୋକ୍ତି ନା ବ୍ୟାଜୋକ୍ତିର ବ୍ୟାପ୍ତି

ସିଂହାର ନା ସିଂହାସନ ? ସଂଗ୍ରାମ ନା ସଂଦିଗ୍ଧ ସ୍ୱଗତ ?

ଦ୍ୱଂଦ୍ୱର ଏ ଦୁଂଦୁଭିରେ ବଂଶ ପରେ ବଂଶର ବାଜ୍ୟାପ୍ତି

ସାଂଯୁଗୀନ ସଭ୍ୟତାର ସତ୍ୟ ଖାଲି - କ୍ଷତ୍ରିୟର କ୍ଷତ !

 

ବାକି ସବୁ ବିପ୍ରଳାପ ... ବିଡ଼ଂବିତ ବୀରତ୍ୱର ବ୍ୟଥା

କରୁଣ ଏ କୁରୁକ୍ଷେତ୍ର କହିଯାଏ କୁହୁଡ଼ିର କଥା ॥

 

ହରପାଁରୁ ହଳଦୀଘାଟ, ମହେଂଜୋଦାରୋରୁ ମଂଦରପର୍ବତ, ହସ୍ତିନାରୁ

ହିମାବର୍ତ, ଇଂଦ୍ରପ୍ରସ୍ଥରୁ ପାନିପଥ -

ଅତଳାଂତିକ ଇତିହାସର ଅଂତରହିତ ଅଗ୍ନିପଥ...

 

ଏ ଅଗ୍ନିପଥରେ ... ରଣଦୁଂଦୁଭିତ ରକ୍ତରଥରେ ... ମୁମୁକ୍ଷିତ

ମହାଭାରତରେ ... ବୁଭୁକ୍ଷିତ ବନବନାଂତରେ ... ନିରୀକ୍ଷିତ ନରକାଗ୍ନିର

ନିରଳସ ନୃତ୍ୟରେ ... କରୁଣ କବଂଧର କରାଳ କୃତ୍ୟରେ ...

ମଂତ୍ରଭ୍ରଷ୍ଟ ମହାରଥୀର ମର୍ମବିଦାରୀ ମୂର୍ଧନାପାତରେ ... ବିକଳାଂଗ

ଭଗ୍ନଧ୍ୱଜର ଭୟାବହ ବାତାବର୍ତରେ ... ପ୍ରୟାତପୁତ୍ରର ପୃଷ୍ଠପଟରେ ...

କୋଟିକଂକାଳର କାତର କଂଠରେ ... ବିଧବା ବଧୂର ବିଧୁର

ବିଂବୌଷ୍ଠରେ ... ଧ୍ୱସ୍ତସମୟର ଧୂସରକ୍ଷତରେ -

ତୁମେ କେଉଁଠି ସତରେ !

କେଉଁଠି ? କେଉଁଠି ?

 

ରକ୍ତବ୍ରତୀ ରାଜପୁତାନାର ଏକାଂତ ଏକଲିଂଗରେ,

ସପ୍ତଶତୀ ଶ୍ମଶାନତୀର୍ଥର ସଂଗୁପ୍ତ ଶିବଲିଂଗରେ,

ଅପ୍ରତ୍ୟାବର୍ତିତ ଅକ୍ଷୌହିଣୀର ଆହତ ଅଂଗ-ବଂଗ-କଳିଂଗରେ...

ସ୍ପର୍ଧିତ ସ୍ପାର୍ଟାର ଶେଷସ୍ଫୁଲିଂଗରେ...

ଶୋଣିତାକ୍ତ ସୂର୍ଯାସ୍ତର ଶିବିରେ ଶିବିରେ

ତୃଷାକ୍ତ ତୁଷାଗ୍ନିର ତିମିରେ ତିମିରେ ?

 

ପଂପାରୁ ପଂପେଇ, ମଥୁରାରୁ ମଦୁରାଇ, କାସିଁଆନ୍‌ରୁ କାଳିଜାଈ, ସାଂଚିରୁ

ସାଂଘାଇ, ବାରୁଣାବଂତରୁ ବରୁଣେଇ, ହିରୋସୀମାରୁ ହାୱାଇ,

ନାଗାସାକିରୁ ନୀଳନଈ, କପିଶାରୁ କୁଆଖାଈ, ବାଜପୁରରୁ ବ୍ରୁନେଇ,

ଭିନିସ୍‌ରୁ ଭିଲାଇ...

ଝେଲମ୍‌ରୁ ଝାନ୍‌ସି...

ନୂଆଖାଲିରୁ ନାନ୍‌ସି...

 

ପାରିହୋଇଚି କେତେ ପାଉଁଶ-ପଖଳା ପ୍ରହର...

କେତେ ନାରଂଗୀ ନିଆଁର ନାରଖାର ନହର...

କେତେ ନଈ, କେତେ ନାଳ, କେତେ ନର୍ଦମା, କେତେ ନଗର ॥

କିଂତୁ କେଉଁ ଟାପୁରେ ଫୁଟିଚି ତୁମ ଟିକିଟିକି ଟଗର ?

କୁନିକୁନି କଅଁଳ କନିଅରକଢ଼ ??

 

ଦିଲ୍ଲୀରୁ ଦୁବାଇ,

ରୁବିରୁ ରୁବାଇ,

ସରାରୁ ସରାଇ,

ତରାରୁ ତରାଇ,

କେଉଁଠି ତୁମ ଛିଟା, କେଉଁଠି ତୁମ ଛାଇ ?

 

ସର୍ବପ୍ରଥମ ସ୍ୱପ୍ନଟି ପାଇଁ

କେଉଁଠି ତୁମ ସଂକଳ୍ପିତ ଶେଷାବଧି ଶାଂତସଂଘର୍ଷ ?

 

ଭାରତବର୍ଷ ! ଭାରତବର୍ଷ !

 

ତୁମେ କେଉଁଠି ସତରେ ?

 

ବାବିଲୋନ୍‌ର ବିବର୍ଣ ଭଗ୍ନାବଶେଷରେ, ପିରାମିଡ୍‌ର

ଫଟା ପଥରରେ, ପାପିରସ୍‌ର ପଳିତ ପୌଷପର୍ଣରେ,

ମିସୋରି-ମିସିସିପିର ମିଳିତ ମାୟାବର୍ତରେ, ଇଉଫ୍ରେଟିସ୍‌ର ଇଳାବୃତ୍ତରେ,

ଟାଇଗ୍ରିସ୍‌ର ଟା'ଟା'ରେ, ଇଥିଓପିଆର ଇଥରେ ଇଥରେ,

ହୋୟାଂହୋର ହାହାକାରରେ, ଭଲ୍‌ଗାର ଭଂଗାଭଂଗା

ଭଉଁରିରେ, ବେତ୍ରବତୀର ନୀଳନେତ୍ରରେ, କ୍ଷାତ୍ରତୀର୍ଥ

କୁରୁକ୍ଷେତ୍ରର କ୍ଷାଂତ କ୍ଷେତ୍ରରେ, ଖଂଡଗିରିର ଖଂଡିତ ଖତଗଦାରେ,

ଅଝାଡ଼ ଝାଡ଼ର ଝାଉଁଳା ଜହ୍ନିରେ, ବିନିଦ୍ର ବିସୁଭିୟସ୍‌ର ବିକ୍ଷୁବ୍ଧ

ବିଷବହ୍ନିରେ, ଚିହ୍ନିତ ଚଟ୍ଟଗ୍ରାମର ଚୀର୍ଣଚିତ୍କାରରେ, ଫୁଂଗୁଳା

ଫୁଜିୟାମାର ଫେରାଦୀ ଫୁତ୍କାରରେ...

ଆମାଜନ୍‌ ଅବବାହିକାର ଅତଂଦ୍ର ଅରଣ୍ୟରେ,

ଧ୍ୱସ୍ତଧୂମାଳ ଧର୍ମାରଣ୍ୟରେ,

ଚୂଳରୁ ମୂଳ ଚର୍ମାରଣ୍ୟରେ,

ତିଳତିଳ ତପ୍ତତୃଣରେ,

ନିରାବିଳ ନଷ୍ଟଭ୍ରୂଣରେ,

ପୀତ ଫାଲ୍‌ଗୁନର ପୁଷ୍ପୋଦ୍ୟାନରେ,

ବିଜିତ ବସରାର ବାଦାମ-ବାଗାନରେ,

ଗର୍ଜିତ ଗଜନୀର ଗଜରା-ଗଳିରେ,

ଆଚଂବିତ ଆରବ୍ୟ-ରଜନୀର ଅଳଂକୃତ ଅର୍ଗଳିରେ...

 

ତୁମେ କେଉଁଠି ସତରେ ?

 

ତୁମେ କେଉଁଠି ସତରେ ?

 

ଶିଶିରାୟିତ ଶୋକୋଚ୍ଛ୍ୱାସର ଶତଶତ ସିରିଆରେ

ଶିହରାୟିତ ଶୋଚନାର ସହସ୍ରସହସ୍ର ସାଇବେରିଆରେ

ଅଫିମାୟିତ ଆଦିମତାର ଅୟୁତଅୟୁତ ଆଇବିରିଆରେ

ଲହରାୟିତ ଲହୁ ଓ ଲୁ'ର ଲକ୍ଷଲକ୍ଷ ଲାଇବେରିଆରେ

ଆହବାୟିତ ଆସୁରିକତାର ଅସୁମାର ଆସିରିଆରେ

 

ନା

ଦୁଃଖିତ ଦଧିବାମନର ଦୂରଦୂରାଂତ ଦରିଆରେ ?

 

କୁହ,

କେଉଁଠି ତୁମ ତପ୍ତ ତପଃର ତର୍ଷ ?

 

ଭାରତବର୍ଷ ! ଭାରତବର୍ଷ !

 

ଗୋପାଳକର ଗୋଧୂଳି-ଗାଥାରେ ଧୂମ୍ରଧୂସର ଧୂଳି...

ମେଷପାଳକର ମୃଗବନରେ ମୃତମସିହାର ମଳି !

ଚେତନାର ଚାରଣ ତ ଚିହ୍ନିଆସିଚି ଚିତାଗ୍ନି ଚିରକାଳ

ବେକ ବଢ଼େଇଆସିଚି ବରିନେବାକୁ ବାରଂବାର

ମରଣ-ବଧୂର ବରଣ-ମାଳ !

କାଳକାଳ ... କାଳକାଳ ... କାଳକାଳ

ଅହ୍ୟକାଳ ! ଇହକାଳ ! ପରକାଳ !

 

ପ୍ରପାତରେ, ପ୍ରସ୍ରବଣରେ, ପ୍ରବାଳ-ପ୍ରାଚୀରର ପ୍ରଚ୍ଛନ୍ନ ପ୍ରଚ୍ଛଦରେ

ପ୍ରନିପ୍ରତ୍ୟୁଷର ପ୍ରକ୍ଷିପ୍ତ ପ୍ରଭଂଜନ...

ପ୍ରାକ୍ତନ ପ୍ରଦୋଷର ପ୍ରବଂଚିତ ପ୍ରବଚନ !

 

ପ୍ରବହମାନ ପ୍ରଖର ପ୍ରବୃତ୍ତିର ପ୍ରତିବାତରେ

ପ୍ରତିହତ

ପ୍ରଜ୍ଞା...

ପ୍ରବ୍ରଜ୍ୟାର ପ୍ରଭାତୀ-ପ୍ରତିଜ୍ଞା !

 

ପ୍ରପୀଡ଼ିତ ପ୍ରାଣ ।

ପ୍ରୟାଗରେ ପ୍ରମାର ପ୍ରୟାଣ ।

ପ୍ରବାସରେ ପ୍ରାସ ।

ପ୍ରଶ୍ନିଳ ପ୍ରଭାସ ।

ପ୍ରେମ

:

ପ୍ରେତ

ପ୍ରତିଶ୍ରୁତି

:

ପ୍ରତିମୂର୍ତି

ପ୍ରତ୍ୟୟ

:

ପ୍ରଳୟ

ପ୍ରସାଦ

:

ପ୍ରମାଦ

ପ୍ରଦୀପ

:

ପ୍ରତୀପ

ପ୍ରଜ୍ଞାନ

:

ପ୍ରସ୍ଥାନ

ପ୍ରମିତି

:

ପ୍ରସ୍ଥିତି

ପ୍ରବଚନ

:

ପ୍ରପଂଚନ

ପ୍ରବ୍ରଜନ

:

ପ୍ରବଂଚନ

ପ୍ରତ୍ନ

:

ପ୍ରଶ୍ନ

 

କଇଁର କଇଁକଇଁରେ, କଇଁଆରେ, କଷିକାକୁଡ଼ିରେ,

କଅଁଳା କଢ଼ିରେ

କୋଇଲିବୁଡ଼ରେ

କୁରେଇ କୁଢ଼ରେ

କୋଡ଼ିକୋଡ଼ି କୁଆକୋଇଲିର ଖଇକଉଡ଼ିରେ

କରୁଣ କୃଷ୍ଣଚୂଡ଼ାରେ

କୁଆଁରୀ କାପ୍ତାକନ୍ୟାର କାଳକୋଠିରେ ?

 

ଧଇଁର ଧଇଁସଇଁରେ, ଧୋ'ବାଇଆରେ, ଧାଡ଼ିଧାଉଡ଼ିରେ,

ଧଉଳା ଧଡ଼ିରେ

ଧାଁ ଧପଡ଼ରେ

ଧରପଗଡ଼ରେ

ଧାଡ଼ିଧାଡ଼ି ଧାରୁଆ ଧାନର ଧୋଇମରୁଡ଼ିରେ

ଧୂସର ଧୁଆମୂଳାରେ

ଧୂଳିଧଉଳିର ଧଳାକରୋଟିରେ ??

 

ତୁମେ କେଉଁଠି ସତରେ ?

କାଇଁଚ କାନନର କେରିକେରି କଲରାପତ୍ରରେ

କୁଢ଼କୁଢ଼ କଲରେଈର କରୁଣ କ୍ଷତରେ

ଉଜୁଡ଼ା ଉପକଥାର ଉଂଚଉଆସରେ

ଅସ୍ତଅତୀତର ଉଦାସ ଉଆଁସରେ

କିସମ କିସମ କାହାଣୀର କଲୁରିବେଂଟରେ

ମିଇଁମିଇଁକା ମାଣିକରଜାର ମିରିଗମେଂଟରେ

ରାଣୀମହଲରୁ ରାଜଘାଟରେ

ରାଜାବଗିଚାରୁ ରାଣୀହାଟରେ

ରାଜପୁତାନାରୁ ରାଣୀଗଂଜରେ

ନା

ମାଣିକପାଟଣାର ମଉଳା ମାଈସଂଜରେ ?

 

ଉତ୍‌ଖାତ ଉତ୍‌କଳରୁ ଉତ୍‌ଥିତ ଉତ୍‌କାମଂଡରେ ?

ନିଦ୍ରାନିବିଷ୍ଟା ନଦୀଗଂଡରେ ?

ନା

ଭୂମିଷ୍ଠ ଭ୍ରଥଖଂଡରେ ??

ଦଂଗାଗୋଳରେ

ନା

ଭଂଗାଭୂଗୋଳରେ ?

ତୁମେ କେଉଁଠି ସତରେ ?

 

ମଧ୍ୟସୂର୍ଯର ମେଘାବର୍ତରେ/ମୃତମାଳତୀର ମାଘମର୍ତ୍ୟରେ

ଗୈରିକ ଗିରିବର୍ତ୍ମରେ/ଗହନଗୁହାର ଗୋପନଗର୍ତରେ

ଅନବହିତ ଅନ୍ୟାନ୍ୟ ଆବର୍ତରେ

ପ୍ରସ୍ଥପ୍ରସ୍ଥ ପାର୍ବତ୍ୟପଥରେ

ପ୍ରସ୍ତରେ, ପ୍ରସ୍ତରେ

ସ୍ତରେ ସ୍ତରେ ?
 

କୁହ,

କେଉଁ କୁଂଠିତ କୁହେଳିକାର କୁଲାୟରେ

ତୁମ ପ୍ରମତ୍ତ ପ୍ରହେଳିକାର ପ୍ରହର୍ଷ ?

ଭାରତବର୍ଷ ! ଭାରତବର୍ଷ !

କକ୍ଷରେ,

ଭୂବକ୍ଷରେ,

ଅକ୍ଷରେ,

ଅଂତରୀକ୍ଷରେ ?

ଅଳିଂଦରେ,

କଳିଂଦରେ,

ଅରବିଂଦରେ,

କୁରୁବିଂଦରେ ?

 

ମାଳରେ, ମାଳବରେ, ମାଳୟରେ,

ମାଳିନୀରେ, ମାଳିକାରେ ?

ନାଳରେ, ନାବରେ, ନାଗାଳୟରେ,

ନଳିନୀରେ, ନାଳିକାରେ ??

 

ମଳିରେ, ମାଳିରେ,

ମାଲ୍ୟରେ, ମାଲ୍ୟବଂତରେ

ମାଲ୍ୟାଣୀର ମାଳିନ୍ୟରେ ?

କଳିରେ, କାଳିରେ,

କୁଲ୍ୟରେ, କୁଳପର୍ବତରେ,

କଲ୍ୟାଣୀର କୌଳୀନ୍ୟରେ ??

 

ତୁମେ କେଉଁଠି ସତରେ ?

ବିଘାରେ,

ଦୀଘାରେ ?

ଦ୍ୱୀପରେ,

ଅଂତରୀପରେ ?

ଦୟାରେ,

ଦରିଆରେ ?

ବାଲୁକାରେ,

ତାଲୁକାରେ ?

ତୋଷାଳିରେ,

ଦୋସମାଳିରେ ?

ହାଡ଼ରେ,

ପାହାଡ଼ରେ ?

ମରୁରେ,

ମେରୁରେ?

କାଂଚିରେ,

ରାଂଚିରେ,

ସାଂଚିରେ ?

 

ମେଘନାରେ, ମେଘାଳୟରେ,

ମେଘାସନରେ,

ଯମୁନାରେ, ଯମାଳୟରେ,

ଯୋଗାସନରେ ?

 

ଗୁଳିରେ,

ଗୁଳୁଗୁଳିରେ,

ହୁଗୁଳିରେ,

ଶୂଳିରେ,

ଶିଆଳିରେ

ଶିଉଳିରେ ?

 

କଳାପାଣିରେ,

କଳାହାଂଡିରେ, କଳିଂଗରେ, କାଲାହାରୀରେ,

କୁରୁକ୍ଷେତ୍ରରେ,

କୋଣାର୍କରେ, କୋରାପୁଟରେ, କୋଶଳରେ,

କୋହିମାରେ

 

ଫାଶୀରେ,

ଫାର୍ଶାରେ, ଫଟାଭୂଇଁରେ,

ଫିକାଫିକା ଫସଲକ୍ଷେତରେ,

ଫୁଂଗୁଳା ଫୁଜିୟାମାରେ ?

 

କ୍ରୁଶରେ,

କଂଟାରେ,

କଂଟିଲୋରେ, କଂଗୋଦରେ,

କପିଳବାସ୍ତୁରେ,

କୁଶୀନାରାରେ...

ଖଡ଼‌୍‍ଗରେ,

ଖଡ଼ଗପୁରରେ,

ଖଂଡଗିରିରେ, ଖଂଡାଧାରରେ,

ଖାଂଡବରେ,

ଖାଇବରରେ,

ଖୋର୍ଧାରେ,

 

ଖାନ୍‌ନଗରର ମଡ଼ାଚଂଡିଆ ମୈଦାନ୍‌ରେ,

ନା

ସ୍ୱର୍ଗଦ୍ୱାର, ସତ୍ୟନଗର, ସତୀଚଉରାର ଶୁନ୍‌ଶାନ୍‌ ଶମ୍‌ଶାନ୍‌ରେ ?

 

ବାଣରେ,

ବର୍ଛାରେ, ବଜ୍ଜୀବସ୍ତିର ବଜାରେବଜାରେ, ବ୍ରଜ୍ୟାରେ,

 

ବଂଧୁକରେ,

ବଂଗରେ, ବାରଂଗରେ,

ବୁଢ଼ାବଂଳଗରେ

ଶୋଣରେ,

ସପ୍ତଶଯ୍ୟାରେ, ଶରଶଯ୍ୟାରେ, ଶେଷଶଯ୍ୟାରେ

ସିଂଦୁକରେ...

ସୁକିଂଦାରେ, ସୁନାବେଡ଼ାରେ

ସୁନାସୁଡ଼ଂଗରେ ?

 

ପୁରାଣର ପ୍ରତ୍ନପାତାଳରେ,

ପ୍ରାଚୀଉପତ୍ୟକାର ପ୍ରୋଥିତ ପ୍ରବାଳରେ,

ପାଉଁଶିଆ ପାଟଳିପୁତ୍ରରେ...

ଶବ୍ଦରେ, ସୂତ୍ରରେ...

ପୋଥିପତ୍ରରେ...

ଛତ୍ରରେ, ଛତ୍ରରେ...

ଋତରେ,

ନୈଋର୍ତରେ ?

ଚ୍ୟୁତରେ, ବିଚ୍ୟୁତରେ,

ଅଚ୍ୟୁତରେ ??

ଦ୍ବୈତରେ,

ଅଦ୍ବୈତରେ ???

ଭସ୍ମରେ,

ଜୀବାଶ୍ମରେ ?

ଶରୀରେ,

ଅଶରୀରେ,

ସଶରୀରେ ?

ତୁମେ କେଉଁଠି ସତରେ ?

ନୀରରେ,

ନୀରାରେ,

ନାରୀରେ ?

ନାଗନାଡ଼ିରେ,

ନାଗିନୀର ନୟନଯୋଡ଼ିରେ,

କାଂଦୁରୀ କାଠଯୋଡ଼ିରେ,

ଧୂଳିରେ, ବାଲିରେ, ଗୋଡ଼ିରେ ?

ମାଟିର ମରିଚରେ,

ମାୟାର ମାରୀଚରେ ?

ପ୍ରବୃତ୍ତିରେ, ନିବୃତ୍ତିରେ ??

ଭୂତିରେ, ବିଭୂତିରେ ???

ଓଁ ରେ ?

ଭୂଃ ରେ ?

ଭୁବଃ ରେ ?

ସ୍ୱଃ ରେ ?

କୁହ,

କେଉଁଠି

କେଉଁ ପଳିତ ପଳାଶୀର ପୋଷପୋଷ ପଉଷ-ପାଉଁଶରେ

ତୁମ ପଦ୍ମପଲାଶପତ୍ରର ପଦସ୍ପର୍ଶ ?

 

ଭାରତବର୍ଷ ! ଭାରତବର୍ଷ !

 

ଅଷ୍ଟାଦଶ ପର୍ବ

୧୯୭୦-୮୭

ସଂଧ୍ୟାର ଶାୟରୀ

ଏସିଆର ଉଇହୁଂକା ତଳେ

ଧ୍ୱଂସର କବର ତଳୁ

ଶ୍ରେଣୀ ଓ ସଂଗ୍ରାମ

ରକ୍ତଚାପ

କର ମୋଡ଼େ ଇତିହାସ

ରାତି ହେବ ଭୋର୍‌

ସୂର୍ଯାସ୍ତରେ ହେବନାହିଁ ଶେଷ

ଶତଚ୍ଛିନ୍ନ ସ୍ମୃତି

୧୦

ରକ୍ଷା କର, ରକ୍ଷା

୧୧

ପଲପଲ ପଲଟଣ

୧୨

ଇଟିକିଲି ମିଟିକିଲି

୧୩

ମାଳତୀର ମୃତବନ

୧୪

ବଂଦୀ ବିହଂଗମ

୧୫

ଘାସର ଘିମିରି

୧୬

ଭୂଗୋଳର ଭଂଗାଥାଳ

୧୭

ଝାନ୍‌ସିର ଝଡ଼

୧୮

ଗୁଳିସବୁ ଫୁଲ

୧୯

ବ୍ୟାସକୂଟ

 

ସଂଧ୍ୟାର ଶାୟରୀ

 

ହେ ପ୍ରତ୍ନ ଭାରତବର୍ଷ ! ଉଠେ ତୁମ ସମୁଦ୍ରରେ ଝଡ଼...

ତୁମର ପ୍ରାଚୀନ ସୂର୍ଯ କ୍ଳାଂତ ହୁଏ ପହଁରିପହଁରି !

ଆହତ ଊର୍ମିର ବାହୁ ଊର୍ଧେ ତୋଳି ଆରବସାଗର

ନିବିଡ଼ ଦୁଃଖରେ ଆଜି ଗାଇବସେ ସଂଧ୍ୟାର ଶାୟରୀ ॥

 

ତୁମର ପ୍ରାଚୀନ ଜହ୍ନ ବାଟ ଭୁଲେ ବଂଗୋପସାଗରେ

ତୁମର ମଣିଷ ପଢ଼େ ପ୍ରତ୍ନତତ୍ତ୍ୱ କୁରୁକ୍ଷେତ୍ର ଚିରି...

କାଶିଉଠେ ନିର୍ଜନତା ... କଂପିଉଠେ ପ୍ରବଳ ଶୀତରେ

ବରଫର ଦୁର୍ଗ ଜଗି କାଂଦେ ତୁମ ହିମାଦ୍ରିପାଚିରି ॥

 

ତୁମର ଅତୀତ ପଢ଼ି, ଶୁଣି ତୁମ ପୁରାଣ-ପ୍ରବାଦ

ଆସି ଦେଖେ ପର୍ଯଟକ - ନଦୀ । ହ୍ରଦ । ମାଟି ଓ ଆକାଶ

ଉଦାସ ମଂଦିର । ମଠ । ଗିରିଗୁହା । ଝଂଡା ଆଉ ବାଦ ।

ଏବଂ ଏଇ ବେଳା ବୁକେ - ଖୋଜେ ଆସି ମୃତଇତିହାସ

 

ଅଥଚ କେବଳ ଦେଖେ ଗେଂଡା ଆଉ ଶାମୁକା ସାଉଁଟି

ସଭ୍ୟତାର ମୁଖଶାଳା - ସଂସ୍କୃତିର ଭୂଲଗ୍ନ ନଉତି

 

 

ଏସିଆର ଉଇହୁଂକା ତଳେ

 

ହେ ସ୍ୱପ୍ନ ଭାରତବର୍ଷ ! ତୁମେ ଆଜି ପାରନା କି ଶୁଣି

ଗୀତ ଗାଏ ନୀଳନଦୀ ... କୂଳେ ତାର କଥା କହେ ଶବ

ମାଟିର ଗବାକ୍ଷ ଖୋଲି ସଭ୍ୟତା ବି ଉଂକିମାରେ। ପୁଣି

ସହସ୍ରେକ ରାତ୍ରି ତଳେ ସୂର୍ଯ ଖୋଜେ ଉନ୍ନିଦ୍ର ଆରବ ॥

 

ସମୟର ପଟୁ ତଳେ ପ୍ରାଚୀନ ଏ ପୃଥିବୀର ପିଠି

ବନ୍ୟା ଆସେ। ବନ୍ୟା ଆସେ। ଆଦିଗଂତ ବନ୍ୟାର ପ୍ରକୋପ !

ଶବ ଓ କୃଷ୍ଣାଭ ଦାରୁ - ଭଂଗା କ୍ରୁଶ - ଏଠି ଏବଂ ସେଠି -

ବୁଡ଼ିଯାଏ ବାବିଲୋନ୍‌। ଦ୍ୱାରକା। ହସ୍ତିନା। ଦିଲ୍ଲୀ। ମଥୁରା ଓ ଗୋପ ॥

 

ବନ୍ୟା ଆସେ, ବନ୍ୟା ଆସେ । ଆଖି ଖୋଲେ ମେସୋପଟାମିଆ

ରଥ ଚଢ଼େ ଇତିହାସ । ପେଷି ହୁଏ ଘୋଡ଼ାଟାପୁ ତଳେ ।

ହିବ୍ରୁର ଚାରଣକ୍ଷେତ୍ର - ଜିଭ କାଢ଼ି, ଚାଟିଯାଏ ନିଆଁ -

ଆର୍ଯ ଲେଖେ ବେଦ ପୁଣି ଲବଣାକ୍ତ ଦ୍ରାବିଡ଼-ରକ୍ତରେ ॥

 

ତଥାପି ବୁଡ଼େନା ସୂର୍ଯ - ହେ ଭାରତ ! ତୁମ ସିଂଧୁଜଳେ

ମହର୍ଷିର ମଂତ୍ର ଶୁଭେ ଏସିଆର ଉଇହୁଂକା ତଳେ ॥

 

ଧ୍ୱଂସର କବର ତଳୁ

 

ହେ କ୍ଳାଂତ ଭାରତବର୍ଷ, ବୈଶାଖର ବଳାକା ଆମରି !

ସୂର୍ଯ ଆଜି ସଂଗୋପିତ ଏଇ ଦେଖ ମାନସରୋବରେ

ସୂର୍ଯାସ୍ତର ଅବଶେଷେ ଯୁଦ୍ଧାଂଗନେ ନଇଁଚି ଶର୍ବରୀ,

ଯୁଦ୍ଧ କିଂତୁ ସରିନାହିଁ ରକ୍ତ-ନଦୀ ସଂତରଣ ପରେ ॥

 

ପିତା ଆଜି ପୁତ୍ରପିଂଡେ ନିଃସହାୟ, ନିଃସଂଗ ନାଉରି

ପିତାମହ ଶୁଣେ ସ୍ୱୟଂ ଶର-ଶେଯେ ନିଜର ନିଃଶ୍ୱାସ !

ଏରକାରେ ରେରେକାର ! ରକ୍ତନଦୀ ଶୁଖିନି ଆହୁରି

ବଂଶର ଶୋଣିତେ ଆଜି ବଂଶାବଳୀ ଲେଖିଯାଏ ବ୍ୟାସ ॥

 

ଦୂତ ଆଉ ଫେରେ ନାହିଁ - ରହିଯାଏ ରାଜ୍ୟର ଖବର ।

ଜଳିଯାଏ ଜଉଘର - ନାଗାସାକି - ଥିବ୍‌ସ୍‌ ଓ ଖାଂଡବ

ତାପରେ ଅଂଗାର ଖାଲି - ଧ୍ୱଂସସ୍ତୂପ - ପାଉଁଶ କେବଳ

କଟାମୁଂଡ ଦେଖେ ଯାହା : ସର୍ବବ୍ୟାପୀ ଚକ୍ରର ତାଂଡବ ॥

 

ସବୁ ପରେ, ବାଜେ କିଂତୁ - ସେଇ ବଂଶୀ ସୁଂଦର ଶାଶ୍ୱତ

ଧ୍ୱଂସର କବର ତଳୁ - ଉଠ, ଜାଗ - ହେ ମହାଭାରତ ॥

 

ଶ୍ରେଣୀ ଓ ସଂଗ୍ରାମ

 

ହେ ଶ୍ରାଂତ ଭାରତବର୍ଷ ! ଶେଷ କେବେ ଅଷ୍ଟାଦଶ ପର୍ବ ?

ଏଇ ଆସେ ଧୂଳିଝଡ଼ ... ଏଇ ଆସେ ଘୂର୍ଣି ଓ ଜୁଆର...

ଶେଯ ପାରି ଶୋଇପଡ଼େ ମୂକ-ଅଂଧ-ବଧିର ବିପ୍ଳବ

ଦୋକାନବଜାର ବୁଲି ପାଣି ପିଏ କ୍ଳାଂତ ପଟୁଆର ॥

 

ଦପ୍ତରରେ ଧର୍ମଘଟ - ଆଂଦୋଳନ କଲେଜ ଭିତରେ

କାଂଟିନ୍‌ରେ ଭିଡ଼ ଭାରି । ଚାଲୁ କେତେ ଚା'ର ପ୍ରସ୍ତାବ

ଦର୍ଶନ ଓ ରାଜନୀତି - ସିନେମା ଓ ପ୍ରେମଗପ ପରେ

କ୍ରିକେଟ୍‌ର ଚର୍ଚା ଡେଇଁ, ଘୂରିଆସେ ବାକିର ହିସାବ ॥

 

ଘୂରିଆସେ ଚାଂଦାଖାତା । ସ୍ଥିର କିଂତୁ ଚରଖାର ଚକ !

ଜଠର-ନିଆଁରେ ଜଳେ ସ୍ୱପ୍ନ ଆଉ ଯୋଜନାର ଚିଠା

ଥକିପଡ଼େ ଗାଂଧିବାଦ । ହାଇ ମାରେ ସହରର ଛକ

ତାପରେ ଓହ୍ଲାଇଆସେ ଅଂଧକାର ବହଳ କିଛିଟା ॥

 

ବେଣୀ ବାଂଧେ ନୀଳରାତ୍ରି । ଶ୍ରେଣୀ ଭୁଲେ ସଂଗ୍ରାମର ଧ୍ୱନି ।

ପିକା ଟାଣେ ଇତିହାସ ... ଶୁନ୍‌ଶାନ୍‌ ଶୀତଳ କଲୋନି ॥

 

ରକ୍ତଚାପ

 

ହେ ରୁଗ୍‌ଣ ଭାରତବର୍ଷ ! ଦେହମୟ ଘାଆ ଓ ଘଉଡ଼

ମଳିଚିଆ ମାନଚିତ୍ରେ ପୂଯ ଆଉ ରକ୍ତର ଛିଟିକା !

ଗୋଦରା ଏ ଗଣତଂତ୍ର ଦେଖୁଥାଏ ଦିଲ୍ଲୀର ଦଉଡ଼

ଭଂଗାହୁଏ ଭାବମୂର୍ତି ... ପୋଡ଼ାହୁଏ କୁଶପୁତ୍ତଳିକା ॥

 

ଛକ ଓ ବଜାର ଡେଇଁ ତୁମର ଏ ଖାବଡ଼ାରାସ୍ତାରେ

ଦିଗହଜା ପଟୁଆର ଲଂବିଚାଲେ ଅଜଗର ଭଳି !

ନେତୃତ୍ୱ ଓ ଫୁଲମାଳ - ଜୁଟେ ସବୁ ନିହାତ୍‌ ଶସ୍ତାରେ

ବୁଲେ ତୁମ ରାଜନୀତି ଭୋଟ୍‌ ମାଗି ଗଳି-ଉପଗଳି ॥

 

ବାଟ କିଂତୁ ଖୋଜେ ଆଜି ଚାଳିଶାର ଚଷମା ଭିତରୁ

ତୁମର ଏ ସ୍ୱାଧୀନତା - ଖଦଡ଼ର ଜାମାଯୋଡ଼ ହୋଇ !

ଖୋଜେ ପୁଣି ବାଟ ତୁମ ଅର୍ଥନୀତି - ନଥି ଓ ପତରୁ -

ଧରିଧରି ଆଶାବାଡ଼ି, ଥରିଥରି, ଋଣଭାର ବୋହି ॥

 

ହେ ରୁଗ୍‌ଣ ଭାରତବର୍ଷ ! ଫାଟିପଡ଼େ ମାଂସ ଆଉ ପେଶୀ...

ଦର ବଢ଼େ ... କର ବଢ଼େ ... ରକ୍ତଚାପ ବଢ଼େ ତୁମ ବେଶି ॥

 

କର ମୋଡ଼େ ଇତିହାସ

 

ହେ କ୍ଷୁବ୍ଧଭାରତବର୍ଷ ! ଚାରିପଟେ ଜମିଚି ଜଂଜାଳ

କିଏ ସେ ଏମାନେ ସବୁ, ବୁକେ ତୁମ ? ବଇରୀ ନା ବଂଧୁ ?

ତୁମର ଏ ପିଂଡପରେ ସମୟର ପ୍ରାଚୀନ ଶୈବାଳ

ଜମିଚି ବି ଆଗପରି ଅତୀତର ଅଜସ୍ର ଅଳଂଧୁ ॥

 

ବୁଡ଼ୁଚି ଶୀତଳ ସୂର୍ଯ ତୁମର ଏ ପଶ୍ଚିମଘାଟରେ...

ହାୟ ଯେତେ ସୂତ୍ରଧର ! ହାୟ ଯେତେ ଛିନ୍ନ କୁଶୀଲବ !

ଆଜି ବି ଅଟକେ ଏଠି ମଜୁରି ଓ ବୋନସ୍‌ ଭିତରେ

ଶ୍ରମିକର ଆଂଦୋଳନ - ଆଉ ତୁମ କୃଷକବିପ୍ଳବ ॥

 

ନକଲିବିହନେ ହାୟ ! ଭର୍ତି ଆଜି ତୁମର ବିଲଟା

ଧାନଟିଏ ଦେଖା ନାଇଁ - ଚଷା ଖାଲି ବାଛୁଚି ଅଗାଡ଼ି !

ପୁଂଜିର ମଥାନ ପରେ ପେଟେଇଚି ମୁନାଫାର ଲଟା

ତୁମର ଏ ମଜ୍‌ଦୁର୍‌ ବାଂଧେ ବସି ମାଲିକର ଭାଡ଼ି ॥

 

ହେ କ୍ଷୁବ୍ଧଭାରତବର୍ଷ! ଶେଷ କେବେ ସମ୍ମୋହର ପର୍ବ ?

କର ମୋଡ଼େ ଇତିହାସ ... ଥରିଉଠେ ତୁମର ଭୂଗର୍ଭ ॥

 

ରାତି ହେବ ଭୋର୍‌

 

ହେ କ୍ଷୁଣ୍ଣଭାରତବର୍ଷ ! ରାତି ବେଢ଼େ, ତୁମ ଚାରିପଟେ

ଓଲଟବାଦୁଡ଼ି ଭଳି ଅଂଧାରଟା ଓହଳିଚି, ହେଇ !

ବାଟ କାହିଁ ? ଘାଟ କାହିଁ ? କିଏ ଦୂରେ ? କିଏ ବା ନିକଟେ ?

ଏ ରାତିର ଗର୍ଭେ ଆଜି ଏକାକାର ଗାଂଧି ଓ ଗଂଜେଇ ॥

 

ରହି ରହି କାଶିଉଠେ - ଏଇ ଶୁଣ - କ୍ଷୟରୋଗୀ କିଏ

ଏ ରାତିର ପକ୍ଷ ତଳେ ସ୍ୱପ୍ନ ଦେଖେ ଶିକ୍ଷିତ ବେକାର

ଏଇ ଶୁଭେ ଗଳିମୋଡ଼ୁ ଅତର୍କିତ ଆର୍ତନାଦଟିଏ

ଆଦିମ ଅଂଧାରେ ଆଜି କିଏ ହେଲା କାହାର ଶିକାର ?

 

ବୁଝି କିଛି ହୁଏ ନାଇଁ । ଏ ରାତିଟା ଗାଢ଼ ହୁଏ ଧୀରେ

ଦି'ଚାରିଟା ଶବ୍ଦ ଝାଡ଼ି ମଥା ପୋତେ କ୍ଳାଂତମଦଭାଟି

ଗଣତି ପୁଳାଏ ଫୁଲ ମାଟିକୁଂଡେ ଗଣିକାବସ୍ତିରେ

ଏ ରାତିର ହାତ ପୁଣି ଚାପିଧରେ ଆକ୍ଷି ଆଉ ପାଟି ॥

 

ହେ କ୍ଷୁଣ୍ଣଭାରତବର୍ଷ ! ଅଂଧାରଟା ବଢ଼ିଚାଲେ ଜୋର୍‌...

ତୁମର ଏ ମାଟିପରେ କୁହ କେବେ ରାତି ହେବ ଭୋର୍‌ ??

 

ସୂର୍ଯାସ୍ତରେ ହେବନାହିଁ ଶେଷ

 

ହେ ଚିରଭାରତବର୍ଷ ! ହେ ସୂର୍ଯର ଉପମହାଦେଶ !

ସପ୍ତାଶ୍ୱର ଖୁରାଘାତେ ଖସେ ଦେଖ ସୂର୍ଯର କଂକାଳ -

ସୂର୍ଯାସ୍ତର ସୂଚିପତ୍ରେ - ସମୟର ନିହତ ନିର୍ଦେଶ !

ଏବେ ମଧ୍ୟ ବହୁଦୂରେ ପ୍ରତୀକ୍ଷିତ - ସେ ଶୁଭ୍ର ସକାଳ ॥

 

ଅୟୁତ ସୂର୍ଯର ମୃତ୍ୟୁ - ଆଲୋକର ହତ୍ୟାକାଂଡ ପରେ

କ୍ଳେଦାକ୍ତ ଏ କ୍ରାଂତି ହୁଏ କୋକୁଆର କରାଳ କୃତି ବି

କ୍ରୁସେଡ୍‌ ଓ କ୍ରୁଶକାଠ, ଧର୍ମ ଆଉ ସଂଗ୍ରାମ ଭିତରେ -

ଆଖି ଚାପି ଶୋଇପଡ଼େ ଯିହୋବାଂକ ପ୍ରାଚୀନ ପୃଥିବୀ ॥

 

ତାପରେ ଅନେକ ପଥ - ରକ୍ତ ଆଉ ଅଶ୍ରୁରେ ବିକଳ

ସମୟର ବଂଧ ଭାଂଗି ମାଡ଼ିଆସେ ମଣିଷର ନଈ !

ଭାସିଯାଏ ଇଂଦ୍ରପ୍ରସ୍ଥ ... ବୁଡ଼ିଯାଏ ସାମ୍ରାଜ୍ୟ, ମହଲ

ତଥାପି ତଥାପି ହସେ ନୂଆ ସୂର୍ଯ - ତୁମ ବାର୍ତା ବହି ॥

 

ହେ ଚିରଭାରତବର୍ଷ ! ହେ ସୂର୍ଯର ଉପମହାଦେଶ !

ତୁମର ଦିନ ତ କେବେ ସୂର୍ଯାସ୍ତରେ ହେବ ନାହିଁ ଶେଷ ॥

 

ଶତଚ୍ଛିନ୍ନ ସ୍ମୃତି

 

ହେ ଜୀର୍ଣଭାରତବର୍ଷ ! ଝଡ଼ ଉଠେ କପିଳବାସ୍ତୁରେ

ଭାଂଗିପଡ଼େ ବୋଧିଦ୍ରୁମ ... ଧସିପଡ଼େ ସ୍ୱର୍ଣଦେବାଳୟ

ସଂସ୍କୃତିର ସଂଗମ ଓ ସଭ୍ୟତାର ଗର୍ଭପାତ ପରେ

ତୁମରି ବୁକୁରେ ଆଜି ଛିଡ଼ାହୁଏ କ୍ଷତାକ୍ତ ସମୟ ॥

 

ତଥାପି ଭାଂଗେନା ଢୁଳ । ପୀଡ଼ିତ ଏ ପୋଡ଼ାଭୂଇଁ ଡେଇଁ -

ବଂଜରକୁ ବାଟ ବାରେ ବନସ୍ତର ବ୍ୟସ୍ତବଂଶଧର

ଖୋଜୁଥାଏ ଖାଇବର ଶତାବ୍ଦୀର ଶୀତଳତା ନେଇ -

ଗୋଧୂଳିର ଗର୍ଭକୋଷେ ଅବୟବ - ଅସ୍ତଅତୀତର ॥

 

ଅଥଚ ଅତୀତ ତୁମ ମୁଂଡ ପିଟେ କବର ଭିତରେ

ଶୋଇରହେ ଇତିହାସ ଘୋଡ଼ିହୋଇ ଘାସ ଆଉ ଲଟା

ବୁଢ଼ିଆଣୀ ଜାଲସବୁ ବସା ବାଂଧେ ଅଶୋକଚକ୍ରରେ

ଭଂଗା ତୁମ ଅରଟରୁ ହଜେ ପୁଣି ସୂତାର ଖିଅଟା ॥

 

ହେ ଜୀର୍ଣଭାରତବର୍ଷ ! ଫିଂଗିଦିଅ, ଶତଚ୍ଛିନ୍ନ ସ୍ମୃତି

ତୁମଠୁ ବି ଜୀର୍ଣତର ତାଳିପକା ତୁମର ସଂସ୍କୃତି ॥

 

ରକ୍ଷା କର, ରକ୍ଷା !

 

ହେ ଶୀର୍ଣଭାରତବର୍ଷ ! ସ୍ୱପ୍ନସବୁ ଶବର ସବାରି

ଇତି ହୁଏ ଇତିହଟା ... ନିତିଦିନ ନୀତିର ନିଲାମ

କ୍ଷୁଧିତ ଶତାବ୍ଦୀ ଡାକେ ଲୋମଶ ତା' ଲଂବାହାତ ଠାରି

ଭୟାର୍ତ ଭୂମିଷ୍ଠ ବାଢ଼େ ପାଷାଣର ମଂଦିରେ ପ୍ରଣାମ ॥

 

ଗିର୍ଜାଶିଖେ ଘଂଟା ବାଜେ । ମସ୍‌ଜିଦ୍‌ ଅଲ୍ଲାମୁଲ୍ଲା ବୁଝେ

ପୀଠରୁ ପାଗୋଡ଼ାଯାଏଁ ପରିତ୍ରାତା ପ୍ରଭୁର ପ୍ରାର୍ଥନା

ଧାତବ ଏ ଧର୍ମ ତୁମ କାଠ ଆଉ ପଥରକୁ ପୂଜେ

କେଉଁଠି ତା' ତୁଠ ଖୋଜେ କୁଳୁକୁଳୁ ତଟନିରଂଜନା?

 

ଗୀତା ଏଠି ସୀତା ସ୍ୱୟଂ ଜଳିଜଳି ଜୁଇର ଯଂତାରେ

କୋରାନ୍‌ର କ୍ରଂଦନରେ କୋର୍ବାନିଟା କୋଡ଼େ ଆଜି ମଥା

ପୋଡ଼େ ତୁମ ପରଂପରା । ଧୂଆଁ ଜମେ ଆଖିର ପତାରେ

ଭ୍ରାଂତ ହୁଏ ବାଇବଲ୍‌ - ଭାରାକ୍ରାଂତ ବେଦାଂତର ବ୍ୟଥା ॥

 

ହେ ଶୀର୍ଣଭାରତବର୍ଷ ! ଜାଂତବ ଏ ଜୀବନ-ବୁଭୁକ୍ଷା...

ଲୁହର ମଣିଷ ଡାକେ ଲହୁ ଢାଳି - ରକ୍ଷା କର, ରକ୍ଷା !!

 

ପଲପଲ ପଲଟଣ

 

ହେ ଦିଲ୍ଲୀ ଭାରତବର୍ଷ ! ହାଡ଼ମାଂସ ହିମରୁ ହିମାଦ୍ରି

ସୀମାଦ୍ରିର ସୀମଂତରେ ଶୂନ୍ୟ ତୁମ ସୂର୍ଯର ସିଂଦୂର...

ନିଷ୍ପିଷ୍ଟ ଏ ନିଶିପଦ୍ମ । ମୈଥୁନରେ ମାତିଉଠେ ମାଦ୍ରୀ

ପାଂଡୁର ଏ ପଉଷରେ ଭଗ୍ନଦୂତ ବିଷଣ୍ଣ ବିଦୁର ॥

 

ଇତି ତୁମ ଇଂଦ୍ରପ୍ରସ୍ଥ ! ଇତିହାସ ଚାଟିଯାଏ ଓଠ

ନାରକୀୟା ରାତ୍ରି ରଚେ ପରକୀୟା ପାପର ପହଡ଼...

ଚିବୁକେ ଚିବୁକେ ଚିଆଁ । ଚୁଚୁକରେ ଚୁଂବନର ଚୋଟ

ଦେହଦାହ । ଦୁର୍ଗଦାହ । ଦହିଯାଏ ଦହକ ଦହଡ଼ ॥

 

କୃପାଣର କରାଘାତ! କଂପମାନ ପଶ୍ଚିମକବାଟ

ଆରଂଭର ଆରତି ବି ଆର୍ତରବ ଆରବସାଗରେ

ଜହରବ୍ରତର ଜିଭ ଝୁଣିଯାଏ ପଦ୍ମିନୀର ପାଟ

ପୋଡ଼ିଯାଏ ପଗଡ଼ିଟା ... ଭେଳା ବୁଡ଼େ ବଂବେର ବଂଦରେ ॥

 

ହେ ଦିଲ୍ଲୀ ଭାରତବର୍ଷ ! କି କାଂତାର ! କାତର କପୋତ !

ପଲପଲ ପଲଟଣ ... ପାଲଟଣା ଫିରିଂଗିର ପୋତ ॥

 

ଇଟିକିଲି ମିଟିକିଲି

 

ହେ ପଲ୍ଲୀ ଭାରତବର୍ଷ ! ମାଳରେ ତ ମଲ୍ଲୀ ନାଇଁ ଆଉ

ଚେତାବୁଡ଼ା ଚଂପାବଣ ଚତୁର୍ଦଶୀ ଚଂଦ୍ରର ଚିତାରେ

ତଂଦ୍ରାର ଏ ତୋଷାଳିରେ ଚିରିଯାଏ ଚଂଦ୍ରାର ଚିଟାଉ

ସାଲିଆ ସପନସବୁ ଫାଶୀ ପାଏ ନାଲିଆ ଫିତାରେ ॥

 

ଗୋବରଗଂଧର ଗାଆଁ ଗାଉନାଇଁ ଗୟସର ଗୀତ

ଭୁଆଁ ବୁଲେ ଭୁଆସୁଣୀ । ବାଟ ଭୁଲେ ବାଡୁଅ ବୟସ

ମାଗୁଣିର ଶଗଡ଼ଟା ଦୁଶୁନାଇଁ କୋଉଠି କାଇଁ ତ

ଝଡ଼ି-ବଢ଼ି-ମରୁଡ଼ିରେ ଝାଉଁଳିଚି ଆଇଷ, ଅୟସ ॥

 

ଲୁଣ ନାଇଁ ତିଅଣରେ । ଲୁହ ପଡ଼େ ପଖାଳକଂସାରେ

ହାଂଡିହାଂଡି ହାଂଡିଆରେ ହଜିଲାଣି ମନର ମହୁଲ

କୁଆଁ ନାଇଁ। କଇଁ ନାଇଁ । କୁଆ କାଂଦେ କୋଇଲିବସାରେ

ମଉଳାମାଳରେ ତୁମ ମୁଠାମୁଠା ମଶାଣିର ଫୁଲ ॥

 

ହେ ପଲ୍ଲୀ ଭାରତବର୍ଷ ! ପାଉଁଶିଆ ପୀରତି ପାଇଁଚ...

ଇଟିକିଲି ମିଟିକିଲି, ଫୁଟିଗଲା କୋଉଠି କାଇଁଚ ??

 

ମାଳତୀର ମୃତବନ

 

ହେ ମଲ୍ଲୀ ଭାରତବର୍ଷ ! ମଂଜରୀକୁ ମନା ଏ ମୃତ୍ତିକା

ଝାଉଁଳିଚି ଜାଇଫୁଲ ... ଜାମୁଟାକୁ ଯାଉଁଳିବେତ କି !

ଝଡ଼ର ଏ ଝାଡ଼ବଣେ ଝରିଯାଏ ଯୁବତୀ ଯୂଥିକା

କାଇଁଶିକା କଇଁଚିରେ କଟିଯାଏ କୁଆଁରୀ କେତକୀ ॥

 

ବିଲବାଡ଼ି ବଗିଚାରେ ବଢ଼ିଉଠେ ବହଳ ବାଳୁଂଗା

ବଉଳାର ବାଟମୋଡ଼େ ବନସ୍ତର ମହାବାଳବାଘ...

ତାଳଗୋଟମାଟା ତଳେ । ଭାଂଗିପଡ଼େ ଭୂଇଁରେ ବାହୁଂଗା

ଅଣିମାର ଆୟତନେ ମଣିମା ତ ମଂଜଥରା ମାଘ ॥

 

କଢ଼ି ଝଡ଼େ । କଷି ଝଡ଼େ । କିଏ କାଟେ ଡାଳିଂବର ଡାଳ ?

ଧାଡ଼ିଧାଡ଼ି ଧାନଗଛେ ଗାଡ଼ିଗାଡ଼ି ଧୁଷ ଆଉ ଧୂଳି...

ଅଂଟିଛୁରୀ ତଂଟି କାଟେ । କଂଟାମାଳ କାହା କଂଠିମାଳ ?

ମୁଂଡଗଣା ମୁଲକରେ ଗୁଂଡଗୁଂଡ ଗେଂଡୁର ଗୋଧୂଳି ॥

 

ହେ ମଲ୍ଲୀ ଭାରତବର୍ଷ ! ମାଟି ପାଇଁ ମିଛ ମହୁଫେଣା...

ମାଳତୀର ମୃତବନ ମୁର୍ଛିଦିଏ ମହୁମାଛିଡେଣା ॥

 

ବଂଦୀ ବିହଂଗମ

 

ହେ ଶୁଭ୍ର ଭାରତବର୍ଷ ! ଶଂଖ ଆଉ ଶାମୁକାର ଦେଶ !

ଏ ଦେହର ଦହ ଡେଇଁ, ଡେଇଁ କେତେ ଜନ୍ମଜନ୍ମାଂତର

ଏ ଆତ୍ମା ଆସିବ ଫେରି ଆଉଥରେ ସାଜି ସୁନାବେଶ

ବୋକ ଦେବ ବୁକେ ତୁମ ... ପରଶିବ ପୟର ପ୍ରାଂତର ॥

 

ଥାଉ ଏଠି ଯେତେ ଜ୍ୱାଳା, ଯାତନାର ଯେତେ ଜତୁଗୃହ

ଥାଉ ଜରା, ଥାଉ ଖରା, ଥାଉ ଶୀତ, ସହସ୍ର ସଂହାର

ଥାଉ ପଛେ ଶତଶତ ଶଠତାର ସପ୍ତରଥୀବ୍ୟୂହ

ଏ ଓଠ ତୋଳିବ ତୁମ ଅନାହତ ଆତ୍ମାର ଓଁକାର ॥

 

ଆମ ଋତୁ ଗ୍ରୀଷ୍ମଋତୁ । ଏ ହେତୁ କି ସହିପାରିନାହଁ

ତୁମର ଗୈରିକ ଗୃହେ ଆମର ଏ ଗ୍ରୀଷ୍ମର ଆଗମ ?

ସାମୁଦ୍ରିକ ଶଯ୍ୟାତଟେ ସେଥିପାଇଁ ଶୋଇଛ କି ହାୟ

ହେ ଦୁଃଖୀ ଭାରତବର୍ଷ ! ହେ ବ୍ୟଥିତ, ବଂଦୀ ବିହଂଗମ ??

 

ହେ ଶୁଭ୍ର ଭାରତବର୍ଷ ! ସଭ୍ୟତାର ସାରସ ସବୁରି !

କାଲିର ପ୍ରତ୍ୟୁଷ ପାଇଁ ଏ କି ତୁମ ଆଜିର ଶର୍ବରୀ ??

 

ଘାସର ଘିମିରି

 

ହେ ଭିଟା ଭାରତବର୍ଷ ! ନଇଁପଡ଼େ ନୀଳ ତୁମ ନେତ

ବୈଦିକ ବୈଶାଖ ବୁଲେ ବେଦନାର୍ତ ବେତ୍ରବତୀତୀରେ

ଧର୍ଷିତ ଦିଗଂତ ତଳେ ଧୂମାୟିତ ଧ୍ୱସ୍ତଧାନକ୍ଷେତ

ମୁହଁ ମାଜେ ମାହିଷ୍ମତୀ - ନିର୍ଯାତିତ ନର୍ମଦାର ନୀରେ ॥

 

ଦୂବ ହଜେ । ଦାରୁ ହଜେ । ତୀରେତୀରେ ତରସ୍ତ ଏ ତୃଣ

ଶେଷ ତୁମ ଶାଳବଣେ ଶିଆଳିର ଶିଉଳିଆ ଶୀତ

କୋରକର କୋକେଇରେ କ୍ରମାଗତ କୁଶର କାରୁଣ୍ୟ...

ସରିଚି କି ଶିରୀସବୁ ସୋରିଷରୁ ଶିରୀଷ ସହିତ?

 

ଦଶନଖଦର୍ପଣକୁ ନଦେଖୁ ବି ନିଜ ଏ ଅଂଗୁଳି

ଖଂଡିତ ଖାଂଡବ ଖୋଜେ ବୀଜମଂତ୍ର ପଲ୍ଲବୀକରଣ

ମେଘ ମାଗେ ମଲାନଈ । ମାଟିକନ୍ୟା ମଂଗୁଳୀମଂଗୁଳୀ

ଆଂଜୁଳେ ଆୟୁଷ ଲୋଡ଼େ ଅବଶିଷ୍ଟ ଆହତ ଅରଣ୍ୟ ॥

 

ଚକିତ ଚକÑର କାଟେ - ଚିହ୍ନା ଚିଲ - ଚକ୍ରବାଳ ଚିରି

ପାହାଡ଼ର ପିଠି ପରେ ଅନାବନା ଘାସର ଘିମିରି ॥

 

ଭୂଗୋଳର ଭଂଗାଥାଳ

 

ହେ ଦୀର୍ଘ ଭାରତବର୍ଷ ! ଦୀର୍ଘଶ୍ୱାସ ଦକ୍ଷିଣାବର୍ତରେ...

ଦିଗଂତଦିଗଂତ ଦୁଃଖ : ଦିନାଂତର ଦୀର୍ଘ ଦିନଲିପି

ସାଉଁଟୁଚି ସୂତ୍ରମାଳ ସମୟଟା ଶିରାଳହାତରେ

ଈର୍ଷାର ଅଂଧାରେ ଆଜି ତଥାପି ତ ବର୍ଷା ଝିପିଝିପି !

 

ଅବଂତୀରେ ଅପରାହ‌୍‍ଣ । ମୁହଁସଂଜ ମାଳବ ମାଟିରେ

ଭୂର୍ଜପତ୍ରେ ଭୋଜରାଜ । ପ୍ରଶମିତ ପ୍ରତିହାର, ପାଳ

ରାଷ୍ଟ୍ରକୂଟେ ରାତ୍ରି ଆସେ ... ତଂଦ୍ରା ତୁମ ତୁଂଗଭଦ୍ରାତୀରେ

କୁବÔ ହୁଏ କାନ୍ୟକୁବÔ ! ବ୍ୟଥା ବୋଳେ ପାଂଡ୍ୟର ବେତାଳ ॥

 

ଗାଥାସବୁ ଗୁଂଥାହୁଏ ଗଂଗୋତ୍ରୀରୁ ଗୋଦାବରୀବ୍ୟାପୀ

ବିବାଦର ପ୍ରବାଦରେ କୁଳୁକୁଳୁ କୃଷ୍ଣାରୁ କାବେରୀ

ଚାଲୁକ୍ୟର ଚାଷଜମି ବାହାମନୀ ପାରେନାଇଁ ମାପି

ବିଜୟନଗରେ ପୁଣି ଶୋକ ତୁମ ସଂଜର ଶାଏରୀ ॥

 

ହେ ଦୀର୍ଘ ଭାରତବର୍ଷ ! ଶିଶିରାକ୍ତ ଶେଷାଦ୍ରିର ଶିଖ...

ଭୂଗୋଳର ଭଂଗାଥାଳେ ଇତିହାସ ମାଗିବୁଲେ ଭିଖ ॥

 

ଝାନ୍‌ସିର ଝଡ଼

 

ହେ ପ୍ରସ୍ଥ ଭାରତବର୍ଷ ! ଶିଖରରେ ସୂର୍ଯାସ୍ତର ଶିଖା

ଦିନାଂତର ଦିଗଂତରେ ଦଶାବୁର୍ଦ ଦଂଶନର ଦାଗ

ପାରିହୁଏ ପ୍ରଭଂଜନ ପାନିପଥେ ପଉଷ-ପରିଖା

ଧୂସର ଧୈବତ ତୁମ ଦିଲ୍ଲୀର ଏ ଦରବାରୀ ରାଗ ॥

 

ବାବରର ବାଗାନରେ ବାସ୍ନା ବୁଣେ ବସେରା-ଗୋଲାପ

ଲଟାରେ ଲୋଟିଚି ଲୋଦୀ । ହତଭଂଭ ହିମୁର ହଂଗାମା

ମୋଗଲବଂଦିର ମେଘ ଗଡ଼ଜାତେ ଛାଡ଼ିଯାଏ ଛାପ

ପଢ଼େ ପୁଣି ପାନିପଥ ଆକ୍ଷି ଆଗେ ଆକବରୀନାମା ॥

 

ଘୋଳିହୁଏ ଘୋଡ଼ାଟାପୁ । ଘୋରିହୁଏ ଘାସଫୁଲସବୁ

ବର୍ଗୀର ବର୍ଛାରେ ବୋଳ ... ନତ ହୁଏ ନୌଯୋଦ୍ଧାର ନେତ

ଫେରିଲାଣି ଫିରିଂଗିଟା । ଚିରିଲାଣି ତୁସ୍କର ତଂବୁ

ମୁର୍ଶିଦାବାଦର ମୋଡ଼େ ମୁଂଡଫଟା ପଲାସୀର ପ୍ରେତ ॥

 

ହେ ପ୍ରସ୍ଥ ଭାରତବର୍ଷ ! ପାନିପଥେ ପଡ଼ିଚି ପହଡ଼

ଝାସଦିଏ ଝରାଫୁଲ ... ଝୁରିମରେ ଝାନ୍‌ସିର ଝଡ଼ ॥

 

ଗୁଳିସବୁ ଫୁଲ

 

ହେ ପଥ ଭାରତବର୍ଷ ! ଝାଂଜିପିଟା ଝାଇଁର ଯାତନା

ଶୁଣାଉନି କାଠୁରିଆ ଛାଇ ତଳେ ଚଂପୂର ଲହର

ଫୁଲ ନାଇଁ । ପତ୍ର ନାଇଁ । ମଳୟ ବି ମାଗୁଛି ମାର୍ଜନା

ଡାହୁକର ଡେଣା ପାଖେ ପୋଡ଼ିଯାଏ କୋଇଲିର ପର ॥

 

ଆସେନାଇଁ ପଲ୍ଲିବଧୂ - ଏ ପଥରେ ଗରା ଧରି କାଖେ

ଆସେ ନାଇଁ କେଶବତୀ ଏ ପଥରେ ମାଜଣାତୁଠକୁ

ମୁରଲୀର ସୁରେ ଏଠି ବାଟ ଭୁଲି ଅଭିସାରିକା କେ -

ଫେରି କେବେ ଚାହେଁନାଇଁ ସଂତର୍ପଣେ ଅଟକୁ ଅଟକୁ ॥

 

ଏ ପଥ ତୁମର ପଥ । ମେହନତୀ ମଣିଷର ପଥ...

ଇତିହାସ ଟେକେ ଏଠି ଦାଆ ଏବଂ କୋଡ଼ି ଓ କୋଦାଳ

ହାତୁଡ଼ିର ଆଘାତରେ ଭାଂଗେ ପୁଣି ପୁଂଜିର ପର୍ବତ

ପୁରାଣର ପ୍ରେତ ଦେଖେ କୁଢ଼କୁଢ଼ କୀର୍ତିର କଂକାଳ ॥

 

ହେ ପଥ ଭାରତବର୍ଷ ! ଗୁଳିସବୁ ଫୁଲ ହୁଏ, ଫୁଟି

ତୁମର ଚିତାଗ୍ନି ଜଳେ - ଜାଳିବାକୁ ମଶାଲ୍‌ ସବୁଠି ॥

 

ବ୍ୟାସକୂଟ

 

କୌଣପର କାରାଗାରେ

ବଂଦିନୀ ବସୁଧା

ନେତ୍ରେ ନାହିଁ ନୀଳସ୍ୱପ୍ନ

ସରିଆସେ

ସୁରଭିତ

ସୁଧା...

 

କ୍ଷେତ୍ରେ

କ୍ଷେତ୍ରେ

କ୍ଷୁଣ୍ଣ,

କ୍ଷୁବ୍ଧ

କ୍ଷୁଧା ।

 

ମାତ୍ସର୍ଯର ମାନଚିତ୍ର ।

 

ମାଳମାଳ

ମହିଷର

ମାଂସଳ ମସୁଧା !

 

ଅବୁର୍ଦ ଅବୁର୍ଦ

ଅଂଧକର ଅସ୍ତହ୍ରଦେ

ସହସ୍ର ଶୋଣିତସ୍ନାତ

ବାତାବର୍ତୀ ବାହୁର ବିସ୍ତାର...

ନିହତାୟୁ

ନରକରୋଟିରେ

ଅୟୁତ ଅଯୁତନାୟୀ

ନିଶୀଥର

ନିର୍ମମ ନିସ୍ତାର !

 

କୃପାହୀନ

କୃତଘ୍ନ କୃପାଣ

ହୁଏ ଆଜି ଶାଣ

ଅଜସ୍ର ଅସ୍ଥିରେ...

କୃଷାଣର କୃଷ୍ଣଚୂଡ଼ା

ଝଡ଼ିଯାଏ

ଝୁଲ ହୋଇ

ବହ୍ନିର

ବସ୍ତିରେ !

କୋଷମୁକ୍ତ

କରବାଳସବୁ...

କରାଳ

କଟାର ।

ଶତସ୍ରସ୍ତ ଶ୍ୱେତପଦ୍ମ

ସଂତ୍ରସ୍ତ

ସ୍ୱୟଂଭୂ...

କାଳାଂତକ

କୃତାଂତର କୃତ୍ୟ !

ଘୃତାକ୍ତ ଘୃଣାର ଘୂର୍ଣି

ଚରିଯାଏ

ଚରାଚର ଚିରି...

ନିୟୁତ ନରକାସୁର

ନାରାଚର ନୃତ୍ୟ

ପୃଥିବୀକୁ

ପରିଣତ କରେ

ଫିକାଫିକା ପାଉଁଶପିଂଡରେ...

ଖର୍ବ ହୁଏ

ଗର୍ବର ଗଂଧମାର୍ଦନ,

ଗରିମାର

ଗୋବର୍ଧନଗିରି !

 

ଦୁଃଖର ଦ୍ରାଘିମା ଡେଇଁ

କ୍ରମେକ୍ରମେ

କୃଶ

ଦୃଶଦ୍ୱତୀ

 

ବିସ୍ତୃତ ବିସ୍ମୃତି...

 

ବହୁଦୂରେ...

ବହୁଦୂରେ

ଧୈର୍ଯର ଧୈବତ ତୋଳେ

ଦୈବ

ବୈବସ୍ୱତୀ ।

 

 

ନଇଁଆସେ

ନୈକଷେୟ ନୈଶ...

 

ଅଂକାବଂକା

ଅସ୍ତ ଅବଶେଷ !

 

ଯାତନାର ଯାତ୍ରାପଥ

ନର୍କର ନୈଋର୍ତେ

ସାମୁଦ୍ରିକ

ସେତୁବଂଧେ

ସିଂହଳର

ସ୍ୱର୍ଣାଭ ସୈକତେ...

 

ଦିକିଦିକି

ସୁନାର ସଳିତାସବୁ

ଚିକିମିକି

ଚିତାର

ଚଅଁର...

 

ନାନାରଂଗୀ

ନିଆଁର

ନଅର...

 

ଚିତ୍ରଚୂଡ଼

ବିଚିତ୍ର ବାନର...

 

ପ୍ରବାଳ-ପ୍ରାଚୀରପାରେ

ମଥା ପିଟେ

ମଖମଲୀ ମେଘ

ପକ୍ଷାଘାତେ

ପଂଗୁ ପବନର

ବିପର୍ଯସ୍ତ

ବେଗ !

 

ଡାଳଚିନି

ଡାଳେଡାଳେ

ଡାଆଣୀର ଡର...

 

ଡାମରା ଡଗର ନୁହେଁ

ଡାଳିଂବବନର !

 

ଡାହୁକଡେଣାରୁ ଝଡେ଼

ପାଉଁଶର

ପର...

 

ଡର ।

ଡର ।

ଡାଉଁଶର ଡର...

 

ଡର ।

ଡର ।

ଡାହାଳର ଡର...

 

ଡର...

ଡର...

ଡରର ଡଅଁର !

 

ଛିଂଡାଛିଂଡା

ଛାଇସବୁ

ଛିଡ଼ାଛିଡ଼ା

ଚର !

 

କୋଣେକୋଣେ କିଂପୁରୁଷ

କିଂଭୂତ କିନ୍ନର

କିଂଚିତ୍‌ କିଂକର !

 

କ୍ରୀତଦାସ

କୃତ୍ତିବାସ ?

 

ଦୟନୀୟ

ଦେବତାର ଦଳ

ଦାନବର

ଦୁର୍ଗଦ୍ୱାରପାଳ ।

 

ଦୁଃଖିନୀ ଦେବତୀମାନେ

ଦକ୍ଷିଣୀ

ଦୂତୀ ବି

 

ପାପଗର୍ଭା

ପୃଥୁଳା

ପୃଥିବୀ ।

 

ଚେତନାର

ଛତ୍ରଭଂଗ ।

ଛିନ୍ନାହତ ଜୀର୍ଣାୟୁ ଜଟାୟୁଃ...

କାଂଦେ ସ୍ୱର୍ଗ ।

କାଂଦେ ବର୍ଗ ।

କାଂଦେ ବାସ୍ତୁ ।

କାଂଦେ ବାୟୁ ।

ପ୍ରାଣ ।

ପରମାୟୁ ।

 

ତଥାପି ତ

ତିମିରିତ ତିଥି...

 

ଅନାଗତ

 

ଅଦ୍ୟାପି

ଅତିଥି ।

ଅଶ୍ରୁ ଆଉ

ଅପେକ୍ଷାର

ଅଜସ୍ର ଅଶୋକକଳି

ଝରିପଡେ଼

ଝରିପଡେ଼

ଝରି

ଝରି

ଝରିପଡେ଼

 

ଝାଉଁଳା ଏ

ମୌନାବତୀ

ମାଟିର

ମଥାରେ

 

ବସଂତର ବିଚ୍ଛେଦରେ...

ଟୋପା

ଟୋପା

ଥୋପା

ଥୋପା

ବର୍ଷାର

ବ୍ୟଥାରେ !

 

ଫଗୁଣକୁ

ଫଟାଭୂଇଁ

ରାଣ ଦିଏ :

ଫେରି ଆ’

ଫେରି ଆ’...

ଲଂକିନୀର

ଲୁହ ହୁଏ

ଲୁଣିଲୁଣି

ଦୁଃଖର

ଦରିଆ !

 

ଶଂଖିନୀ ସାଗରବେଳା

ସାଉଁଟୁଚି

ଶୋକର ଶାମୁକା...

ଛାଇର ଚିକୁର ଚୁମି

ଚେଇଁଉଠେ

ଚୀର୍ଣ-ଚୀନାଂଶୁକା !

 

ଟାପୁରେ ଟଂକାରଧ୍ୱନି...

କଂପମାନ

କ୍ରୋଧର

କୋଦଂଡ

 

ଦଶଶିର

ଦିଶେ ନବଖଂଡ !

 

ମୃତରାତ୍ର...

 

ହଜେ

ଦିନଦଂଡ

 

ଭୂତ

ଭ୍ରଥଖଂଡ !

ଶତଦୀର୍ଣ

ସତ୍ୟର ସାୟାହ୍ନେ

ତ୍ରେତୟାର

ତ୍ରସ୍ତ ତିମୁହାଣେ

ଦ୍ୱାପରର

ଦୋଦୋଚିହ୍ନା ଦୋଛକିରେ,

ଧୂସର ଧୂଳିରେ

କୁହୁଡ଼ିଆ

କଳିର ଗଳିରେ...

 

ସବୁଠି ତ ସବୁଥର

ମୋଡ଼ର ମୁହଁରେ,

ଫଗୁଣର ଫେରିବାଲା ଫେରିଯାଏ

ଲହୁ ଓ ଲୁହରେ

ଆପଣାକୁ ଆଉଟିପାଉଟି ।

 

ସଭ୍ୟତାର ଶୀତରାତି

ସବୁଠି,

ସବୁଠି !

 

ମଣିଦ୍ୱୀପ

ମଳିନ ମୃନ୍ମରୁ

ମହାଦ୍ୱୀପ

ମୃତକଳ୍ପ ମରୁ ।

ପାପ ବୁଲେ

ପ୍ରଜାପତି ପରି

ପ୍ରବାଳଦ୍ୱୀପରେ...

ଶୋଇପଡେ଼

ଶୁଭ୍ର ଶିଶୁସୂର୍ଯ

ଶୈବାଳ-ସାଗରେ ।

 

ସ୍ୱରବଦ୍ଧ

ସାତତାଳ ଶୋକ...

ଖଂଡିତ ଖର୍ପରମାଳ-

ମଂଡିତ ଏ

ମୃତମଧୁଶାଳା

ସ୍ତବ୍ଧ ସ୍ତବ

ସପ୍ତର୍ଷିର

ଶ୍ଳୋକ...

ମହର୍ଷିର

ମଂଦ୍ର ମଂତ୍ରମାଳା !

 

କି ନଗ୍ନା ନୃନାଗକନ୍ୟା !

ନୀତି ଛାଡେ଼

ନିଷିକ୍ତ ନିର୍ମୋକ...

କ୍ଷୟିଷ୍ଣୁ ଏ

କ୍ଷିତି

 

ଭୋକ ।

ଭୋକ ।

ଭଳିଭଳି ଭୋକ...

 

ପ୍ରସ୍ତ

ପ୍ରସ୍ତ

ପ୍ରମାର ପ୍ରସ୍ଥିତି ॥

 

ଅମିତ ଅମିତ୍ରାକ୍ଷର

ଅଶରୀରୀ

ଅବୈଧ ଅର୍ଜିର

 

ଅଶ୍ଳୀଳ ଅଳସଭଂଗ

ପୃଥିବୀର

ପୃଥକ୍‌ ପୃଷ୍ଠାରେ...

 

ପିଟାହୁଏ ପରଂପରା

ଫିଟାହୁଏ

ଯୂଥବଦ୍ଧ

ଯୁଗର ଜଂଜିର।

 

ଚେଇଁଉଠେ

ଚିତ୍ରମୃଗ ।

 

ବିବସ୍ତ୍ରା ବିଚିତ୍ରବର୍ଣା

ଏକାଂତରେ

ଆକ୍ଷି ଆଜି ଠାରେ...

 

ଧର୍ମାରଣ୍ୟ ଧାରେ

ଆଦିମ ଅଂଧାରେ ।

 

ଖରା ଚଢ଼େ

ଖଜୁରିଗଛରେ

ଖତ

ଖଡ଼ିପାଠ

କାମନାର କ ଖ ଗ ଘ

ଘୋଷିଯାଏ ଘାସ

ବ୍ରହ୍ମଚର୍ଯ ବ୍ରତ ଭାଂଗେ

ବାଗ୍ମୀ ବେଦବ୍ୟାସ...

ଭଦ୍ର ଭରଦ୍ୱାଜ ଭାଂଗେ

ଉଗ୍ର

ଉପବାସ ।

 

ଚେତନାର ଚାଟ

ଘୃତାଚୀର ଘୁଣାକ୍ଷର

ପଢ଼ିଯାଏ

ଘୋରବନସ୍ତରେ

ପଦୁଅଁର

ପୋଖରୀତୁଠରେ

ଆଗରେ

ପଛରେ ।

 

ଜାତ ହୁଏ

ମଂତ୍ରଗୁରୁ ଶୁକ ।

ଜନ୍ମ ନିଏ

ଅସ୍ତ୍ରଗୁରୁ ଦ୍ରୋଣ ।

 

ଜଣେ ଯଦି

ଜଣାଉଛି

ପ୍ରମୁକ୍ତ ପ୍ରମିତି

ଆଉଜଣେ ଅଂକାଉଛି

ଯୋଦ୍ଧୃତ୍ୱର

ଜ୍ୟାମୁକ୍ତ ଜ୍ୟାମିତି

ମୁମୁକ୍ଷିତ

ମହାଭାରତର ।

 

ଶାସ୍ତ୍ର ଆଉ ଶସ୍ତ୍ରର ଏ

ସମୁଚ୍ଚିତ ସ୍ମୃତି-ସଂହିତାରେ

ଅତ୍ୟାଶ୍ଚର୍ଯ ଅତୀତର

ଏ କି ଅର୍ଥ !

ଏ କି ଅର୍ଥାଂତର !!

 

ଦୂର

ଦ୍ୱୀପାଂତରେ

ଅରଣ୍ୟ ଆଶ୍ରମଠାରୁ

ଦୂରେ,

ବହୁଦୂରେ...

ଅଦିନ ଅଂଧାର ଏଠି

ସ୍ୱପ୍ନସୀମାଂତରେ

ଫୁଲର ପୁଲକ ଖୋଜେ

ତିଥିହୀନ

ତରାର ତଂବୁରେ !

 

ଜୁଆରିଆ

ଯୌବନରେ

ବାଟବଣା ବୟସର

ବାଉଳା ଭଉଁରି

ନିଜସ୍ୱ ନିର୍ଜନ ଦେହ

ନିଜ ନାଆ,

ସେ ନାଆର

ନିଜେ ନାରୀ

ନହୁଲୀ ନାଉରୀ !

 

ତନୁର ତୀର୍ଥରେ ତାର

ତିଳତିଳ

ତୃଷ୍ଣାର ତପସ୍ୟା

ମୁନିର ମିଥୁନମଂତ୍ରେ

ମତ୍ସ୍ୟଗଂଧା

ବଶ୍ୟା ।

 

ଉଆଁସର ଆଉଁଶାରେ

ଧଳାଦିନ

କଳା ପଡ଼ିଆସେ...

 

ଦେହେ

ଦେହେ

ଦିପହର

ତାତି...

କାମନା କୁହୁଡ଼ି ହୁଏ

ଆଖିର ଆକାଶେ

 

ରଜଘଷ

ରତିରଂଗା

ରାତି !

ମାୟାର ମୂର୍ଧନ୍ୟ ମାତେ

ମତ୍ସ୍ୟଗଂଧା-ମନେ...

ପରାଶରୀ

ପରଶରେ

ପରାର୍ଧ ପଳାଶ ଫୁଟେ

ପଦ୍ମଗଂଧା

ବନେ।

ସୂର୍ଯ ତଳେ

ଜହ୍ନ ଜଳେ

ଜଘନେ

ଯୌବନେ !

 

ତରଂଗର ତାଳେତାଳେ

ରୂପ ରଚେ

ରସ

ରାସ

ରଂଗ...

ତନ୍ୱଂଗୀର

ତନୁତଳ୍ପେ

ତୃଷିତ ତପସ୍ୱୀ

ମାଗେ

ମଧୁସଂଗ

ଆଶ୍ଳିଷ୍ଟ ଆସଂଗ...

 

ରତିବଂଧେ

ରଜ୍ଜୁବଦ୍ଧ

 

ଋଷି ଓ ରୂପସୀ !

ଧୁ ଧୁ ଦିପହରେ

ଦେହର ଦ୍ୱୀପରେ

କୁଶ କୋଳେ

କୁଆଁରୀ କଳିକା

କାନେକାନେ

କଥା କହେ

କାଉଁରି କାନନ...

ଲଜ୍ଜାବତୀ

ଲବଂଗ-ଲତିକା

 

ଜନ୍ମ ନିଏ

ବେଦବ୍ୟାସ ।

 

କୃଷ୍ଣଦ୍ବୈପାୟନ ॥

 

ଦୃଶ୍ୟ ।

ଦୃଶ୍ୟାଂତର ।

ପଦ୍ମପଲାଶର ବନେ

ଆଉଏକ

ପ୍ରତପ୍ତ

ପ୍ରହର ।

 

ଯୌବନର ଯୋଗନିଦ୍ରା

ଚୈତ୍ରବନୀ

ଜୈତ୍ରଗାଥା ଗାଏ

ଅପ୍ସରାର

ଅଭୀପ୍ସାରେ

ଅଷ୍ଟସିଦ୍ଧ

ଅଂଧାର ଓହ୍ଲାଏ ।

ନକ୍ଷତ୍ରର

ନାଭିବୃତ୍ତେ

ସହସ୍ରାଭ

ସ୍ୱପ୍ନର ଶୃଂଗାର...

ଅୟସ୍କାଂତ

ଅକ୍ଷକୂଟେ

ନୈସର୍ଗିକ

କି ନୈଶାଭିସାର !

 

ସଂଗମର

ସ୍ୱାଗତିକା

ଜଂଗମେ ଜଂଗମେ

ଅଂଗେ

ଅଂଗେ

ଅନଂଗ ତ ଭ୍ରମେ !

ମୈଥୁନର

ମାଂଗଳିକା

ସ୍ଥାବରେ ସ୍ଥାବରେ

 

ଶାରୀରିକ

ଶ୍ରାବଣ ସ୍ରାବରେ !

 

ମାଳିନୀନଦୀର ମୋଡେ଼

ମୁହଁସଂଜ ।

ମଉଳିଚି ଦିନ...

 

ମିଳନ ମାୟାରେ ମାତେ

ନୀଳନୀଳ

ନିୟୁତ ନଳିନ !

 

ତୀରେ ତୀରେ

ଧୀରେ ଧୀରେ

ତାରକିତ

ତୀବ୍ର ଶିଶୟିଷା...

ନୀରେ ନୀରେ

ଧୀରେ ଧୀରେ

ନିମୀଳିତ

ନିବୃତ୍ତିର ନିଶା !

 

ଖସିପଡେ଼

ଖସିପଡେ଼

କୌଶିକର

କଷାୟ କୌପୀନ

 

ଖସିପଡେ଼

ଖସିପଡେ଼

ମେନକାର

ମେଘାଭ ମେଖଳା...

 

ମନେ ମାତେ ମନସିଜ

ମୌନାହତ

ମନୁ

ଏବଂ

ମୀନ

 

ଯୋଗ ଓ ଯୌବନ ମଧ୍ୟୁ

ଜନ୍ମ ନିଏ

ଶୁଭ୍ରା ଶକୁଂତଳା ॥

 

ଶକୁନର

ପ୍ରସାରିତ

ପକ୍ଷଚ୍ଛାୟା ତଳେ

ବଂଶର ବାଂଶୁରି ବାଜେ

ଭୂର୍ଜବନେ

ଭାରତବର୍ଷର...

ଏ ଧରିତ୍ରୀ

ଧରିରଖେ

ଯୂଥବଦ୍ଧ ଯୁଗଯୁଗାଂତରେ

ଧ୍ରୁବ ଧୃତି

ଶୁଭ ସ୍ମୃତି

 

ସ୍ୱାକ୍ଷରିତ ସ୍ୱର୍ଗୀୟ ସ୍ପର୍ଶର !

 

କଣ୍ୱବନେ

କଳକଂଠସ୍ୱନ

ନିକ୍ୱଣିତ ନଦୀଗଂଡେ

ନକ୍ଷତ୍ରର

ନୀଳାଦ୍ର ନିକ୍ଷଣ !

 

ପ୍ରେମ ଉଏଁ ପୁଷ୍ୟା ହୋଇ

ଦୃଶ୍ୟାୟିତ

ଦୁଷ୍ୟଂତ ଦିଗଂତେ...

ପାଖୁଡ଼ାର

ପଣତେ ପଣତେ !

 

କଅଁଳ କଢ଼ିରେ ପୁଣି

କୋପ କିଏ

କୁଢ଼େଇଲା ଆହା

ମଉନୀରାତିର ମୁହେଁ

ମଉଳିଚି

ମହମହ ମାୟା...

 

ମେଘ ବି ଯାଇଚି ଭୁଲି

ମେଘନାର

ମାପ

 

ଅଭିଶାପ !

ତୀବ୍ର ଅଭିଶାପ !!

 

ଦୂର୍ବାଦଳ ଦୁଃଖୀ ଦିଶେ।

ବନପତ୍ରପୁଂଜ : ପୌଷେୟ ପୌଗଂଡ।

ମନମଧୁକୁଂଜ : ସ୍ୱପ୍ନ ଶତଖଂଡ।

ଦୁର୍ବାସାର

ଦୁର୍ବିନୀତ

ଦଂଡ

ଦୁର୍ବିଷହ...

ପ୍ରଖର

ପ୍ରଚଂଡ !

ମୁଦି ହଜେ

ମାଳିନୀରେ

ମୁକୁଳିତ ମାଧବୀ ସ୍ମୃତିର...

 

କାଂଦେ

କଇଁ

କଇଁକଇଁ

କାଂଦେ ନୀର,

କାଂଦେ ପୁଣି ତୀର !

ଆଶଂକା ଅଂକିତ ହୁଏ

ହତଭଂଭା

ହରିଣୀ-ଆକ୍ଷିରେ...

ସ୍ତନଂଧୟ ଶିଶୁ ହୁଏ

ଯୋଦ୍ଧୃଯୁବା

ସିଂହିନୀର

କ୍ଷୀରେ !

ଧାର

ଧାର

ଅଂଧାର

ଅଂଧାର...

ତରା କିଏ ତୋଳିଯାଏ

ତରଳ ତଂଦ୍ରାର ?

 

ଏ ଅଂଧାରେ

ଏ ତଂଦ୍ରାରେ

ଉଂକିମାରେ

ଆରଣ୍ୟକ ଅୟୁତ ଆକୃତି

ମୀନଗର୍ଭେ

ମର୍ମରିତ

ସେଦିନର

ଶାକୁଂତଳୀ ସ୍ମୃତି !

ଭରତର ଭୂଚିତ୍ରରେ

ଚେଇଁଉଠେ

ବିଚିତ୍ର

ଭୂଖଂଡ

ଭିନ୍ନ

ଭ୍ରଥଖଂଡ !

 

॥ ଭ୍ରଥଖଂଡ ॥

ଉପକଥା

ରୂପକଥା

କଥାକଳ୍ପ

ଫେରିଯାଏ ପରୀ

ମହମର ମହଲରେ

ନିଆଁର ନଅର

କଥାସବୁ

ତିଳତିଳ ତୃଷ୍ଣା

ଏକାକିନୀ ଏଣୀ

୧୦

ତରାର ତରଂଗ

୧୧

ବ୍ୟାସକୂଟ

 

ଉପକଥା

 

ହେ ଉପଭାରତବର୍ଷ ! କଥା କଟେ କଟୁରିର ଦାଢ଼େ

ମିନାକରା ମହଲରେ ମିନିମିନି ମଣିଷର ମନ

ମହଂଗା ଏ ମଉଜାରେ ମୁନାଫାର ମଲାଂଗଟା ମାଡ଼େ

କୁବୁଜାକୁବୁଜୀ ଶାକ-ସବଜିର ସାବଜା ସପନ !

 

ଭାଇର ଭୂଇଁରେ ଭାଗ । ଭଗାରିର ଭାଗୁଆଳିଚାଷ

ଧୂସର ଏ ଧାନକ୍ଷେତ ଧୁଷ ଧରେ ଧୂଳିଆ ଧୁତୁରା...

ନେଉଟିଆପଟାଳିରେ ନଳରାଜା ବାଛେ ସିନା ଘାସ

ହେଁସଟା ଧୋଉଚି କିଏ ? ଦେଶସାରା ସବୁ ତ ମୂତୁରା !

 

କୁଦା ମାରେ କଳାବାଘ ଛପିଛପି ଚଂଦନବନରେ

ଗଛର ଏ ଗହଳରେ ଗରଜୁଚି ଗରିଲାର ଗୋଠ

ଖନେଇଖନେଇ କିଏ କଅଁଳେଇ କହୁଚି କାନରେ -

ମାଜନାଇଁ କଥା ମୋଟେ ... ମାଜିଲେ ତ କଥାସବୁ ମୋଟ !

 

ହେ ଉପଭାରତବର୍ଷ ! ଡର କିଆଁ କହିବାକୁ କଥା ?

କଥା ତ କହିବା ଆମେ - କଟିଗଲେ କଟିଯାଉ ମଥା ॥

 

ରୂପକଥା

 

ହେ ରୂପ ଭାରତବର୍ଷ ! କଅଁଳୁଚ଼ି କାହାଣୀର କଢ଼ି

ମନ ଉଡ଼େ ପବନରେ, ଜହ୍ନ ବୁଡ଼େ ଝାଡ଼ଜଂଗଲରେ...

ମରୁଡ଼ିର ମୁଲକରେ ମିତଦୁହେଁ ଝଡ଼ି ଆଉ ବଢ଼ି

ରହିଲାଣି ରାଜଜେମା ମୂଷାମାଟିରଣଭଣ ଘରେ !

 

ମହକୁନି ମହକୁମା । ମାଲୁଣୀକୁ ମିଳୁନାଇଁ ମୂଲ

ଅଲରାକେଶରେ ତୁମ କେରିକେରି କଲରାପତର

କି କଲମୀ କାରବାର ! କଲବଲ କଲରେଇଫୁଲ

ପଲ୍ଲୀଠଉଁ ଦିଲ୍ଲୀଯାଏଁ ଦରବାର ବାବନାଭୂତର !

 

ରାଇଜରେ ରଇ ଜଳେ ! ରାତି ବିତେ ତାତି ମାପୁମାପୁ

ନେଉଳଭାଇ ତ ଆଉ ଦେଉଳକୁ ଆସୁନି ଲେଉଟି

ଟୁକେଇର ଟୁଂଗି ଆଜି ଟିକିଟିକି ଟାକୁଆର ଟାପୁ

କାଶୀପୁରେ କାଶିଆଟା ... କଥାକୁହା କପିଳା କେଉଁଠି ?

 

ହେ ରୂପ ଭାରତବର୍ଷ ! କଥା କାଇଁ ? ଭୀଷଣ ଭାଷଣ...

ଗଡ଼ିଆରୁ ଗଂଗାଯାକେ ଗୁଜବର ଗୁଗୁଚିଆବଣ ॥

 

କଥାକଳ୍ପ

 

ହେ କଥା ଭାରତବର୍ଷ ! ଢଳଢଳ ଢେଉର ଢମଣା...

ଏ ଡୋଳାରୁ ସେ ଡୋଳାକୁ ଡେଇଁବୁଲେ ଡଅଁରର ଡର

ହୁଡ଼ାପାଖେ ବାଘ ଛକେ । ହୁଂକା ତଳୁ ନାଗ ଟେକେ ଫଣା

କଳା ଏ ଘୁମରପାଣି ପାରି ହେଲେ ଘଡ଼ିଆଳ-ଘର !

 

ପାଣିର ଏ ପାତାଳରେ କେତେ କଥା, କେତେ କରୁଣତା

ଆଂଠୁ ବୁଡ଼େ । ଅଂଟା ବୁଡ଼େ । ବୁଡ଼େ ବେକ । ଦିଶୁନାଇଁ ଦିହ

ପଦୁଅଁର ପରାଗରେ ବୋଳାହୁଏ ଭୋଦୁଅର ବ୍ୟଥା

ଶାହାଡ଼ାସୁଂଦରୀ ସାଜେ ଶାଶୂଘରେ - ସାଧବର ଝିଅ !

 

ସାଧବର ସିଂଦୁକରେ ସ୍ମୃତିସବୁ ସାତଦରିଆର

ତେରନଈ ତୀରେତୀରେ ତୋଟା କିଏ ଯାଉଚି ମୂଲେଇ ?

ଭାଜିଲାଣି ବୋଇତଟା । ହଜିଲାଣି ହୀରାମୋତିହାର

ସୁନାର ହାତରୁ ତୁମ ଖସିଲାଣି ରୁପାର କୁଲେଇ !

 

ହେ କଥା ଭାରତବର୍ଷ ! ଗୁଡ଼ିଆଣୀ ଗଣୁନି ଗଇଁଠା...

ଶଉରୁଣୀକୋଳି କେଡ଼େ ସୁଆଦିଆ ହଉ ବି ଅଇଁଠା ॥

 

ଫେରିଯାଏ ପରୀ

 

ହେ ବ୍ୟଥା ଭାରତବର୍ଷ ! ବାହୁଡ଼ିନି ବଣରୁ ବଉଳା

ଦୁହିଁହୁଏ ଦିପହର ... ଦିନ ବୁଡ଼େ ଦିଗଂତର ଦହେ ...

ମହରଗ-ମୁଲକରେ ମୁହଁମାନ ମଉଳାମଉଳା

ଯେଉଁଠି ବାଘର ଡର, ସେଇଠି ଇ ସଂଜ ତୁମ ନଏଁ !

 

ଅଧୁଆ ଅଂଧାରେ ଏଠି ଆଇଁଷେଈ ଅସୁରୁଣୀ ଆଁ

ବାଳ ବାଂଧେ ବାଳବତୀ । ବାଳ ତାର ବାରହାତ ଲଂବ

ମାୟାର ଏ ମୁହାଣରେ ମଣିଷ ବି ମାଛି ହୁଏ ଛାଁ

କିମିଆର କିଆରିରେ କାହିଁ କେତେ କଥାର କଳଂବ !

 

ତିଳ ତୁମ ତାଳ ହୁଏ । ତାଳବଣ : ବେତାଳର ବାଡ଼ି

ଚେଇଁଉଠେ ଚିରଗୁଣୀ / ଡେଇଁବୁଲେ ଡାହାଣୀଆଲୁଅ

ପଦୁଅଁର ପୋଖରୀଟା କାଦୁଅରେ କାଂଦେ ମୁହଁ ମାଡ଼ି

ଫେରିଯାଏ ପରୀ ଫେର୍‌ ପାଖୁଡ଼ାରେ ପୋଛିପୋଛି ଲୁହ !

 

ହେ ବ୍ୟଥା ଭାରତବର୍ଷ ! ବାହୁନୁଚି ବଉଳର ବଣ...

ସୋରିଷକ୍ଷେତରୁ ସବୁ ସରିବ କି ସୁନେଲି ସପନ?

 

ମହମର ମହଲରେ

 

ହେ ଗପ ଭାରତବର୍ଷ ! ରାତି ଆସେ ତାରା ବୁଣିବୁଣି

କୁହୁକର କୁହୁଡ଼ିରେ କୁତୁକୁତୁ, କିତିକିତି କେତେ...

କଥା କହେ କାଠଘୋଡ଼ା । ବାଟ ଜଗେ ବୁଢ଼ୀଅସୁରୁଣୀ

ଭେଂଡା ତୁମ ମେଂଢା ହୁଏ - ଜଳିଯାଏ ଜହ୍ନରାତି ଯେତେ !

 

ସାତତାଳ ପାଣି ତଳେ ସାତତାଳ ପଂକର ପରସ୍ତ

ପାପର ଫରୁଆ ଫିଟେ। ଉଡ଼ିବୁଲେ ଭୟର ଭଅଁର...

ମଣିଷଟା ମୂର୍ତିଗୋଟା - ବଗିଚାଟା ବନସ୍ତବନସ୍ତ

ଭୀତିର ଭୂତଳ କଂପେ ... ନାଶ ନ୍ୟାୟ ନୀତିର ନଅର !

 

ମାଟି ତୁମ ଘାଟି ହୁଏ - ଖୁଣୀ ବୁଲେ ଖୋଲାପଡ଼ିଆରେ

ଜାଡ଼ ଜମେ ଝାଡ଼ବଣେ । ଝଡ଼ ଝୁମେ ଝାଉଁବଣେ ଆଜି

ଟୁଆଁ ଏଠି ମୁଆଁ ଖାଏ - ଟୁଇଁ ଡୁବେ ଟୁବିଗଡ଼ିଆରେ

ପିଠା ତୁମ ପିତା ପୁଣି ... କଷା କେତେ କାଲିକାର କାଂଜି !

 

ହେ ଗପ ଭାରତବର୍ଷ ! ମହମର ମହଲରେ ନିଆଁ...

ଆଖି ନାଇଁ, କାନ ନାଇଁ - ବାଜିଗଲେ ଦୋଷ ହେବ କିଆଁ ?

 

ନିଆଁର ନଅର

 

ହେ ଗୀତ ଭାରତବର୍ଷ ! ସାଉଁଟୁଚି ଶୀତ କି ଶିଶିର?

ସୁରସବୁ ସ୍ମୃତି ତୁମ ସସେମିରା ଶୁଣେଇଶୁଣେଇ...

ଗୀତ ନାଇଁ । ମିତ ନାଇଁ । ସ୍ମିତ ନାଇଁ ଶରଦ ଶଶିର

କଂଟାର କାଂତାରଯାକ କଂଟହୁଡ଼ା କୁଆଁରପୂନେଇଁ !

 

ରାଣୀ ହୁଏ ଚଂଦ୍ରକାଣୀ । ରଜାଘରେ ରୁଷିଚି ରଂକୁଣୀ

କୁନିକୁନି କଢ଼ିମାନ କାଟିକୁଟି କୁଢ଼େଇଚି କିଏ ?

ସୁପାତିଶେଯରେ ସିନା ସଇତାନୀ ସାତସଉତୁଣୀ

ଶୋଇପଡ଼େ ସେପାରିରେ ସୁନାନାକୀ ସୁନାଫୁଲ ସିଏ !

 

କୋରିହୁଏ କଲିଜାଟା କାଂଦଣାରେ କଂଚନବତୀର

କୋଇଲିବୁଡ଼ର କଥା କହୁନାଇଁ କନିଆ କୁଆଁରୀ

ସଶବଦ ସରହଦ। ଶବଦାହ ସରିଚି ସତୀର ...

ଚୂନାରଗଡ଼କୁ ଚିହ୍ନି ଲେଉଟୁନି ସୁନାର ସୁଆରି !

 

ହେ ଗୀତ ଭାରତବର୍ଷ ! ସଂଜ ନଏଁ ସୁରର ସହରେ...

ରାଈ ନାଇଁ । ବାଈ ନାଇଁ । ନାଇଁ ନଟୀ ନିଆଁର ନଅରେ !

 

କଥାସବୁ

 

ହେ ଗାଥା ଭାରତବର୍ଷ ! ଗୀତ ଗୁଂଥେ ଗୋଧୂଳିର ଗାଁ

ମଥା ଗୁଂଜେ କଥାମାନ ମାଳମାଳ ପୋକରା ପୋଥିରେ

ଅଶବଦ ନହବତ । ନାଶ ନଅ ନଅରର ନାଁ

ନବାବିର ନଖରାମି ନେସାହୁଏ ନୁଖୁରା ନଥିରେ !

 

କାନକଟା କାନନଟା। କାଶତଂଡୀ କେତେ କଥା କୁହେ

ଅଜବ ଏ ଅଂଧଦେଶ । ଅଦଉତି ଅନେକ ଅନେକ...

ଗଜଦଂତପଲଂକରେ ଅଜଗର ଭିଡ଼ିମୋଡ଼ି ହୁଏ

ଶିଶିରସ୍ନାହାନ ସାରେ ଶାସନର ଶେଷଶିଳାଲେଖ !

 

କାଦୁଅର ସୋଦୁଅରେ ଭିଜୁଥାଏ ଭୋଦୁଅର ଭୂଇଁ

ତମାଳବନରେ ତୁମ ତିଳତିଳ ତରାର ଆଲୁଅ...

ଅତଡ଼ାର ଉଆଁସରୁ ଅଧାଜହ୍ନ ଆସୁଥାଏ ଉଇଁ

ଆଖିର ପତାକୁ ଲାଖି ଅଠାଅଠା ଅମାନିଆ ଲୁହ !

 

ହେ ଗାଥା ଭାରତବର୍ଷ ! କଥାସବୁ କରୁଣ କଜଳ...

ଦରଭଂଗା ଦେଉଳରେ ଦୀପ ଦିଏ ଦେବଦାସୀଦଳ ॥

 

ତିଳତିଳ ତୃଷ୍ଣା

 

ହେ ତୃଣ ଭାରତବର୍ଷ ! ତିଳପୁଷ୍ପ ତନୁତ୍ୟାଗ କରେ

ପଳିତ ପତ୍ରର ଫର୍ଦେ ପବନର ପଦାବଳୀ ଫୁଟେ

ରତିର ଏ ରାତିସବୁ ରଦ୍ଦ ହୁଏ ଋତୁର ରକ୍ତରେ

ଉପାଳୀର ଉପବନେ ଉଲୂପୀର ଉଆଁସ ଉକୁଟେ !

 

ବୟସର ବାହୁଂଗାରେ ବତାସର ବେତାଳ ବିଳାପ

ପ୍ରାଣହୀନ ପ୍ରଣୟରେ ପ୍ରସ୍ତରିତ ପ୍ରାସର ପ୍ରସାର...

ପୁଣ୍ୟର ପରାଗ ପରେ ପୋଷପୋଷ ପତ୍ରଝରା ପାପ

ଶୋଷସବୁ ସରିଆସେ ଶେତାଜହ୍ନେ ଶଂକିତ ଶଶାର !

 

ପର ଝଡ଼େ । ପତ୍ର ଝଡ଼େ । ପାଖୁଡ଼ାର ପୋଡ଼ା ପରମାୟୁ

କଲୁରିବେଂଟର କଥା କୁହରିତ କାଉର କାଆରେ...

ଶିଶିରର ସତ୍ୟପାଠ ଶୁଣେନା ଏ ସଂଜ୍ଞାହତ ସ୍ନାୟୁ

ଚୂନଛଟା ଚଇତଟା - କଟାକଟା ଘାସର ଘାଆରେ !

 

ହେ ତୃଣ ଭାରତବର୍ଷ ! ଅସ୍ତଗତ ଅଶ୍ରୁଳ ଅର୍ଯମା...

ତିଳତିଳ ତୃଷ୍ଣା ତଳେ ତିମିରିତ ତରାର ତର୍ଜମା ॥

 

ଏକାକିନୀ ଏଣୀ

 

ହେ ରସ ଭାରତବର୍ଷ ! କୁଂଜବନେ ସଂଜ ଆସେ ନଇଁ

ମନର ଏ ମଇନାଟା ମଧୁବନେ ମାନେନା ଯେ ମନା

କଳହଂସ କେଦାରରେ କାଂଦିମରେ କୁଳକନ୍ୟା କଇଁ

ବିରହର ବୃଂଦାବନ ବିଂଚିଯାଏ ବୟସୀ ବେଦନା !

 

ମଥୁରାର ମେଘମାଳା ମଥା ପିଟେ ମୟୂରଚୂଳରେ

କୋହଲା କୋହରେ କାହିଁ କୋଇଲିର କୁହୁକୁହୁଗାନ ?

କାମନାର କାଳୀୟଟା କେଳି କରେ କାଳିଂଦୀକୂଳରେ

ନଟକୂଟ ନାଗରକୁ ପକାଉନି ରାଈ ଆଉ ରାଣ !

 

କ୍ଷମା ମାଗେ କ୍ଷୀଣଜହ୍ନ । କ୍ଷୟ ହୁଏ କ୍ଷୀରସମୁଦ୍ରରେ

ନିଶିର ଶିଶିରପାତ । ସୁଧା ନୁହେଁ - କ୍ଷୁଧାର କ୍ଷରଣ...

ଅଧା ଅଧା ଅଧ୍ୟାୟଟା ! ଅପବାଦ ଅଧରେ ଅଧରେ

ଏ ବନହଂସୀକୁ ବୃଥା ବଂଶୀସ୍ୱନ : ସେ ବଶୀକରଣ !

 

ହେ ରସ ଭାରତବର୍ଷ ! ରାତି ତୁମ ରଂଗଉଚି ବେଣୀ...

ଏକରଏକର ଏଣେ ଏଳାବନେ ଏକାକିନୀ ଏଣୀ ॥

 

ତରାର ତରଂଗ

 

ହେ ରଂଗ ଭାରତବର୍ଷ ! ଋତୁସବୁ ବିରହରେ ବିତେ

ମିଳନର ମୁଲକରେ ମଲ୍ଲୀଫୁଲ କେଉଁ ରଜାଝିଅ ?

ଆଉ ତାର ଘଂଚକୁଂଚ ବାରହାତୀ କେଶର ବନସ୍ତେ

ହଜିଯାଏ ସଂଜ ହେଲେ ଆଈମାଆ କାହାଣୀର ଖିଅ !

 

ଚଉରାମୂଳକୁ ଚାହଁ। ସଂଜବତି ସତରେ ସତୀ ବି

ଚୁଆର ସେ ଛୁଆଁରେ ତ ଚିତା ତାକୁ ଚଂଦନଚଂଦନ

ଅମରାରୁ ରାତି ଆସେ ଆବରି ଏ ଆକାଶ-ପୃଥିବୀ

ନକ୍ଷତ୍ରର ନିଆଁ ନେଇ ଚହଟୁଚି ଚଉଠିର ଜହ୍ନ !

 

ଚଉଠିର ଜହ୍ନ ତୁମ ପାରିହୋଇ ପାହାଡ଼ସୀମାନା

ବିଛାଇବ ଛାଇନିଦ କେଉଁ ବେଂଟପୋଖରୀଛାତିରେ ?

ଏତେବେଳେ ଚକୁଆଟା ଚେଇଁଥିବ ଏକୁଟିଆ ସିନା

ହଜାରେ ସପନ ହସେ ଆଜିର ଏ ରେଶମୀ ରାତିରେ !

 

ହେ ରଂଗ ଭାରତବର୍ଷ ! ସୁଖ ସରେ, ସରିଆସେ ସଂଗ...

ରତି ସରେ । ରାତି ସରେ । ତରତର ତରାର ତରଂଗ ॥

 

ବ୍ୟାସକୂଟ

 

କୌଣସି କ୍ରୌଂଚୀର କ୍ଳେଶ

କ୍ଳେଦାକ୍ତ କ୍ରମଶଃ...

କାଳୀୟର କାଳକୂଟେ

କଂଠାଗ୍ରତ

କଳ୍ପକଳହଂସ !

 

କେଳିର କାଳିଂଦୀତଟେ

କୁଚମାନ

କନକ-କଳସ...

କାଚଘରେ

କଂସ !

 

କାପୁରୁଷ କବିତ୍ୱର

କଳଂକିତ

କ୍ଳାଂତ କାରୁକାର୍ଯ !

କ୍ରମାଗତ

କ୍ଳୀବତ୍ୱର

କୌଷାୟ କୌମାର୍ଯ !!

 

କୋଣେ

କୋଣେ

କ୍ଷମତାଂଧ

କ୍ଷୁଧିତ କ୍ଷେତ୍ରଜ...

କ୍ଷମାତୀତ କାର୍ଯ ॥

କ୍ଷୀୟମାନ

କ୍ଷୀଣଚଂଦ୍ର

କ୍ଷୀରସମୁଦ୍ରରେ...

କର୍ଦମରେ

କଦଂବର କୋହ

 

କୋକେଇରେ

କୋକନଦ ।

 

କାକଜ୍ୟୋତ୍ସ୍ନା

କୋକର କବରେ...

ବ୍ୟାପ୍ତ ବ୍ୟାସ

ବ୍ୟାଧିତ ବ୍ୟାମୋହ !

 

ଖଂଡ

ଖଂଡ

କ୍ରାଂତିର

କବଂଧ...

 

ଭ୍ରଷ୍ଟ

ଭ୍ରଥଖଂଡ !

 

କୃଷ୍ଣ କାହିଁ ?

କୃଷ୍ଣା କାହିଁ ?

କୃଷ୍ଣସାର ?

କୃଷ୍ଣଦ୍ବୈପାୟନ ?

 

କହିଲାଣି

କି କାହାଣୀ

କୃଷ୍ଣାବେଣୀ

କୃଚ୍ଛ୍ର କଳନାରେ ?

କବଳିତ

କୁବଳୟ...

 

କୁହୁଡ଼ିରେ

କାହାର ଏ

କୁହୁ

କୂଜନ ?

 

କାଂଦେ କିଆଁ କଳାପାଣି

କରୁଣ ଏ

କବର କିନାରେ ?

 

ଭଗ୍ନସ୍ତୂପ !

ରୁଗ୍‌ଣରୂପ !

ପୁରାଣର

ପାତାଳରେ

ପୋତା କେତେ

ପଦ୍ମିନୀର ପ୍ରାସ ?

 

ଧ୍ୱଂସସ୍ତୂପ !

ଧ୍ୱସ୍ତଧୂପ !

ଧୂସର ଏ

ଧମନୀରେ

ଧୂମାୟିତ

ଧୂଳିର

ଧ୍ରୁପଦୀ...

 

ଭସ୍ମସ୍ତୂପ !

ଅଂଧକୂପ !

ଉଜାଣିଉଠେନା ଆଉ

ଉଆଁସରେ

ଉଷ୍ମ ଇତିହାସ...

 

ଶୀର୍ଣସ୍ତୂପ !

ଜୀର୍ଣଯୂପ !

ନିର୍ବାଣର ନିର୍ଯାତନା...

ନ ବୁଝେ ତ

ନିରକ୍ଷରା ନଦୀ !

ପ୍ରବାଦର

ପ୍ରଶିରାରେ

ପାଣି ଫାଟେ

ନୀଳରକ୍ତଧାର...

କାମନାର

କାନନରେ

କାନୀନର କ୍ରୋଧିତ କାରୁଣ୍ୟ !

 

ଚୈତ୍ରର ଚୂଡାକୁ କରେ

ଚୂରମାର୍‌

କାହାର ଚିତ୍କାର ?

କଟାକ୍ଷର

କଟାଳରେ

କଥ୍ୟ କେତେ

ରୁଦ୍ରାକ୍ଷର ଋଣ !!

 

ଅସତ୍ୟରେ ସତ୍ୟ ଡୁବେ ।

ତ୍ରସ୍ତ ତ୍ରେତା, ଦ୍ୱାପରର ଦୁଃଖେ।

କି କରାଳ

କଳିକାଳ !

ଅତୀତର ଆକ୍ଷି ଏଠି କଣା...

ଶ୍ୱାପଦର ଶ୍ୱାସଶବ୍ଦ

ଦ୍ୱିପଦର

ଦୂଷିତ ଦୁର୍ମୁଖେ

 

ଯମୁନାରେ ଜଳାବର୍ତ

ଜାହ୍ନବୀରେ

ଜହ୍ନର ଯଂତ୍ରଣା ॥

 

ଅୟି ସୁଶ୍ରୀ !

ସରଯୂଶ୍ରୀ !

ଅହଲ୍ୟାର ଆତ୍ମା ଆଜି

ପ୍ରାଣ ପାତେ

ପ୍ରତ୍ୟେକ ପ୍ରସ୍ତରେ...

ବାଂଶବନ !

ବଂଶୀସ୍ୱନ !

ପ୍ରତ୍ୟେକ ଏ

ପ୍ରତିଧ୍ୱନି

ବେଦନାର୍ତ ବଧୂର ବିଳାପ

 

ବହେ ବାତ୍ୟା !

ଏ କି ବାର୍ତା ?

କାଂଦେ କିଆଁ କୁମାରିକା

ଶୀତାଦ୍ରିର

ଶୃଂଗାୟିତ ସ୍ତରେ ?

ଫୁଂଗୁଳା ଏ ଫଟାଭୂଇଁ

ଫୁଲ ପାଇଁ

ପାରିଦିଏ

ପାପ... !

 

ଦାରୁର

ଦାରୁଣ

ଦୁର୍ଗେ

ବ୍ରହ୍ମ ଆଜି

ବରେ କିଆଁ

ବିକଳାଂଗ ବଂଦୀତ୍ୱର ବ୍ୟଥା ?

ବଂଧ୍ୟା ଏ ଭୂମିରେ କିଆଁ

ସଂଧ୍ୟାସବୁ

ଶୋକର ଶେଫାଳୀ ?

 

ସୂର୍ଯାସ୍ତର

ଶୀର୍ଷେ ଆଜି

ଶବ୍ଦ ମାଗେ

ଶୁଭ୍ର ସ୍ୱାଧୀନତା...

ଆଜିର ଏ

କ୍ରାଂତି ପାଇଁ

ରକ୍ତ ମାଗେ

ଅନାଗତ କାଲି !

 

ଖତ ଖାଏ

ଖଂଡିତ

ଖ୍ରୀଷ୍ଟାବ୍ଦ...

କବଂଧର

କବରରେ

କାହାର ଏ

ପଳିତ

ପ୍ରଗଂଡ ?

ପ୍ରଶ୍ନର

ପ୍ରଗଣା

ଡେଇଁ

ଶୁଭେ ଶୁଣ

ଶୁଭଶଂଖନାଦ...

 

ଦିବ ତଳେ

ଦୀପ ଜଳେ

ଅନନ୍ୟ

ଅଖଂଡ !

 

ଦୁଃଖ ଭୁଲେ,

ଦାହ ଭୁଲେ

ଇତିହାସ

ଭୁଲେ ଦୀର୍ଘଶ୍ୱାସ...

ପ୍ରାଚୀନ ପ୍ରାଚୀରୁ ତୁମ

ଇତିହର

ଇଟାସବୁ

ଖସେ ଖଂଡଖଂଡ

ପ୍ରତ୍ନର

ପଂଜରା

ପରେ

ପ୍ରଶ୍ନାବଳୀ

ଲେଖିଯାଏ ଘାସ

ଭସ୍ମର ଏ

ଭୂତଳ୍ପରୁ

ଉଠ,

ଜାଗ

ଭବ୍ୟ

ଭ୍ରଥଖଂଡ !

 

୨୦୦୦-୦୨

ସ୍ୱର୍ଗର ସଂହାର

ନଷ୍ଟ ନଦୀ : ନିହତ ନକ୍ଷତ୍ର

ନକ୍ଷତ୍ରର ନିଦ୍ରାଭଂଗ

ତଥାସ୍ତୁ ତଥାସ୍ତୁ

ତଂଦ୍ରାର ତୁଷାର

ମାଂସର ମର୍ମର

ଅତୀତର ଅପଭ୍ରଂଶ

ଅସ୍ତ ଯାଏ ଅରୁଂଧତୀ

ତ୍ରେତୟାର ତିଳଚିହ୍ନ

୧୦

କଳିର କାରୁଣ୍ୟ

୧୧

ବଂଶବନେ ବାଜେନା ବଇଁଶୀ

୧୨

ଅସ୍ଥି ତୁମ ଆତ୍ମା ଖୋଜେ

୧୩

ମାତୃତ୍ୱର ମରୀଚିକା

୧୪

ତମିସ୍ରାର ତୂଳୀ

୧୫

କେତୁର କବଂଧ

୧୬

ତୀରେତୀରେ

୧୭

ଶିଖାର ଶୃଂଗାର

୧୮

ଆଲୋକର ଆତ୍ମାହୁତି

୧୯

ଦୂଷିତ ଦଂଶନ

୨୦

ଦୁଃସ୍ୱପ୍ନର ଦ୍ୱାରକାରେ

୨୧

ଦିନ ବୁଡ଼େ

୨୨

ରଂଗଣୀରୁ ରଣି

୨୩

ଶିଆଳିର ସୁପାତିରେ

୨୪

ଶ୍ଳୋକ ଆଜି ଶୋକ

୨୫

ଖୁରାଘାତ : କେତେ କଳ୍ପାଂତର

୨୬

ଦିଶୁନାଇଁ ଦିଶା

୨୭

ସମାପ୍ତ ସନ୍ନ୍ୟାସ

୨୮

ଦୁଃଖସବୁ ଦୂର୍ବାକ୍ଷତ

୨୯

ଅଭିସାରୀ ଆତ୍ମା

୩୦

କିଏ କାଂଦେ ? କାହା କୁଳବଧୂ ?

୩୧

ବୋଧିର ବିଧାତା

୩୨

ଗୋପାର ଗାଆଁରେ

୩୩

ନିର୍ବାଣର ନୀଳହଂସ

୩୪

ନିଭୃତ ନିର୍ବାଣ

୩୫

ନିର୍ଜନ ନିଃଶ୍ୱାସ

୩୬

ଅଜ୍ଞାତବାସ

୩୭

ଭୁଲ୍‌, ଭୁଲ୍‌ : ସବୁ ଭୁଲ୍‌

୩୮

ବୁଢ଼ୀମାଲ୍ୟାଣୀର ଆତ୍ମା

୩୯

ଅଜସ୍ର ଆଫ୍ରିକା

୪୦

ମନେନାଇଁ ମୋଟେ

୪୧

ଶ୍ରାବଣର ସ୍ୱର

୪୨

ସୂର୍ଯାସ୍ତର ସ୍ମରଣିକା

୪୩

ପ୍ରେମର ପ୍ରବାସ

୪୪

ସୁନାର ହରିଣ

୪୫

ହସ୍ତିନାର ହୁଂକା

୪୬

ଶିରାଳ ସମୟ

୪୭

ପଥରର ଆଖି

୪୮

ପରଦେଶୀ ପକ୍ଷୀ

୪୯

ଦୂବ ଆଜି ଦୁଃଖ ଲେଖେ

୫୦

ଶେଷସେନା

୫୧

ଉଆଁସର ଉଆସରେ

୫୨

ପର ଝାଡ଼େ ପକ୍ଷିରାଜ

୫୩

ମୌନାବତୀ ମାଟି

୫୪

ନିରୁଦ୍ଦେଶ ନଚିକେତା

୫୫

ଫାଶୀ ପାଏ ଫୁଂଗୁଳା ଫଗୁଣ

୫୬

କେଉଁଠି ବା ପଦ୍ମଟିଏ ଫୁଟେ ?

୫୭

ହାଇ ମାରେ ହିମାଚଳ

୫୮

ଠାବ କାହିଁ ? ନାବ କାହିଁ ?

୫୯

ଜୀର୍ଣଜୀବାଶ୍ମ

୬୦

ନଷ୍ଟ ହେଉ ନିୟୁତ ନିର୍ବାଣ

୬୧

ବ୍ୟାସକୂଟ

 

ସ୍ୱର୍ଗର ସଂହାର

 

ହେ ଶୂନ୍ୟଭାରତବର୍ଷ ! ଶବ୍ଦବହ ସଂବର୍ତର ଶ୍ୱାସ

ଅତଳାଂତ ଅଭ୍ୟଂତରେ ଆବର୍ତିତ ଅଣୁପରମାଣୁ...

ପ୍ରଳୟର ପ୍ରତିଭାସ । ପୁଂଜୀଭୂତ ପ୍ରସବର ପ୍ରାସ

ସÒଳିତ ସ୍ୱପ୍ନର ସ୍ୱରେ - ଗୀତ ଗାଏ ଗଳିତ ଗ୍ରହାଣୁ !

 

ସୃଜନର ସ୍ୱପ୍ନଭଂଗ ! ସମାପନ୍ନ ସୂର୍ଯର ସଂଳାପ

ଅଂତର୍ହିତ ଅଷ୍ଟନାଗ - ଦିବଂଗତ ଦଶଦିଗପାଳ

ଅମୃତର ଆର୍ତନାଦ ... ଭୂଲୁଂଠିତ ଭୂମାର ବିଳାପ

କ୍ଷୁଣ୍ଣ ତୁମ କଟାକ୍ଷରେ କ୍ଷୟ ହୁଏ କାଳର କଟାଳ !

 

ଶଂଖିନୀ ଶର୍ବରୀ ଶେଷେ ସମାବିଷ୍ଟ ଶତଶୃଂଗ ଶିରେ

ଜେତବନେ ଝଡ଼ିବର୍ଷା । ଝାଉଁଳିଚି ଜହ୍ନର ଝଲକ...

ତିରୋହିତା ତପସ୍ୱିନୀ - ତୃଷ୍ଣାର ଏ ତମସ୍ୱିନୀତୀରେ

ତ୍ରସ୍ତ ତୁମ ତପୋଲୋକେ ତିରସ୍କୃତ ତରାର ତିଳକ !

 

ହେ ଶୂନ୍ୟଭାରତବର୍ଷ ! ଦିଗହଜା ଦିଗଂତର ଦ୍ୱାର...

ନାରକୀୟ ନାରାଚରେ ସଂଭବତଃ ସ୍ୱର୍ଗର ସଂହାର ॥

 

ନଷ୍ଟ ନଦୀ : ନିହତ ନକ୍ଷତ୍ର

 

ହେ କଳ୍ପଭାରତବର୍ଷ ! କଳ୍ପାତୀତ କଳ୍ପାଂତର କଥା

ଛପିଯାଏ ଛାୟା ତୁମ - ସାତସିଂଧୁ, ତେରନଈତୀରେ

ମନୁର ମୁଲକେ ମାତେ ମନ୍ୱଂତର । ବନାଗ୍ନିର ବ୍ୟଥା

କଳଂକିତ କର୍କୋଟକ କାଂଦିବୁଲେ କର୍କଟକ୍ରାଂତିରେ !

 

ଦଧୀଚିର ଦେହାଂତର ! ବୃତ୍ରବଧ ! ବଜ୍ରାୟୁଧ ଗଢ଼ା

ଇଂଦ୍ର ଆସେ ଐରାବତେ ... ଇରମ୍ମଦେ ଅଶାଂତ ଈଶାନ

ଶୁଷ୍ମର ସହର ସହ - ଶଂବରର ଅନେଶତପଡ଼ା -

ସମୟର ସୀମାଂତରେ ସାଜେ ସବୁ ଶୀତଳ ଶ୍ମଶାନ !

 

ପିପ୍ନର ପାଉଁଶ ପରେ ପୁଷ୍ପବତୀ ବୈଦିକ-ବସତି

ଅତୀତର ଅସ୍ଥି ଖୋଜେ ଇତସ୍ତତଃ ଅଶ୍ରୁମତୀ ଇରା...

ଶ୍ରୁତି ହଜେ । ସ୍ମୃତି ହଜେ । ସ୍ରୋତହରା ଶୁଭ୍ରସରସ୍ୱତୀ

ମେରୁଶୃଂଗେ ମରୁଝଡ ... ମୋକ୍ଷ ମାଗେ - ମୃତ ମୃଗଶିରା !

 

ହେ କଳ୍ପଭାରତବର୍ଷ ! ନଷ୍ଟ ନଦୀ, ନିହତ ନକ୍ଷତ୍ର...

ପ୍ରଳୟର ପୟୋଧିରେ - କାହିଁ ତୁମ କଳ୍ପବଟପତ୍ର ??

 

ନକ୍ଷତ୍ରର ନିଦ୍ରାଭଂଗ

 

ହେ ଭୂମି ଭାରତବର୍ଷ ! ଭୂର୍ଜବନେ ସୂର୍ଯର ସଂବାଦ

ମୃତ୍ୟୁଂଜୟୀ ମୃତ୍ତିକାରେ ମଂଜରୀର ମଂଗଳାଚରଣ

ସୁମେରୁରେ ସାଂଦ୍ର ହୁଏ ସାମୁଦ୍ରିକ ଶୁଭଶଂଖନାଦ

ଉଷାର ଓଁକାରମୟ ଊର୍ଧ୍ବରେତା ଅନନ୍ୟ ଅରଣ୍ୟ !

 

ମେଘ ପଢ଼େ ମାନପତ୍ର ମାଟି-ପାଣି-ପବନେ ତୁମରି

ମନୁର ମଂତ୍ରରେ ମାଗେ ନବଜନ୍ମ ମୃତମୃଗବନ

ସ୍ୱପ୍ନମୟ ସପ୍ତଦ୍ୱୀପ ସପ୍ତାଶ୍ୱର ସପ୍ତକ ସୁମରି

ସପ୍ତସ୍ୱରେ ସପ୍ତସିଂଧୁ ତୋଳେ ତୁମ ସ୍ୱାଗତର ସ୍ୱନ !

 

ସାଦରେ ସାଉଁଳିଯାଏ ସପ୍ତବାୟୁ ସହସ୍ର ସଂଭାର

ସଂଜ୍ଞା ଲଭେ ସପ୍ତଧାତୁ । ଶତଦଳ ଶରୀର ଶୀର୍ଷରେ...

ସୁଷୁମ୍ନାର ସୁଷୁପ୍ତିରେ ସଂଜାଗୃତ ଶୁଭ୍ରସହସ୍ରାର

ଅଭିସାରୀ ଆତ୍ମା ଆସେ ଅପ୍ରମିତ ଆଲୋକବର୍ଷରେ !

 

ହେ ଭୂମି ଭାରତବର୍ଷ ! ତନୁତୀର୍ଥେ ତନ୍ମୟ ତରଂଗ...

ନଦୀର ଏ ନାଦମଂତ୍ରେ ନକ୍ଷତ୍ରର ନୀଳନିଦ୍ରାଭଂଗ ॥

 

ତଥାସ୍ତୁ ତଥାସ୍ତୁ

 

ହେ ଭୂମା ଭାରତବର୍ଷ ! ସ୍ୱପ୍ନସ୍ନାତ ସୈଂଧବ ଗାଂଗେୟ

ନକ୍ଷତ୍ରର ନୈବେଦ୍ୟରେ ନଦୀ ନିଏ ନୀଳନମସ୍କୃତି...

ସୂର୍ଯସ୍ନାତ ସୁପ୍ରଭାତ । ସିଂଧୁସ୍ନାତ ସଭ୍ୟତାର ଶ୍ରେୟ

ସାଜେ ସ୍ୱତଃ ସରସ୍ୱତୀ - ଶସ୍ୟବତୀ ସ୍ମୃତିର ସଂସ୍କୃତି !

 

ଗଂଗୋତ୍ରୀ ଗାୟତ୍ରୀ ଗାଏ । ଯମୁନେତ୍ରୀ ଜୁରିନିଏ ଜ୍ୱାଳା

ମୃତ୍ତିକାର ମାର୍ଜନାରେ ମୃଦୁହାସୀ ମୃତକଳ୍ପ ମରୁ...

ମଂଦାକ୍ରାଂତା ମମତାରେ ମୁଖରିତ ମଂଦ୍ରମେଘମାଳା

ବିଶ୍ୱାସର ବୀଜମଂତ୍ର ବୁଣିଯାଏ ବାଂଛାକଳ୍ପତରୁ !

 

ଭୂମି ଦିଏ ଭୂତି ଏଠି । ଜଳ ଜପେ ମୃତସଂଜୀବନୀ

ଅଗ୍ନିର ଏ ଅଂଗୀକାରେ ଅଲୌକିକ ଆଲୋକ ଆବାଦ

ବାୟୁର ବିଶ୍ରଂଭାଳାପେ ବିଗଳିତ ବୀଜମଂତ୍ରଧ୍ୱନି

ଏ ଆକାଶ ଅହୋରାତ୍ର ଅର୍ପିଯାଏ ଅହ୍ୟ ଆଶୀର୍ବାଦ !

 

ହେ ଭୂମା ଭାରତବର୍ଷ ! ଭୂଚିତ୍ରରେ ବିଚିତ୍ର ଏ ବାସ୍ତୁ...

ତମସାର ତୀରେତୀରେ ତରଂଗର ତଥାସ୍ତୁ ତଥାସ୍ତୁ ॥

 

ତଂଦ୍ରାର ତୁଷାର

 

ହେ ଶୃଂଗ ଭାରତବର୍ଷ ! ଶିଳାୟିତ ଶିଖରଶିଖରୀ !

ଗଂଧର୍ବର ଗାଥା ତୁମ ଗୀତିମାଳା ଗିରିଗ୍ରାମାଂଚଳେ

କୁହୁର କୁହୁଡ଼ି କିଂତୁ କୌବେରେୟ କିନ୍ନରକିନ୍ନରୀ

ଉପରେ ତ ତରା ଉଏଁ - ତୁମେ ପାଳ ତିଥିବାର ତଳେ !

 

ତୃଣର ତରଂଗେ ତୁମ - ତୁଚ୍ଛ ତୋଳା-ତୁଳସୀର ତନୁ

ଘାସର କି ଘୂର୍ଣିଝଡ଼ ! ଘୂରିବୁଲେ ଗ୍ରୀଷ୍ମର ଗୋଖର

ଶବରର ଶରବଣେ ସମାଧିସ୍ଥ ସ୍ୱାୟଂଭୂବ ମନୁ...

ଡୋଂବିର ଡେରାରେ ଡାକୁ, ଡାଳେଡାଳେ ଡାଆଣୀର ଡର !

 

ଶୋଇପଡ଼େ ସମୟଟା ଶୁଣୁଶୁଣୁ ସହଜସଂଗୀତ

ତଂତ୍ରର ତିମିର ତଳେ ମୌନବ୍ରତୀ ମଂତ୍ରର ମୁଲକ

ଆରାବଳୀ ଆରପଟେ ଅସ୍ତ ଯାଏ ଅତିଷ୍ଠ ଅତୀତ

ଶେଷାଦ୍ରିର ସାନୁଦେଶେ ସଂଜ ଲିପେ - ଶେଷଅଲକ୍ତକ !

 

ହେ ଶୃଂଗ ଭାରତବର୍ଷ ! ଏତେ ଆର୍ତି ... ଏତେ ହାହାକାର

ତରଳେନା ତଥାପି ତ - ତୁମରି ଏ ତଂଦ୍ରାର ତୁଷାର ॥

 

ମାଂସର ମର୍ମର

 

ହେ ତୀର୍ଥ ଭାରତବର୍ଷ ! ତୋଳିଯାଏ ତୌର୍ଯତ୍ରିକ କିଏ ?

ଅଭାବିତ ଅମା ଆଣେ ଅଂଧକାର ଅର୍ବୁଦ ଅର୍ବୁଦ

ଶନିର ସେ ବଳୟରେ ବୃହସ୍ପତି ବନବାସ ନିଏ...

ପୂର୍ଣମୀର ପୂର୍ଣାହୁତି ... ବାରିଧିରେ ବ୍ୟଥାର ବୁଦ୍‌ବୁଦ !

 

ସ୍ୱର୍ଣାଦ୍ରି ସୀମାଂତୁ ଆସେ ଶେଷଋତୁ ସ୍ୱେଚ୍ଛାଚାରୀ ସାଜି

ନଷ୍ଟ ତୁମ ନୀହାରିକା । ନିସର୍ଗରେ ନର୍କର ନାହୁଡ଼...

ଅଜସ୍ର ଅୟନବ୍ୟାପୀ ଅଭିଚାର - ଅଭିଘାତ ଆଜି

ଶିବ ନୁହେଁ, ଶବମୁହେଁ - ସ୍ତୋତ୍ରାବଳୀ - ଶୁଣେ ଶଂଖଚୂଡ଼ !

 

ସୂର୍ଯଶୂନ୍ୟ ଭୂର୍ଜବନ। ଊଧ୍ର୍ୱରେ କି ଊହ୍ୟ ଉଷାଲୋକ?

ଘାତଚଂଦ୍ର : ଘାତଚିହ୍ନ। ବିଚଳିତ ବିଂଦୁ ଓ ବିସର୍ଗ

ଚୂର୍ଣାହତ ଛାୟାପଥ । ସଂଜ୍ଞପିତ ସପ୍ତର୍ଷିର ଶ୍ଳୋକ...

ଭସ୍ମର ଭବିଷ୍ୟ ତଳେ - ଭ୍ରଷ୍ଟ ତୁମ ଭ୍ରୂଣର ଭୂସ୍ୱର୍ଗ !

 

ହେ ତୀର୍ଥ ଭାରତବର୍ଷ ! ସ୍ୱପ୍ନାହତ ସ୍ୱାତୀର ସହର

ମୃତାହତ ମୃଗବନେ - ମର୍ମଦାହୀ ମାଂସର ମର୍ମର ॥

 

ଅତୀତର ଅପଭ୍ରଂଶ

 

ହେ ଚିତ୍ରଭାରତବର୍ଷ ! କାହାର ଏ ଛିନ୍ନଚଂଦ୍ରହାର ?

ରଜସ୍ୱଳା ରାତ୍ରି ତୁମ - ରୈବତକେ - ଅସ୍ତ ହୁଏ ଧୀରେ

ଗୃଧ୍ର ଗମେ ଗୃଧ୍ରକୂଟ । ଚିତ୍ରକୂଟେ ଚଂଦ୍ରର ଚିତ୍କାର

ସୀତୟାର ଶୋକ ସରେ - ତରଂଗିତ ତ୍ରେତୟାର ତୀରେ !

 

ବିଚିତ୍ର ଏ ଭୂଚିତ୍ରଟା ! ବିସଦୃଶ ବର୍ଣର ବିଭେଦ

ଶାସନର ଶ୍ମଶାନରେ ଶୂନ୍ୟଶୂନ୍ୟ ଶୂଦ୍ରକର ଶ୍ଳୋକ...

ଖସିପଡ଼େ, ଖସିପଡ଼େ ଖଂଡଖଂଡ ଖ୍ରୀଷ୍ଟାବ୍ଦର ଖେଦ

ନୈଶ ଏ ନୈମିଷାରଣ୍ୟେ ନିର୍ବାସିତ ନାଗର ନିର୍ମୋକ !

 

ରକ୍ତର ରୌରବଗାମୀ ରାମରାଜ୍ୟ, ଗ୍ରାମଗ୍ରାମାଂତର

ଗଢ଼ାହୁଏ ଗୋପନରେ କୌରବର କୁତ୍ସିତ ଆଖଡ଼ା...

ଦ୍ରୋଣର ଦୁଆରୁ ଫେରେ ପ୍ରବଂଚିତ କିରାତ-କୁମର

ଖାଂଡବର କ୍ଷୁଧାଗ୍ନିରେ କ୍ଷୟ ହୁଏ ପାଂଡବର ପଡ଼ା !

 

ହେ ଚିତ୍ରଭାରତବର୍ଷ ! ଛିନ୍ନଭିନ୍ନ ଚିହ୍ନିତ ଚେହେରା...

ଅତୀତର ଅପଭ୍ରଂଶ ... ଆକ୍ଷି ଆଗେ - ଏକାକିନୀ ଏରା ॥

 

ଅସ୍ତ ଯାଏ ଅରୁଂଧତୀ

 

ହେ ଚିହ୍ନ ଭାରତବର୍ଷ ! ଚିରାହୁଏ ଚିତ୍ରରୁ ଚିରାଳ

ଦୀର୍ଣ ଦିଶ-ଦର୍ପଣରେ ଦିଶେ ତୁମ ଦଂତୁରିତ ଦେହ

ମୃତ ଏ ମୃଣାଳବନ। ମୁମୁକ୍ଷିତ ମୂର୍ଛିତ ମରାଳ

ମଧୁଅର୍କ : ମଧୁପର୍କ - ମନା ମଧୁ - ମାତେ ମଧୁମେହ !

 

ପଂଚତ୍ୱ ନା ପଂଚଭୂତ ? ପର୍ଯୁଷିତ ପଂପାର ପୁଳିନ

ମରୁର ଏ ମୁଲକରେ ମେଘ କାଇଁ ? କଅଁଳେନା କଷି

ଅୟୁତ ଅସତ୍ୟ ତଳେ - ବିତିଯାଏ ବର୍ଷ-ମାସ-ଦିନ...

ଋତ ଭୁଲେ ଋତୁ ତୁମ ... ମଂତ୍ର ଭୁଲେ ମାଟିର ମହର୍ଷି !

 

ନାଦ ଭୁଲେ ନଦନଦୀ - ସୀମାତୀତ ଶୈବାଳର ଶଯ୍ୟା

ଧୂମାଳ ଦିଗଂତବ୍ୟାପୀ ଦଂତୁରିତ ଧୂସର ଦୂରତ୍ୱ...

ଭଂଡର ଏ ଭ୍ରଥଖଂଡେ - ପଂଡ ହୁଏ ପ୍ରେମ ଓ ପ୍ରବ୍ରଜ୍ୟା

ତଥ୍ୟ ହଜେ । ତତ୍ତ୍ୱ ହଜେ । ତମଃ ତଳେ ସମାହିତ ସତ୍ତ୍ୱ !

 

ହେ ଚିହ୍ନ ଭାରତବର୍ଷ ! ଛିନ୍ନଛାୟା ଦିନାଂତର ଦ୍ୱାରେ...

ଅଧୁନା ଅସ୍ତାୟମାନ ଅରୁଂଧତୀ ଅଶିଷ୍ଟ ଅଂଧାରେ ॥

 

ତ୍ରେତୟାର ତିଳଚିହ୍ନ

 

ହେ ନିଦ୍ରା ଭାରତବର୍ଷ ! ହେ ନିଃଶବ୍ଦ ନିଶାର୍ଧର ନୀଡ଼ !

ନିକୁଂଭିଲା ନିକାୟରେ ନିକାତରା ନାଗିନୀର ନାଚ

ନିର୍ବସନା ନାରୀ ନାଚେ । ନୀବୀଚ୍ୟୁତ ନୃତ୍ୟ କି ନିବିଡ଼ !

ନିସ୍ତରଂଗ ନଦୀ-ନୀରେ ନିସ୍ତରୁନି ନିଆଁର ନାରାଚ !

 

ତ୍ରାସର ତମିସ୍ର ରାସ । ଥରିଉଠେ ତୁମରି ତ୍ରିକୂଟ

ହୋମାଗ୍ନିର ହୈମବତେ ହଜିଯାଏ ହେମାଂଗୀ ହରିଣୀ

ଧୂଆଁର ଧୂର୍ଜଟି ନାଚେ । ଜଳେ ଜାୟା, ଜଳେ ଜଟାଜୂଟ

ତରୀ ଭୁଲେ ତୀର ତୁମ, ତୀର ଭୁଲେ ତ୍ରସ୍ତ ତରଂଗିଣୀ !

 

ଅରାତି ଅସୁର ଆସେ - ଏ ରାତିର ଉଆଁସୀ ଉପାଂତେ

ପ୍ରମାର ଏ ପ୍ରୟାଗରେ ପ୍ରମଥିତ ପ୍ରଜ୍ଞାର ପ୍ରୟାଣ...

ଶୋଇପଡ଼େ ସୁନାଟାପୁ - ଶରାହତ ସ୍ୱପ୍ନର ସୀମାଂତେ

ଦେହର ଏ ବିଦେହରେ ବର୍ଛାବିଦ୍ଧ ବର୍ଷାର ବୟାନ !

 

ହେ ନିଦ୍ରା ଭାରତବର୍ଷ ! ଆକ୍ଷିପତା ଓଜନିଆ ହୁଏ

ତ୍ରେତୟାର ତିଳଚିହ୍ନ ତିଂତିଯାଏ - ତୁମ ଲହୁଲୁହେ ॥

 

କଳିର କାରୁଣ୍ୟ

 

ହେ ଭୂତ ଭାରତବର୍ଷ ! ଭାସିଉଠେ ଭବିଷ୍ୟର ଭୟ

କର ମୋଡ଼େ କୁଂଭକର୍ଣ କିଳିଦେଇ କଂସାର କବାଟ

ଜହ୍ନ ହଜେ। ଜ୍ୟୋତି ହଜେ । ଲଗ୍ନ ଲୋଡ଼େ ଲୁବ୍ଧକର ଲୟ

ତୋଳେ କିଏ ତୁମ ପାଇଁ ତିମିରରୁ ତରାର ତରାଟ ?

 

ଆତଂକର ଅନୁବାଦ ଅଭ୍ୟଂତରେ, ଅଂତରେ ଅଂତରେ

କୋମଳ କପୋତ ପାଇଁ ବାରୁଦର ବରାଦୀ ବିଛଣା

ସ୍ୱପ୍ନ ହଜେ । ସ୍ମୃତି ହଜେ । ସୂର୍ଯ ବୁଡ଼େ ମାନସରୋବରେ

ଭୂକଂପର ଭ୍ରାଂତି ଭୁଲେ ବଶଂବଦ ବାସୁକିର ଫଣା !

 

ଦେବକୀର ଦୁଃସ୍ୱପ୍ନରେ ଜ୍ୱାଳାକ୍ରାଂତ ତୁମରି ଜରାୟୁ

କଂସର କଂସେଇ ଗଢ଼େ ଗୁପ୍ତଘାଟି ଗୋପର ଗୁହାଳେ

ଧର୍ମ ହଜେ । ଧୃତି ହଜେ । ଧ୍ରୁବତାରା ଦିଶୁନାଇଁ ଆଉ

ପୁଣ୍ୟର ପୁରାଣପୁଂଜ ପୋଡ଼ାହୁଏ ପାପର ପାତାଳେ !

 

ହେ ଭୂତ ଭାରତବର୍ଷ ! ଅତୀତଟା ଆତ୍ମହତ୍ୟା କରେ...

କଳିର କାରୁଣ୍ୟ ଶୁଭେ ଦ୍ୱାପରର ଦୀର୍ଘଶ୍ୱାସ ପରେ ॥

 

ବଂଶବନେ ବାଜେନା ବଇଁଶୀ

 

ହେ ଭୂର୍ଜ ଭାରତବର୍ଷ ! ପତ୍ରାଳୀରୁ ଛିନ୍ନଛତ୍ରାକ୍ଷର

ବିହାୟସୀ ବିଲଂକାରେ ବିଲୋକିତ ବୈଦ୍ୟୁତ ବର୍ଣାଳୀ...

ତୂର୍ଯ ତ ତର୍ଜନଶୂନ୍ୟ ! ଊର୍ଜଃଶୂନ୍ୟ ସୃଜନର ସ୍ୱର

ମନାସୁଛି ମୂଳମଂତ୍ର ମୃତକଳ୍ପ ମୃତ୍ତିକାର ମାଳୀ !

 

ପନିଅର ପତରରୁ - କନିଅରମଂଜିଯାଏଁ ବିଷ ...

ଯମର ଯମକ ଜପେ ଯମୁନାର ଜୀର୍ଣଜଳବେଣୀ

ଗ୍ରାମାଂତରେ ଗଣହତ୍ୟା । ସୀମାଂତରେ ସରାବୀ ସଇସ

ଏରକା ଏ ! ଏଠି ଏବେ - ଏକୀଭୂତ ଏକାକ୍ଷରୁ ଏଣୀ !

 

କରୁଣ କଦଂବବନ କହିପାରେ କାଦଂବରୀ କଥା

ଜହରରେ ଜହ୍ନ ଜଡ଼େ । କଳଂକିତ ଚଂଦ୍ରକଳାଚୟ

ମଣିଷର ମଥୁରାଟା ପାଉଁଶରେ ପୋତିଦିଏ ମଥା

ଶରବଣେ ଶେଯ ପାରି ଶୋଇପଡ଼େ ଶ୍ୟାମଳ ସମୟ !

 

ହେ ଭୂର୍ଜ ଭାରତବର୍ଷ ! ବଂଶବନେ ବାଜେନା ବଇଁଶୀ...

କି ହାର୍ଦିକ ହାହାକାର ! ରକ୍ତ କାଂଦେ - ଅଶ୍ରୁରେ ହିଁ ମିଶି ॥

 

ଅସ୍ଥି ତୁମ ଆତ୍ମା ଖୋଜେ

 

ହେ ଭ୍ରୂଣ ଭାରତବର୍ଷ ! ଭୃଗୁଭୂମ, ହେ ଭୀତଭବିଷ୍ୟ !

ଅଂତୁଡ଼ିର ଆତସରେ ଆର୍ତ ଆହା ଅଧଃଊର୍ଧ୍ବଲୋକ...

କୁହେଳିର କୂଟଚକ୍ର । କ୍ଳୁପ୍ତକାୟ କୁଳୀନ କୁଳିଶ

କେରାଏ କିରଣ କାଇଁ ? କାଂତାରରେ କାଂଦିବୁଲେ କୋକ !

 

ମତ୍ସ୍ୟଗଂଧା ମନାସରେ ମାତିଉଠେ ମସୃଣ ମାତ୍ସର୍ଯ

କଟାକ୍ଷରେ କ୍ରାଂତି ହଜେ କାମନାର କୈବର୍ତଦ୍ୱୀପରେ...

ଶାଂତି ଓ ସଂକ୍ରାଂତି ଶେଷ । ଭାସିଉଠେ ଭ୍ରାଂତିର ଭାସ୍କର୍ଯ

ତାରୁଣ୍ୟ ତ ତରଳୁଚି ତିଳତିଳ ତନୁର ତାପରେ !

 

ପୋଷପୋଷ ପଉଷରେ ପାଉଁଶିଆ ଫୁଲର ପଟାଳି

ନହୁଷର ନୃଲୋକରେ ନପୁଂସର ନକଲି ନାଟକ...

ଫାଳଫାଳ ଫଗୁଣଟା । ଛତ୍ରଛାଳ ଚକିତ ଚୈତାଳି

କି ପାଂଶୁଳ ପରିଚିତି - ଜାବାଳୈୟ ଜାରଜ ଜାତକ !

 

ହେ ଭ୍ରୂଣ ଭାରତବର୍ଷ ! ଜର୍ଜରିତ ଜ୍ୱାଳାର ଜରାୟୁ...

ଅସ୍ଥି ତୁମ ଆତ୍ମା ଖୋଜେ, ମଜ୍ଜା ମାଗେ - ମହାପ୍ରାଣବାୟୁ ॥

 

ମାତୃତ୍ୱର ମରୀଚିକା

 

ହେ ଶିଶୁଭାରତବର୍ଷ ! ଘୂର୍ଣି ଘୂରେ ଘୁମଂତବାୟୁରେ

ଅସମାପ୍ତ ଅସ୍ଥି ତଳୁ କାହାର ଏ କ୍ଳାଂତ କ୍ଷୟକାଶ ?

ଚର୍ମଦାହ । ମର୍ମଦାହ । ସ୍ୱପ୍ନଦାହ ସ୍ନାୟୁରେ ସ୍ନାୟୁରେ

ଶିରାରେ ଶିରାରେ ଶୀତ - ପ୍ରଶିରାରେ ପ୍ରାଣାଂତକ ପ୍ରାସ !

 

ଶକୁନର ପକ୍ଷ ତଳେ ଇତିହର ଉତ୍ତରାଧିକାର...

ଅଂତ୍ୟଜର ଅଂତଃସ୍ୱର : ଆର୍ଯାବର୍ତୀ ଅରଣ୍ୟରୋଦନ

କିଏ ପିତା ? କିଏ ମାତା ? କିଏ କୁଳଚଂଦ୍ରମା କି କାର?

କାନୀନର କାରୁଣ୍ୟରେ କୁହରିତ କାନରୁ କାନନ !

 

କୃଷ୍ଣ ଦିଶେ ଦ୍ବୈପାୟନ - ଦୁଃଖର ଏ ଦୃଶଦ୍ୱତୀତୀରେ...

କୃଷ୍ଣାର କବରୀ କୂଳେ କବଳିତ କବଚକୁଂଡଳ

ନାଦବିଂଦୁ ନୀଳବିଂଦୁ ନାମହୀନ ନିର୍ଜନ ନଦୀରେ

ସ୍ମୃତି ହୁଏ ସୁନାମୁଦି ... ନଦୀ ହୁଏ - ନୀଳଚକ୍ଷୁଜଳ !

 

ହେ ଶିଶୁଭାରତବର୍ଷ ! ଦିଶୁଛ କି ଧୂମାଳ ଧୂପରେ !

ମାତୃତ୍ୱର ମରୀଚିକା - ପିତୃତ୍ୱର ପ୍ରହସନ ପରେ ॥

 

ତମିସ୍ରାର ତୂଳୀ

 

ହେ ସୂର୍ଯ ଭାରତବର୍ଷ ! ଅତଃପର ଅର୍କର ଆଖ୍ୟାନ

ଅପୌରୁଷେୟ ଏ ଅହଂ... ଅନସ୍ତିତ୍ୱ ଉଠେ ଅଧାଜିଇଁ

ପ୍ରବଂଚିତ ପିତୃପକ୍ଷ ପଢ଼ିଯାଏ ପ୍ରେତର ପୁରାଣ

ମାଘର ଏ ମୁଲକରେ ବାଘ ମାତେ - ରକ୍ତ ପିଇପିଇ !

 

ଗଳିତକୁଷ୍ଠର ଗଂଧ। ସ୍ତବ୍ଧ ସର୍ବସପ୍ତମୀର ସ୍ତବ

ଚିକ୍‌ଚିକ୍‌ ଚଂପାନାଗ ଚେକା ପାରେ ଚଂଦ୍ରଭାଗାତୀରେ

ବାମେତର ବାରୁଣୀରେ ବରାବର ବୁଡ଼ୁଛି ବାଡ଼ବ

କ୍ରାଂତିର କିରଣ ତୁମ କଳା ପଡ଼େ ମକରକ୍ରାଂତିରେ !

 

କଥା କହେ କୁଶବନ । କୋଣାର୍କର କଳାଘୋଡ଼ା କାହିଁ?

ଧୋବଲାକୁହୁଡ଼ିମେଂଚେ ଧଳାଛଉ ମାଡ଼ିଛି ମଟାଳ

ଛାଉଥାଏ ଛପର କି ଛଂଚାଣଟା ଛାଟିଛାଟି ଛାଇ ?

ଶାଂବର ଏ ସରହଦେ ଶୁନ୍‌ଶାନ୍‌ ସୁନାର ସକାଳ !

 

ହେ ସୂର୍ଯ ଭାରତବର୍ଷ ! ଗୁମ୍‌ସୁମ୍‌ ଗ୍ଳାନିର ଗୋଧୂଳି

ଘୁମଂତ ଗୋମଂତ ଏବଂ ଅସ୍ତ ଆଂକେ ତମିସ୍ରାର ତୂଳୀ ॥

 

କେତୁର କବଂଧ

 

ହେ ଚଂଦ୍ର ଭାରତବର୍ଷ ! ଚିହ୍ନମାନ ଚୁଂବନ କି ଚିଆଁ?

ଚେଇଁଉଠେ ଚଂପାବତୀ, ନଗ୍ରଜନେ ନିରେଖିଚାହାଂତି

ତଟସ୍ତ ତ୍ରିପଦୀ ତୋଳେ ତୁମରି ଏ ତୃଷିତା ତୃତୀୟା

ଶେଷ ହୁଏ ଶୁକ୍ଳପକ୍ଷ ... ପାଉଁଶରେ ପହଁରେ ପାହାଂତି !

 

ଚିତ୍ରାର ଚିତ୍କାର ତୁମ ଚାପା ପଡ଼େ ଛିନ୍ନଚୈତ୍ରରଥେ

ଗୋଧୂଳିର ଗର୍ଭପାତ । ଗୋରୋଚିତ ଗୋଷ୍ପଦପୁଷ୍କର

ପଉଷର ପତତ୍ରିଣୀ ପର ଝାଡ଼େ ପିଂଡାରକପଥେ

ସପ୍ତାଶ୍ୱର ହ୍ରେଷା ହଜେ - ଶିଶିରାକ୍ତ ସଂଜର ସହର !

 

କ୍ଳିନ୍ନ କ୍ରମେ କଟିବଂଧ। କି କଠିନ - କ୍ଳିଷ୍ଟ କଟପାୟା

ଜୀବାଶ୍ମର ଜରାୟୁରେ ଜାଗିଉଠେ ଜୀର୍ଣଜରାସଂଧ...

ଚୂର୍ଣ ତୁମ ପୂର୍ଣମାସୀ । ଭୂମାହତ ଭୂୟଶଃ ଭୂଚ୍ଛାୟା

ରକ୍ତରଂଗା ରାହୁ ଆସେ - କାଂଧରେ ତା କେତୁର କବଂଧ !

 

ହେ ଚଂଦ୍ର ଭାରତବର୍ଷ ! ବାଟ ଭୁଲେ ବୃହସ୍ପତି-ବଧୂ...

ପ୍ରମା କାହିଁ ? ପ୍ରଜ୍ଞା କାହିଁ ? ଆଦିଗଂତ ଅମାର ଅଳଂଧୁ ॥

 

ତୀରେତୀରେ

 

ହେ ତାରା ଭାରତବର୍ଷ ! ଅନିର୍ବାଣ ଆତ୍ମାର ଆପ୍ଳୁତି

ଅଶ୍ୱିନୀର ଅଶ୍ରୁପାତ । ଦ୍ୱିଜାଦ୍ୱୀପେ କୃତ୍ତିକାର କ୍ଳେଶ...

ରୋହିଣୀର ରୋଷାଗ୍ନିରେ ମୃଗଶିରା, ଆଦ୍ରାର ଆକୁତି

ପୁନର୍ବସୁ, ପୁଷ୍ୟାପ୍ରାଂତେ ଅଶ୍ଳେଷାର ଅଂତିମ ଆଶ୍ଳେଷ !

 

ମଘାର ମୂର୍ଧନାପାତ ପୂର୍ବୋତ୍ତର ଫାଲ୍ଗୁନୀର ପଥେ

ହସ୍ତା ତୁମ ହ୍ରସ୍ୱା ଆଜି । ଚିତ୍ରାୟନେ ସ୍ୱାତୀର ସମାପ୍ତି

ବିଶାଖାର ବିସ୍ଫୋରଣ - ଅନୁରାଧା, ଜ୍ୟେଷ୍ଠାର ଦିଗଂତେ

ମୂଳାର ମୂର୍ଛିତ ମୁଖେ ପୂର୍ବୋତ୍ତର ଆଷାଢ଼ାର ଆର୍ତି !

 

ଶ୍ରବଣାର ସମାଧିରେ ଧନିଷ୍ଠାର ଧୂମାଳ ଧର୍ଷଣ

ଶ୍ରାଂତ ତୁମ ଶତଭିଷା ପୂର୍ବୋତ୍ତର ଭାଦ୍ରପଦଭୂମେ

ରେବତୀର ରକ୍ତବୃତ୍ତେ ଦୂରାହତ ଧ୍ରୁବର ଦର୍ଶନ

ଅକିଂଚିତ୍‌ ଅଭିଜିତ୍‌ - ଅନୃତର ଅଂଧ ଅଳଂଧୂମେ !

 

ହେ ତାରା ଭାରତବର୍ଷ ! ତୀରେତୀରେ ତରଳ ତମିସ୍ରା...

ସପ୍ତର୍ଷିର ଶେଷଦୃଶ୍ୟ ଦର୍ଶାଉଛି ଦିଗଂବରୀ ଦିଶା ॥

 

ଶିଖାର ଶୃଂଗାର

 

ହେ ଦୀପ ଭାରତବର୍ଷ ! ଚାଂଦରାତି ଛାୟାର ଚଂଦ୍ରିକା

ଦୁଃଖସବୁ ଧୂପଧୂଆଁ - ସୁଖସବୁ ସୁବାସିତ ସ୍ମୃତି...

ସ୍ମୃତିସବୁ ସୁନାସଂଜ । ସ୍ୱପ୍ନସବୁ ସାତରଂଗୀ ଶିଖା

ଇଚ୍ଛା ତୁମ ଇଂଦ୍ରଧନୁ - ଅଭୀପ୍ସାର ଅତଂଦ୍ର ଆକୃତି !

 

କଳଂକର କଳା ତୁମ କାର୍ତିକର କଜ୍ଜ୍ୱଳିତ କାୟା

ସଜ ପୁଣି ପିଲିସଜ - ପିଂଡଦାନ, ପିତୃପୁରୁଷର...

ସେ ବ୍ରହ୍ମକମଳନାଭି ନାକ୍ଷତ୍ରିକ ନିଦ୍ରାରେ ନିର୍ମାୟା

ସମୟର ସମାଳୀରେ ସମାର୍ଜିତ ସମାହିତ ସ୍ୱର !

 

ତାପ ପରେ ଅନୁତାପ । ପାପ ପରେ - ପୋଷପୋଷ ଲୁହ

ଚେଇଁଉଠେ ଚିରାଗରେ ଚିରାଳର ଚିତ୍ରିତ ଚେତନା

ତଥାପି କାହିଁକି ତେବେ ଫୁଟିଉଠେ ନିଭୃତରେ କୁହ -

ରାତିର ଏ ରହସ୍ୟରେ ରେଖାଂକିତ ରତିର ବେଦନା ?

 

ହେ ଦୀପ ଭାରତବର୍ଷ ! ଅଗ୍ନିରେ ତ ଅତନୁ ଅଂଗାର...

ଊର୍ବଶୀ ଉଷସୀ ଇଚ୍ଛେ ସର୍ବଶୁଭ ଶିଖାର ଶୃଂଗାର ॥

 

ଆଲୋକର ଆତ୍ମାହୁତି

 

ହେ ଶିଖା ଭାରତବର୍ଷ ! ଦୀପତଳ ଅଂଧାର ଅଂଧାର

ଚେତନାର ଚାରିପଟେ ଛାଇ ଚିରି ଚେଇଁଉଠେ ଚିତା

ନାରଂଗୀ ନିଆଁର ନଖ ଟାଣିଯାଏ ନାରାଚର ଗାର

ସଭ୍ୟତାର ସାୟାହ୍ନରେ ସରିଆସେ ସୁନାର ସଳିତା !

 

କି ବାଜେ ବାସରଦୀପ ! ବୁକୁବଥା ବୋହୁଚି ବୋହୂଟି

ସଜ ନୁହଁ ସଂଜବତି ଚଉକତି ଚଉରାମୂଳରେ

ଦିହୁଡ଼ି ତ ଦିଶୁନାଇଁ। କୁହୁଡ଼ିରେ କିଏ ମ କୋଉଠି ?

ଉଷୁଆଁ ଏ ଉଆଁସରେ ଓଦାନିଆଁ ଅଂତୁଡ଼ିଶାଳରେ !

 

ଝଟିକାର ଝଟକାରେ ଝାସତକ ଝାଡ଼େ ତୁମ ଝୁଲ

ଜୁଇର ଜିଭରେ ଜଡ଼ି ଜଳୁଥାଏ ଜହ୍ନ ଓ ଜୀବନ

ବାଉଁଶର ବନସ୍ତରେ ଫୁଟିଉଠେ ପାଉଁଶର ଫୁଲ

ଅଗ୍ନିର ଆଭାସଚିତ୍ର : ଅଂଗାରର ଅଜବ ଅଂକନ !

 

ହେ ଶିଖା ଭାରତବର୍ଷ ! ଦୀପଦାନ ସଂଦିଗ୍ଧ ସଂଧ୍ୟାରେ

ଆଲୋକର ଆତ୍ମାହୁତି ଅଳଂକୃତ ଅହଂର ଅଂଧାରେ ॥

 

ଦୂଷିତ ଦଂଶନ

 

ହେ ରାତି ଭାରତବର୍ଷ ! ପାହିନାଇଁ ପହିଲି ପହର

କାତି ଛାଡ଼େ କାମନାଟା, କାତ ହଜେ କାଳିଂଦୀରେ କାହିଁ

ଭୋକର ଭୂଇଁକୁ ବୋଧେ ବୋକ ଦିଏ ବିକଳ ଭଅଁର

ପଳାଶର ପାପତାପ ପାଟଳୀଟା ପୋଛିପାରୁନାଇଁ !

 

ଲତାଂତରେ ଲୋଧ୍ରରେଣୁ । ଲାଳସାର ଲୋହିତ ଲେହନ

ଲୋଟିପଡ଼େ ଲାଜକୁଳୀ, ଲଇଁପଡ଼େ ଲବଂଗର ଲତା

ମଦନର ମଦିରାରେ ମୋହମୁଦ ମୋହନ ଏ ମନ

ପରାଣପିତୁଳୀ ଆଣେ ରାଧାଘରୁ ଉଧାର ଅଳତା !

 

ଚମକୁଚି ଚଂଦ୍ରସେଣା । ଚହଲୁଚି ଚୂନିଚାଂଦରାତି

କୁହୁଳା କେଳିର କୂଳେ କାଳାଂତକ କାଳୀୟର କୋପ

ପରକୀୟା ପୀରତିରେ ଫୁଲିଉଠେ ପୂରାନଈଛାତି

ଗୁଣୁଗୁଣୁ ଗୁଂଜନରେ ଗୀତ ଗାଏ ଗୁଜବର ଗୋପ !

 

ହେ ରାତି ଭାରତବର୍ଷ ! ଜଳିଉଠେ ଜରିର ଏ ଜହ୍ନ

ଦେହର ଦୀଘାରେ ତୁମ ଦ୍ୱାପରର ଦୂଷିତ ଦଂଶନ ॥

 

ଦୁଃସ୍ୱପ୍ନର ଦ୍ୱାରକାରେ

 

ହେ ରାଈ ଭାରତବର୍ଷ ! ରଇ ଜଳେ ରଜନୀଗଂଧାର

ରଜଘଷା ରାତିସବୁ ରୁଂଧିହୁଏ ରାକାର ଏ ରାସେ

ଗରାଗରା ଗଂଜଣାରେ ଗୋପନୀୟ ଗୋପ ତ ଅଂଧାର

ଦ୍ୱାରକାନଗ୍ରର ଦ୍ୱାରେ ନୀଳନୀଳ ନିଦ ନଇଁଆସେ !

 

ରୁକ୍ମିଣୀ ରୁଷୁ କି ରାଗୁ ମିତ୍ରବିଂଦା ଅନୁରାଗ ବୋଳେ

ସତ୍ୟା, ଭଦ୍ରା, ଲକ୍ଷଣାରେ ସତ୍ୟଭାମା ସିଂଚିଯାଏ ସ୍ନେହ

ଜାନୁ ଜଗେ ଜାଂବବତୀ ... କାହ୍ନୁମଥା କାଳିଂଦୀର କୋଳେ

ଦାଂପତ୍ୟର ଫୁଲଶେଯେ ଦ୍ୱାପରଟା ପାରିଦିଏ ଦେହ !

 

ଯୁବତୀ ଏ ଜହ୍ନରାତି । ସ୍ୱପ୍ନ ଆସେ ସୁନାର ଶିଡ଼ିରେ

ଝରାଶେଫାଳୀର ଶୋକ ଝରାଉଛି ଷୋଳସସ୍ର ସ୍ମୃତି

ସୁନାର କନିଆ କାହିଁ ଧୂଳିଘରେ, ରୁପାଶଗଡ଼ିରେ ?

ଦୁଃସ୍ୱପ୍ନର ଦ୍ୱାରକାରେ ଦିଶୁନାଇଁ ଦୟିତାର ଦୂତୀ !

 

ହେ ରାଈ ଭାରତବର୍ଷ ! ଦୂରେ ଦୂରେ, ଝୁରେ ବନହଂସୀ

କଷ୍ଟ ପାଏ କୃଷ୍ଣ ଏଠି - ପାଶେ ଥାଇ ଅଷ୍ଟପାଟବଂଶୀ ॥

 

ଦିନ ବୁଡ଼େ

 

ହେ ସଖା ଭାରତବର୍ଷ ! ମୌନାହତ ମୁରଲୀର ମୋହ

ଅଶ୍ୱର ଅନିଷାରେ ଆକ୍ଷି ମଳେ ଅଧୁରା ଅତୀତ

କୌରବର କୌଟିଲ୍ୟରେ କୌମୁଦୀ ନା କୌସ୍ତୁଭର କୋହ ?

ଗୋକୁଳର ଗୋଟିପୁଅ ଗାଉନାଇଁ ଗୋଧୂଳିର ଗୀତ !

 

ମଧୁମଂଗଳର ମୁଖୁଁ ସ୍ତୋକ ଶୁଭେ ଶୋକକୁ ଶଂଖୋଳି

କିଂକିଣୀ ବାଇଦେ କାହିଁ ବରୁଥକ, ସୁବଳର ତାଳ ?

ଗୋଟଉନି ବସୁଦାମ ଶ୍ରୀଦାମର ବାରିବରକୋଳି

ସୁଦାମର ଖୁଦ ପାଇଁ କାହିଁ ଆଉ କାହ୍ନାର କଟାଳ ??

 

ଲବଣିଚୋରିର ଲାଜ ସରଘରେ ଲୁଚିଲାଣି କାହିଁ

କାହା ବୋଲେ ଗଲା ପୁତ୍ର ? କୋଇଲିଟା କହୁନାଇଁ କିଛି

ଚକିତ ଚକଡ଼ା ଛୁଇଁ ଚଉପାଶେ ଚରିବୁଲେ ଛାଇ

ମିଥୁନର ମଧୁବନେ ମଥୁରାର ମଇଁଷି ମାତିଛି ॥

 

ହେ ସଖା ଭାରତବର୍ଷ ! ଦିନ ବୁଡ଼େ, ଦୁଃଖ ଦୁହିଁଦୁହିଁ

ଯଶୋଦାର ବିଳାପରେ ଭରିଯାଏ ଦେବକୀର ଭୂଇଁ ॥

 

Unknown

ରଂଗଣୀରୁ ରଣି

 

ହେ ସଖୀ ଭାରତବର୍ଷ ! ଯମୁନାରେ ଜହ୍ନର ଜହର

ନକ୍ଷତ୍ରର ନୀଳାଲୋକ ନୀଳତର ନୀରରୁ ନିସର୍ଗ

ଦ୍ୱାପରର ଦ୍ୱାଦଶୀଟା ପାରିହୁଏ ପ୍ରେମର ପ୍ରହର

ବିଂଦୁଏ ବିରହ ବୋଳେ ବାଂଶବନେ ବ୍ୟଥାର ବିସର୍ଗ !

 

ବିଶାଖାର ବେଦନାରେ ଲୋଟିପଡ଼େ ଲୁହରେ ଲଳିତା

ଚଂପକଲତାର ଛାଇ ଚୁମୁନାଇଁ ଚିତ୍ରାର ଚିକୁର

ତୁଂଗବିଦ୍ୟା ତନୁତୀରେ ଇଂଦୁରେଖା କୁଟୁନାଇଁ ଚିତା

ରଂଗଦେଶୀ ଅଂଗନରେ ଶୁଭୁନାଇଁ ସୁଦେଶୀର ସୁର !

 

ବୃତ୍ତାଂତ ଏ ବୃଂଦାବନୀ । ବୃଥା ବୃଂତ। ବୃଥା ବୃଂଦାବାଣୀ

ଦ୍ୱାରକାର ଦୁଆରୀକୁ ଦୋଷ ଦିଏ ଦୁଃଖିତ ଦୁହାଁଳି

ବାହୁଡ଼େନା ବୟସଟା ! ଏ ଯମୁନା ଉଠୁନି ଉଜାଣି

ମଥୁରା ମାଟିରେ ଗଡ଼ି ମଥା ପିଟେ ଗୋପର ଗୁଆଳୀ !

 

ହେ ସଖୀ ଭାରତବର୍ଷ ! ରାଈ ପାଟ-ପଣତ ଭିଜାଏ

ରାତି ଆସେ ଛାତି ଚିରି - ରଂଗଣୀରୁ ରଣିଫୁଲଯାଏଁ ॥

 

ଶିଆଳିର ସୁପାତିରେ

 

ହେ କାହ୍ନା ଭାରତବର୍ଷ ! ଲହୁଣିଠୁ ଲୁଣିଆ କି ଲୁହ?

ଯାଉନାଇଁ ଜଳ ପାଇଁ ଯମୁନାକୁ ଯାଦବ-ଯୁବତୀ

ଗାଧୁଆତୁଠରେ କାହିଁ କାଳୀଗୋରୀଶାବନୀର ସୁଅ ?

କାହିଁ ଲୀଳା ? କାହିଁ ଲାସ୍ୟ ? କାହିଁ ରତି ? କାହିଁ ବୃଂଦାବତୀ ?

 

ଏଂତୁଡ଼ିରୁ ଏରୁଂଡି ନା ଏରୁଂଡିରୁ ଏକୋଇ ଏରକା ?

କଦଂବରୁ କାଦଂବରୀ - କାହିଁ କୁହ କେଉଁଠି ବା କିଏ ?

ମଟାଳରେ ମଥୁରାଟା ! ଦରିଆରେ ଦୁରଂତ ଦ୍ୱାରକା

କୁହୁଡ଼ିରେ କୁରୁକ୍ଷେତ୍ର ... କେଉଁଠି ବା କଇଁଫୁଲଟିଏ ??

 

ମିତମାନେ ପରିମିତ । ମିତଣୀଏ ପରଘରିଆଣୀ

ଅଧଜଳା ଅଂଧାରକୁ ଆଉଁଶୁନି ଆଉ ତ ଅତୀତ

ଗୋପର ଗୋହିରିଆଡ଼ୁ ଗଡ଼ିବେଣି ଗୋରୁମହିଷାଣୀ

ଶିଆଳିର ସୁପାତିରେ ଶୋଇପଡ଼େ ଶାଳବଣୀ ଶୀତ !

 

ହେ କାହ୍ନା ଭାରତବର୍ଷ ! କାଶବନ କରୁଣକାତର

ଜଳୁଚି ଉପରେ ଜହ୍ନ - ତଳେ ଜଳେ ଜନ୍ମଜନ୍ମାଂତର ॥

 

ଶ୍ଳୋକ ଆଜି ଶୋକ

 

ହେ ଗତଭାରତବର୍ଷ ! ଘୋରିହୁଏ ଘାସର ଗୋଧୂଳି

ମହେଂଜୋଦାରୋର ମୋଡ଼େ ହ୍ରସ୍ୱ ହୁଏ ହରପାଁର ହସ

ଆର୍ଯ ଆସେ, ଆର୍ଯ ଆସେ - ଦେହେଦେହେ ଦିଗଂତର ଧୂଳି

ସୈଂଧବଗାଂଗେୟତୀରେ ଅତୀତର ଆଶ୍ଚର୍ଯ ଅଳସ !

 

ଓଠ ଖୋଲେ ଓଦାମାଟି । କଥା କହେ କଅଁଳ କଦଂବ

ବୀଣା ବାଜେ, ବେଣୁ ବାଜେ - ସ୍ୱର ତୋଳେ ସଂଗତ ସଂସ୍କୃତି

ଉଷାର ଓଁକାରେ ଫୁଟେ ପୁଷ୍ପପୂତ ପୂଷାର ପ୍ରଣବ...

ତୀର ତୁମ ତୀର୍ଥ ହୁଏ ... ଦାରୁ ଧରେ - ଦିବ୍ୟ ଦେବମୂର୍ତି !

 

ତୃଣେତୃଣେ ତପଶ୍ଚର୍ଯା । ଅଭିଷେକ ଅରଣ୍ୟେଅରଣ୍ୟେ

ଶସ୍ତ୍ର ଜଗେ ଶାସ୍ତ୍ର ତୁମ - ଗୋତ୍ର ଜଗେ ଗୋଷ୍ଠର ଗୋଧନ

ସର୍ଜନାର ସ୍ତୋତ୍ରପାଠ ଊର୍ଜନାର ଅୟୁତ ଅୟନେ

ସ୍ରୋତସ୍ୱତୀ ସରସ୍ୱତୀ - ଶଂଖଶୁଭ୍ର ସଭ୍ୟତାର ସ୍ତନ !

 

ହେ ଗତଭାରତବର୍ଷ ! ମଂତ୍ରନଦୀ ମରୁପଥେ ବଣା ...

ଶ୍ଳୋକ ତୁମ ଶୋକ ହୁଏ, ବେଦ ହୁଏ ବୃଂତସ୍ଥ ବେଦନା ॥

 

ଖୁରାଘାତ : କେତେ କଳ୍ପାଂତର

 

ହେ ନଷ୍ଟଭାରତବର୍ଷ ! ନାଭିପଦ୍ମେ ନୀଳନାଗନାଚ

ବେତାଳର ବେଷ୍ଟନରେ ପାଟଳିତ ପାତାଳଭୈରବୀ

ବୈଶାଳୀର ବୈଶାଖଟା ବର୍ଷାତୁର । ବୃଥା ବୌଦ୍ଧୋବାଚ

କୋଶଳର କବରୀରୁ କ୍ରମଚ୍ୟୁତ କଇଁରୁ କରବୀ !

 

ମାୟାର ଏ ମୁଲକଟା । ଅବାଂତର ଅବତାର ସବୁ...

ଯୁଗର ଯୁଯୁକ୍ଷା ଯାହା - ସତ୍ୟ, ତ୍ରେତା, ଦ୍ୱାପର ଓ କଳି

ଏକାଂତ ଏ ଏରକାରେ - ମୃତ ମନୁ - ସ୍ୱର୍ଗତ ସ୍ୱୟଂଭୂ

ଦିଅଁର ଦୁଆର ମେଲି ଧର୍ମ ମାଗେ ମଣିଷର ବଳି !

 

ଭାଂଗିପଡ଼େ ଭୂଗୋଳଟା ଭୂକଂପର ଭୀଷଣ ଭୀତିରେ

ପକ୍ଷୀ ନୁହେଁ, ପଂଗପାଳ - ପାରିହୁଏ ପ୍ରାଚୀନ ପ୍ରାଂତର

କ୍ଷେତେକ୍ଷେତେ କ୍ଷୟକ୍ଷତି, କ୍ଷତଚିହ୍ନ କ୍ଷୁଧିତ କ୍ଷିତିରେ

ଖରାର ଖଳାରେ ତୁମ ଖୁରାଘାତ - କେତେ କଳ୍ପାଂତର !

 

ହେ ନଷ୍ଟଭାରତବର୍ଷ ! ନୀଳଚଂଦ୍ର, ନିଷ୍ପ୍ରଭ ନହୁଷ...

ଅଜର ସେ ଅଜଗର ଇଚ୍ଛୁନାଇଁ ଅମର ଆୟୁଷ ॥

 

ଦିଶୁନାଇଁ ଦିଶା

 

ହେ ଦୂରଭାରତବର୍ଷ ! ହେ ଦୁର୍ଗତ ଦିଗଂତର ଦେଶ !

ବଂଧ୍ୟ ତୁମ ବସୁଭୂମି। ବର୍ଷା ବୋଧେ ଭୁଲୁଛି ବର୍ଷଣ

ଶସ୍ୟହୀନ ସଂଚୟ ତ ସମୟର ଶେଷହୀନ ଶ୍ଳେଷ

ହଳ ବି ଲଂଗଳହରା - କଂଟି କରେ କେଉଁଠି କର୍ଷଣ?

 

ହଜେ ହସ ! ହଜେ ହଂସ ! ହାହୁତାଶେ ହଜିଯାଏ ହଂସା

ଦିଶୁନାଇଁ ଦମୟଂତୀ ସୂର୍ଯାସ୍ତର ସୀମାଂତ-ସହରେ

ଋଷିର ରକ୍ତରେ ତୁମ ରେରେକାର । ରିପୁର ରିରଂସା

ନିଶୂତୀ ଏ ନିଶାରାତି ନିକାଂଚନ ନଳର ନଅରେ !

 

ଅ-ସ୍ମିତା ଅସ୍ମିତା ଏବେ ଏକାଂତରେ ଅସହ୍ୟ ଅସତ୍ତା

ସୁରୁ ସବୁ କୁରୁସଭା । ପଥେ ଫିଟେ ପାଂଚାଳୀର ପାଟ

ରିଷ୍ଟର ଏ ରାଜତ୍ୱରେ ଇତିପ୍ରାପ୍ତ ଇଷ୍ଟର ଇୟତ୍ତା

ବାସଂଦ ବସଂତ ଭୁଲେ ତୁମରି ଏ ବନସ୍ତକୁ ବାଟ !

 

ହେ ଦୂରଭାରତବର୍ଷ ! ଦିନାଂତରେ ଦିଶୁନାଇଁ ଦିଶା

ବିଦର୍ଭର ବିଳାପରେ ବିଷାଦିତ ବିଦୀର୍ଣ ବିଦିଶା ॥

 

ସମାପ୍ତ ସନ୍ନ୍ୟାସ

 

ହେ ଜିନ ଭାରତବର୍ଷ ! ନିଃଶ୍ୱାସରେ ନିହତ ନିଦାଘ

ପ୍ରବୃତ୍ତିର ପ୍ରୟାଣରେ ପ୍ରତିହତ ପ୍ରାଣର ପ୍ରୟାସ...

ଇଂଦ୍ରିୟର ଇଲାକାରେ ଇତସ୍ତତଃ ଇଚ୍ଛାଧାରୀନାଗ

ସ୍ନାୟୁର ସଂହାର ଶେଷ ... ସଂଜ୍ଞାହତ ସଂଭୋଗର ଶ୍ୱାସ !

 

ବିତିବଣି ବର୍ଷାଋତୁ । ବୈଶାଳୀର ବିଲ ଚରେ ବାଲି

ମଡ଼କର ମଟାଳରେ ମୋକ୍ଷମଗ୍ନ ମଗଧର ମୌର୍ଯ

ଖାଁ ଖାଁ ଖରାବେଳେ ଖଂଡଗିରି ଖୋଜିଯାଏ ଖାଲି -

ଐତିହ୍ୟର ଐରାବତେ ଐକାଂତିକ ଐରର ଐଶ୍ୱର୍ଯ !

 

ହାଇ ମାରେ ହାତୀଗୁଂଫା । ହୋମାନଳେ ହଜିଯାଏ ହୂତି

ଉଦୟଗିରିର ଊର୍ଧେ ଉଷସୀର ଉଦାସ ଉଦଂତ...

ଶାସନର ଶିଳାଲିପି ସ୍ତୂୟମାନ ସାମ୍ରାଜ୍ୟର ସ୍ମୃତି

ଦିଗଂବର ଦେହ ତୁମ ଆତ୍ମା ଖୋଜେ ଦିଗରୁ ଦିଗଂତ !

 

ହେ ଜିନ ଭାରତବର୍ଷ ! ସ୍ୱପ୍ନ ଖୋଜେ ସମାପ୍ତ ସନ୍ନ୍ୟାସ

ଆତ୍ମା ତୁମ ଭାଂଗେ ଆଜି - ଏ ଦେହର ଦୀର୍ଘଉପବାସ ॥

 

ଦୁଃଖସବୁ ଦୂର୍ବାକ୍ଷତ

 

ହେ ଆତ୍ମା ଭାରତବର୍ଷ ! ଦେହ ତୁମ ଦ୍ୱିଦେହ ବିଦେହ

ଦିନ ନାହିଁ ଦୟଣାରେ - ରାତି ନାହିଁ ରଜନୀଗଂଧାରେ

ଏ ବୃକ୍ଷଦେବାତ୍ମା ଏବେ - ବିସ୍ଥାପିତ ହେବା କି ବିଧେୟ?

ଅରଣ୍ୟର ଆଜୀବକ ଅନୁଦ୍ଦିଷ୍ଟ ଆହୃତ ଅଂଧାରେ !

 

କୁୟାସାର କୁଲାୟରେ କାଂଦେ କେଉଁ କୁଆଁରୀ କପୋତୀ

ଅବତରେ ଅପରାହ୍ଣ ଉଦ୍ରିକ୍ତ ଏ ଉପାସୀ ଉପାଂତେ

ସ୍ମୃତିର ସେ ଶାରଂଗିଣୀ ଫେରିଯାଏ ସୁନାମୁହଁ ପୋତି

ଆଜିଠାରୁ ଅରୁଂଧତୀ ଆଉ ବୋଧେ ଉଇଁବନି ରାତେ !

 

ଦିଗଂତଦିଗଂତବ୍ୟାପୀ ଦୃଷ୍ଟିହୀନ ଦିନାଂତର ଦ୍ୱିଧା

ଶତଦ୍ନରୁ ଶତହ୍ରଦ ଶତଶତ ଶତାବ୍ଦୀର ଶୀତ

ଅବଗତ ଅବାଚୀରେ ଅନଭୀଷ୍ଟ ଆତ୍ମାର ଅଭିଧା

ଏ ଗୋତ୍ର ଗୋଚରଭୂମେ ଘାସଫୁଲ ଗାଉନାଇଁ ଗୀତ !

 

ହେ ଆତ୍ମା ଭାରତବର୍ଷ ! ଆକ୍ଷି ନୁହେଁ - ଆତ୍ମା ଓଦା ଲୁହେ

ଦେହର ଏ ଦୁନିଆରେ ଦୁଃଖସବୁ ଦୂର୍ବାକ୍ଷତ ହୁଏ ॥

 

ଅଭିସାରୀ ଆତ୍ମା

 

ହେ ଦେହ ଭାରତବର୍ଷ ! ନୀଳ ନୁହେଁ ନିଦୁଆଳୀ ରାତି

କମକୂଟ କଟାକ୍ଷରେ କାଳକୂଟ କାମନା କୁଂଚିତ ...

ସପ୍ତର୍ଷିର ସୀମାଂତରେ ସମାକୁଳା ସୀମଂତିନୀ ସ୍ୱାତୀ

ମୁକୁଳା ମକାରମୟ ମୋକ୍ଷଭୂମି ମୁକୁଳମୁଂଚିତ!

 

ମଳିନ ନଳିନବନ । ନାଗନଗ୍ର । ନାଗରୀ ନାଗିନୀ !

ଓଠସବୁ ଓଦାଓଦା - ଜୁଡ଼ୁବୁଡ଼ୁ ଜିଭ ତ ଜହରେ

ଚୁମା ଚାହେ ଚିନିଚଂପା । ଚୋଟ ମାରେ ଚହଟ ଚାଂଦିନୀ

ସୁଷୁମ୍ନାରେ ଶିହରଣ ... ଶଂଖଶବ୍ଦ ସ୍ନାୟୁର ସହରେ !

 

ମାଂସରେ ମୃଦଂଗଧ୍ୱନି ! ମେଦର୍ମୟ ମେଘର ଡଂବରୁ

ଆଦିମ ଏ ଅଂଧକୂପେ ଅସ୍ଥି ଇଚ୍ଛେ ଉଷ୍ଣ ଆଲିଂଗନ...

ନିଆଁ ନାଚେ ନୂଆନାଚ। ନିଦ ନିଭେ ନିବୁଜ ନବରୁ

ଧମନୀର ଧର୍ମଘଟ ... ଧୂଳିଧୂମ ଧର୍ମରୁ ଦର୍ଶନ !

 

ହେ ଦେହ ଭାରତବର୍ଷ ! ଚଂଦ୍ର ଚଳେ ଚତୁର୍ଥ ପ୍ରହରେ...

ଅଭିସାରୀ ଆତ୍ମା ଆଜି ଅଂଧକାରେ ଆତ୍ମରତି କରେ ॥

 

କିଏ କାଂଦେ ? କାହା କୁଳବଧୂ ?

 

ହେ ଅଶ୍ରୁ ଭାରତବର୍ଷ ! ସୁଖଦୁଃଖ : ଅଦଳବଦଳ

ଅଥଚ ଏ ଅତୀର୍ଥରେ ଅତୀତ କି ଅପରିବର୍ତିତ?

ହେ ଦୁଃଖର ଦୀପଶିଖା! ତମେ କଣ‌୍‍ ଦିକିଦିକି ଜଳ?

ପୁରାଣର ପତ୍ରଝଡ଼ା ... ପୁଷ୍କରରେ ପଦ୍ମ ତ ପତିତ !

 

ଊର୍ବଶୀର ଅଭିଶାପ ! ତିଳେତିଳେ ତରଳେ ତାରୁଣ୍ୟ

ହେ ସୁଖର ଶମୀଶାଖା ! ନଉଁଚ କି? ଏ ନୁହେଁ ନ୍ୟୂନତା...

କେଶବତୀ କନ୍ୟା ପାଇଁ କୃଚ୍ଛ୍ର କେତେ କ୍ରାଂତିର କାରୁଣ୍ୟ

ସମୟର ସ୍ୱୟଂବରେ ସ୍ୱରବଦ୍ଧ ଶବ୍ଦ ଓ ଶୂନ୍ୟତା !

 

ଶଂକିତା ଶଂଖିନୀସବୁ ସ୍ୱପ୍ନାହତା ସୁନା-ସୁପାତିରେ

ମଦନର ମର୍ଦନରେ ମୁହୁର୍ମୁହୁଃ ମୂର୍ଛାହତ ରତି

ଶୋକ ସିନା ଶ୍ଳୋକ ହୁଏ ତୁମରି ସେ ତମସାର ତୀରେ

ବିବୃତ ଏ ବ୍ରହ୍ମାବର୍ତ ... ବୀତବ୍ରତ ବିବ୍ରତ ବ୍ରତତୀ !

 

ହେ ଅଶ୍ରୁ ଭାରତବର୍ଷ ! କିଏ କାଂଦେ ? କାହା କୁଳବଧୂ ?

ଦାକ୍ଷାୟଣୀ ଦେହ ତୁମ ଦୃଷ୍ଟପୂର୍ବ ଦୂର ଦ୍ୱାରବଂଧୁ ॥

 

ବୋଧିର ବିଧାତା

 

ହେ ଗୋପା ଭାରତବର୍ଷ ! ସ୍ୱପ୍ନ ଆସେ ସ୍ୱର୍ଗଲୋକ ଡେଇଁ

ଗଂଡକୀର ଗୋଳିଜଳେ ଗଂଧସାର ଗୋଳାଉଚି ବାସ

ଗୟସ ବି ଗୀତ ଗାଏ । କଥା କୁହେ କଅଁଳ କୁଡ଼େଇ

ବୈଶାଖର ବ୍ୟଥା ଭୁଲେ ଲୁଂବିନୀର ଦୁଃଖୀ ଦୂବଘାସ !

 

ରୋହିଣୀନଦୀର ତୀରେ ପୂନେଇଁର ପହିଲି ପୁଲକ

ତରୁଅଛି ତରୁଲତା - ତରୁଥିବ ତରାଇର ତୃଣ

ମୈତ୍ରେୟର ମର୍ମରରେ ମଂତ୍ରମୟ ମାୟାର ମୁଲକ

ଜ୍ୟେଷ୍ଠତମ ଜାତକରେ ଜାତିସ୍ମର ଶ୍ରେଷ୍ଠତମ ଭ୍ରୂଣ !

 

ଊରୁବିଲ୍ୱ ଉପକଂଠ । ଉଦ୍ଦୀପିତ ଉଷାର ଉନ୍ମେଷ

କରୁଣାର କିରଣରେ କୁସୁମିତ କୋଶଳରୁ କାଶୀ

କପିଳବାସ୍ତୁର କୋଣେ କ୍ଳୁପ୍ତ କେଉଁ କୁଳୀନାର କ୍ଳେଶ

ସୁଜାତାର ସାମନାରେ ସମାହିତ ଶ୍ରମଣ ସନ୍ନ୍ୟାସୀ !

 

ହେ ଗୋପା ଭାରତବର୍ଷ ! ଗୋପନୀୟ ଗୃହସ୍ଥର ଗାଥା

ବେଦନାର ବର୍ଷାଧାରେ ଭିଜିଥିବ ବୋଧିର ବିଧାତା ॥

 

ଗୋପାର ଗାଆଁରେ

 

ହେ ବୋଧି ଭାରତବର୍ଷ ! ସତ୍ତ୍ୱ ସ୍ୱତଃ ସ୍ୱପ୍ନର ସୂଚନା

ଝୁଲ ହୁଏ ଝରାଫୁଲ, ଝଡ଼ ହୁଏ ଝାଉଁର ଝଂକାର

ମୁକୁଳିତ ମଣିପଦ୍ମ । ମୃଗବନେ ମୋକ୍ଷର ମୂର୍ଛନା

ଅଲୌକିକ ଅଂଧକାରେ ଆଲୋକର ଅପୂର୍ବ ଓଁକାର !

 

ନୀଳାଭ ନକ୍ଷତ୍ର ତଳେ ନୀରାଜିତା ନଦୀ ନିରଂଜନା

ଗଣୁନାହିଁ ଗୃଧ୍ରକୂଟେ ଗଂଡଶିଳା ଗଣର ଗଇଁତି

ଚଂପାବନେ ଚଂଦ୍ରୋଦୟ ... ଚୂତବନେ ଚୂଡ଼ାଂତ ଚେତନା

ଜେତବନେ ଜୈତ୍ରଯାତ୍ରା - ଚୈତ୍ୟଭୂମେ ଚଅଁରେ ଚଇତି !

 

ଶେଷ ସେଇ ଶୁକ୍ଳପକ୍ଷ । ସମାହୂତ ସମୟର ସ୍ୱାହା

ସଂତ୍ରାସର ସହସ୍ରାବ୍ଦ ବିଂଚିଯାଏ ବିଷାକ୍ତ ବିକାର...

କେଉଁଠି କୁନାଳ କାଂଦେ ? ରକ୍ତାରୁଣ ରାହୁଳର ରାହା

ସଂଘ ତୁମ ଭଂଗ ହୁଏ ... ଚକ୍ର ତଳେ ଧର୍ମର ଚିତ୍କାର !

 

ହେ ବୋଧି ଭାରତବର୍ଷ ! ନୈରାମଣି ନିକାତ ନାଆରେ...

ଥୋପାଥୋପା ଲୁହ ତୁମ ଗାଥା ଲେଖେ ଗୋପାର ଗାଆଁରେ ॥

 

ନିର୍ବାଣର ନୀଳହଂସ

 

ହେ ସତ୍ତ୍ୱ ଭାରତବର୍ଷ ! ମଗଧରେ ମୃତ୍ୟୁର ମଂତ୍ରଣା

ରାଜଗୃହେ ରାଜହତ୍ୟା, କୌଶାଂବୀରେ କ୍ଳେଦାକ୍ତ କୌଳୀନ୍ୟ

ତମାମ୍‌ ଆକାଶ ତୁମ - ଖରା ତୁଲେ ତରାର ତର୍କଣା

ଅମ୍ରାପଲ୍ଲୀ ଅମାୟନେ ଅସ୍ତଜହ୍ନ ଅଦିନର ଚିହ୍ନ !

 

ଗଣରାଜ୍ୟେ ଗଣହତ୍ୟା । ଅଶ୍ରୁ ଆସେ ଅଚିରବତୀରେ

ଭୋଗବତୀ : ଭଗ୍ନଗତି। ବାଗମତୀ ଭୁଲିଯାଏ ଭୂଷା

ତିଷ୍ୟର ତାରକା ତୁମ ତିଥିଚ୍ୟୁତ ତକ୍ଷଶିଳାତୀରେ

ଉଜ୍ଜୟିନୀ ଉପାଂତରେ ଊହ୍ୟ ହୁଏ ଊର୍ଜସ୍ୱଳା ଉଷା !

 

ରଜସ୍ୱଳା ରାତ୍ରି ରଚେ ରୂପତୃଷ୍ଣାବେଦନା ଭୂତଳେ

ବୈଶାଳୀରେ ବର୍ଷାବାସ । ଶ୍ରାବସ୍ତୀରେ ଶୀତର ଶିଉଳି

ଅଶ୍ୱର ଆର୍ତନାଦ ଅଂତ ଅଦ୍ୟ ଆତ୍ମାର ଅତଳେ

ଦୟାର ଦରିଆପାରେ ଦାନା ବାଂଧେ ଧଉଳିର ଧୂଳି !

 

ହେ ସତ୍ତ୍ୱ ଭାରତବର୍ଷ ! କୁଶୀନଗ୍ର କାଂଦେ କେଇଥର?

ନିର୍ବାଣର ନୀଳହଂସ ନଷ୍ଟପକ୍ଷ ନୀରବ ନିଥର ॥

 

ନିଭୃତ ନିର୍ବାଣ

 

ହେ ଧମ୍ମ ଭାରତବର୍ଷ ! ବେଳବୁଡ଼ ବଜ୍ଜୀର ବସ୍ତିରେ

ଲୋକାୟତେ ଲୋଧ୍ରରେଣୁ, ଲୋଳଚର୍ମା ଲୋହିତ ଲିଚ୍ଛବୀ

ଗୋତ୍ରଜର ଗୃହଯୁଦ୍ଧ । ଅଗ୍ନ୍ୟୁତ୍ପାତ – ଅଂତ୍ୟଜ “ଅସ୍ଥି”ରେ

କ୍ଳିଷ୍ଟ କାହା କାୟାକଳ୍ପ ? ଛପିଯାଏ ଛାୟାସଂଜଛବି !

 

ପାଟଳିପୁତ୍ରରେ ପୁଣି ପୋଡ଼ାଜଳା ପୂନେଇଁର ରାତି

ପାଲଟୁଚି ପାହାଂତିଟା ପାଉଁଶିଆ ପକ୍ଷୀର ପ୍ରାଂତର

ଅନୁଜ୍ଞାର ଅନୁକ୍ତିରେ ଅର୍ହତ୍‌ର ଅକଥିତ ଆର୍ତି

ବୈଶାଖର ବୋଧିସତ୍ତ୍ୱ ଯାତ୍ରାରତ ଜନ୍ମଜନ୍ମାଂତର !

 

କୁକୁତ୍ତାରେ କାକଜ୍ୟୋତ୍ସ୍ନା । ହଂସଧ୍ୱନି ହିରଣ୍ୟବତୀରେ

ଚକ୍ରବାଳେ ଚଂକ୍ରମଣ । ତାଳବନେ ତ୍ରିଯାମାର ତାରା

ମଲ୍ଲର ମାଳଂଚ ତୁମ ମଲ୍ଲୀହୀନ । ତରୀ ନାହିଁ ତୀରେ

ସମୟର ଶାଳବଣେ ଶେଷଜହ୍ନ - କାଂଦେ କୁଶୀନାରା !

 

ହେ ଧମ୍ମ ଭାରତବର୍ଷ ! ପୂର୍ଣିମାରେ ପ୍ରୟାଣୀ ଏ ପ୍ରାଣ

ନିବୃତ୍ତିର ନିଶାଂତରେ ନୀଳନୀଳ ନିଭୃତ ନିର୍ବାଣ ॥

 

ନିର୍ଜନ ନିଃଶ୍ୱାସ

 

ହେ ସଂଘ ଭାରତବର୍ଷ ! ଚର୍ମାୟନ ଧର୍ମାରଣ୍ୟତୀରେ

ତ୍ରସ୍ତ ତୁମ ତ୍ରିପିଟକ, ରକ୍ତାପ୍ଳୁତ ରୁଦ୍ରାକ୍ଷର ମାଳା

ସୂର୍ଯାସ୍ତର ସାରନାଥ ସ୍ମୃତିଭ୍ରଷ୍ଟ ଶୋକାର୍ତ ସାଂଚିରେ

ଜର୍ଜରିତ ଜାତକରେ ଯୁଗାତୀତ ଜୀବାଶ୍ମର ଜ୍ୱାଳା !

 

ଅଭିଯୁକ୍ତ ଅଭିଧମ୍ମ - ଅଶ୍ମକର ଅନୁଶାସନରେ

ଶୀଳସବୁ ଶିଳାଲେଖ ! ଶବ୍ଦାତୀତ ଶାକ୍ୟର ଶ୍ମଶାନ

ତୃଷ୍ଣା ତୁମ ତଂତ୍ର ହୁଏ। ତରା ହଜେ ତମାଳବନରେ

ପ୍ରସ୍ତରରେ ପ୍ରତିମୋକ୍ଷ, ପ୍ରବ୍ରଜ୍ୟାରେ ପ୍ରଜ୍ଞାର ପ୍ରସ୍ଥାନ !

 

ଭିକ୍ଷୁଣୀର ବ୍ରତଭଂଗ । ଭ୍ରଷ୍ଟ ବୋଧେ ଭଦଂତର ଭାଷା

ନଥି ଲେଖେ ନଷ୍ଟଭ୍ରୂଣ ନିର୍ଯାତିତ ଆତ୍ମାର ଅଂଗାରେ

କପିଶାରେ କାଳାଂତର । କଂବୋଜରେ କୁଟିଳ କୁୟାସା

ଫେରିଯାଏ ଫାହିୟାନ୍‌ ... ହୁଏନ୍‌ସାଂ ହଜେ ହାହାକାରେ !

 

ହେ ସଂଘ ଭାରତବର୍ଷ ! ଭଂଗ ତୁମ ବୋଧିର ବିଶ୍ୱାସ

ନାଭିମୂଳଚକ୍ର ଚୁଂବେ ନାଳଂଦାର ନିର୍ଜନ ନିଃଶ୍ୱାସ ॥

 

ଅଜ୍ଞାତବାସ

 

ହେ ସଂଜ ଭାରତବର୍ଷ ! ମୁଲକରେ ମଂଜଥରା ମାସ

ହଜୁଛି ଏ ହିଜରାବ୍ଦ ... ହେମଂତର ହାଡ଼ଭଂଗା ହାଇ...

ବହଳ ଏ ବନସ୍ତରେ ବାସି ବରଂ ବସଂତର ବାସ

ଲବଂଗଦ୍ୱୀପକୁ ଲଂଘି ଲଂବିଆସେ ଲେଉଟାଣିଛାଇ !

 

ପବନର ପଦାବଳୀ ଫୁଟୁନାଇଁ ପତରେପତରେ

ଫର୍ଦଫର୍ଦ ପାଠାଂତର ପଥରରେ ପୁରୁଣା ପାପର...

ଅହଲ୍ୟାର ଆକ୍ଷି ତୁମ କଳଂକକୁ କଜ୍ଜ୍ୱଳ ତ କରେ

ଦୂଷିତ ଦୂବର ଦୁଃଖ ଦହୁଥାଏ ଦ୍ୱିଧାର ଦ୍ୱାପର !

 

ଦିନାଂତର ଦୀର୍ଘଶ୍ୱାସ। ଦୂରାଗତ ଦେହାତୀତ ସ୍ମୃତି

ପ୍ରସ୍ତପ୍ରସ୍ତ ପ୍ରଶ୍ନରେହିଁ ପ୍ରସ୍ତରିତା ପ୍ରବାସିନୀ ପ୍ରିୟା

ଅତିକ୍ରାଂତ ଅବ୍ଦରେ ବି ଅଜଂତାର ଆକୁଳ ଆକୁତି

ଏଲୋରାର ଏରକାରେ ଏକା ଏଇ ଏକାଂତ ଏସିଆ !

 

ହେ ସଂଜ ଭାରତବର୍ଷ ! ସ୍ୱସ୍ତି କାହିଁ ଶାବନାଘାସରେ ?

ଅପହୁଂଚ ଅତୀତଟା ଅବଜ୍ଞାତ ଅଜ୍ଞାତବାସରେ ॥

 

ଭୁଲ୍‌, ଭୁଲ୍‌ : ସବୁ ଭୁଲ୍‌

 

ହେ ରାତ୍ରି ଭାରତବର୍ଷ ! ଘଂଟାଧ୍ୱନି ଗହୀର ଗିର୍ଜାରେ

ଉଜୁଡ଼ା ଅଂଧାର ତୁମ ଚଉଷଠି ଯୋଗିନୀର ଜୁଡ଼ା

ଶିଳାବଦ୍ଧ ସ୍ୱରସବୁ ଶୁନ୍‌ଶାନ୍‌ ସଦରଦର୍ଜାରେ

ଚେଇଁଉଠେ ଛିନ୍ନମସ୍ତା, ଚୂନ୍‌ଚାନ୍‌ ଚଟାଣରୁ ଚୂଡ଼ା !

 

କଂସାର କବାଟ କିଳି କୁଦାମାରେ କଂସର କଂକାଳ

ଦେବୋତ୍ତର ଦୈତ୍ୟଭୂମି। ଦୈବଦାୟ ଦେବ କି ଦେବକୀ?

କୁବୁଜୀର କଟକରେ କଟାକ୍ଷର କଅଁଳ କଟାଳ :

ସତରେ କୁହୁଡ଼ି କାଟି ସକାଳଟା ସଫେଦ୍‌ ହେବ କି ?

 

ଅଷ୍ଟମୀର ଅଧାଜହ୍ନ । ରାତି ଲୋଡ଼େ ରୋହିଣୀନକ୍ଷତ୍ର

ଅଳସୀ ଉଆଁସୀକନ୍ୟା ଇଚ୍ଛୁଅଛି ପୁଇଁବାକୁ ଖରା...

ଜପୁଥିବ ପୂତନା ବି ପୂର୍ବାପର ଜନ୍ମକୁ ଏକତ୍ର

"ଭୁଲ୍‌, ଭୁଲ୍‌, ସବୁ ଭୁଲ୍‌': କହିଯାଏ କୁନି କୁଆଁତରା !

 

ହେ ରାତ୍ରି ଭାରତବର୍ଷ ! ଭୋର୍‌ ତୁମ - ଭୁଲ୍‌ର ହିଁ ଭୁଲ୍‌

ଠିକ୍‌ଗୀତ ବୋଲୁଥିବ ବେଦୁଇନ୍‌ ଏଇ ବୁଲ୍‌ବୁଲ୍‌ ॥

 

ବୁଢ଼ୀମାଲ୍ୟାଣୀର ଆତ୍ମା

 

ହେ ଜହ୍ନ ଭାରତବର୍ଷ ! ଝୁଲୁଛ କି - ହରର ଜଟାରୁ?

ଦେହ ସହ ଦାହ ଏଠି ... ଏକାକାର ଶାହାଡ଼ା : ସୁଂଦରୀ

ଶାଳବଣ ସେପାରିର ସାତମୋଡ଼ା ଶିଆଳିଲଟାରୁ

ଅଂଧାର ଓହ୍ଲାଇଆସେ - ଅଂଧ ଏକ ଅଜଗର ପରି !

 

କାମନାର କାଠହଣା କାଟୁଅଛି କଳ୍ପବୃକ୍ଷଡାଳ ...

ଅଜଣା ଝରଣାକୂଳେ ଇଏ ଏକ ଅଚିହ୍ନା ଅରଣ୍ୟ

କେଉଁଠାରେ କାଂଦ ତୁମେ? କେଉଁଠାରେ କୁରୁବକମାଳ?

କାହ୍ନୁର ହାତରେ ତୁମେ ଖସିପଡ଼ି ଖୋଜୁଛ କଅଣ !

 

ଅନେକାନେକ ଏ ପ୍ରାସ : ଅନୁପ୍ରାସ । ତାପ : ଅନୁତାପ

ଆତୁର ଏ ଅଶ୍ରୁ ଆହା ଅତୀତର ଉଷୁମ୍‌ ଅତର ...

ପଡ଼ିରହେ ପୁଷ୍ପବାଟୀ । ପକ୍ଷହୀନ ପ୍ରାଣର ପ୍ରଳାପ

ଯଯାତିର ଯଂତ୍ରଣାରେ ଜଳୁଥାଏ ଜନ୍ମଜନ୍ମାଂତର !

 

ହେ ନିଶି ଭାରତବର୍ଷ ! ଆଖି ଖୋଲ, ସକାଳ ହେଲାଣି...

ବୁଢ଼ୀମାଲ୍ୟାଣୀର ଆତ୍ମା ବାଟମୁଂଡେ ମାଗୁଚି ମେଲାଣି ॥

 

ଅଜସ୍ର ଆଫ୍ରିକା

 

ହେ ଭୋର୍‌ ଭାରତବର୍ଷ ! ଭାଂଗିପଡ଼େ ଭୋକର ଭୂଗୋଳ

ଶୋଷର ଏ ସମୁଦ୍ରଟା ସଂତରିତ ସପତ ସଂତରା ...

ଦ୍ୱାରକାରେ ଦ୍ୱିପ୍ରହର । ଗୋକୁଳରେ ଗୋଧୂଳିର ଗୋଳ

ଖୁଫୁର ଖିଡ଼ିକି ଖୋଲି ଖସିଯାଏ ଖ୍ରୀଷ୍ଟପୂର୍ବ ଖରା !

 

ପର ଝାଡ଼େ ମରୁପକ୍ଷୀ ପଥରର ପିରାମିଡ୍‌ ପରେ

ଘରେଘରେ ଘୂର୍ଣିଝଡ଼ । ଘାସେଘାସେ ଘୃଣିତର ଘ୍ରାଣ

ସକାଳର ସ୍ୱପ୍ନଭଂଗ ... ଦିବାସ୍ୱପ୍ନ - ଦିଗଦିଗଂତରେ

ପତ୍ରର ପ୍ରଳାପ ପଢ଼େ ପ୍ରାଚୀନ ଏ ପୃଥିବୀର ପ୍ରାଣ !

 

ଶୂନ୍ୟ ହୁଏ ଶୁକ୍ରତାରା । ଶେଷ ହୁଏ ଶୁଭଶୁକ୍ଳଶିଖା

ନିରୁଦ୍ଦେଶ ନଦୀତୀରେ ନିଷ୍ପ୍ରଦୀପ ନିୟୁତ ନଗରୀ

ଅନାଘ୍ରାତ ଆତ୍ମା ତୁମ ଅତିକ୍ରମେ ଅଜସ୍ର ଆଫ୍ରିକା

ଆରବ୍ୟରଜନୀ ବାଂଧେ ଆରପଟେ କଥାର କବରୀ !

 

ହେ ଭୋର୍‌ ଭାରତବର୍ଷ ! କଳା ପଡ଼େ କେଳିର କୁସୁମ

ଅସରାଏ ଅତୀତରେ ଓଦା ଆଜି ଇତିହାସ ତୁମ ॥

 

ମନେନାଇଁ ମୋଟେ

 

ହେ ମେଘ ଭାରତବର୍ଷ ! ମନେନାଇଁ ମିଥୁନର ମାସ

କ୍ଷିପ୍ରା ତୁମ ସିପ୍ରାଧାରେ ବିତର୍କିତ ବର୍ଷାର ବିବୃତି

ଆଷାଢ଼ର ଆଶ୍ଳେଷରେ ଅବରୁଦ୍ଧ ଶ୍ରାବଣର ଶ୍ୱାସ

ଏ ଅନାଲୋକିତ ଆମ ଉତ୍ତାପର ଏତେ ଅନାବୃତି !

 

ଉଂକିମାରେ ଉଜ୍ଜୟିନୀ - ମେଘର ଏ ମରୀଚିକା ତଳେ

ମନେନାଇଁ, ମନେନାଇଁ କାଳିଦାସୀ କବିତାରୁ କିଛି

କେଉଁଠି ବିରହ ବର୍ଷେ - କେଉଁଠି ବା ଯକ୍ଷବଧୂ ଜଳେ

ହିମାଦ୍ରିର ହଂସଧ୍ୱନି ହେମଂତର ହ୍ରଦରେ ହଜିଛି !

 

ବୈରାଗୀ ବୈକୁଂଠବ୍ୟାପୀ ବତାସରେ ବୁକୁ ତୁମ ଥରେ

ବୀତଚର୍ଯ ବ୍ରହ୍ମଲୋକ । କି କାତର - କାକୁସ୍ତ କୈଳାସୀ !

ନୀଡ଼େନୀଡ଼େ ନପୁଂସକ ... ନଷ୍ଟନାରୀ ନଗରେ ନଗରେ

ପୂଜାର ଏ ପଦ୍ମବନ ଉପୁଜାଏ ପାଂଶୁଳ ପଳାଶୀ !

 

ହେ ମେଘ ଭାରତବର୍ଷ ! ବର୍ଷା ବିନା ବାଦଲ ହିଁ ଘୋଟେ

କିଏ କେବେ କାଂଦିଥିଲା ତୁମ ପାଇଁ ? ମନେନାଇଁ ମୋଟେ ॥

 

ଶ୍ରାବଣର ସ୍ୱର

 

ହେ ବର୍ଷା ଭାରତବର୍ଷ ! ଅସରାଏ ଆସନ୍ନ ଆଷାଢ଼

ମୁହଁ ତୁମ ମାଟିହାଂଡି - ମେରୁବୃତ୍ତେ ମେଘାଂବରୀ ରାତି

ବିସ୍ମୃତିର ବାଲିଝଡ଼ ... ବେବିଲୋନ୍‌ ଅଚେତ-ଅସାଡ଼

ହାରେମ୍‌ର ହାହାକାରେ ତରଳୁନି ତୁରସÑର ତାତି !

 

ଖରାର ଖଲିଫା ଆସେ ବାଦଲର ବାଗଦାଦ୍‌ ଡେଇଁ

ମାଟି ତଳେ ମଥା ପିଟେ ମଳିଚିଆ ମେସୋପଟାମିଆ

ଚାଲିଯାଏ ଚାତୁର୍ମାସ୍ୟା । ଚାତକଟା ଉଠେନାଇଁ ଚେଇଁ

ଯୂଥିକାର ଜୁଇ ଜଳେ, ନିଭୁନାଇଁ ନିଆଳିରୁ ନିଆଁ !

 

ମହେଂଜୋଦାରୋରେ ବୋଧେ ବାଜିବନି ମେଘର ମୁରଲୀ

ହାଡ଼ର ଏ ହିଡ଼ମୁଂଡେ ହାଇ ମାରେ ହରପାଁର ହାଟ

କି କଳାହାଂଡିଆ ମେଘ ! କାଂଦୁଥିବ କେଉଁଠି କୁରଳୀ

ବୟସର ବିଷୁବରେ ବର୍ଷାଋତୁ ଭୁଲିଯାଏ ବାଟ !

 

ହେ ବର୍ଷା ଭାରତବର୍ଷ ! ଶରବଣେ ଶ୍ରାବଣର ସ୍ୱର

ସବୁଠି ତ ଟୁପ୍‌ଟାପ୍‌ ... କାଇଁ ଟିକେ ଟପରଟପର ??

 

ସୂର୍ଯାସ୍ତର ସ୍ମରଣିକା

 

ହେ ନଦୀ ଭାରତବର୍ଷ ! ନିରବଧି, ହେ ନୀଳନର୍ତକୀ !

ଶ୍ରାବଣର ଶ୍ରାବସ୍ତୀରେ କାହିଁ ବୁଂଦେ ଶାଂତିର ଉଦକ?

କି ଚିତ୍ରବିଚିତ୍ରବନ ! ଚାତକକୁ ଚାହୁଁଚି ଚାତକୀ

ଉଡ଼ିଯାଏ ଗେଂଡାଳିଆ ଝାଡ଼ିଦେଇ ଫିକାପରତକ !

 

ଅଶିଣର ଓଦାଜହ୍ନ। ଦିଶା ତୁମ ଅଦିଶାଅଦିଶା

କୁଆଁରୀକ୍ଷେତ ନା କୁଦ - କାଂଦୁଥିବ କୁଆଡ଼େ କାର୍ତିକ?

ପଠାର ଏ ପିଠିରେ ତ ନାଉ ତୁମ ନିଛାଟିଆ ନିଶା

ବୈବସ୍ୱତ ମନୁ ମାଗେ ବାରଦ୍ୱାରେ ମଂଜିମୁଠେ ଭିକ !

 

ଦିବଂଗତ ଦୂର୍ବାଦଳ । ଦିଗେଦିଗେ ଦ୍ରୁମର ଦେହାଂତ

ମୃତକଳ୍ପ ମୃତ୍ତିକାରେ ମାଡ଼ିଯାଏ - ଘାସ ନୁହେଁ, ଘାଆ ...

ସତ୍ତାହରା ସରସ୍ୱତୀ । ପତ୍ତାହରା ପ୍ରଭାତୀର ପାଂଥ

ଧରା ତଳେ ଧାରା ହଜେ - ଧୂଳି ତଳେ ଗୋଧୂଳିର ଗାଆଁ !

 

ହେ ନଦୀ ଭାରତବର୍ଷ ! ସମାପ୍ତ ଏ ସଭ୍ୟତାର ସ୍ନାନ

ସୂର୍ଯାସ୍ତର ସ୍ମରଣିକା ଶୁଣିଯାଏ ସ୍ମୃତିର ଶ୍ମଶାନ ॥

 

ପ୍ରେମର ପ୍ରବାସ

 

ହେ ବର୍ଷ ଭାରତବର୍ଷ ! ଛିନ୍ନ ହୁଏ ଚୈତ୍ରର ଚୌପଦୀ

ବୈଶାଖର ବୈଶ୍ୱାନରେ ଜ୍ୟୈଷ୍ଠ ଜାଳେ ଯୌଥ ଏ ଯୌବନ

ବିବସ୍ତ୍ର ବର୍ଷାରେ ବରଂ ନଦୀ ତୁମ ଦୁଃଖିନୀ ଦ୍ରୌପଦୀ

ବନ୍ୟତାର ବନ୍ୟାଗମ ... ଉବୁଟୁବୁ ଆଷାଢ଼ଶ୍ରାବଣ !

 

ଶରତର ବନହଂସୀ ବୁଝେନାଇଁ କାଶତଂଡୀ କଥା

ଭାଦ୍ରବର ଭ୍ରାଂତଭୂମି। ଆଶାହତ ଆଶ୍ରିତ ଆଶ୍ୱିନ

ଆକାଶଦୀପରେ ହଜେ ହେମଂତର ଆଦିଗଂତ ବ୍ୟଥା

କାର୍ତିକର କ୍ରଂଦନରେ ମାର୍ଗଶିର ମଉନ ମଳିନ !

 

ସାଂଦ୍ର ତୁମ ସାନୁଦେଶେ ସ୍ୱେଚ୍ଛାଚାରୀ ଶୀତର ଶୀତ୍କାର

ପଉଷର ପାଉଁଶରେ ମାଘମାସ ନିଆଶ ନିଊନ...

ବସଂତମୁହୀଁକୁ ବାଧେ ଦୁଷ୍ଟ ବହୁ ବ୍ରଣର ବିକାର

ଫଗୁଣର ଫଟାକାଂଥେ ଛିନ୍‌ଭିନ୍‌ ଚଇତର ଚୂନ !

 

ହେ ବର୍ଷ ଭାରତବର୍ଷ ! ଦିନ ସରେ ... ସରିଆସେ ମାସ

ସରେନା ଶୋକର ଋତୁ ... ଉଦାସ ଏ ପ୍ରେମର ପ୍ରବାସ ॥

 

ସୁନାର ହରିଣ

 

ହେ ଶୀତ ଭାରତବର୍ଷ ! ଖରା ଆସେ ଖାଇବରପଥେ

ତୁମରି ଏ ତୀରେତୀରେ ତରଳୁନି ତଥାପି ବରଫ

ବଣିଜର ବଜରାରୁ ନିଆଁ ଚରେ ବନସ୍ତେ ବନସ୍ତେ

ତଥାପି ଛାତିରେ ତୁମ ଅଟକିଛି କୁହୁଡ଼ିର କଫ !

 

ଖରାର ଏ ଖଂଜରରେ କ୍ଷତାହତ ଖୁନୀଦରୱାଜା

ଖୋଲୁନାଇଁ ଖିଡ଼ିକିଟା ... ଖସୁନାଇଁ ଖୋଷାରୁ କଳିକା

ଦରଜାର କଡ଼ା ପିଟି ଆସ୍ତେ ଆସି ଡାକିଯାଏ ଖୋଜା

ରତି ଶେଷ, ରାତି ଶେଷ, ଉଠ ଉଠ ବିବସ୍ତ୍ର ବାଳିକା !

 

ଶୋଇଥାଅ ଶାହଜାଦୀ, ଯୂଇମାଳ ଜଡ଼ାଇ ଜୁଡ଼ାରେ

ଜଳୁଥାଉ ଜୁଇ ଏଠି ! ଦିନ ତୁମ ରାତିର ଟଗର

ଇଦ୍‌ର ଈଷତ୍‌ ଜହ୍ନ - ଚୂନା ହୁଏ ଚିହ୍ନିତ ଚୂଡ଼ାରେ

ବୁର୍ଖାରେ ବେଗମ୍‌ ଏବଂ ହାରେମ୍‌ରେ ନବାବୀ ନାଗର !

 

ହେ ଶୀତ ଭାରତବର୍ଷ ! ମହଳଣ ମରହଟ୍ଟୀଦିନ

ସମୟର ଶରବଣ ... ଶୋଇପଡ଼େ ସୁନାର ହରିଣ ॥

 

ହସ୍ତିନାର ହୁଂକା

 

ହେ ଖଂଡଭାରତବର୍ଷ ! ଦୋହଲୁଚି ଦିଲ୍ଲୀର ଦରଜା

ଚହଲୁଚି ଚର୍ମଣ୍ୱତୀ ... ଚଉପଟ ଛାଇ ଛଟଛଟ

ଖରାର ଖାଂଡବପ୍ରସ୍ଥ । ଖଂଟକୁଳ ପାଲଟେ ପରଜା

ଥୋବରା ଏ ଥୁଂଟାଗଛେ ଗୋବରାଟା ଘଷୁନାଇଁ ଥଂଟ!

 

ସୁନାର କଳସ ତୁମ - ନୁହେଁ ଥୋରପାହାରରେ ଥୁଆ

ଶୋଇଲାଣି ପାଟହାତୀ ଶୁଣିଶୁଣି ବାଆପାଣିଗୀତ

ଲଢ଼ୁଆଘୋଡ଼ାକୁ ଲାଗେ ଅସ୍ତାବଲ ଅଡ଼ୁଆତଡ଼ୁଆ

ବାଲୁବଂତ ବୁଲାଣିଟା ବିରାଦରୀ ବାରାକ୍‌ରେ ଭୀତ !

 

ବାଟ ହୁଡ଼େ ଥାଟ ତୁମ । ଥାନପତି ଥରୁଚି ଥାନାରେ

ରାତିର ରଣପା ଚଢ଼ି ଦୀର୍ଘ ହୁଏ ଅରଣା ଅଂଧାର

କାଶ୍ୟପୀର କାମଧେନୁ କାଂଦେ କେଉଁ କଂସେଇଖାନାରେ

ବୁଂଦେଲଖଂଡରେ ଏଠି - କିଏ ଶୁଣେ କୋମଳଗାଂଧାର ?

 

ହେ ଖଂଡଭାରତବର୍ଷ ! ବିଖଂଡିତ ବାଲୁରେ ବାଲୁଂକା...

ଏ ପାଖରେ ଇଂଦ୍ରପ୍ରସ୍ଥ, ସେ ପାଖରେ ହସ୍ତିନାର ହୁଂକା ॥

 

ଶିରାଳ ସମୟ

 

ହେ ରକ୍ତ ଭାରତବର୍ଷ ! ରାତ୍ରକାଳ ରାଜପୁତାନାରେ

ଅଶୁଆରଦଳ ଆସେ ପାରିହୋଇ ପାଉଁଶ-ପାହାଡ଼

ସେ କାଳଟା କଂକାଳଟା - କଚରା ଏ କବରଖାନାରେ...

ଛାଇର ଛାଉଣୀ ଚିରି ହାଇ ମାରେ ହଳଦିଆ ହାଡ଼ ॥

 

ତୋମାରର ତଲୁଆରେ ଥରହର ଦିଲ୍ଲୀର ଦୁନିଆ

କହିଯାଏ କାନ୍ୟକୁବ୍ଜ କାହାକୁ ବା କାହାର କାହାଣୀ

ପୂର୍ବର ପାବଚ୍ଛସାରା ପଶ୍ଚିମର ପୋଡ଼ାପିକାଚିଆଁ

ଭଂଗାଭଂଗା ଭୂତକୋଠି ! ଡିହଟାରେ ଡରାଏ ଡାହାଣୀ !

 

ତିରୋରୀର ତୂର୍ଯ ତୁମ ତୁନିହୁଏ ତରଳ ତିମିରେ

ଘଷରା ଏ ଘାସବଣେ ଘୂରିବୁଲେ ଘୋରୀର ଘୋଡ଼ାଟା

ସଂଯୁକ୍ତାର ଶିଖାସ୍ନାନ ଶୋକସ୍ନାତ ସଂଧ୍ୟାର ସମୀରେ

ମିବାର୍‌ର ମହଲରେ ବସା ବାଂଧେ ବଣର ବୋଡ଼ାଟା ॥

 

ହେ ରକ୍ତ ଭାରତବର୍ଷ ! ଏ ସମୟ ସତରେ ଶିରାଳ...

ଚିତୋର୍‌ର ଛାତି ଚିରି ଚେଇଁଉଠେ ଚିତାର ଚିରାଳ ॥

 

ପଥରର ଆଖି

 

ହେ ଦୁଃଖ ଭାରତବର୍ଷ ! ଶତଶ୍ରାଂତ, ହେ ଶାଂତସୀମାଂତ !

ପରଦେଶୀ ପାଂଥ ଆସି ଫେରିଯାଏ ପାଦ ଟିପିଟିପି

ଆସେ ଆଜି ଆତତାୟୀ । ଦୂରଦସ୍ୟୁ - ଦାରୁଣ, ଦୁର୍ଦାଂତ

ତୁମରି ଲହୁରେ ଲକ୍ଷେ ଲୁଂଠନର ଲବଣାକ୍ତ ଲିପି !

 

ଗଜନୀର ଗଂତାଘରେ ସୋମନାଥୀ ସୁନାର ସଲାମି

ଘୁମଂତ ଘାସର ଘୂର୍ଣି । ଘୋରତର ଘୋରୀର ସେ ଘୋଡ଼ା

ତୈମୁର୍‌ର ତଟୁ ତଳେ ତିଳକିତ ତୀର୍ଥର ତମାମି

ପାଖୁଡ଼ା ପାଛୁଡ଼ିଯାଏ - ଫଗୁଣର ଫିକା ଫୁଲତୋଡ଼ା !

 

ନାଦିର୍‌ର ନିଃଶ୍ୱାସରେ ପାରସ୍ୟର ପିଂଗଳ ପିପାସା

କାଂଦେ ତୁମ କୋହିନୂର୍‌ - ପକ୍ଷ ମୁଦେ ମୋତିର ମୟୂର...

ବ୍ୟୂହବଦ୍ଧ ବଳାତ୍କାର। ବଂଧ୍ୟାଭୂମି ଭୁଲିଯାଏ ଭାଷା

ଚିରିଯାଏ ଡାଏରିଟା - ସରିଆସେ ଶାଏରୀର ସୁର !

 

ହେ ଦୁଃଖ ଭାରତବର୍ଷ ! ଅତୀତଟା ଆଉ କେତେ ବାକି ?

ପତରର ପତା ତଳେ ଫାଟେ ତୁମ ପଥରର ଆଖି ॥

 

ପରଦେଶୀ ପକ୍ଷୀ

 

ହେ ନୀଳ ଭାରତବର୍ଷ ! ସାନିସଂଜ ସ୍ମୃତିର ଟାପୁରେ

ଈର୍ଷାର ଏ ଇଳାବୃତ୍ତେ ଇତି ଏବେ ଇଚ୍ଛାମତୀନଦୀ

ତରଂଗର ତାଳେତାଳେ, ନିକ୍ୱଣିତ ନୂପୁରେ ନୂପୁରେ

କାହାର କୁମାରୀକଂଠ ତୋଳିଯାଏ ଦୁଃଖର ଧ୍ରୁପଦୀ ?

 

ଦିଗଂତରୁ ଦସ୍ୟୁ ଆସେ । ଘାଟେଘାଟେ ଘାତକର ଘୋଡ଼ା

ମଂଗୋଲର ମହଲରେ ଚେଇଁଉଠେ ଚିତାର ଚିରାଗ...

ଜୁଇ ଜଳେ ଜିଭ ମେଲି । ଲହୁ ପରେ ଲୁହ କେତେ ଲୋଡ଼ା?

ଏ ଲୁହ କି ଲିଭାଇଛି କଳଂକର କଣିକାଏ ଦାଗ !

 

ବିଷର ବାହିନୀ ବୋଧେ ବୋଇତାଳ ବଣିକର ବେଶେ

ବିନଷ୍ଟ ଏ ବର୍ଣମାଳା । ନଷ୍ଟ ନଥି । ଛତ୍ରହୀନ ଛଂଦଃ

ସବାକ୍‌ ଶତାବ୍ଦୀସବୁ ଶବାସନେ ଶୋଇପଡ଼େ ଶେଷେ

ଶକାବ୍ଦର ଶୋକ ଶୁଣେ କନିଷ୍କର କରୁଣ କବଂଧ !

 

ହେ ନୀଳ ଭାରତବର୍ଷ ! ଦୁର୍ଗଦ୍ୱାରେ ରକ୍ତସ୍ନାତ ରକ୍ଷୀ...

ଫାଲ୍ଗୁନର ଫୁଲବନୁ ଫେରିଯାଏ ପରଦେଶୀ ପକ୍ଷୀ ॥

 

ଦୂବ ଆଜି ଦୁଃଖ ଲେଖେ

 

ହେ ଧୂଳି ଭାରତବର୍ଷ ! କିଏ କାଂଦେ କୁଡ଼ିଆକଣରେ ?

ଗୁଂଠଗୁଂଠ ଗୁଗୁଚିଆ ... ଗାତ ତଳେ ଗୋଧିର ଗୁମର

ବୟସର ବାରବାଟୀ ବାହୁନୁଚି ବାଉଳା ବଣରେ

ଅୟସର ଉଆସରେ ଓଲଟିଚି ଆଲଟଚାମର !

 

ଖରା ସିନା ଖଇ ଭାଜେ କଉଡ଼ିର କୋତରାହାଟରେ

କାହିଁକି ଶୀତଳ ତୁମ - ଶୀର୍ଣଶିରା-ପ୍ରଶିରା କି ସ୍ନାୟୁ?

ହାଡ଼େହାଡ଼େ ହାହୁତାଶ । ହାହାକାର। ହଳଦୀଘାଟରେ

ଚୈତକର ଚିତାଗ୍ନିଟା - ଚିହ୍ନ କିଂତୁ ଚିତ୍ରାଗ୍ନି ଚିରାୟୁଃ !

 

ଧୂଆଁ ଦିଏ ଟିପଚିହ୍ନ ଦିକିଦିକି ନିଆଁର ନଥିରେ...

ଦ୍ରାଘିମାରେ ଦାସଦ୍ରୋହ ... ଅକ୍ଷାଂଶରେ ଅପହୃତ ଅଶ୍ୱ

ନିଅଁ ତଳେ ଦିଅଁ ଛପେ । ପୂଜାପାଠ ପଥରସଂଧିରେ

ଗାୟବ୍‌ ଗାୟତ୍ରୀ ଆମ, - ଏବଂ ଓଁ - ଭୂଃ - ଭୁବସ୍ର୍ୱଃ...

 

ହେ ଧୂଳି ଭାରତବର୍ଷ ! ତୂଳିସଂଜ ଶତଶୃଂଗଶିରେ...

ଦୂବ ଆଜି ଦୁଃଖ ଲେଖେ ଦୀର୍ଘ ତୁମ ଦୁର୍ଗର ପ୍ରାଚୀରେ ॥

 

ଶେଷସେନା

 

ହେ ଦୃଶ୍ୟ ଭାରତବର୍ଷ ! ଚାରିପଟେ ଛାଇର ଛିଟିକା

କିଚିରିମିଚିରି କରେ ଲେଉଟାଣି ପକ୍ଷୀର ଠିକିରି...

ଝଂଜା ତୁମ ଝାଂଜ ପିଟେ, ନିଆଁ ଗିଳେ ନିଦର ବଟିକା

ଗଂଜେଇଧୂଆଁ ବି ଗପେ - ଗୋଧୂଳିର ଗୋହିରାଟିକିରି !

 

ସାୟାହ୍ନର ଶେଷସେନା ଶୋଇପଡ଼େ ସଲାମୀ ଶିବିରେ

ଲହୁରେ ଲୁହରେ ଲିପା ଗୋଲଂଦାଜୀ ଗ୍ଳାନିର ଗୋମୟ

ଇତିହାସ ଓଦା ଏଠି ସାଂଜୁଆଳୀ ସଂଜର ଶିଶିରେ

ସୂର୍ଯାସ୍ତର ଶିଳାଲେଖ : ସମୁଦାୟ ସଫେଦ୍‌ ସମୟ !

 

କାଠଘୋଡ଼ା ପାଣି ପିଏ ... ଶୁଆଠାରୁ ଶୁଣୁଚି ଶାରୀ ଯା

ମହାନଦୀ ମଉଜାରେ ଫଉଜଟା ପାଉଁଶ ପାଲଟେ

କିଏ ଭାଂଗେ ଲୁହାବାଡ଼? କାଚ ଭାଂଗେ ରାଜାର ଭାରିଯା

ମୁଲକରେ ମୁହଁସଂଜ । ପବନରେ ପାଂଜିଟା ଓଲଟେ !

 

ହେ ଦୃଶ୍ୟ ଭାରତବର୍ଷ ! ପଂଜରାରେ ପଂଜୁରିତିଆରି...

ଛାଇର କି ଛଉନାଚ - ହାଇ ମାରେ ହଳଦୀକିଆରି !

 

ଉଆଁସର ଉଆସରେ

 

ହେ ଭାଟ ଭାରତବର୍ଷ ! ଶେଷ ତୁମ ସମୟର ସ୍ତୁତି

ଅସ୍ତଗତ ଅତୀତର ଅଂତର୍ଗତ ଅୟୁତ ଊର୍ଜନା...

ବର୍ଷବର୍ଷ ବିପଂଚୀରେ ବିପନ୍ନ କି ବ୍ରତର ବିସ୍ମୃତି?

ମାସମାସ ମାଦଳରେ ମାଦକୀୟ ମାଂସର ମୂର୍ଛନା !

 

କି ଚାରୁ ଚାଂଚଲ୍ୟକର ଚାଳନାଦି ! ଚର୍ମ ନା ଚଂଦ୍ରରେ ?

ଚିରୁଥାଏ ଚିରଦିନ ଚଂପାକଢି଼ ଚିରୁଡ଼ାଚିରୁଡ଼ା

ଲୁଳିତ ଲେଖନକାର ଲେଖିରଖେ ଲଳିତଛଂଦରେ

ସହସ୍ର ସ୍ତନର ସ୍ତବ ... ସହଜିୟା ସିଦ୍ଧସ୍ତୁତିଗୁଡ଼ା !

 

ଅଂତଃପୁରେ ଅଂଗସଜ୍ଜା । ଅନଂଗ ତ ଅଂତଃସ୍ଥଳମୟ

ରସ ନା ରଭସ ରମ୍ୟ? ରସନାରେ ବୀରବର ବଶ

ରୂପ ତଳେ ଧୂପ ଜଳେ । ଦୀପତଳେ - ଦେହଦେହୀଦ୍ୱୟ

ଉଆଁସର ଉଆସରେ ରଂଗବତୀ ରାତିର ରହସ୍ୟ !

 

ହେ ଭାଟ ଭାରତବର୍ଷ ! ଭ୍ରଥଖଂଡୁଁ ଭରତିଆ ଦୂରେ...

ପ୍ରଜା ବୁଲେ ବନସ୍ତରେ, ରଜା ଲୁଚେ ରାଣୀହଂସପୁରେ ॥

 

ପର ଝାଡ଼େ ପକ୍ଷିରାଜ

 

ହେ ଇଚ୍ଛା ଭାରତବର୍ଷ ! ପର ଝାଡ଼େ ପକ୍ଷିରାଜ ଘୋଡ଼ା

ଅଥଚ କି ଅତିଷ୍ଠ ଏ ଅତୀଂଦ୍ରିୟ ଅତୀତ ଏଇଠି...

ପଥରର ପିଠି ପାତେ ପୋଡ଼ାପୋଚା ପାଗକୁ ପାଗୋଡ଼ା

ଗିର୍ଜାର ଗଂବୁଜପରେ ଗୋଧୂଳିଟା ଘଷୁଚି ଗୋଇଠି !

 

ଦିନାଂତର ଦୀପଦାନ ଦେଉଳର ଦଧିନଉତିରେ

ମସ୍‌ଜିଦ୍‌ ମଥାନରେ ମଳିଚିଆ ମେଘର ମୁଗୁନି

ପରଂପର ପରିଚିତି ପାଉଁଶର ପଟାପାଉତିରେ

ଧର୍ମର ଏ ଧୁନିଧାରେ ମର୍ମବାଣୀ ମୁର୍ଛେ ମହାମୁନି !

 

ବିଲୟର ବର୍ଣମାଳା ! ବିଡ଼ଂବିତ ବୁଦ୍ଧର ବ୍ୟଂଜନା

ଲହୁର ଲଗାଣବର୍ଷା ଲୁତୁପୁତୁ ଲୁଣିମରା ଲୁହେ

ଯୁଦ୍ଧର ଏ ଯୂପକାଠେ ଜୁଡ଼ୁବୁଡ଼ୁ ଯୀଶୁର ଯଂତ୍ରଣା

ତିଥିସବୁ ଇତି ତୁମ ତିଳତିଳ ତରାର ଆଲୁଏ !

 

ହେ ଇଚ୍ଛା ଭାରତବର୍ଷ ! ଇଡ଼ିଆସେ ଈର୍ଷାର ଅଂଧାର...

ଉଡ଼ିଯାଏ ପକ୍ଷିରାଜ ଇଳାବୃତ୍ତେ ଇଚ୍ଛାହୀନତାର ॥

 

ମୌନାବତୀ ମାଟି

 

ହେ ଦୁର୍ଗ ଭାରତବର୍ଷ ! ଦିଗଂବରୀ ଦିନାଂତର ଦ୍ୱୀପ !

ପଂକୁଆ ପାଣିର ଫେଣ ଫେଂଟୁଥାଏ ପୋରିହା ପରିଖା

ପାରିହୁଏ ପକ୍ଷିରାଜ ନିଦ୍ରାହତ ନୀଳଅଂତରୀପ

ହୀରକପ୍ରଦୀପ ତଳେ ହଜେ ହାୟ ହରିଦ୍ରାଭ ଶିଖା !

 

ମର୍ମଂତୁଦ ମଧ୍ୟାଂତର ! ନିଷ୍ପ୍ରଦୀପ ନିଷାଦ-ନଗରୀ

ଶାମୁକାର ସ୍ୱପ୍ନସବୁ ସୂର୍ଯାସ୍ତର ଶୋଣିତରେ ସ୍ନାତ

ଶିବିରେ ଶିବିରେ ଶୁଭେ ଶଂଖନାଦ, ସପ୍ତନାଗେଶ୍ୱରୀ

ଦ୍ରାବିଡ଼ର ଦ୍ୱାରଦେଶେ ଅନାହୂତ ଆର୍ଯର ଆଘାତ !

 

ଅନଂତର ମନ୍ୱଂତର ! ଅକ୍ଷୌହିଣୀ ଅଂତର୍ହିତ କାହିଁ

ନିର୍ବାତ ନିଶାର୍ଧ ନଏଁ ନିର୍ବାପିତ ନକ୍ଷତ୍ରର ନୀଡ଼େ

ବିଷର ବଣିକ ବସେ ବାରୁଦର ବଜାର ବିଛାଇ

ଛାଇ ଚିହ୍ନି ନାହି ଡିଏଁ, ଭାଇ ଭର୍ତି ଭଗାରିର ଭିଡ଼େ !

 

ହେ ଦୁର୍ଗ ଭାରତବର୍ଷ ! ଘରେଘରେ ଘାତକର ଘାଟି

ମଉଳା ଏ ମୁଲକରେ ମଥା କୋଡ଼େ ମୌନାବତୀ ମାଟି ॥

 

ନିରୁଦ୍ଦେଶ ନଚିକେତା

 

ହେ ମୃତ୍ୟୁ ଭାରତବର୍ଷ ! ମୁଖାଗ୍ନିର ମୁହୂର୍ତ ଆସନ୍ନ

ଅଂତ୍ୟେଷ୍ଟିର ଅପେକ୍ଷାରେ ଉପେକ୍ଷିତ ଅପୋଡ଼ା ଏ ମଡ଼ା

ଅମୃତର ପୁତ୍ର ପାଇଁ ଅଂଶଧନ : ଏରକାର ବନ

ଚଂଦନକାଠକୁ ଚାହଁ - ସରିଲାଣି ଚିତା ବି ସଜଡ଼ା !

 

ନିଆଁ ଆମ : ନଂଦିଗ୍ରାମ । ଧୂଆଁଧାର ଦଶାଶ୍ୱମେଧରେ

ଡାହାଣୀଆଲୁଏ ଏଠି ରକ୍ତଶୋଷା ରାତିର ଡାଉଁଶ...

ଅଂଗହାନି, ରଂଗହାନି ... ହଂସହାନି, ବଂଶହାନି ପରେ

ପୋଡ଼ିଯାଏ ପଂଚବଟୀ, ପୁଷ୍ପପୁର ପାଲଟେ ପାଉଁଶ !

 

ତ୍ରିଶଂକୁ ତ୍ରିରଂଗା ତଳେ ତିକ୍ତ ତୁମ ତୀବ୍ରମାନହାନି

ମନେପଡ଼େ, ମନେପଡ଼େ ମର୍ମାହତ ମିଥିଳାର ମୁହଁ

ଗଂଗୋତ୍ରୀର ଗୋଳିଜଳେ ଗୋମତୀର ଗୋପନୀୟ ଗ୍ଳାନି

ଦଶାର୍ଣର ଦୁଃଖଠୁ କି ଊଣା ତୁମ ଲୁଂବିନୀର ଲୁହ !

 

ହେ ମୃତ୍ୟୁ ଭାରତବର୍ଷ ! ଘରେଘରେ ଆତ୍ମଶ୍ରାଦ୍ଧ ସରେ

ନିରୁଦ୍ଦେଶ ନଚିକେତା ନରକର ନିଷିଦ୍ଧ ନଗରେ ॥

 

ଫାଶୀ ପାଏ ଫୁଂଗୁଳା ଫଗୁଣ

 

ହେ ଭଂଗାଭାରତବର୍ଷ ! ଜହରର ଜୁଆର ଗଂଗାରେ

ତୁମରି ରକ୍ତରେ ଆଜି ରଂଗା ତୁମ ତଟସ୍ଥ ତ୍ରିରଂଗା

ଅଂଗାରର ଇତିହାସ ନଂଗା କେତେ ଗଢ଼ା ଓ ଭଂଗାରେ

ଦଂଗାର ଏ ଦରିଆରେ ଡୁବିଯାଏ, ଡୁବିଯାଏ ଡଂଗା !

ଲଂଗଳାମାଟିରେ ତୁମ ମୈଥୁନର ମଂଗଳାଚରଣ

ଜଡ଼ପ୍ରସ୍ତରରେ ଜଳେ ଯୌଥଯୌନଯୌବନର ଜ୍ୱାଳା

ଦୁଃଖର ଏ ଦୁଆବରେ ଶୋକ ନୁହେଁ ଶଂକରାଭରଣ

ମଉଳାଜହ୍ନର ଜଉ ମାଖିହୁଏ ମୃତମୁଖଶାଳା !

 

ପ୍ରାଚୀନ ପ୍ରେତାତ୍ମା ତୁମ ବଜ୍ରାହତ ବଂଶୀବଟମୂଳେ

ଅଦେହୀ ସେ ଅସ୍ତିତ୍ୱର ଅବଶୋଷ ଅକଥ୍ୟ ଅକଥ୍ୟ

ତୁମେ ତୋଳ ଘାସଫୁଲ କେଉଁ ଗିରି-ଝରଣାର କୂଳେ?

ଫରେଷ୍ଟ୍‌ପାର୍କ୍‌ରେ ଖୋଜ କେଉଁ ବନତୁଳସୀର ତଥ୍ୟ !

ହେ ଭଂଗାଭାରତବର୍ଷ ! ଭାଂଗେ ଆଜି କଲମର ମୁନ

ଫେରିଯାଏ ଫୁଲସଂଜ ... ଫାଶୀ ପାଏ ଫୁଂଗୁଳା ଫଗୁଣ ॥

 

କେଉଁଠି ବା ପଦ୍ମଟିଏ ଫୁଟେ ?

 

ହେ ଛିନ୍ନଭାରତବର୍ଷ ! ଚିତ୍ରାର୍ପିତ ଚିହ୍ନିତ ଚୌହଦି

ସାତତାଳ ପାଣିତଳୁ ହାତ ଠାରେ ସାତତାଳ ପଂକ

ହ୍ରଦ ଭୁଲେ ହଂସ ତୁମ । ପତ୍ତା ଭୁଲେ ସମୁଦ୍ରକୁ ନଦୀ

ଆଦିଗଂତ ଆର୍ତନାଦ ଆମୂଳାଂତ ଆଗ୍ନେୟ ଆତଂକ !

ହିମାଦ୍ରିରେ ହାହୁତାଶ । ବିଂଧ୍ୟାଦ୍ରିରେ ବିଚ୍ଛିନ୍ନ ବତାସ

ଛାତିକୁ କାତି ନା ଛୁରୀ ? ବଂଧୁତ୍ୱକୁ ବଂଧୁକର ଗୁଳି

ବଧ୍ୟଭୂମି : ବଂଧ୍ୟଭୂମି । ହଜେ ଶ୍ୱାସ, ହଜୁଛି ବିଶ୍ୱାସ

ମିଥ୍ୟାର ମୁଲକେ ଏଠି ସବୁଦିନେ ସତ୍ୟ ଚଢ଼େ ଶୂଳି !

ତୋପ ଫୁଟେ ଗୋପପୁରେ । ବ୍ରଜବାଟମାରଣା ବଇଁଶୀ

ବଦ୍ରିକାରେ ବିସ୍ଫୋରଣ ... ମଧୁବନ ଭସ୍ମଶଯ୍ୟାଶାୟୀ

ଚେତନାର ଚାରିପଟେ ଚରିବୁଲେ ଅରଣାମଇଁଷି

ଘୁମଂତ ଭିଡ଼ରେ ତୁମ ଘୂରିବୁଲେ ଗୁପ୍ତ ଆତତାୟୀ !

ହେ ଛିନ୍ନ ଭାରତବର୍ଷ ! କେଉଁଠି ବା ପଦ୍ମଟିଏ ଫୁଟେ ?

ଚେନାଏ ଦୂବର ପତ୍ର କେଉଁଠି ବା ତୁମ ଚଂଚୁପୁଟେ ??

 

ହାଇ ମାରେ ହିମାଚଳ

 

ହେ ଭିନ୍ନଭାରତବର୍ଷ ! ଭୋଗଭୂମେ - ହେ ଭଗ୍ନଭୂଚିତ୍ର !

ଲାବଣ୍ୟବତୀର ରାତ୍ରି ସର୍ପାହତ ଶ୍ମଶାନଘାଟରେ

ତରା ତୁମ ତଅପୋଈ । ବାହୁଡ଼େନା ବହିସ୍ଥ ବହିତ୍ର

ଖୁଲଣାସୁଂଦରୀ ଖୋଜେ ଲୁହବୁଂଦେ ଅଲଣାହାଟରେ !

କଳିଂଗକୁ କାରୁବାକୀ ମୁହାଁଇନି ମଗଧରୁ ଆଉ

କାଂଦୁଥାଏ କିଂବଦଂତୀ ହେବ ଦିନେ ଇତିହାସ ବୋଲି

ଲୁହରେ ଲବଂଗଲତା ଲେଖୁଥାଏ ଚଂପାକୁ ଚିଟାଉ

ସାତଚୂନା ସୁନାଶଂଖା, ଛଅଚିରା ଚାମେଲିର ଚୋଲି !

ସତୀର ଚିତାଗ୍ନି ଚିରି ଚେଇଁଉଠେ ଶତାବ୍ଦୀର ସ୍ମୃତି

ଜଳୁଥାଏ ଜାଂବବତୀ । ପୋଡ଼ୁଥାଏ ପିଂଗଳାର ମନ

କିଏ ଏଠି ବୁଝେ ଏତେ ଅତୀତାଂକ ଆର୍ତ ଆତ୍ମାହୁତି ?

ଧର୍ଷଣର ଦାଗ ଧୋଇ ଧର୍ମ ଦିଏ ଦୀକ୍ଷାଂତ ଦର୍ଶନ !

ହେ ଭିନ୍ନଭାରତବର୍ଷ ! ଛିନ୍ନଭିନ୍ନ କୁଆଁରୀ-କଳିକା

ହାଇ ମାରେ ହିମାଚଳ ... ଆଖି ମଳେ କ୍ଳାଂତକୁମାରିକା ॥

 

ଜୀର୍ଣ ଜୀବାଶ୍ମ

 

ହେ ଭସ୍ମଭାରତବର୍ଷ ! ବାତାବର୍ତ ବାରୁଣାବଂତରେ

ଭ୍ରଷ୍ଟ ତୁମ ଭୂର୍ଜବନବନାଂତରେ ଅଷ୍ଟନାଗବ୍ୟଥା

ଦ୍ୱାରକାର ଦଂଗା ଆଉ ହସ୍ତିନାର ହତ୍ୟାକାଂଡ ପରେ

ସମୟସମୟାଂତର ସଂଚରିତ ଶିରାଳ ଶୂନ୍ୟତା !

 

ଅଯୋଧ୍ୟାରେ ଅଗ୍ନିବର୍ଷା । ମଥୁରାରେ ମୃତ୍ୟୁର ମୃଗୟା

ଗୋଧ୍ରାର ଗଳିରେ ଗୁଳି ... ବ୍ୟତିବ୍ୟସ୍ତ ବିଦର୍ତ ବିଦିଶା

ତଥାପି ତୁଟିନି ମନୁ ମୌନ ତୁମ ମୃତ୍ତିକାର ମାୟା

ସମାବୃତ ଏ ସଂଧ୍ୟାର - ତୁମେ ସେଇ ଶୁଭ୍ରଶତଭିଷା !

 

ଦ୍ୱୀପରେ ଦ୍ୱୀପରେ ଦୀପ। ତ୍ରିଦିବରେ ତରାର ତର୍ପଣ

ପୂର୍ବାଶାର ଫର୍ଦରେ ତ ସୂର୍ଯ ତୁମ ଶାଣିତ ଶୀର୍ଷକ

ଫେରସ୍ତ ପକ୍ଷୀର ଥଂଟେ ସ୍ପଷ୍ଟ ନୂଆ ପୃଥିବୀର ତୃଣ

ଫୁଲର ପାଉଁଶତଳୁ କଥା କହେ କଅଁଳ କୋରକ !

 

ହେ ଭସ୍ମଭାରତବର୍ଷ ! ଜହ୍ନ ଉଠେ ଅସ୍ତ-ବନସ୍ତରୁ...

ଯୁଗାତୀତ ଜାଗରଣ ଜୀର୍ଣ ତୁମ ଜୀବାଶ୍ମ ଭିତରୁ ॥

 

ଠାବ କାହିଁ ? ନାବ କାହିଁ ?

 

ହେ ତ୍ରସ୍ତଭାରତବର୍ଷ ! ତମସ୍ୱିନୀ ତୋଳେ ତ୍ରାହିତ୍ରାହି

ପଥ ହୁଡ଼େ ପାଂଥ ତୁମ, ଦିଶୁନାଇଁ ଦୀପ କି ଦିହୁଡ଼ି

ଶେଷପ୍ରାୟ ଶୋକସଭା ଗୁଳିବିଦ୍ଧ ଗଣତଂତ୍ର ପାଇଁ

ତୁମ ଏ ପତାକା ଝୁଲେ ବେକେ ଦେଇ ଫାଶୀର ଦଉଡ଼ି !

 

ଭୂତପୂର୍ବ ଭସ୍ମାସୁର ଗଢ଼ିଚାଲେ ଘରେଘରେ ଘାଟି

କିମିଆ କରେ କି ନିଆଁ ? କଳାଧୂଆଁ : କୁହୁକବଳୟ ?

ଜଳେ ଚର୍ମ । ଜଳେ ମର୍ମ । ମୁମୂର୍ଷୁ ଏ ମଣିଷର ମାଟି

ଏ ନିଆଁର ନିଃଶ୍ୱାସରେ ପୋଡ଼ିମରେ ପ୍ରେମ ଓ ପ୍ରତ୍ୟୟ !

 

ପୋଡ଼ିମରେ ପରଂପରା । ପୌରାଣିକ ପୋଥିର ପ୍ରାର୍ଥନା

ଇଡ଼ିଯାଏ ଇତିହାସ ସମୟର ସିଲଟରେ ତୁମ...

କିଏ ତୁମ ଲଲାଟରେ ଲେପିଯାଏ ଲଜ୍ଜାର ଲାଂଛନା,

କର୍ଦମାକ୍ତ କପାଳରେ କଳଂକର କରୁଣ କୁଂକୁମ ?

 

ହେ ତ୍ରସ୍ତଭାରତବର୍ଷ ! ଭଟ୍ଟାଭଂଗା ଭୟର ଭଉଁରି...

ଠାବ କାହିଁ ? ନାବ କାହିଁ ? ନିଖୋଜ୍‌ କି ନିଆରା ନାଉରି ??

 

ନଷ୍ଟ ହେଉ ନିୟୁତ ନିର୍ବାଣ

 

ହେ ଅସ୍ତଭାରତବର୍ଷ ! ଅଂତର୍ହିତ ଅତୀତ ଅଂତତଃ

କବଂଧର କ୍ରୋଧ ଜଳେ ପ୍ରେତାୟିତ ପ୍ରାଚୀନ ପ୍ରହରେ

ନିର୍ଭାଜ୍ୟ ନୈରାଜ୍ୟ ନେଇ ନିରଂକୁଶ ନରକବଂତ ତ -

ଇଂଦ୍ରିୟର ଇଂଦ୍ରପ୍ରସ୍ଥେ, ଶୀତାୟିତ ସ୍ନାୟୁର ସହରେ !

 

ମୋତିର ଏ ମହଲାରେ ଗଣତଂତ୍ର ଗୋତି ଖଟେ ଆସି

ତୁଂଗ ତୁମ ତନୁତଳ୍ପେ ତପ୍ତତର ତୃଷ୍ଣାର ତ୍ରିଶିରା...

ଜଲ୍ଲାଦର ଜାଗିରିରେ ଜାରି ପୁଣି ପ୍ରହ୍ଲାଦର ଫାଶୀ

ପ୍ରଜନ୍ମର ପ୍ରଦାହରେ ପ୍ରଜ୍ୱଳିତ ପ୍ରତ୍ୟେକ ପ୍ରଶିରା !

 

କାହାର ଆଜ୍ଞାରେ ଅଂକା ଅଂଗାରରେ ତୁମ କଳ୍ପକାୟା ?

ଜର୍ଜରିତ ଜୀବନରେ ଜହରର ଜନ୍ମଜନ୍ମ ଜ୍ୱାଳା...

ଜରାଜୀର୍ଣ ଜାତକରେ ଶତଶୀର୍ଣ ଛିନ୍ନତାର ଛାୟା

ଶୋଚନାସଂକୁଳ ଶ୍ଳୋକ, ବ୍ୟଂଜନାର ବ୍ୟର୍ଥବର୍ଣମାଳା !

 

ତଥାପି ତୁମରି ବୁକେ ପୁନର୍ଜନ୍ମ - ମାଗେ ଏଇ ପ୍ରାଣ...

ନମିଳୁ ନିସ୍ତାର ପଛେ, ନଷ୍ଟ ହେଉ ନିୟୁତ ନିର୍ବାଣ ॥

 

ବ୍ୟାସକୂଟ

 

କେଉଁ ଆଦି, କେଉଁ ଅଂତ

ତୁମ ଦିଗଂତ ?

କେଉଁ ଉଦୟ, କେଉଁ ଅସ୍ତ

ତୁମ ବନସ୍ତ ?

 

କେଉଁ ଧ୍ୱନି, କେଉଁ ଧ୍ରୁପଦୀ

ତୁମ ନଦୀ ?

କେଉଁ ପୁଷ୍ପ, କେଉଁ ପତ୍ର

ତୁମ ନକ୍ଷତ୍ର ?

 

କେଉଁ ବିଂଦୁ, କେଉଁ ବିସର୍ଗ

ତୁମ ନିସର୍ଗ ?

କେଉଁ ଓସ୍ତ, କେଉଁ ବର

ତୁମ ସ୍ଥାବର ?

 

କେଉଁ ସ୍ମୃତି, କେଉଁ ସଂଗମ

ତୁମ ଜଂଗମ ?

କେଉଁ ରୂପ, କେଉଁ ରଂଗ

ତୁମ ତରଂଗ ?

 

କେଉଁ କାବେରୀ, କେଉଁ କୃଷ୍ଣା

ତୁମ ତୃଷ୍ଣା ?

କେଉଁ ତୀର, କେଉଁ ତମସା

ତୁମ ତପସ୍ୟା ?

 

କେଉଁ ଜ୍ୟୋତ୍ସ୍ନା, କେଉଁ ଜ୍ୟୋତି

ତୁମ ମୋତି ?

କେଉଁ ବେଳା, କେଉଁ ବାଲୁକା

ତୁମ ତାଲୁକା ?

 

କେଉଁ ନୀଡ଼, କେଉଁ ନିକେତ

ତୁମ ସାକେତ ?

କେଉଁ ବାସ୍ତୁ, କେଉଁ ବସ୍ତି

ତୁମ ଶ୍ରାବସ୍ତୀ ?

 

କେଉଁ ଦିଗ, କେଉଁ ଦିଶା

ତୁମ ବିଦିଶା ?

କେଉଁ ପିଂଗଳା, କେଉଁ ଇଳା

ତୁମ ମିଥିଳା ?

 

କେଉଁ ତୀର୍ଥ, କେଉଁ ତୋଷାଳି

ତୁମ ବୈଶାଳୀ ?

କେଉଁ ପର୍ବତ, କେଉଁ ପାର୍ବତୀ

ତୁମ ଅବଂତୀ ?

 

କେଉଁ ପାଦପ, କେଉଁ ପଲ୍ଲବ

ତୁମ ମାଳବ ?

କେଉଁ ଧୂଳି, କେଉଁ ଧଉଳି

ତୁମ ଗୋଧୂଳି ?

 

କେଉଁ ଗାଁ, କେଉଁ ଗଂଜ

ତୁମ ସଂଜ ?

କେଉଁ କଜଳ, କେଉଁ ପାତି

ତୁମ ରାତି ?

 

କେଉଁ ଚିହ୍ନ, କେଉଁ ଚିରାଳ

ତୁମ ସକାଳ ?

କେଉଁ ଚିତ୍ର, କେଉଁ ବୈଚିତ୍ର

ତୁମ ଭୂଚିତ୍ର ?

 

କେଉଁ ଓଷ୍ଣ, କେଉଁ ଅଧର

ତୁମ ଭୂଧର ?

କେଉଁ ନଟ, କେଉଁ ନାଗର

ତୁମ ସାଗର ?

 

କେଉଁ ସ୍ୱପ୍ନ, କେଉଁ ସାଧନା

ତୁମ ସର୍ଜନା ?

କେଉଁ ଲୟ, କେଉଁ ବିଲୟ

ତୁମ ପ୍ରଳୟ ?

 

ପର୍ବତପ୍ରମାଣ ପ୍ରଶ୍ନପତ୍ର । ସେସବୁର ଅନାସକ୍ତ ଅନୁତ୍ତର ତୁମେ,

ବିମୂର୍ତ ବିମର୍ଶ...

ହେ ବ୍ୟଥା,

ହେ ବ୍ୟଂଜନା,

ହେ ବିହଂଗ,

 

ଭାରତବର୍ଷ ! ଭାରତବର୍ଷ !!

 

॥ ପକ୍ଷୀ-ପୁରାଣ ॥

ବୟସଟା ବିତିଯାଏ

ବାଣୁଆ ବାତୁଳା

ମସ୍ତବଡ଼ ଭୁଲ୍‌

ଜୀବନଟା ଜହ୍ନିଫୁଲ

ଉଆସରେ ଉଇ

ଗୁମାନର ଗୁଳୁଗୁଳି

ଲାଜରେ ଲବଂଗ

ପକ୍ଷର ପଣତ

ଘାସରେ ଘାସରେ

୧୦

ଫେରିଆସ ପ୍ରବାସରୁ

୧୧

ବ୍ୟାସକୂଟ

 

ବୟସଟା ବିତିଯାଏ

 

ହେ ପକ୍ଷୀ ଭାରତବର୍ଷ ! ଭାଗବତ ଶୁଣାଉନି ଶୁକ

ପଢ଼ୁନାଇଁ ପୁରାବୃତ୍ତ - ପଂଜୁରିର ଫାଟକ ଫିଟାଇ

ଦଅଁଶିବ ତକ୍ଷଦଂତ । ଦେହମନ ଦହୁଅଛି ଦୁଃଖ

ଶେଷତମ ସଂଜବତି ଶିଖାୟିତ - ପରିକ୍ଷିତ ପାଇଁ !

 

ଏ ମାଟି ମଉନାବତୀ । ମହଳୁଚି ମକୁଟର ମଣି

ଜଉମୁଦା ଜୀବନ କି ଅଟକିଚି ଅଳପ ଅଠାରେ...

ଛାଡ଼ିଯିବ ଏଇଲାଗେ - ଫୁର୍‌କିନା ଉଡ଼ିଯିବ ବଣି

ବାଉଁଶବଣର ଜହ୍ନ ବୁଡ଼ିଯିବ ପାଉଁଶପଠାରେ !

 

କୁଦିବୁଲେ କୋକୁଆଟା । କାନେକାନେ କକବାୟା କଥା

ଆସେ କାହୁଁ - ଏ ଅଂଧାର-ଘୁଡ଼ୁଘୁଡ଼ି ଘୁଷୁଡ଼ିଘୁଷୁଡ଼ି?

ଅଶିଣର ଆଖିପରେ ଓଜନିଆ ପଉଷର ପତା

କାଳର କିନାରେ କେତେ କଳା ବୋଳେ କଳିର କୁହୁଡ଼ି !

 

ହେ ପକ୍ଷୀ ଭାରତବର୍ଷ ! ବୟସଟା ବିତିଯାଏ ବଣେ...

ଦିଗଂତର ଧୂଆଁ ଦିଶେ ଦାରୁଚିନି ଦ୍ୱୀପର ଦର୍ପଣେ ॥

 

ବାଣୁଆ ବାତୁଳା

 

ହେ ପକ୍ଷୀ ଭାରତବର୍ଷ ! ଘୋଳିହୁଏ ଗରୁଡ଼ର ପିଠି...

ଇଗଲର ଇଜଲାସେ କାପତାର କାତର କାଇଲି

ଚାତକର ଚେତା ବୁଡ଼େ। ଚିରିଲାଣି ଚଟିଆର ଚିଠି

ଶାରୀ ଆଜି ଦାରୀ ହୁଏ, କୋଇଲିଟା କାଉର ପୋଇଲୀ !

 

ମେଘର ଏ ମଶାଣିରୁ ମୟୂରଟା ମାଗୁଚି ମେଲାଣି

ଟିଟ୍ଟିଭର ଟିଟ୍ଟିକାର ... ଟହଲୁଚି ଟାହୁଲିଆ ଟିଆ

ଡାକୁଡାକୁ ଡାହୁକଟା ଡଅଁରରେ ଡଂଗା ଡୁବିଲାଣି

ଚକୁଆ ଭକୁଆ ଏଠି, ଭଲଲୋକ କଜଳପାତିଆ !

 

କୋଚିଲାଖାଈକୁ କୁହେ କୁଂଡାଖାଈ : କାଇଁ କୁଂଭାଟୁଆ ?

ହଳଦୀବସଂତ ହଜେ । ହଜିଗଲା ହରଡ଼ଚଢେଇ

ଫେରୁନାଇଁ ଫୁଲଚୁଇଁ । ଫର୍ଦୱାରି ପେଚାର ଫତୁଆ

ଶାଗୁଣାର ସରହଦେ ଶୁଏ ସୁନା-ସାରସ ତ ସେଇ !

 

ହେ ପକ୍ଷୀ ଭାରତବର୍ଷ ! ପରାଣଟା ପାଲଟେ ପିତୁଳା ...

ବାରୁଣାବଂତରେ ବୁଲି ବାଣ ବିଂଧେ ବାଣୁଆ ବାତୁଳା ॥

 

ମସ୍ତବଡ଼ ଭୁଲ୍‌

 

ହେ ପକ୍ଷୀ ଭାରତବର୍ଷ ! ଦାଗୀଦାଂଡ ଦାରୋଗା ଦୁଆରେ

ଡାକୁହାତେ ଡୋରି ତୁମ, ଠଗହାତେ ଠିକାର ଠିକିରି

ତୁନ୍‌ତାନ୍‌ ତହସିଲ୍‌ । ତାଲା ପଡ଼େ ତାଳବଣିଆରେ

ତିରୋଟ ଆସିଚି ଆଜି - ତରାଟର ତଫସିଲ୍‌ ଚିରି !

 

ତାଳୁ ତୁମ ତଳିପାରେ । ତିମିରରେ ତରାର ତମାଦି

ଜନାକାରି : ଜମାଦାରି ! ରାହାଜାନି : ରାଜଧାନୀ ନାଁ'

ଫଗୁଣର ଫଳକରେ ଫିକାଫିକା ଫୁଲର ଫେରାଦି...

ଫସଲ ଫସର ଫାଟେ ... ଫଟାଭୂଇଁ ଗାଳେ ଫେର୍‌ ଫାଁ' !

 

ମଉଜାରେ ମାମଲତି। ରାଇଜରେ ରଇଜଳା ରାତି

ସବୁଠି ରକ୍ତର ଋତୁ ! ଶେଷଚାରା ରୋଉଚି ରଇତ...

ବୋଲୁଚି ବାଳୁଂଗାବୃତ୍ତେ ବାଇଧନ - ରାଗ ବିଛୁଆତି

ଅଧାକଟା ଆଂବଗଛେ - ଓହଳିଚି ଏଇ ତ ଚଇତ !

 

ହେ ପକ୍ଷୀ ଭାରତବର୍ଷ ! କୋଇଲିର ଓଠରେ ଥୁକୁଲ୍‌...

ହୁଏତ ବସଂତ ଏଠି ଆସିବାଟା ମସ୍ତବଡ଼ ଭୁଲ୍‌ ॥

 

ଜୀବନଟା ଜହ୍ନିଫୁଲ

 

ହେ ପକ୍ଷୀ ଭାରତବର୍ଷ ! ଛାତ ଛୁଏଁ ଛଟପଟ ଛାଇ

ଖପରଲି ଖମାରରୁ ଖସିଲାଣି ଖଇରିଆ ଖରା

ଅତାଡ଼ିରେ ଅତୀତଟା । ଅପହୁଂଚ ଇଲାକାରେ ଆଈ

ପୋକରା ପୋଥିର ପେଡ଼ି, ପଡ଼ିରହେ ପୁରୁଣା ପେଟରା !

 

କାଗଜଡଂଗାଟା ଏଠି ଡୁବିଯାଏ ଟୁବିଗଡ଼ିଆରେ

ମହଳଣ ପଡ଼ିଲାଣି ତୁମଆମ ଅମଳର କଥା

ମହରଗ ମଲ୍ଲୀମାଳ । ମଇନାଟା ମଳି-ମସିଆରେ...

ବାସି ଏ ବାସରରାତି ବୋଳିହୁଏ ବଉଳର ବ୍ୟଥା !

 

ବେହିସାବୀ ବୟସଟା । ସମସଂଗୀ ସୁରା ଓ ଶୃଂଗାର

କଥା ହଜେ । ନଥା ହଜେ । କଟିଯାଏ କୁରେଇର କଢ଼

ଅନହୁତି ଅସ୍ଥି ଲେଖେ ହସ୍ତଲିପି ଅଂଗାର ଅଂଗାର

ପୋଡ଼ିଯାଏ ପରମାୟୁ ... ପାଉଁଶରେ ପଉଷ-ପହଡ଼ !

 

ହେ ପକ୍ଷୀ ଭାରତବର୍ଷ ! ଜୁଆରରେ ଜହ୍ନ ଯାଏ ବୁଡ଼ି

ଜୀବନଟା ଜହ୍ନିଫୁଲ ... କଷାପିତା କଇଁଚିକାକୁଡ଼ି ॥

 

ଉଆସରେ ଉଇ

 

ହେ ପକ୍ଷୀ ଭାରତବର୍ଷ ! ନିଥର ତ ନାଥର କେଂଦରା

ଏ ଗଳିରେ ଗୀତ ଆଉ ଗାଉନାଇଁ ଚକୁଳିଆପଂଡା

ଦିଶୁନାଇଁ ଦୀପଦଂଡି । ପହଂଡିର ଦିଗଟା ଦୋସରା

ଭଂଗା ଏ ଭିଟାରେ ବୁଲି ଭାଟିଆରି ବୋଲଇ ଭେରଂଡା !

 

ଚଉମୁଦା ଚଉତିଶା । ଚିରିଲାଣି ଛାମୁଂକର ଛତା

ଛିଡ଼ିଲାଣି ଛାମୁଡିଆ - ଛାଇଛିଟା ଛଣର ଛୁଆଣି

ଅଝଟ ଅବୋଲକରା ଆଡ଼ଉନି ଅଡ଼ୁଆ ଅକଥା

ଫେରିନାଇଁ ପାଟଦେଈ, ପୋଡ଼ପୋଡ଼ା ପୂନେଇଁପୁଆଣି !

 

ସ୍ମୃତିର ଏ ଶଗଡ଼ିରୁ ସରିଲାଣି ସୁନାସୂତାଖିଅ...

ତୁଠର ତମାଳ ତଳେ ତୁନି ତୁମ ତେଲିଂଗିବାଇଦ

ସବାରିର ସମାଧିରେ ଶୋଇପଡ଼େ ସୁନାନାକୀଝିଅ

ନିଅଁତୁଟା ନଅରରେ ନିଅଂଶେଈ ନାଗୁଣୀର ନିଦ !

 

ହେ ପକ୍ଷୀ ଭାରତବର୍ଷ ! ଜଉଘରେ ଜଳୁଥାଉ ଜୁଇ -

ଉଡ଼ିବନି ଉପକଥା - ଉଂକୁଥାଉ ଉଆସରେ ଉଇ ॥

 

ଗୁମାନର ଗୁଳୁଗୁଳି

 

ହେ ପକ୍ଷୀ ଭାରତବର୍ଷ ! ଘଂଟି ନାଇଁ, ଘାଗୁଡ଼ି ବି ନାଇଁ

ଆସୁନାଇଁ ଶଗଡ଼ଟା ... ଦିଶୁନାଇଁ କାଇଁଚଟା ନାଲି

ଲେଉଟୁନି ଛାଇ ଆଉ ଲଂବଲଂବ ପାହୁଲ ପକାଇ

ଖତରା ଖଂଜାରେ ତୁମ - ଖରାର ଏ ଖଂଡିଉଡ଼ା ଖାଲି !

 

ଓଲଟିଚି ଓଢ଼ଣାଟା । ଓଲେଈଟା ଓଟାରୁଚି ଓଳି

ଓଷା ତୁଲେ ଓପାସର କାଇଁ କୁହ ଏତେ ଟିକେ ମେଳ ?

ବୋଉର କାନିରେ ବୋଧେ ବାହୁନୁଚି ବାରିବରକୋଳି

ବଂତଳବଣରେ ତୁମ ବାଟୋଇର ବାଇଗଣୀ ବେଳ !

 

ଚକାଚକା ଭଉଁରୀର ଚଉଁରୀରେ ମାମୁଘର ଗାଁ...

ଚଉଁରାର ଚଉପଟେ ଛତୁଫୁଟା ଚାଂଦିନୀର ଛଇ

ଖାଂଦାନିଟା ଖତଗଦା। ସାଆଂତିଆ ସାଜସବୁ ଆଁ

ଜୁଇ ତଳେ ଜହ୍ନ ଜଳେ, ପଂକ ତଳେ ଅଂକ କଷେ କଇଁ !

 

ହେ ପକ୍ଷୀ ଭାରତବର୍ଷ ! ବଇଁଶୀରେ ବହଳିଆ ଧୂଳି

ଗୁମାନର ଗୁଳୁଗୁଳି ... ଗୁମୁରୁନି ଗୋପର ଗୋଧୂଳି ॥

 

ଲାଜରେ ଲବଂଗ

 

ହେ ପକ୍ଷୀ ଭାରତବର୍ଷ ! ଅଛ କେଉଁ ଉଆଁସ ଉହାଡ଼େ?

ମେଘ ତୁମ ମହକୁମା ... ଜହ୍ନ ତୁମ ଜରିର ଝୁଲଣା

କୋତରା କୁହୁଡ଼ି କାଟି - କୁହ ଭଲା ଯାଇଚ କୁଆଡ଼େ ?

ତରା ତଳେ ତଅପୋଈ, ଖଇଫୁଟା ଖରାରେ ଖୁଲଣା !

 

ଅଉଲଅଉଲ ଅଂଡା ଅଂଡାଳୁଚି ଅଜଗର ଆଜି

ବାନପ୍ରସ୍ଥୀ ବାରମାସୀ। ବାରଗସ୍ତୀ ଗେଂଡାଳିଆ କାହିଁ?

ଅଗନାଗ୍ନି ବନସ୍ତରେ ଧୁନି ଜାଳେ ଧୂଳିଆବାବାଜି

ଜଳିଗଲା ଜାନକୀଟା। ରହିଲାନି ରାଇଜରେ ରାଈ !

 

ଶୁଆ ନାଇଁ । ଶାରୀ ନାଇଁ । ଭୁଆଁବୁଲା ଭଦଭଦଳିଆ

ବଗ ନାଇଁ । ବଗୁଲୀକୁ - ଲାଗେ ସବୁ ଅଲଣା ଅଲଣା...

ସମାଧିରେ ସାଆଂତାଣୀ । ସଂତରାରେ ସାରିଆ-ଭଗିଆ

ଗଛର ଏ କୋରଡ଼ରେ କେତେ ଗୀତ ଗପର ଗହଣା ?

 

ହେ ପକ୍ଷୀ ଭାରତବର୍ଷ ! ବସାଘରେ ବିଦେଶୀ ବିହଂଗ...

ପାନ ନାଇଁ । ଗୁଆ ନାଇଁ । ଲୁଚିଲାଣି ଲାଜରେ ଲବଂଗ ॥

 

ପକ୍ଷର ପଣତ

 

ହେ ପକ୍ଷୀ ଭାରତବର୍ଷ ! ନଈତୁଠ ନଖର ଦର୍ପଣ

ଚିତ୍ରିଣୀ ଚିଲିକା ତୁମ ଚିତିଚରା ଚିହ୍ନାଚଉତରା

ଜହ୍ନ ଯାଚେ ଜମିଦାରି ତୋଳିସାରି ତରାର ତୋରଣ

ଡୁଂଗୁଚି ତଥାପି ଡେଣା କୁନି କେଉଁ ଡାଳର ଡାକରା !

 

ଦିଗଂତର ଦାବିନାମା ଦର୍ଜ ତୁମ ପରର ଫର୍ଦରେ

ପାହାଡ଼ର ପିଲିସଜ ତୁମ ପାଇଁ ସଜ କରେ ସଂଜ...

ପବନ ବି ପାଦ ପୋଛେ ... ଦଶତାଲା ଦଂଡବତ କରେ

ଡୋଳାରେ ତଥାପି ତୁମ ଗଜା କେଉଁ ଗଛର ଗରଜ !

 

ନୀଡ଼ଠୁ ନୀଳିମାଯାକେ - କି କଥା ବା ତୁମକୁ ନଜଣା ?

ପବନରେ ପାଆଚାରି ... ଗସ୍ତ ତୁମ ଗହନ ଗଗନେ

ଏଡ଼େବଡ଼ ଆକାଶଟା ତୁମ ଆଗେ ଅରାଏ ଅଗଣା

ତୁମେ ଆଜି କେତେ ଦୂରେ ? ମାଟି କଥା ପଡ଼ୁନି କି ମନେ ??

 

ହେ ପକ୍ଷୀ ଭାରତବର୍ଷ ! ନିଆଁଗିଳା ଧୂଆଁର ଦିଗଂତ

ଦୁଃଖିନୀ ଧରତୀପରେ ପାରିଦିଅ ପକ୍ଷର ପଣତ ॥

 

ଘାସରେ ଘାସରେ

 

ହେ ପକ୍ଷୀ ଭାରତବର୍ଷ ! ହେ ସ୍ୱପ୍ନର ଶୁଭଶଂଖଚିଲ !

ଅଳେଇଚ ଅରଣ୍ୟରେ ଅନେଇଚି ଉଁଚପରବତ...

ଡାକୁଚି ତୁମକୁ ଆଜି ପୋଡ଼ୁଚାଷ ... ଫଟାପାଟବିଲ

ପଦାର ଏ ପଦରକୁ ଫେରିଆସ, ପ୍ରିୟ ପାରାବତ !

 

ଦୋବୁଂଦା ଡୋଳାରେ ତୁମ ମାଟି ଆଉ ମେଘର ମିଶାଣ

ବକଟେଡେଣା ତ ବେନି - ଜାଣେ ଜମି-ଜହ୍ନର ଯୋଡ଼େଇ

ଉଢ଼ାଳରୁ ଉଡ଼ିଆସ ! ମୁକୁଳା ଏ ମନର ମୁହାଣ

ଚେତନାର ଚଉପାଶେ ଚକା କାଟ, - ହେ ଚିହ୍ନାଚଢ଼େଇ !

 

ଥଂଟର ଥାଟରେ ତୁମ - ଥରୁ ଥର୍‌ ... ଥରୁ ଏ ଥାବର

ପୋଢୁଆଁ ସେ ପର ପୁଣି ପାହାଂତିର ପତିଆରା ଦେଉ

ନୁଖୁରା ନଖରେ ଭାଜୁ ନିଥର ଏ ନିଦର ନବର

ପାତଳ ସେ ପକ୍ଷପୁଟ ପାହାଂତାର ପତାକାଟେ ହେଉ !

 

ହେ ପକ୍ଷୀ ଭାରତବର୍ଷ ! ଆସମାନୁଁ ଆସ ଉଡ଼ିଉଡ଼ି

ଘାସରେ ଘାସରେ ଘୁମ, ଘରେଘରେ ଘଷରା ଘୁଂଗୁଡ଼ି ॥

 

ଫେରିଆସ ପ୍ରବାସରୁ

 

ହେ ପକ୍ଷୀ ଭାରତବର୍ଷ ! ପଉଷଟା ପର ପାତିଦିଏ...

କବଂଧର କଟକରେ କାଆ କାଆ, କୂଉ କୂଉ କାଇଁ ?

ଗୋଧୂଳିର ଗାଆଁଗୁଡ଼ା। ଗତାୟୁର ଗୀତ ଗାଏ କିଏ?

ଜଡ଼ର ଏ ଜଂବୁଦ୍ୱୀପେ ଝଡ଼ବାତ ... ଜହ୍ନ ଉଁ' ନାଇଁ !

 

ବିତୁ ପଛେ ବଡ଼ିଭୋର୍‌, ସକାଳଟା ସାତସଂଜ ହେଉ

ଉଡ଼ିଆସ ଉଂଚାଣିରୁ - ମାଟି ମାଗେ କଅଁଳ କୂଜନ

ଡାକେ ଚାଳ । ଡାକେ ଡାଳ । ଡାକିଯାଏ ଦରିଆର ଢେଉ

ଚଉଦିଗେ ଚଂଚୁ ତୁମ ଛାଇଦେଉ ଚଟୁଳ ଚୁଂବନ !

 

ତୁମରି ତୁଂଡର ଗୀତେ ଜାଗୁ ଜମି, ନିଦ ଭାଂଗୁ ନଈ

ଚେଇଁଉଠୁ ଚଉହଦି - ପାରାପେଟ୍‌ ପୁରୁଣା ପାଚିରି...

ବୁଜାହେଉ ବାକିଖାତା, ଚିରିଯାଉ ଛିଂଡାଚେକ୍‌ବହି

କାନରୁ କାନନଯାଏଁ - କଥା କୁହ କିଚିରିମିଚିରି !

 

ହେ ପକ୍ଷୀ ଭାରତବର୍ଷ ! ଡେଣା ତୁମ, ନମାନୁ ଡରାଣ

ଫେରିଆସ ପ୍ରବାସରୁ ... ତୁମକୁ ଏ ମୁଲକର ରାଣ ॥

 

ବ୍ୟାସକୂଟ

 

ମରୀଚି

ଅତ୍ରି

ଅଂଗିରା

ପୁଲସ୍ତ୍ୟ

ପୁଲହ

କ୍ରତୁ

ବଶିଷ୍ଠ

କଳା/ସଂଭୂତୀ

ଅନସୂୟା

ଶୁଭା/ଶ୍ରଦ୍ଧା

ହବିଭୂର୍

ଗତି/କ୍ଷମା

ସନ୍ନୀତି

ଅରୁଂଧତୀ

ଶ୍ରୁତର୍ଷି

କାଂଡର୍ଷି

ପରମର୍ଷି

ମହର୍ଷି

ରାଜର୍ଷି

ବ୍ରହ୍ମର୍ଷି

ଦେବର୍ଷି

 

-

ଦଶ

-

୧୦

ଶତ

-

୧୦୦

ସହସ୍ର

-

୧୦୦୦

ଅୟୁତ

-

୧୦୦୦୦

ଲକ୍ଷ

-

୧୦୦୦୦୦

ନିୟୁତ

-

୧୦୦୦୦୦୦

କୋଟି

-

୧୦୦୦୦୦୦୦

ଅବୁର୍ଦ

-

୧୦୦୦୦୦୦୦୦

ବୃଂଦ

-

୧୦୦୦୦୦୦୦୦୦

ଖର୍ବ

-

୧୦୦୦୦୦୦୦୦୦୦

ନିଖର୍ବ

-

୧୦୦୦୦୦୦୦୦୦୦୦

ଶଂଖ

-

୧୦୦୦୦୦୦୦୦୦୦୦୦

ପଦ୍ମ

-

୧୦୦୦୦୦୦୦୦୦୦୦୦୦

ସାଗର

-

୧୦୦୦୦୦୦୦୦୦୦୦୦୦୦

ଅଂତ୍ୟ

-

୧୦୦୦୦୦୦୦୦୦୦୦୦୦୦୦

ମଧ୍ୟ

-

୧୦୦୦୦୦୦୦୦୦୦୦୦୦୦୦୦

ପରାର୍ଧ

-

୧୦୦୦୦୦୦୦୦୦୦୦୦୦୦୦୦୦

 

ଜଂ ବୁ ପ୍ଳ କ୍ଷ ଶା ଳ୍ମ      ଳୀ କୁ ଶ କ୍ରୌଂ ଚ ଶା କ ପୁ ଷ୍କ ର

ଲ ବ ଣ      ଇ କ୍ଷୁ ସୁ      ରା ସ ର୍ପିଃ ଦ ଧି କ୍ଷୀ ର ସ୍ୱା ଦୂ ଦ

ଅ ତ ଳ      ବି ତ ଳ ସୁ(ନି) ତ ଳ ତ ଳା ତ ଳ ମ      ହା ତ

ସା

ପା ତା ଳ

ଓଁ

ଭୂ

ଓଁ

ଭୁ

ଓଁ

ସ୍ୱ

ଓଁ

ଭୂ

ଭୁ

ସ୍ୱ

ତ୍ୟ

 

ଭୂଗୋଳର ବଂଧନୀ ବାହାରେ/ଇତିହାସର ଇଲାକା ଆରପଟେ

ସମାହିତ ସ୍ୱପ୍ନସର୍ଜନାର ତୁମେ କ'ଣ ସେଇ ଶୁଭସ୍ୱାଗତିକା ?

ଉପାସ୍ୟ ଉପିଳର ଉନ୍ମୁକ୍ତ ଉତ୍କର୍ଷ...

 

ହେ ମହାଭାରତବର୍ଷ !

 

ରୂପ ନୁହଁ, ରେଖା ନୁହଁ ।

 

ସୀମା ନୁହଁ, ସରହଦ ନୁହଁ ।

 

ମାଟି ନୁହଁ, ମାନଚିତ୍ର ନୁହଁ ।

 

ନଥି ନୁହଁ, ନକ୍ସା ନୁହଁ ।

 

ନୁହଁ ମଧ୍ୟ ତୁମେ :

କ୍ଷୁଧିତ କ୍ଷମତାର କ୍ଷତାହତ କ୍ଷେତ୍ରଫଳ ।

ମୃଦିତ ମୃଗତୃଷ୍ଣିକାର ମୃତାହତ ମୃନ୍ମୟମଂଡଳ ।

 

ତୁମେ କ'ଣ ଚେତନାର ଚିତ୍ରାୟନ ?

ଅନାଦି ଅନଂତ ଅନାୟତନ ?

ଉନ୍ମଗ୍ନ ଉଦୟନରୁ ଉନ୍ମୁଖ ଉତ୍ତରଣ ?

 

ବିନିଶ୍ଚିତ ବିପ୍ରକର୍ଷ ?

ହେ ମହାଭାରତବର୍ଷ !

 

ତୁମକୁ ଖୋଜିଚି :

ଜନ୍ମଜନ୍ମାଂତରେ ।

ଦିଗଦିଗଂତରେ ।

କଳ୍ପକଳ୍ପାଂତରେ ।

 

ସମୁଦାୟ ସଂତପ୍ତ ସଂସ୍ପର୍ଶରେ ।

ଅନୁମେୟ ଆଲୋକବର୍ଷରେ ।

 

ପ୍ରବାହିତ ପ୍ରାଣରେ, ପ୍ରାଣରେ...

ନାମହୀନ ନକ୍ଷତ୍ରର ନୀଳନିର୍ବାଣରେ ।

 

କ୍ଷିତିର କ୍ଷତରେ,

ଅପ୍‌ର ଅତଳେ,

ତେଜର ତର୍ଜନରେ,

ମରୁତ୍‌ର ମୂର୍ଧନ୍ୟରେ,

ବ୍ୟୋମର ବ୍ୟାମୋହରେ,

ତୁମକୁ ଖୋଜିଚି :

ସମାହୃତ ସମୟରେ,

ନିସ୍ତରଂଗ ନିଃସମୟରେ,

ସୁମେରୁର ଶୁଭ୍ରସୂର୍ଯୋଦୟରେ,

କୁମେରୁର କୃଚ୍ଛ୍ରକୌମୁଦୀରେ,

ତ୍ରୈକାଳିକ ତ୍ରିଯାମାର ତୀରେତୀରେ,

ଦୁସ୍ତର ଦୁଃସ୍ୱପ୍ନର ଦୂରେଦୂରେ...

ନିରାଲଂବ ନିରକ୍ଷବୃତ୍ତର ନିରବିତ ନାଦବିଂଦୁରେ ।

 

ସପ୍ତଲୋକର ସୁଷୁପ୍ତିରେ

ସପ୍ତର୍ଷିର ସୁଷୁମ୍ନାନୁଭୂତିରେ

ସପ୍ତସିଂଧୁର ସ୍ୱପ୍ନଜାଗୃତିରେ ।

 

ତୁମକୁ ଖୋଜିଚି :

ସୀମାତୀତ ସମୟର ସୋପାନେସୋପାନେ

ତାରାତୀତ ତମିସ୍ରାର ତୋଫାନେତୋଫାନେ-

ତୁମକୁ ଖୋଜିଚି ବାରବାର

ତୁମକୁ ନପାଇ ହିଲ୍ଲୋଳିଉଠିଚି ହାହାକାର ।

 

ବିଷଦ-ବିଷାଦର ନିଷାଦ-ନିଦାଘରେ

ଭସ୍ମସାତ୍‌

ଅକସ୍ମାତ୍‌

ହିରଣ୍ମୟ ହର୍ଷ...

ହେ ମହାଭାରତବର୍ଷ !

 

ତୁମକୁ ଖୋଜିଚି ଚିରକାଳ ।

 

ତୁମକୁ ଖୋଜିଚି :

 

ତୃଷାର୍ତ ତୁଷାରଯୁଗର ତୁଂଗତରଂଗରେ,

ରେଖାଂକିତ ରହସ୍ୟର ରୂପ ଓ ରଂଗରେ,

ଅସ୍ତମିତ ଅତୀତର ଅପ୍ରାକୃତ ଆସଂଗରେ...

 

ଅଚିହ୍ନବର୍ଣ ଅଚିଂତନୀୟତାର ଆଲୀନ ଆକାଶରେ,

ପ୍ରାଚୀନ ପ୍ରସ୍ତରଯୁଗର ପ୍ରାଣୀନ ପ୍ରକାଶରେ,

ତିଥିବିଚ୍ଛିନ୍ନ ତାମ୍ରଯୁଗର ତଲ୍ଲୀନ ତଂଦ୍ରାରେ,

ସର୍ବାଂଗୀଣ ସୂର୍ଯାସ୍ତର ସାର୍ବତ୍ରିକ ଶାବରୀସଂଧ୍ୟାରେ

ଲୁପ୍ତିଲୀନ ଲୌହଯୁଗର ଲୁହ ଓ ଲହୁରେ...

 

ମଦରେ, ମହୁରେ ।

 

ଅଳ୍ପରେ, ବହୁରେ ।

 

ତୁମକୁ ଖୋଜିଚି :

 

ତାଡ଼ୟିତ୍ରୀ-ଲାଳୟିତ୍ରୀ-ତାରୟିତ୍ରୀ

ତାରାରେ ତାରାରେ,

ଶ୍ରୁତିସ୍ମତୀ-ସ୍ମୃତିସ୍ମତୀ-ସ୍ରୋତସ୍ମତୀ

ଧାରାରେ ଧାରାରେ;

ସତ୍ତ୍ୱବତୀ-ରଜୋବତୀ-ତମୋବତୀ

ସର୍ବବିଧ ସଭ୍ୟତାର ସାଶ୍ରୁ ସାୟୋନାରାରେ ।

 

ମଂତ୍ରମଗ୍ନ ମହାକାଳର ମୁହୂର୍ତମୁହୂର୍ତ ମୂର୍ତମାଳିକାରେ,

ପ୍ରୟାତ ପ୍ରଭାତର ପ୍ରଗଣିତ ପ୍ରହେଳିକାରେ ।

ଗତଗୋଧୂଳିର ଗଚ୍ଛିତ ଗାଥାରେ,

ବିଭାବିତ ବିଭାବରୀର ବିସ୍ରସ୍ତ ବ୍ୟଥାରେ ।

 

ଜଖମୀ ଜହ୍ନର ଜଉମୁଦୀ ଜମାନବଂଦିରେ,

ମଉଳା ମଲ୍ଲୀର ମାହାଳିଆ ମାଣିଆବଂଦିରେ ।

କରୁଣ କଇଁର କଇଁକଇଁ କାଂଦଣାରେ,

ଗହକା ଗେଂଡୁ-ଗଜରାର ଗେରୁଆ ଗଂଜଣାରେ ।

ମଂଥିତ ମରୁଆର ମଳିଚିଆ ମୁଚାଲିକାରେ,

ଚିତ୍ରିଣୀ ଚିଲିକାର ଚିରାତାଲିକାରେ ।

 

ଋଜୁରୂପା ରକ୍ତଗୋଲାପର ରେଣୁରେଣୁ ରୌଦ୍ରସ୍ନାନରେ,

ଋତୁମତୀ ରଜନୀଗଂଧାର ରତିରତି ରକ୍ତସ୍ରାବରେ ।

 

ଭୁକ୍ତଭୋଗର ବୁଭୁକ୍ଷାରେ।

 

ମୁକ୍ତମୃଗର ମୁମୁକ୍ଷାରେ।

 

ଯୁକ୍ତଯୋଗର ଯୁଯୁକ୍ଷାରେ।

 

ତୁମକୁ ଖୋଜିଚି :

 

ଜାତିସ୍ମରା ଜାହ୍ନବୀର ଜୀର୍ଣଜାନୁଦେଶରେ ।

ସ୍ୱତଃକ୍ଷରା ସ୍ୱର୍ଣଦୀର ଶୀର୍ଣସାନୁଦେଶରେ ।

 

ଏଲୋରାର ଅଲରା ଏଲୋକେଶରେ ।

ଅଜଂତାର ଅଜରା ଅବଶେଷରେ ।

 

କୋଣାର୍କର କୋହରେ ।

ମଗଧର ମୋହରେ ।

ସରଯୂର ସୁଅରେ ।

ଲୁଂବିନୀର ଲୁହରେ ।

ବୈଶାଳୀର ବର୍ଷାରେ ।

ଈଶ୍ୱରୀର ଈର୍ଷାରେ ।

 

ପଶୁର୍ରାମର ଫାର୍ଶାରେ ।

ମାୟାମୃଗର ମୁମୂର୍ଷାରେ ।

 

ମୃତମେଘର ମାନଚିତ୍ରରେ ।

ଭୂତଭୂର୍ଜର ଭୂଚିତ୍ରରେ ।

 

ତୁମକୁ ଖୋଜିଚି :

 

ସ୍ୱପ୍ନର ସ୍ମୃତିରେ/ସ୍ୱଗତର ସ୍ୱତଃସ୍ଫୂର୍ତିରେ/ସ୍ୱରର ଶ୍ରୁତିରେ।

ବର୍ଣର ବିଭୂତିରେ / ବିଂଦୁର ବୈଦ୍ୟୁତିରେ/ବିସର୍ଗର ବିସ୍ମୃତିରେ।

ମାତ୍ରାର ମହାମୂର୍ତିରେ।

ମଂତ୍ରର ମହାବ୍ୟାହୃତିରେ।

ପଦ୍ମର ବୀଜରେ

ଶବ୍ଦର ବ୍ରହ୍ମରେ ॥

ସତ୍ୟର ସକାଳ ।

ତ୍ରେତାର ତ୍ରିକାଳ ।

ଦ୍ୱାରକାର ଦ୍ୱିପ୍ରହର ।

 

କଳିର କାଳପ୍ରହର...

 

ଯୂଥବଦ୍ଧ ଯଂତ୍ରଣାର ଯୁଗଯୁଗାଂତ ଯାତ୍ରାପଥରେ ଭୁଆଁ ବୁଲିଚି, ତୁମକୁ ଖୋଜିଖୋଜି - ଜନ୍ମଜନ୍ମର ଜାତିସ୍ମର ମୁଁ ।

 

ତୁମକୁ ଖୋଜିଚି :

 

ଶ୍ୟାମଳୀ ଶତଦ୍ନର ସାମ-ସଂଗୀତରେ ।

ଶୁଚିସ୍ମତୀ ସରସ୍ୱତୀର ସ୍ୱତଃସ୍ୱଗତରେ ।

ଜାତଯୌବନା ଯମୁନାର ଜଳାଭିଷିକ୍ତ ଜାୟତ୍ରୀରେ ।

ଗାଥାମୟୀ ଗଂଗୋତ୍ରୀର ଗୀତିଗାୟତ୍ରୀରେ ।

କଥାମୟୀ କୃଷ୍ଣା-କାବେରୀ-ଗୋଦାବରୀର କୁଳୁକୁଳୁ କୋମଳଗାଂଧାରରେ ।

ତନ୍ମୟୀ ତ୍ରିବେଣୀର ତ୍ରିତପ୍ତ ତ୍ରିକାଳସଂଧ୍ୟାରେ ।

ମନ୍ମୟୀ ମହାନଦୀର ମୌନସମ୍ମତ ମର୍ମବେଦନାରେ ।

ନାଦମୟୀ ନୀଳନର୍ମଦାର ନୀରନିର୍ବାଣରେ ।

ତୀରତୁରଂଗିଣୀ ତୁଂଗଭଦ୍ରାର ତୃଣତର୍ପଣରେ ।

କୃଶାଂଗିନୀ କାଠଯୋଡ଼ିର କାକୂକ୍ତ କାରୁଣିକାରେ ।

ଚିତ୍ରାଂଗିନୀ ଚିତ୍ରୋପିଳାର ଚାରୁଚାରଣିକାରେ ।

ଚୀରଚର୍ମା ଚର୍ମଣ୍ୱତୀର ଚର୍ବିତଚର୍ବଣିକାରେ ।

ଅଯୁତା ଅଂତଃସଲିଳାର ଅପଂତରାୟିତ ଅବତରଣିକାରେ ।

ଫେନାୟମାନା ଫଲ୍‌ଗୁର ଫଳଶ୍ରୁତିପୂତ ଗୟାରେ, ବୋଧିଗୟାରେ ।

ମୁମୂଷୁର୍ ମରୁନଦୀର ମୃଦୁମୃଦୁ ମୃତ୍ୟୁମୃଗୟାରେ ।

ଅବତଳ ଅମୃତଧାରାର ଅନବଗତ ଅବଧିରେ, ସାତସାଗର ତେରନଈ ତୀରେତୀରେ...

 

ସେକାଳ/ଏକାଳ/ଦ୍ୱିକାଳ/ତ୍ରିକାଳ।

କାଳକାଳ, ଚିରକାଳ ।

ହଁ,

ନିରକ୍ଷରା ନଦୀ ।

ତୁଠପଥରରେ ନିହିଜାଣେନାଇଁ ନିଜ ନାଁ ବି ବିଚାରୀ ।

ଗାରେଇପାରେନା ଦି'ଧାଡ଼ି ଦି'କୂଳେ ।

କୁଳୁକୁଳୁ ଗୀତ କିଂତୁ ଗାଇପାରେ କୂଳେକୂଳେ ।

ହୃଦୟର ହୁଳହୁଳି ତାର ହରିନେଇପାରେ ହରେକ୍‌ ହଳାହଳ, ହଜାରେ ହାହାକାର ।

 

ନିରୀହ ନକ୍ଷତ୍ର ।

 

ନୀଳନିର୍ଜନ ଦୀପଟିଏ ହୋଇ ଜଳୁଥାଏ ମିଂଜିମିଂଜି, ଦିଗଂତର ଦୂରାଂତରେ ।

କାହିଁ କେଉଁ ଉଦାସିଆ ଉଆଁସ ଉହାଡେ଼ ।

ତାର ପରିଶୁଦ୍ଧ ପ୍ରେରଣାରେ ପରିଚ୍ଛନ୍ନ ଦିଶୁଥାଏ ପାହାଡ଼ର ପିଲିସଜ-ଅବତରି ଆସୁଥିବା ଅସରଂତି ଆଶା ଆଉ ଆଶ୍ୱାସନା ପାଇଁ ପାତିଦେଇଥାଏ ଆପଣାକୁ - ଅନନ୍ୟ ଆଧାରଟିଏ ପରି ।

 

ନିଦ୍ରିତ ନିସର୍ଗ ।

ନିଶୂତୀ ନଦୀର ନାନାବାୟା, ନାଚାର ନକ୍ଷତ୍ରର ନାଂଦୀଗାନ ଶୁଣିଶୁଣି ସ୍ୱପ୍ନ ସାଉଁଟୁଥାଏ ଶୋଇଶୋଇ ।

ନୀଳନୀଳ ନଳିନନଳିନ ସ୍ୱପ୍ନ ।

ନିରାବିଳ ନିୟୁତନିରୋଳ ସ୍ୱପ୍ନ ।

ନିର୍ନିମୀଳ ମଦିରମେଦୁର ସ୍ୱପ୍ନ ।

 

ନଦୀ । ନକ୍ଷତ୍ର । ନିସର୍ଗ ।

 

ବୃତ୍ତ । ବିଂଦୁ । ବିସର୍ଗ ।

ସବୁଠି,

ସବୁଠି ଇ ଖୋଜିଚି ତୁମକୁ ।

 

ଖୋଜିଚି -

ଭୂତତ୍ତ୍ୱରେ,

ନୃତତ୍ତ୍ୱରେ,

ନଂଦନତତ୍ତ୍ୱରେ ।

 

ଅସଂଖ୍ୟ ଅକ୍ଷରେ ।

ଅଗଣିତ ଅକ୍ଷରରେ ।

 

"ଅ'ରୁ "କ୍ଷ'ରେ ।

ମାଆର ଆ'ରେ।

କାହ୍ନାର ଆଁ'ରେ ।

କାଆର କା'ରେ।

 

କୁଆଁରୀ କୋଇଲିର କାଉଁରୀ କୁହୁରେ ।

 

ତେତିଶ୍‌କୋଟି ନାଁ'ରେ ।

ଗୋଟିକିଗୋଟି ଗାଁ'ରେ ।

 

"ମୁଁ'ର "ଉଁ'ରେ ।

 

ବୋଉର "ଓ'ରେ ।

ବୋଧିସତ୍ତ୍ୱର "ଓଁ'ରେ ।

ଓଁ : ଅ - ଉ - ମ୍‌

"ଅ'                        ବନାର ଅନୁମୂଳକ ଅବଧାରଣରେ।

ଆ ଇ ଈ ଉ ଊ ଋ ଏ ଐ ଓ ଔ      କାରର ଅନୁପୂରକ ଅବତାରଣରେ।

 

      ଅନୁସ୍ୱାରର ଉଦୁଉଦିଆ ବିଂଦୁରେ।

      ବିସର୍ଗର ହୃଦୁହୃଦିଆ ସିଂଧୁରେ।

      ଚଂଦ୍ରବିଂଦୁର ଉଧୁଉଧିଆ ଇଂଦୁରେ।

 

‌୍‍                               ହଳଂତ୍‌ର ତଳମାଳିଆ ହଳଦଂଡରେ।

୍ୟ ୍ର ୍ଳ ୍ଲ ୍ୱ ୍ନ ୍ମ      ଫଳାର ଫାଳଫାଳିଆ ଅକ୍ଷରଖଂଡରେ।

 

ର୍       ରେଫର ଶୂନ୍ୟକଟୀ ସ୍ୱର୍ଗରେ।

କଚଟତପର ପଂଚବଟୀ ବର୍ଗରେ।

 

ଅଶବ୍ଦର ଅସମତଳରେ/ଅର୍ଧଶବ୍ଦର ଅତଳରେ/ନିଃଶବ୍ଦର ନିତଳରେ/

ଅବର୍ଗ୍ୟ ବର୍ଣର ବିତଳରେ/ଶୂନ୍ୟଶବ୍ଦର ସୁତଳରେ/

ଅଂତଧ୍ର୍ୱନିର ତଳାତଳରେ/

ମହାପ୍ରାଣ ବର୍ଣର ମହାତଳରେ/ଅଳ୍ପପ୍ରାଣ ବର୍ଣର ରସାତଳରେ/

ଅତିରିକ୍ତ ବର୍ଣର ଅକାଳରେ/ ଅନକ୍ଷର, ଅକ୍ଷର, ଅନୁଚ୍ଚାରିତ ସ୍ୱରବ୍ୟଂଜନମୟ ଯୁକ୍ତାକ୍ଷର /ମୁକ୍ତାକ୍ଷରର ଅତୀତ/ଅନାଗତକାଳବ୍ୟାପୀ ନିରବଧି କାଳରେ ...

ସପ୍ତସ୍ୱର୍ଗ-ସପ୍ତଦ୍ୱୀପ-ସପ୍ତପାତାଳରେ

ବ୍ରହ୍ମଲୋକର ଭବ୍ୟସକାଳ/ବିଷ୍ଣୁଲୋକର ବୈକବୈକାଳ/ ମହେଶଲୋକର ମହାରାତ୍ରିକାଳରେ...

କେତେ ଶପଥରେ, କେତେ ଅପଥରେ...

କେଉଁଠି ନ ଖୋଜିଚି ତୁମକୁ ସତରେ !

ବ୍ୟଥିତ, ବିମର୍ଷ...

ହେ ମହାଭାରତବର୍ଷ !

ପ୍ରବଂଚିତ ପ୍ରଭାତୀର ପ୍ରଧାବିତ ପାଂଥ...

ତୁମକୁ ଖୋଜିଚି ଅବିରାମ, ଅବିଶ୍ରାଂତ ।

ଆଧିରେ, ବ୍ୟାଧିରେ ।

ଅଶ୍ରୁରେ, ଆର୍ତିରେ ।

ତନୁର ତାପରେ, ଆତ୍ମାର ଅଭିଶାପରେ ।

ମିନାକରା ମେଘର ମହଲରେ, ଦୁସ୍ତର ଦୁଃଖର ଦହଲରେ ।

ଗଂଜଣାର ଗରଳରେ, ଅନୁତାପର ଅନଳରେ ।

 

ଶୋକର ଶ୍ଳୋକରେ, ଭୋକର ବୋକରେ ।

ନୈକଟିକ ନୈମିଷାରଣ୍ୟର ନୈରାତ୍ମ ନୈରାଜ୍ୟରେ ।

ସୁବର୍ଣା ସୁପର୍ଣାର ସବୁଜତମ ସାମ୍ରାଜ୍ୟରେ ।

ବିଂଦୁର ଭୁବଃରେ, ବୃତ୍ତର ବିଷୁବରେ ।

ବ୍ରହ୍ମାର ବେଦରେ, ବ୍ରହ୍ମର ଭେଦରେ ।

ବିଲୟର ବିଳାପରେ, ପ୍ରଳୟର ପ୍ରଳାପରେ ।

ବୃଷ୍ଟିର ବାଙ୍ମୟରେ, ସୃଷ୍ଟିର ସଂଶୟରେ ।

ତୁମକୁ ନଖୋଜିଚି କେଉଁଠି ସତରେ ?

 

ମେଘରେ/ମର୍ତ୍ୟରେ,

ଦୈର୍ଘ୍ୟରେ/ପ୍ରସ୍ଥରେ !

ଉଦୟରେ/ଅସ୍ତରେ,

ହୃଦୟରେ,

 

ଗଣନାତୀତ ଗୋଧୂଳିର ଗୈରିକ ଗସ୍ତରେ !

ମୀନର ମୌନମୁଦ୍ରାରେ/ମନୁର ମହାନିଦ୍ରାରେ ।

ବ୍ୟାସ, ବୈଶଂପାୟନର ବିବୃତ ବିବରେ।

ନଳ, ନହୁଷର ନିଭୃତ ନବରେ ।

ଯଯାତିର ଜରାରେ।

ଖାଂଡବର ଖରାରେ ।

ଉର୍ବଶୀର ଉଷ୍ଣକଟୀବଂଧରେ

ରୂପସୀର ରସତୃଷ୍ଣ ରତିବଂଧରେ ।

ଅର୍ଯମାର ଆୟୁହ୍ରାସରେ/ଚଂଦ୍ରମାର ରାହୁଗ୍ରାସରେ ।

ବିଂଧ୍ୟାଦ୍ରିର ବାହୁପାଶରେ/ହିମାଦ୍ରିର ହାହୁତାଶରେ ।

 

ଦାକ୍ଷାୟଣୀର ଦାହରେ ।

ଦମୟଂତୀର ଦେହରେ ।

ଦ୍ରୌପଦୀର ଦ୍ରୋହରେ ।

 

କୌରବର କାଠଗଡ଼ାରେ।

ପାଂଡବର ପାଂଚପଡ଼ାରେ।

ବାରଭାଇର ଆଖଡ଼ାରେ ।

 

ଶକୁନିର ପଶାକାଠିରେ।

ଶକୁନର ମଡ଼ାମାଟିରେ ।

 

ସତ୍ୟର ଶ୍ୱାସରେ/ତ୍ରେତାର ତ୍ରାସରେ ।

ଦ୍ୱାପରର ଦୀର୍ଘଶ୍ୱାସରେ/କଳିର କାରାବାସରେ ।

ଷୋଳସସ୍ର ଶାଢ଼ିର ପରସ୍ତରେ।

ବାରହାତୀ ବେଣୀର ବନସ୍ତରେ ।

ବୁଢ଼ୀଅସୁରୁଣୀର ଅଂଧାରୀ ଆଁ'ରେ।

ଭଂଗାଚୁଡ଼ିର ବିଧବା ଗାଁ'ରେ ।

ଗୃହଗୃହାଂତରେ।

ବ୍ୟୂହବ୍ୟୂହାଂତରେ।

ଦେହଦେହାଂତରେ।

ଗ୍ରହଗ୍ରହାଂତରେ ।

 

ତୁମକୁ ଖୋଜିଚି :

 

ମହର୍ଲୋକମଂଡଳର ମନ୍ୱଂତରେ / ମନ୍ୱଂତରେ।

ପୌରାଣିକ ପୃଥିବୀର ପଥେପଥେ ପ୍ରାଂତରେପ୍ରାଂତରେ ।

 

ତୁମକୁ ଖୋଜିଚି :

 

ଗ୍ରୀଷ୍ମର ଗ୍ରୀବାରେ/ବର୍ଷାର ବିଭାରେ ।

ଶରତର ସୋମରେ/ ହେମଂତର ହୋମରେ ।

ଶୀତର ଶୃଂଗାରରେ/ବସଂତର ଭୃଂଗାରରେ ।

 

ପ୍ରଥିତ ପ୍ରଭାସର ପ୍ରେତକୃତ୍ୟରେ

ନା

ପତିତ ପାନିପଥର ପଶ୍ଚିମାବର୍ତରେ

 

ତୁମେ କିଂତୁ କେଉଁଠି ସତରେ ?

 

କେଉଁଠି ତୁମର

ଭଦ୍ର ଭ୍ରମର ?

ସୁଖୀଶଂଖଚିଲର ସୁନେଲି ସଁର୍ଶ ?

 

ହେ ମହାଭାରତବର୍ଷ !

 

ଶୈଳରେ ?

ଶୈବାଳରେ ?

ପ୍ରବାଦର ପ୍ରବାଳସ୍ତୂପରେ ?

କିଂବଦଂତୀର କପୂର୍ରୀ କୂପରେ ?

ତରୁ ନା ତୃଣରେ ?

ଭ୍ରୂ ନା ଭ୍ରୂଣରେ ?

ବାରିଦରେ ନା ବାରିଧିରେ ?

ପାରିଷଦିକ ପରିଧିରେ ନା ପରଦାରିକ ପାରିଧିରେ ?

ତନୁତଳ୍ପରେ ନା ମନୁକଳ୍ପରେ ?

ଚିତ୍ରରେ ନା ଚିଦାଭାସରେ ? ପ୍ରତୀକରେ ନା ପ୍ରତିଭାସରେ ?

ଇତିହର ଅଧ୍ୟାଦେଶରେ ନା ଅୟମାରଂଭର ଅର୍ଧାବେଶରେ ?

 

ଇଂଦୀ, ଇଂଦୁ, ଇଂଦ୍ରିୟାଦିର ଇତିବୃତ୍ତରେ

ନା

ଇତିହାସର ଇଳାବୃତ୍ତରେ ?

 

ଅଜ୍ଞାତବାସର ଅଧିମାସରେ

ନା

ଅଧିବର୍ଷର ଅଧିବାସରେ?

 

ଦ୍ୱାରବଂଧରେ

ନା

ଦ୍ୱାରକାରେ ?

 

ଏଳାବନରେ

ନା

ଏକାମ୍ରବନରେ ?

 

ନୋଆର ନାଆରେ

ନା

ଗୋପାର ଗାଆଁରେ ?

 

ଅଂବାପାଲିର ଇଂଧନରେ

ନା

ବାସବଦତ୍ତାର ବଂଧନରେ ?

 

କୁଂଡଳକେଶାର କ୍ରଂଦନରେ

ନା

ସ୍ପର୍ଧିନୀପ୍ରିୟାର ସ୍ପଂଦନରେ ?

 

ତଅପୋଈର ତୁଠରେ

ନା

ଖୁଲଣାର ଖୁଂଟରେ ?

 

ବିଶ୍ୱାବସୁର ବିଶ୍ୱାସରେ

ନା

ନଗାଧିରାଜର ନିଃଶ୍ୱାସରେ

ନା

ପ୍ରଭାବତୀର ପ୍ରଶ୍ୱାସରେ

ନା

ଆୟୁଷ୍ମତୀର ଆଶ୍ୱାସରେ ?

 

କେଉଁଠି ଆକର୍ଷ, କେଉଁଠି ବିକର୍ଷ...

ହେ ମହାଭାରତବର୍ଷ !

 

କୋପିନୀର କଟାକ୍ଷରେ ? ଗୋପିନୀର ଗବାକ୍ଷରେ ?

ପଦ୍ମିନୀର ପ୍ରତୀକ୍ଷାରେ ? ତ୍ରିଜଟାର ତିତିକ୍ଷାରେ ?

 

କନ୍ୟାକୁମାରୀର କାଳ-କଳନାରେ ?

କୁମାରୀକନ୍ୟାର କୋଷ୍ଠୀ-ଗଣନାରେ ?

 

କୃଷ୍ଣକେଶରେ ?

କାୟାକ୍ଳେଶରେ ?

ଶାଣିତ ଶ୍ଳେଷରେ ?

ଶେଷଆଶ୍ଳେଷରେ ?

 

ଏବଂବିଧ ଏଷାର ଏରୁଂଡି ପାରିହୋଇ ସୁଦ୍ଧା ପାଇପାରିନି ତୁମର ପଦ୍ମପଦୀ ପତ୍ତା ।

କେଉଁଠି ବି ପରଶିପାରିନି ତୁମର ସେ ସୂକ୍ଷ୍ମାତିସୂକ୍ଷ୍ମ ସତ୍ତା :

ନା ଘାସର ଘ୍ରାଣରେ ନା ପୁଷ୍ପର ପ୍ରାଣରେ,

ନା ପୁଣ୍ୟର ପୁଷରେ ନା ପାପର ପାଉଁଶରେ...

ନା ପରମାଣୁର ପରମାୟୁରେ,

ନା ଶିରାଳ ସମୟର ଶୀତଳ ସ୍ନାୟୁରେ !

ଖୋଜିଖୋଜି ପାଇନି ତୁମକୁ କେଉଁଠାରେ,

ଏ କୋଣରେ/ସେ କୋଣରେ/ତ୍ରିକୋଣରେ

କୌଣସି କୋଣରେ...

 

ନା ବୃଷଭାନୁଜେମାର ବୃଚ୍ଛବଳୟିତ ବୃଂଦାବନରେ

ନା ବୈଶାଖୀବତାସର ବିଳପିତ ବାଂଶବନରେ

ନା ଶିଆଳିଲଟାର ଶୋକାକୁଳ ଶାଳବନରେ

ନା ନିର୍ଯାତିତ ନୀଳୋପିଳର ନିଷ୍ପତ୍ର ନଂଦନକାନନରେ ?

ନା କର୍ଦମାକ୍ତ କଦଂବବନରେ

ନା ବେଦନାକ୍ତ ବେତସବନରେ

ନା ବିଡ଼ଂବିତ ବୃଷାର ବପ୍ରକ୍ରୀଡ଼ାରେ

ନା ବିଳଂବିତ ବର୍ଷାର ବିଚିତ୍ର ବ୍ରୀଡ଼ାରେ

ନା ମୃଦ୍ୱଂଗୀର ମୃଗନାଭିରେ

ନା ମୃଦୁଳାର ମୃଗନୟନରେ

ନା ମୃଣାଳିନୀର ମୃଦୁସ୍ପର୍ଶରେ

ନା ମୃଚ୍ଛକଟିକାର ମୃଦାଘର୍ଷରେ

ନା ସପ୍ତପାତାଳର ସୁସଂଚିତ ସ୍ନିଗ୍ଧସୁରାରେ

ନା ସପ୍ତସ୍ୱର୍ଗର ସୁରଭିତ ଶୁଦ୍ଧସୁଧାରେ

ନା ସପ୍ତଦ୍ୱୀପର କ୍ଷୁରଶାଣିତ କ୍ଷୁବ୍ଧକ୍ଷୁଧାରେ !

ନା ଅନ୍ନମୟ କୋଷରୁ ଆନଂଦମୟ କୋଷରେ

ନା ନିରନ୍ନ ଜନରୋଷରୁ ବିପନ୍ନ ରାଜକୋଷର ଭୋକଶୋଷରେ

ନା ନିର୍ବାସିତ ନୀଳମାଧବର ନିଶ୍ଚକ୍ର ନଂଦିଘୋଷରେ ??

 

ତୁମକୁ ଖୋଜିଚି :

 

କଳ୍ପରେ/ବିକଳ୍ପରେ/ଭୂକଳ୍ପରେ/ଭୂତଳ୍ପରେ।

ଅୟୁତଅୟୁତ ଅଜନ୍ମରେ/ଲକ୍ଷଲକ୍ଷ ଲବ୍ଧଜନ୍ମରେ/

ନିୟୁତନିୟୁତ ନବଜନ୍ମରେ : ପ୍ରତ୍ୟେକ ଜନ୍ମରେ/

ପ୍ରତି ପ୍ରଜନ୍ମରେ।

 

କ୍ରମହୀନ କ୍ରୁଶସ୍ଥ କ୍ରଂଦନରେ...

 

ଅଣୁରେ/ରେଣୁରେ।

ରଣରେ/ରମଣରେ।

ପଣରେ/ପ୍ରତ୍ୟର୍ପଣରେ।

ପ୍ରମାଣରେ/ପ୍ରୟାଣରେ।

 

କେତେ ନଖୋଜିଚି ତୁମକୁ ସତରେ :

ପ୍ରକାରପ୍ରକାର ପ୍ରସ୍ତାବସିଂଧୁର ପ୍ରାକୃତବଂଧରେ

ଛଳଛଳ ଛତ୍ରସ୍ଥ ଛଂଦରେ !

 

କେତେ ପୁଣି ନଖୋଜିଚି ଏକାଏକା

ଲକ୍ଷଲକ୍ଷ ଲକ୍ଷଣାର୍ଥମୟ

ସେଇ ତୁମ ଲଳିତବିସ୍ତରୀ ଲକ୍ଷ୍ମୀପାଦଟୀକା?

 

କିଂତୁ କାହିଁ- କେଉଁଠି ତୁମର

ବୀଜବାଟି/ପୁଷ୍ପପେଟି/ଶସ୍ୟସଂପୁଟିକା ?

ଏବଂ

ଅତଳ-ବିତଳ-ସୁ(ନି)ତଳ-ତଳାତଳ-

ମହାତଳ-ରସାତଳ-ପାତାଳର

ନ୍ୟୂନମାତ୍ର ନିଷ୍ପନ୍ନ ନିଷ୍କର୍ଷ?

 

ହେ ମହାଭାରତବର୍ଷ!

 

ତୁମକୁ ଖୋଜିଚି :

 

ପ୍ରସ୍ତପ୍ରସ୍ତ ପ୍ରଳୟର ପ୍ରବର୍ତିତ ପ୍ରହେଳୀରେ

ସମଧିକ ସଂଖସେତୁ ସର୍ଜିସର୍ଜି,

କଳ୍ପକଳ୍ପ କାଳବଳୟର କୂଟକୁହେଳିରେ

ଅଜଣା ଅଂଧାରକଣା ଅଦିନମାନକୁ ଆଉଜିଆଉଜି,

ସପ୍ତଶତୀ ସ୍ଖଳିତ ଶ୍ଳୋକର ସଂବର୍ତିତ ଶ୍ୱାସପ୍ରଶ୍ୱାସରେ

ତୁମରି ସେ ତିମିରାଚ୍ଛାଦିତ ତିଷ୍ୟତାରକାକୁ

ବିକଳରେ ଭଜିଭଜି !

 

ବିପ୍ରଲବ୍ଧ ବିସ୍ମୃତିର ବଟବନସ୍ତରେ

ହର୍‌ବାର ହଜିହଜି...

 

ଖ୍ରୀଷ୍ଟପୂର୍ବ ଖରା ଓ ବର୍ଷାରେ ଶିଝିଶିଝି, ଭିଜିଭିଜି !

ତୁମକୁ ଖୋଜିଚି :

 

ଲବଣସାଗରର ଲୋତକାପ୍ଳୁତ ଲବଂଗଦ୍ୱୀପରେ !

ଇକ୍ଷୁସାଗରର ଅଭୀଷ୍ଟ ଅଂତରୀପରେ !

ସୁରାସାଗରର ସୁମିଷ୍ଟ ସୋମଲତା ସମୀପରେ !

ଘୃତସାଗରର ଘନାୟମାନ ଘନିଷ୍ଠରୂପରେ !

ଦଧିସାଗରର ଦିବ୍ୟବାମନପଦପୂତଃ ଦଶଧୂପରେ !

କ୍ଷୀରସାଗରର କ୍ଷମାକ୍ଷରିତ କ୍ଷୀଣଶିପରେ !

ସ୍ୱାଦୂଦକ ସାଗରର ଶଂଖସ୍ତନାଗ୍ର ଶାଂତିସ୍ତୂପରେ !

 

କିଂତୁ ହାୟ,

କେଉଁଠି ତୁମର ମତ୍ସ୍ୟାଳୟ, କୂର୍ମ-କୁଲାୟ ?

ବରାହ-ବିଳାସ ? ନୃସିଂହ-ନିବାସ ?

ବାମନ-ବିହାର ? ପରଶୁ-ପ୍ରହାର ?

ଶ୍ରୀରାମର ବନବାସ ? ହଳୀମୁଷଳୀର ଧାନଚାଷ ?

ବୁଦ୍ଧର ପ୍ରଣୀତ ପ୍ରଶାଂତି ? କଳ୍‌କୀର କ୍ରୋଧିତ କ୍ରାଂତି ?

କେଉଁ ଶୂନ୍ୟତାର ସୀମାଂତରେ ତୁମର ସେ

ଶୁଦ୍ଧସୁବର୍ଣାଭ ଶସ୍ୟକ୍ଷେତ୍ର ?

କେଉଁଠି ତୁମ ସଂକଳିତ ସଂକଳ୍ପର ସେଇ ସଂପୂର୍ଣ ସଂକର୍ଷ...

 

ହେ ମହାଭାରତବର୍ଷ !

 

କେଉଁଠାରେ ? କେଉଁ କୃତ୍ତିକାରେ ? କେଉଁ ମୃତ୍ତିକାରେ ?

ନା ଆତ୍ମସ୍ଥ ଇଳା-ପିଂଗଳା-ସୁଷୁମ୍ନାର ଶୈତ୍ୟ-ସୁଷୁପ୍ତିରେ

ନା ନିର୍ବାପିତ ମେରୁଜ୍ୟୋତିର ନିଶୂତୀ ନିଷୁପ୍ତିରେ...

ନା ସଂଜୀବିତ ସହସ୍ରାରର ସରସ୍ୱତୀ ସ୍ମୃତି-ସଂଭୂତିରେ

ନା ତଟସ୍ଥ ତଂତ୍ରୀର ତଂତ୍ରସ୍ଥ ତଂଦ୍ରାନୁଭୂତିରେ...

ନା ବଜ୍ରପାତରେ

ନା ବୀର୍ଯପାତରେ...

ନା ରକ୍ତରେ

ନା ରେତରେ...

ନା ଚର୍ମରେ

ନା ମର୍ମରେ...

ନା ଅସ୍ଥିରେ

ନା ଅସ୍ମିତାରେ...

ନା ଅଂକୁରରେ

ନା ଅଂଗୁରରେ...

ନା ପ୍ରଶିରାରେ

ନା ପ୍ରଶିଖାରେ...

ନା କଳିକାରେ

ନା କିଶଳୟରେ...

ନା ଯାତନାର ଯମକରେ

ନା ଅନୁଶୋଚନାର ଅନୁପ୍ରାସରେ...

ନା ସଦ୍ମରେ

ନା ପଦ୍ମରେ...

ନା ସନ୍ନ୍ୟାସରେ

ନା ବିନ୍ୟାସରେ...

ନା ନାଦରେ

ନା ହ୍ଲାଦରେ...

ନା ଜୀବାଶ୍ମର ଜିଜୀବିଷାରେ

ନା ଜୀବାତ୍ମାର ଜିଜ୍ଞାସାରେ ?

ଏ ଜନ୍ମରେ ଅଂତତଃ ଅଂତ ହେଉ, ଅନବଚ୍ଛିନ୍ନ ଅନ୍ୱେଷାର ଏଇସବୁ ଅନୁତପ୍ତ ଅନୁଚ୍ଛେଦ - ସଂତପ୍ତ ସଂଳାପ -

ପ୍ରଖର ପ୍ରଳାପ - ବିବ୍ରତ ବିଳାପ - ବିପ୍ରତୀପ ବିପ୍ରଳାପ...

ହେ ଅକଳିତ, ହେ ଅକଳ୍ପିତ, ହେ ଅନତିକ୍ରାଂତ,

ହେ ଅବ୍ୟକ୍ତ-ବ୍ୟତିକ୍ରାଂତ,

ହେ ଅଯୋନିସଂଭବ, ହେ ଅଭୂତଭବିଷ୍ୟ,

ହେ ଅଦ୍ୱ୍ଭେତ ଅଚିଂତ୍ୟ ସ୍ୱପ୍ନର ସର୍ବୋଚ୍ଚ ଶୂନ୍ୟଶୀର୍ଷ !

 

ପୂର୍ଣାହୁତି ମାଗେଁ,

ଯୋଗବିସ୍ମୃତ ଜାତିସ୍ମରର ଏ ଜନ୍ମଜନ୍ମର ଜୀବନଯଜ୍ଞରେ;

ମୋକ୍ଷମୁଂଚିତ ମୁସାଫିର୍‌ର ଏ ମାଳମାଳ ମରୁମାର୍ଗରେ...

ବିପୁଳ ବାତୁଳତାର ଏ ବିଦୀର୍ଣ ବିଦିଶାରେ

ଦିଅ ତୁମେ ଆଜି ଦିଶାର ଇସାରା;

ଦିଅ ଦ୍ୟୁତି, ଦିଅ ଦୃଷ୍ଟି, ଦିଅ ଦର୍ଶନ !

 

ତାରକିତ ହେଉ ତିଳତିଳ ତିମିରାଭିସାର ।

ସ୍ମାରକିତ ହେଉ ସମୟର ସମାହାର ।

ପୂରଣ ହେଉ ଏ ପାଂଶୁଳ ପ୍ରାଣରେ, ତୁମକୁ ପ୍ରାପ୍ତ ହେବାର ପ୍ରାଂତିମ ପ୍ରାର୍ଥନା :

 

ହଁ,

 

ଜନ୍ମ ଯଦି ଏ ଭସ୍ମାଭ ଭାରତବର୍ଷର ସାଗ୍ନିକ ଶରଶଯ୍ୟାରେ, ଜନ୍ମାଂତର ହେଉ ତେବେ ତୁମରି ସେ

ଭବିଷ୍ୟଭୂମା ବଟପତ୍ରର ପ୍ରଳୟାତିକ୍ରମୀ ପ୍ରବ୍ରଜ୍ୟାରେ...

 

ଭ୍ରୂଣାୟମାନ ହେ ମହାଭାରତବର୍ଷ !

 

॥ ମହାଭାରତବର୍ଷ ॥

ଅଣୁରୁ ଅଣିମା

ପ୍ରମାର ପ୍ରବାଦ

ହୃଦୟର ଉଦୟନୀ

ଆତ୍ମାର ଆଭାସ

ଅମୃତର ଅନୁପ୍ରାସ

ଶୁଚ଼ିର ସୂଚନା

ପ୍ରଥମ ପ୍ରାର୍ଥନା

ସୂର୍ଯ-ନମସ୍କାର

ପ୍ରମୂର୍ତ ପ୍ରତୀତି

୧୦

ଚରୈବେତି ... ଚରୈବେତି ... ଚରୈବେତି

 

ଅଣୁରୁ ଅଣିମା

 

ହେ ମହାଭାରତବର୍ଷ ! ତୁମେ ନୁହଁ ବେଦର ବିଭ୍ରମ

ମନୁର ସେ ମନ୍ୱଂତରେ ମୀନମୁଖୀ ମର୍ତ୍ୟର ମଗ୍ନତା

କଚ୍ଛପର କାକପୃଷ୍ଠେ ତୁମେ ନୁହଁ କରୁଣ କର୍ଦମ

ବରାହର ବିଳାସରେ ବିବସନା ବସୁଧାର ବ୍ୟଥା !

 

ହିରଣ୍ୟର ହୃଦୟରେ - ନୁହଁ ତୁମେ ନୃସିଂହର ନଖ

ବିକଳ୍ପର ବିବର୍ତନ ... ବଳିଭୂମେ ବାମନାବତାର

ତୁମେ ନୁହଁ ମାତୃହତ୍ୟା - ପ୍ରାଣାଂତକ ପର୍ଶୁର ପରଖ

ଶ୍ରୀରାମର ସୌରାଜ୍ୟରେ ଶଂବୁକର ସଶସ୍ତ୍ର ସଂହାର !

 

ମୁଷଳୀର ମୁଲକରେ - ନୁହଁ ତୁମେ ହଳୀର ହତାଶା

ବୁଦ୍ଧର ଏ ବନସ୍ତରେ ବିଷାଦିତ ବୋଧିର ବାସଂଦ...

କଳ୍କୀର ଖଂଡାରେ ନୁହଁ କଳିର ସେ ପଳିତ ପ୍ରତ୍ୟାଶା

ଭିନ୍ନତାର ଭୂର୍ଜପତ୍ରେ - ଛିନ୍ନତାର ଛଦ୍ମଛାୟାଛଂଦ !

 

ହେ ମହାଭାରତବର୍ଷ ! ମର୍ମରିତ ମହାମଂତ୍ରବାଣୀ ...

ଅଣାକାର ଆତ୍ମା ଆସୁ ଅଣୁରୁହିଁ ଅଣିମାଦି ଆଣି ॥

 

ପ୍ରମାର ପ୍ରବାଦ

 

ହେ ମହାଭାରତବର୍ଷ ! ତୁମେ ନୁହଁ ତୃଷ୍ଣାର ତୁରଂଗ

କାଉଁରିହାଡ଼ରେ କେଉଁ କୁଆଁରୀର କେଳିର କଳାପ...

ମୟର ସେ ମହଲରେ ତୁମେ ନୁହଁ ମାୟାର ମୃଦଂଗ

ପ୍ରଳୟପ୍ରଳୟାଂତରେ ପ୍ରେତାବିଷ୍ଟ ପ୍ରାଚୀନ ପ୍ରଳାପ !

 

ସ୍ୱପ୍ନର ସେ ଡ୍ଡଳନରେ ତୁମେ ନୁହଁ ସୋମର ସେବନ

ଅକଥିତ ଆର୍ତି ଅବା ଅମୁଂଚିତ ଅଶ୍ରୁର ଅନୁକ୍ତି

ମେଦୁର ମେଘର ମେଳେ ତୁମେ ନୁହଁ ମେଦଃର ମେଳନ

ସଂଘାତର ସଂଗମରେ ସଂଜ୍ଞାହତ ସ୍ନାୟୁର ସଂପୃକ୍ତି !

 

ସୃଜନର ସ୍ୱର୍ଲୋକରେ ତୁମେ ନୁହଁ ସୂର୍ଯେଂଦୁସଂଗମ

ମର୍ଦିତାମେଦିନୀ ମାତ୍ର ! ମଧ୍ୟମାତ୍ରା-ମୁଦ୍ରାର ମୁଂଡଳା

ସ୍ଥଳକୂଳ ସ୍ଥାପନାର - ନୁହଁ ସ୍ଥୂଳ ସ୍ଥାବରଜଂଗମ

କରତୋୟା କୂଳେକୂଳେ କୃଶାଂଗିନୀ କପାଳକୁଂଡଳା !

 

ହେ ମହାଭାରତବର୍ଷ ! ଅହରହଃ ଅନାହତ ନାଦ

ପ୍ରଳୟର ପ୍ରଣତିରେ ପ୍ରକ୍ଷାଳିତ ପ୍ରମାର ପ୍ରବାଦ ॥

 

ହୃଦୟର ଉଦୟନୀ

 

ହେ ମହାଭାରତବର୍ଷ ! ତୁମେ ନୁହଁ ମୋହିନୀମନ୍ମୟାଃ

ବିଂଦୁବିଂଦୁ ବିଂଦୁପାତ ... ବିସର୍ଗରେ ବ୍ରହ୍ମର ବିସ୍ମୃତି

ମଂତ୍ରର ଏ ମହର୍ଲୋକେ - ନୁହଁ ତୁମେ ତଂତ୍ରର ତନୟା

କକର୍ଥିତ କାମନାରେ କଦର୍ଥିତ କର୍ଦମର କୃତି !

 

ତ୍ରିଶୂଳୀର ତ୍ରିନୟନେ ତୁମେ ନୁହଁ ତ୍ରିଲୋକର ତ୍ରାସ

ଅନଳର ଅନାହାରେ ଅନାଦାୟ ଅନ୍ନର ଆନଂଦ

ପ୍ରୟାଣୀ ଏ ପ୍ରାଣୀ ପାଇଁ - ନୁହଁ ତୁମେ ପାଷାଣୀର ପ୍ରାସ

ଜୀବ୍ୟକୁ ହିଁ ଦିବ୍ୟ କର - ନଦିଅ କି ଯଶୋଦା ଓ ନଂଦ ?

 

ଶିଖାର ଶିଖଂଡୀ ନୁହଁ । ନୁହଁ ନୁହଁ ଶ୍ରୁତି ଅବା ସ୍ମୃତି

ନେତିର ଏ ନେତୃତ୍ୱରେ ଅଧୋନେତ୍ରା ଅଂଧପୁଟଳିନୀ

ଉତ୍ସର୍ଗର ଉପାଖ୍ୟାନେ - ନୁହଁ ଊର୍ଧ୍ବ-ଉଲଗ୍ନ ଉଦ୍ଧୃତି

କଳ୍ପକଳ୍ପ କାରୁଣ୍ୟରେ କୁହରିତା କୁଳକୁଂଡଳିନୀ !

 

ହେ ମହାଭାରତବର୍ଷ ! ଲୟଲଗ୍ନ ଲଳିତ ଲହର...

ଏ ହୃତସର୍ବସ୍ୱ ହୃଦ-ହୃଦୟର ଉଦୟନୀସ୍ୱର ॥

 

ଆତ୍ମାର ଆଭାସ

 

ହେ ମହାଭାରତବର୍ଷ ! ତୁମେ ନୁହଁ ପୁଷ୍ପର ପତନ

ପରାହତ ପଂଚଶର ... ପଂଚଭୂତେ ପଂଚତ୍ୱପ୍ରକାଶ

ମନୁର ଏ ମନୋଭୂମେ - ନୁହଁ ତୁମେ ତନୂର ନର୍ତନ

ଝଷର ଝିଲରେ ଝଡ଼ ... ଝରାପତ୍ରେ ଜୀବାତ୍ମାର ଝାସ !

 

ଅରବିଂଦ, ଅଶୋକରେ - ନୁହଁ ତୁମେ ଘୃଣାର ଘୃତାଗ୍ନି

ନାଗୁଣୀର ନିର୍ଯାତନା ନୀଳୋପିଳ, ନବମଲ୍ଲିକାରେ...

ଚୂତର ଚୁଚୁକଚୁଂବୀ ନୁହଁ ନୁହଁ ଚିତ୍ରାଭ ଚିତାଗ୍ନି

ବସଂତର ବାନପ୍ରସ୍ଥ - ବାସନାର ବିସ୍ରସ୍ତ ବିକାରେ !

 

ରତିର ବିରତି ନୁହଁ। ନୁହଁ ନୁହଁ ସତୀର ସମାଧି

କଂଦର୍ପର କାର୍ମୁକରେ ଭ୍ରଥଭ୍ରଷ୍ଟ ଭ୍ରମରୀର ଭ୍ରମ

ଭୂତିର ଏ ଭୂତଳ୍ପରେ - ନୁହଁ ତୁମେ ଆଧି ଅବା ବ୍ୟାଧି

ଶୁଚିର ଶୋଚନାତୀତ ସ୍ରୁଚରେ ସେ ସ୍ୱାହାର ସଂଗମ !

 

ହେ ମହାଭାରତବର୍ଷ ! ଆଦିଉତ୍ସ : ଊର୍ଜଃର ଉଚ୍ଛ୍ୱାସ

ଅନର୍ଗଳ ଅନଳରେ ଅନାମୟ ଆତ୍ମାର ଆଭାସ ॥

 

ଅମୃତର ଅନୁପ୍ରାସ

 

ହେ ମହାଭାରତବର୍ଷ ! ତୁମେ ନୁହଁ ଭସ୍ମର ଭ୍ରୂଲତା

ଧୂର୍ଜଟିର ଧ୍ୱଜଭଂଗ - ଧୂମାବର୍ତେ ଧେନୁର ଧର୍ଷଣ...

ମରୀଚିର ମରୂଦ୍ୟାନେ ତୁମେ ନୁହଁ : ମୃତସୋମଲତା

ହିରଣ୍ୟଦେ ହୁତାଶନ - ହୈମବତେ ହଂସର ହରଣ !

 

ଭୂତାତ୍ମାର ଭୁବର୍ଲୋକେ - ନୁହଁ ଭୃତ ଭୃଗୁର ଭୃଂଗାର

ସଂବିଦ୍‌ର ସଂହୃତିରେ ସଂଘଟିତ ସଂବୃତ ସଂଳାପ...

ଅଂଗର ଅଂଗାର ନୁହଁ । ନୁହଁ ନୁହଁ ଶୃଂଗର ଶୃଂଗାର

ବିରହର ବର୍ଷାଋତୁ ... ବୃଷଭର ବିଷମ ବିଳାପ !

 

ବଂଶର ବିଲୟ ନୁହଁ । ନୁହଁ ବଂଶୀ-ବ୍ୟାମୋହର ବାଣୀ

ବୟସର ବକ୍ରରେଖା ... ଚକ୍ରାହତ ଚୌବର୍ଗ୍ୟ ଚୌହଦି

କୁୟାସାର କୁଲ୍ୟାକୂଳେ, ନୁହଁ ତୁମେ କୂର୍ମର କର୍ମାଣି

ନିରୁକ୍ତ ନକ୍ଷତ୍ର ତଳେ ନିଶ୍ଚିହ୍ନ ବା ନିଶ୍ଚଳ ସେ ନଦୀ !

 

ହେ ମହାଭାରତବର୍ଷ ! ଆପ୍ତବ୍ୟାପ୍ତ ଅବ୍ୟକ୍ତ ଅବ୍ୟୟ...

ଅମୃତର ଅନୁପ୍ରାସ ... ଆନଂଦିନୀ ଅନ୍ନର ଅନ୍ୱୟ ॥

 

ଶୁଚିର ସୂଚନା

 

ହେ ମହାଭାରତବର୍ଷ ! ତୁମେ ନୁହଁ ଚ୍ୟୁତଚଂଦ୍ରକଳା

ତ୍ରିଦିବର ତୂର୍ଯନାଦେ ତ୍ରୈତାପିକ ତ୍ରିଶଂକୁର ତ୍ରୁଟି

ହିମିକାର ହିଂଦୋଳକେ ତୁମେ ନୁହଁ ହିମାନୀ ହିଲ୍ୱଳା

ଭୂତାଣୁର ଭୂଲୋକରେ ଭୋଜବାଜି, ଭ୍ରାଂତିର ଭ୍ରୂକୁଟି !

 

ହୁତାଗ୍ନିର ହାହୁତାଶେ - ନୁହଁ ତୁମେ ହିରଣ୍ମୟୀ ହୟା

ତ୍ରୈମାତୁର-ତୀରାଂକନେ ତିରୋଭୂତ ତ୍ରେତାର ତ୍ରିସୀମା

ତରୁର ଏ ତପୋଲୋକେ - ନୁହଁ ନୁହଁ ମରୁର ମୃଗୟା

ନିର୍ବାଣୀ ନଦୀର ନୀରେ ନିର୍ବାହିତ ନିର୍ବାପ୍ୟ ନୀଳିମା !

 

ବୃଂଦାର ବିଚ୍ୟୁତି ନୁହଁ । ନୁହଁ ବୃଂତ-ବୃତ୍ତର ବିରହ

ରାଜସିକ ରତିବଂଧେ ରଜୋବତୀ ରଂଭାର ରୋଦନ...

ନୁହଁ ତୁମେ ବେଦମତୀ - ବୈଧୁର୍ଯର ବିଦିତ ବିଗ୍ରହ

ବଳାତ୍କାରୀ ବଳୟରୁ ବନେବନେ ବହ୍ନିର ବୋଧନ !

 

ହେ ମହାଭାରତବର୍ଷ ! ମଗ୍ନମଂତ୍ରବୀଜର ମୂର୍ଛନା...

ସ୍ୱୟଂଭୂର ଶୁଦ୍ଧିପତ୍ରେ ସ୍ୱୟଂସ୍ମିତ ଶୁଚିର ସୂଚନା ॥

 

ପ୍ରଥମ ପ୍ରାର୍ଥନା

 

ହେ ମହାଭାରତବର୍ଷ ! ତୁମେ ନୁହଁ ଜଟାୟୁଃର ଜ୍ୱାଳା

କ୍ରୌଂଚଦ୍ୱୀପେ ଯୁଦ୍ଧକ୍ଷତ ଜଂବୁଦ୍ୱୀପା କବୋଷ୍ଣ କପୋତ

କବଂଧର କଟୀବଂଧେ ନୁହଁ ନୁହଁ କଟାମୁଂଡମାଳା

ଅର୍ଜିତ ଅସ୍ତ୍ରରେ ଆମ ରଂଜିତ ଏ ରକ୍ତନଦୀସ୍ରୋତ !

 

ଚର୍ମଣ୍ୱତୀ ଚର୍ବଣରେ ନୁହଁ ତୁମେ ଚର୍ମହୀନ ଛାୟା

ସ୍ୱସ୍ତିହୀନ ସୂର୍ଯାସ୍ତରେ ଅସ୍ଥିହୀନ ଅତୀତ ଅଯଥା

ଶିଆଳିଲଟାର ସଂଜେ ନୁହଁ ନୁହଁ ମିରିଗର ମାୟା

ନିମଡାଳ ନିମତାରେ - ନବନବକଳେବରୀ ନଥା !

 

ମାଳିନୀନଦୀର ମୋଡ଼େ - ନୁହଁ ତୁମେ ମେନକାର ମୋହ

ଡିଂବାଣୁର ଡହକରେ ଶୁକ୍ରାଣୁର ସ୍ୱତ୍ୱସମର୍ପଣ...

କୁଶର କାକୁତି ନୁହଁ । ନୁହଁ ତୁମେ କୋରକର କୋହ

ନିବୃତ୍ତିର ନିଷୁପ୍ତିରେ ନିର୍ବାଣର ନୀଳ ନିର୍ବାପଣ !

 

ହେ ମହାଭାରତବର୍ଷ ! ହେ ଅନସ୍ତ ଅର୍କଚଂଦ୍ରାର୍ଚନା...

ପ୍ରସ୍ତପ୍ରସ୍ତ ପ୍ରଳୟରେ ପ୍ରତ୍ୟୁଷର ପ୍ରଥମ ପ୍ରାର୍ଥନା ॥

 

ସୂର୍ଯ-ନମସ୍କାର

 

ହେ ମହାଭାରତବର୍ଷ ! ତୁମେ ନୁହଁ ତୃଣର ତର୍ଜନୀ

ସତ୍ୟର ସେ ସାୟାହ୍ନରେ ତ୍ରେତୟାର ସତୀଦାହ ଶୋକ...

କଳିର ଏ କ୍ରଂଦନରେ ନୁହଁ ତୁମେ ଦ୍ୱାପରର ଧ୍ୱନି

ନଗ୍ରରୁ ନଗାଧିରାଜ - ନୃତତ୍ତ୍ୱର ନିର୍ଜନ ନିର୍ମୋକ !

 

ଲବଂଗଦ୍ୱୀପର ବନେ ତୁମେ ନୁହଁ ଲାଜକୁଳୀ ଲତା

ପ୍ରବାଦର ପ୍ରବାଳରେ ପୁରାଣର ପ୍ରାର୍ଥିତ ପ୍ରଥମା...

ତୁମେ ନୁହଁ କିଂବଦଂତୀ କିଂବା କେଉଁ ବିଂବବଂତୀ କଥା

ଦ୍ରାବିଡ଼ର ଦିଗଂତରେ ଅର୍ବାଚୀନ ଆର୍ଯର ଅର୍ଯମା !

 

କାଉଁରି କୁହୁକ ନୁହଁ । ନୁହଁ ତୁମେ ମାୟାର ମୟୂଖ

ଈଶ୍ୱରୀର ଇଲାକାରେ ଇତସ୍ତତଃ ଇତିହର ଇତି...

ଅକ୍ଷାଂଶର ଆର୍ତନାଦେ - ନୁହଁ ନୁହଁ ଦ୍ରାଘିମାର ଦୁଃଖ

ଭୂକଂପର ଭ୍ରୂକୁଂଚନେ ଭଗ୍ନକଳ୍ପ ଭୂଗୋଳର ଭୀତି !

 

ହେ ମହାଭାରତବର୍ଷ ! ଓଠୁଓଠ - "ଓ' ରୁ ଓଁକାର...

ସମାସନ୍ନ ସତ୍ୟକୁହିଁ ସମୟର ସୂର୍ଯ-ନମସ୍କାର ॥

 

ପ୍ରମୂର୍ତ ପ୍ରତୀତି

 

ହେ ମହାଭାରତବର୍ଷ ! ତୁମେ ନୁହଁ ଖରାର ଖାଂଡବ

କୃଷ୍ଣାର କୃଶାନୁକୋଣୁ କାଳାତୀତ କିସ୍କିଂଧ୍ୟାର କ୍ଳେଶ...

ତତ୍ତ୍ୱର ତର୍ଜମା ତୀରେ - ନୁହଁ ତୁମେ ତର୍କର ତାଂଡବ

ନଦୀ-ନାରୀ-ନକ୍ଷତ୍ରର ନୁହଁ ନୁହଁ ନିର୍ବାପିତ ଦେଶ !

 

ତୃଷ୍ଣାର ତୁଷାର ତଳେ ତୁମେ ନୁହଁ କୃଷ୍ଣାର କାରୁଣ୍ୟ

ହସ୍ତିନାର ହାହାକାରେ ହଜିଥିବା ହରପାଁର ହାଡ଼...

ତୁମେ ନୁହଁ ମାନଚିତ୍ର ... ଫିକାଫିକା ଫୁଲର ଫଗୁଣ

ମାଟି ନୁହଁ । ଘାଟି ନୁହଁ । ନୁହଁ ନୁହଁ ଝାଟି ଅବା ଝାଡ଼ !

 

ଅଗସ୍ତ୍ୟର ଆଂଜୁଳାରେ ନୁହଁ ତୁମେ ଶୋଷର ସମୁଦ୍ର

ଅଥବା ସପତଦ୍ୱୀପା : ଭାଗଭାଗ ଭୋକର ଭୋଗଭୂ...

ତୁମେ ନୁହଁ ସୀମାରେଖା ... କ୍ଷେତ୍ରଫଳ କ୍ଷୌଣିକ ବା କ୍ଷୁଦ୍ର

ନୁହଁ ଜନ୍ମ ଯଜ୍ଞରୁ କି ଜନ୍ମାଂତର ଜୈବଯୋନିଗଭୁର୍ !

 

ହେ ମହାଭାରତବର୍ଷ ! ଆସ ଆସ ଆତ୍ମାର ଅତିଥି...

ପ୍ରଣମ୍ୟ ପ୍ରଣବପ୍ରାୟ ପ୍ରତିଶ୍ରୁତ ପ୍ରମୂର୍ତ ପ୍ରତୀତି ॥

 

ଚରୈବେତି...ଚରୈବେତି...ଚରୈବେତି

 

ହେ ମହାଭାରତବର୍ଷ ! ତୁମେ ନୁହଁ ସ୍ମୃତିର ସଂଖ୍ୟେୟ

"ଅସ୍ତି ଭାଗୀରଥୀତୀରେ' ଅସ୍ତିତ୍ୱର ଅସ୍ଥି-ବିସର୍ଜନ...

ଏ ପଂଚମକାରମୟ ପ୍ରପଂଚର ନୁହଁ ନୁହଁ ପ୍ରେୟଃ

ସେ ଏକାଂଗଚକ୍ରବର୍ତୀ-ଅନେଶୋତରାଣୀର ଅର୍ଜନ !

 

ନ୍ୟାସର ଏ ବିନ୍ୟାସରେ - ନୁହଁ ତୁମେ ବ୍ୟାସର ବିସ୍ତାର

ମୂକ ଏ ମୂଳଜମୟ ମୃତ୍ତିକାରେ ମୃତ୍ୟୁଯୋଗଭୟ

ଶ୍ଳୋକର ଶୃଂଖଳୁଁ ନୁହଁ ନିଂଦନୀୟ ନିଷାଦ-ନିସ୍ତାର

ଶୁକଶୁକ୍ର ସଂଭାଷ ବା ଶୌନକେୟ ଶ୍ରୋତ୍ରିୟ ସଂଶୟ !

 

ଉଦୟ ଅଂକନ ନୁହଁ । ନୁହଁ ନୁହଁ ଅସ୍ତର ଅଂଜନ

ଘର୍ମାକ୍ତିରେ ଘନାଗମ - ଘୂର୍ଣିଘୋଷ ଘଟନାକ୍ରମରେ

ଋତର ରେତଃରେ ନୁହଁ ଋତୁପୁଷ୍ପରଜଃର ରଂଜନ

ବେନିଚକ୍ଷୁବଂଧନ ବା ଚଂଦନ ଏ ଚୌରାଶୀ ଚର୍ମରେ !

 

ହେ ମହାଭାରତବର୍ଷ - ଓଜଃଔର୍ଜଃଔଜ୍ଜ୍ୱଲ୍ୟୈକମନାଃ !

ଚରୈବେତି...ଚରୈବେତି...ଚରୈବେତିଚିହ୍ନିତ-ଚେତନା ॥